ଜରୁରୀ ପରିସ୍ଥିତିରେ ସାଂବିଧାନିକ ଅଧିକାର ହନନର ପ୍ରତିବାଦରେ ଉପବାସ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):୧୯୭୫-୭୭ ୧୯ ମାସ ଧରି ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଦ୍ୱାରା ଜାରି ହୋଇଥିବା ଜରୁରୀ ପରିସ୍ଥିତି ଥିଲା ଏକଛତ୍ରବାଦ ଶାସନ । ରାଜନୈତିକ ବିରୋଧୀ ନେତା ଓ ଗଣତାନ୍ତ୍ରିକ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଜେଲରେ ରଖାଯାଇଥିଲା । ସେହି ଶାସନରେ ହଜାର ହଜାର ବନ୍ଦୀ ଯୁବଛାତ୍ରମାନଙ୍କ ମଧ୍ୟରେ ମୁଁ ମଧ୍ୟ ଜଣେ ଅନ୍ୟତମ ରାଜବନ୍ଦୀ ଥିଲି । ଜରୁରୀ ପରିସ୍ଥିତିରେ ସାଧାରଣ ନାଗରିକର ସାଂବିଧାନିକ ଅଧିକାର ଛିନ୍ନ କରାଯାଇଥିଲା । ଖବର କାଗଜ ତଥା ଗଣମାଧ୍ୟମ ଉପରେ ଲଗାମ ଥିଲା । ସୁପ୍ରିମ କୋଟଙ୍କ ସ୍ୱାଧୀନତା ଉପରେ ମଧ୍ୟ ତାଲା ପଡ଼ିଥିଲା । ଏ ସବୁ ସତ୍ୱେ ନିର୍ବାଚନରେ ସାଧାରଣ ଜନତା ଗଣତନ୍ତ୍ରକୁ ପୁନଃ ପ୍ରତିଷ୍ଠା କରିଥିଲେ, ଜରୁରୀ ପରିସ୍ଥିତି ହଟିଥିଲା । ପୁଣି ଦୀର୍ଘ ୪୩ ବର୍ଷ ପରେ ଆଜିର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନରେ ଏକଛତ୍ରବାଦର ପଦଧ୍ୱନି ୨ୟ ଥର କ୍ଷମତାକୁ ଆସିଲା ପରେ ଆରମ୍ଭ ହୋଇଯାଇଛି । ସଂସଦୀୟ ସଂଖ୍ୟା ବଳ ଦ୍ୱାରା ଅଗଣତାନ୍ତ୍ରିକ ଆଇନ ପ୍ରଣୟନ ହୋଇଚାଲିଛି । ନାଗରିକତା ସଂଶୋଧନ ଆଇନ ଜରିଆରେ ୧୯ କୋଟି ମୁସଲମାନଙ୍କୁ ୩ୟ ଶ୍ରେଣୀ ନାଗରିକ କରିବା ଷଡ଼ଯନ୍ତ୍ର ଆରମ୍ଭ ହୋଇଛି । ଏହାର ଗଣତାନ୍ତ୍ରିକ ପ୍ରତିବାନକୁ ଶାସକ ଦଳ ଓ ଶାସକ ସହ୍ୟ କରିବାକୁ ପ୍ରସ୍ତୁତ ନୁହଁ । ସେଥିପାଇଁ ୪ ମାସର ଗର୍ଭବତୀ ଛାତ୍ରନେତ୍ରୀ ସଫୁରା ଜରଗରଙ୍କ ସମେତ ବହୁ ଜାମିଆ ମିଲିଆ-ଜେଏନୟୁର ଛାତ୍ର ନେତା-ନେତ୍ରୀଙ୍କୁ ଜେଲରେ ରଖାଯାଇଛି କେନ୍ଦ୍ର ପୋଲିସ ଦ୍ୱାରା । ସେହିପରି ମିଥ୍ୟା ମମଲାରେ ଦଲିତ-ଆଦିବାସୀମାନଙ୍କ ଅଧିକାର ତଥା ମାନବିକ ଅଧିକାରର ସୁରକ୍ଷା ପାଇଁ ସଂଗ୍ରାମରତ ପ୍ରଫେସର ଓକିଲ, ଲେଖକ, ସାଂବାଦିକ ଓ ଗଣତାନ୍ତ୍ରିକ ଜନ ଆନ୍ଦୋଳନ କର୍ମକର୍ତ୍ତାଙ୍କୁ ଜେଲରେ ରଖାଯାଇଛି । ଭିନ୍ନମତ ଦେଉଥିବା, ସାଂପ୍ରଦାୟିକ ଘୃଣା ରାଜନୀତିକୁ ବିରୋଧ କରୁଥିବା ବ୍ୟକ୍ତି ଓ ସଂଗଠନମାନଙ୍କ କଣ୍ଠରୋଧ କରିବାକୁ ଏପରି ଦମନ ଚାଲାଇଛି କେନ୍ଦ୍ର ସରକାର ।ଏବେ କରୋନା ଭାଇରସ ଲକଡ଼ାଉନ୍କୁ ଜରୁରୀ ପରିସ୍ଥିତି ପରି କେନ୍ଦ୍ର ସରକାର ବ୍ୟବହାର କରିଚାଲିଛି । ସାଧାରଣ ଜନତାଙ୍କ ପାଇଁ ତାହା ବନ୍ଦୀ ଘୋଷଣା ହୋଇଥିବା ବେଳେ ବଡ଼ ବଡ଼ ଦେଶୀ-ବିଦେଶୀ କମ୍ପାନୀମାନଙ୍କ ହାତରେ ଆମ ଦେଶର ଜମି, ଜଙ୍ଗଲ ଓ ଖଣି ଲୁଟ ପାଇଁ ଦୁଆର ଖୋଲି ଦିଆଯାଇଛି । ଅଗଣତାନ୍ତ୍ରିକ ବାଟରେ ଅଧ୍ୟାଦେଶ ଜାରି ହୋଇଛି ଆମ ରାଷ୍ଟ୍ରୀୟ ପ୍ରକଳ୍ପ ଓ ସଂପଦ ହସ୍ତାନ୍ତର ପାଇଁ । ଶ୍ରମିକମାନଙ୍କ ଅଧିକାର ଛଡ଼ାଇ ନିଆଯାଉଛି । ପରିବେଶ ସୁରକ୍ଷା ଆଇନକୁ ଅକାମି କରିବାକୁ ଚିଠାବିଲ ପ୍ରସ୍ତୁତ କରାଯାଇଛି । କର୍ପୋରେଟ ନିୟନ୍ତ୍ରିତ ଗଣମାଧ୍ୟମ ସରକାରୀ ମୁଖପାତ୍ର ହୋଇଯାଇଛି । ଆଜି ଅଘୋଷିତ ଜରୁରୀ ପରିସ୍ଥିତି ସୃଷ୍ଟି ପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ ଚାଲିଛି; ଏହାର ପ୍ରତିରୋଧ ଏକାନ୍ତ ଜରୁରୀ ।ଆଗାମୀ ଦିନରେ ରାଷ୍ଟ୍ରବ୍ୟାପି ଗଣତନ୍ତ୍ର-ସଂବିଧାନ ସୁରକ୍ଷା ଆନ୍ଦୋଳନ ଅପରିହାର୍ଯ୍ୟ । ଏହି ପରିପ୍ରେକ୍ଷୀରେ ଆଜି ଏହି କଳାଦିବସରେ ଅଘୋଷିତ ଜରୁରୀ ପରିସ୍ଥିତିର ପ୍ରତିବାଦରେ ୧୨ ଘଣ୍ଟିଆ ଉପବାସ ରଖି ସତ୍ୟାଗ୍ରହ ଧାରଣାରେ ଭୁବନେଶ୍ୱର ସ୍ଥିତ ଲୋହିଆ ଏକାଡେମୀର ପରିସରରେ ବସିଥିଲେ ଲୋକଶକ୍ତ ଅଭିଯାନର ସଭାପତି ତଥା ଜନଆନ୍ଦୋଳନ ମାନଙ୍କ ରଷ୍ଟ୍ରୀୟ ସମନ୍ୱୟର ରଷ୍ଟ୍ରୀୟ ପରାମର୍ଶଦାତା ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମନ୍ତରା । ଏହି ସତ୍ୟାଗ୍ରହକୁ ସମର୍ଥନ କରି ବରିଷ୍ଟ ସାମ୍ବାଦିକ ରବି ଦାସ, ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ, ସ୍ତମ୍ବକାର ସତିଶ ମିଶ୍ର, ଶ୍ରମିକ ନେତା ମହେନ୍ଦ୍ର ପରିଡା, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ଗାନ୍ଧିବାଦୀ ଡଃ ବିଶ୍ୱଜିତ, ସାମାଜିକ କର୍ମୀ ଜୟନ୍ତ ଦାସ, ମାନବ ଅଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ, ମାନବ ଅଧିକାର କର୍ମୀ ପ୍ରଦିପ୍ତ ନାୟକ, ସ୍ତମ୍ବକାର ଅମିୟ ପାଣ୍ଡବ, ବରିଷ୍ଟ ନେତା ସୁଦର୍ଶନ ପ୍ରଧାନ, ଅଇନଜିବୀ ସୁବାସ ଚନ୍ଦ୍ର ସାହୁ, ଆଇନଜୀବୀ ବିନୋଦ କୁମାର ସାହୁ, ଶ୍ରମିକ ନେତା ଶିବରାମ, ପ୍ରମିଳା ବେହେରା, ସଂଘମିତ୍ରା ଜେନା, ଚନ୍ଦ୍ରନାଥ ଡାନି, ଧିରେନ୍ଦ୍ର ପଣ୍ଡା, ରମଣି ରଞ୍ଜନ ରାଉତରାୟ, ଅବକାଶ ସାହୁ, ମନୋରୋମା ଖଟୁଆ, କଲ୍ୟାଣ ଆନନ୍ଦ, ସନ୍ତୋଷ କୁମାର ପଣ୍ଡା, ପ୍ରଶାନ୍ତ କୁମାର ଜେନା , ଅଶୋକ କୁମାର ଦାସ, ବିଜୟ କୁମାର ପଣ୍ଡା, ପାର୍ଥସାରଥୀ ବେହେରା, ଅରୁଣ କୁମାର ଦେହୁରି, ବିଶ୍ୱ ଭୁଷଣ ମହାପାତ୍ର, ସଂଜିବ୍ ପତ୍ରୀ, ଦେବୀ ପୃଷ୍ଟି ଓ ଲୋହିଆ ଏକାଡେମୀର ସମ୍ପାଦକ ଦେବପ୍ରସାଦ ରାୟ ମହାପାତ୍ର ପ୍ରମୁଖ ଯୋଗଦେଇ ଥିଲେ । ଏହି ପରିପ୍ରେକ୍ଷିରେ ଯୋଗଦେଇଥିବା ବ୍ୟକ୍ତିମାନଙ୍କ ପକ୍ଷରୁ ରଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଦିଆଯାଇଛି । ଲୋକଶକ୍ତି ଅଭିଯାନ ଓ ଜନ ଆନ୍ଦୋଳନମାନଙ୍କ ରାଷ୍ଟ୍ରୀୟ ସମନ୍ୱୟ ତରଫରୁ ଆଜିର ସତ୍ୟାଗ୍ରହରେ ଗର୍ଭବତୀ ସଫୁରା ଜାରଗର ସମେତ ମିଥ୍ୟା ମାମଲାରେ ଜେଲରେ ଥିବା ସମସ୍ତ ଛାତ୍ରଛାତ୍ରୀ ଏବଂ ମାନବିକ ଅଧିକାର କର୍ମକର୍ତ୍ତା ବୃନ୍ଦ ଶ୍ରମିକ ନେତ୍ରୀ ତଥା ବରିଷ୍ଠ ଆଡ଼ଭୋକେଟ ସୁଧା ଭରଦ୍ୱାଜ, ପ୍ରଫେସର ଆନନ୍ଦ ତୁଲୁତୁମ୍ବଡ଼େ, ପ୍ରଫେସର ସୋମା ସେନ, ପ୍ରଫେସର ରୋନା ୱିଲସନ, ମାନବିକ ଅଧିକାର କର୍ମକର୍ତ୍ତା ଗୌତମ ନଭଲଖ, କବି ବରବରା ରାଓ, ଆଡ଼ଭୋକେଟ ସୁରେନ୍ଦ୍ର ଗଡ଼ଲିଙ୍ଗ, ଆଦିବାସୀ ସୁରକ୍ଷା କର୍ମକର୍ତ୍ତର୍ା ମହେଶ ରାଉତ, ଭେରନନ୍ ଗନସ୍ଲେଭ୍, ଆଡ଼ଭୋକେଟ ଅରୁଣ ଫେରାଇରା ଓ ସାମ୍ବାଦିକ ସୁଧୀର ଧାଓଲେଙ୍କୁ ଜେଲରୁ ମୁକ୍ତ କରିବା ସହ , ଭିନ୍ନ ମତବାଦୀ ଓ ସଂଖ୍ୟାଲଘୁଙ୍କ ଉପରେ ଦମନ ବନ୍ଦ, ମାନବିକତା ଓ ପ୍ରକୃତିର ସୁରକ୍ଷା ପାଇଁ ନ୍ୟାୟୋଚିତ ଆର୍ଥିକ ସମତା ଭିତ୍ତିକ ବିକାଶ ନୀତି ପ୍ରଚଳନ ଓ ସାଂବିଧାନିକ ତଥା ମାନବିକ ଅଧିକାରକୁ ସୁରକ୍ଷା ଦିଆଯାଉ ବୋଲି ଦାବୀ କରାଯାଇଛି ।