ଗଜପତିରେ ପୁଣି ୪୭ କରୋନା ପଜିଟିଭ୍,ସଂଖ୍ୟା୨୩୮ରେ ପହଞ୍ଚିଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ଦିନକୁ ନିନ ବଢିଚାଲିଛି । ସ୍ଥିତି ଅତ୍ୟନ୍ତ ଉଦ୍ବେଗଜନକ ହେବାରେ ଲାଗିଛି । ଆଜି ଗୋଟାଏ ଦିନରେ ୪୭ ଜଣ ଚିହ୍ନଟ ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି । ଆଜିର ଏହି ୪୭ କରୋନା ରୋଗୀ ଚିହ୍ନଟ ପରେ ମୋଟ ସଂଖ୍ୟା ୨୩୮ରେ ପହଞ୍ଚିଛି । ଏହି ୪୭ ଜଣଙ୍କୁ ଆଜି ଆର.ସୀତାପୁର ଠାରେ ଥିବା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏ ନେଇ ଏକ ପ୍ରେସ ଇସ୍ତହାର ମାଧ୍ୟମରେ ଜଣାଇଛନ୍ତି,ଆଜି ପୁଣି ୪୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଏହି ୪୭ଜଣଙ୍କୁ ମିଶାଇ ବର୍ତ୍ତମାନ ଗଜପତିରେ ୨୩୮ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନିକ ଅଧିକାରୀମାନଙ୍କୁ ସମ୍ପୁଣ୍ଣ ଭାବେ ଏ ନେଇ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଜି ନୁତନ ଭାବେ ଯେଉଁ ୪୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ତାମିଲନାଡୁରୁ ୨୦ଜଣ,ଆନ୍ଧ୍ରରୁ ୧୨ ଜଣ ଓ ତେଲାଙ୍ଗାନାରୁ ୩ଜଣ,କର୍ଣ୍ଣାଟକରୁ ୧୧ଜଣ ପ୍ରବାସୀ ଗଜପତି ଜିଲ୍ଲାକୁ ଫେରିଥିଲେ । ଏହି ୪୪ଜଣଙ୍କୁ ଅସ୍ଥାୟୀ ସଂଘରୋଧ କେନ୍ଦ୍ରରେ ରଖାଯାଇଥିଲା । ଏମାନଙ୍କ ଠାରୁ ସ୍ୱାବ ସଂଗ୍ରହ କରାଯାଇଥିଲା । ଏହାର ପଜିଟିଭ୍ ରିପୋର୍ଟ ଆସିବା ପରେ ଆଜି ଏହି ୪୪ ଜଣଙ୍କୁ ଆର.ସୀତାପୁର ଠାରେ ଥିବା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୋଟ ୪୭ଜଣଙ୍କ ମଧ୍ୟରୁ ଏହି ୪୪ଜଣଙ୍କୁ ଛାଡି ଅନ୍ୟ ୩ଜଣ ଚିହ୍ନଟଙ୍କ ମଧ୍ୟରେ୨ଜଣ ସଙ୍ଗରୋଧ କେନ୍ଦ୍ରରୁ ଫେରିବା ପରେ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜଣେ କଣ୍ଟାଇନ୍ମେଣ୍ଟ ଜୋନ୍ରୁ ଚିହ୍ନଟ ହୋଇଛନ୍ତି । ଆଜି ବାହାରି ଥିବା ସମସ୍ତ କରୋନା ପଜିଟିଭ୍ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ସ୍ଥିର ରହିଥିବା ଜିଲ୍ଲାପାଳ ସୁଚନା ଦେଇଛନ୍ତି । ୪୭ଜଣଙ୍କ ମଧ୍ୟରୁ ୪୬ଜଣ ଗୋଷାଣୀ ବ୍ଲକର ଓ ଜଣେ ଗୁମ୍ମା ବ୍ଲକର ବୋଲି ଜଣାପଡିଛି । ଜିଲ୍ଲାର ସମସ୍ତ ୨୦୭ ଅସ୍ଥାୟୀ ସଂଘରୋଧ କେନ୍ଦ୍ର ସମେତ ଜିଲ୍ଲାର ସମସ୍ତ ଅଞ୍ଚଳରେ ଯେ କୌଣସି ବ୍ୟକ୍ତିଙ୍କ ଠାରେ କିଛି ଲକ୍ଷଣ ଦେଖାଗଲେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ସମସ୍ତ ବିଭାଗୀୟ କର୍ମଚାରୀମାନେ ପ୍ରସ୍ତୁତ ରହିଛନ୍ତି । ତେଣୁ ଜିଲ୍ଲାବାସୀ ଏଥିରେ କୌଣସି ଭୟଭୀତ ହେବାର ଆବଶ୍ୟକତା ନାହିଁ । ଅନ୍ୟ ପକ୍ଷରେ ଜନସାଧାରଣ ଲକ୍ଡାଉନ୍ ନିୟମକୁ ମାନି ନିଜ ନିଜର ଘରେ ସୁରକ୍ଷିତ ଭାବେ ରୁହନ୍ତୁ ଏବଂ ପ୍ରଶାସନକୁ ସହଯୋଗ କରନ୍ତୁ ବୋଲି ଗଜପତି ଜିଲ୍ଲାପାଳ ସାଧାରଣଙ୍କୁ ଅନୁରୋଧ କରିଛନ୍ତି ।