ତୈଳଦର ବୃଦ୍ଧି ପ୍ରତିବାଦରେ ବ୍ଳକ କଂଗ୍ରେସ ପକ୍ଷରୁ ଦାବିପତ୍ର ପ୍ରଦାନ

ନାଉଗାଁ, (ୱାଇଏନ୍‌ଏସ୍‌): ସାରା ଦେଶରେ ବର୍ତମାନ କରୋନା ସଂକ୍ରମଣଙ୍କ ସଂଖ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରଭାବ ସମସ୍ତ ଜନସାଧାରଣଙ୍କ ଉପରେ ପଡିଛି । ଏପରି ଏକ ଦୁର୍ଦ୍ଦିନ ସମୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଅହେତୁକ ମାତ୍ରାରେ ତୈଳଦର ବୃଦ୍ଧି ବୋଝ ଉପରେ ଲଳିତା ବିଡା ପରି ମନେ ହେଉଛି । ମଙ୍ଗଳବାର ନାଉଗାଁ ବ୍ଳକ କଂଗ୍ରେସ ପକ୍ଷରୁ ତୈଳ ଦର ବୃଦ୍ଧିକୁ ନେଇ ପ୍ରତିବାଦ କରାଯାଇଥିଲା । ବ୍ଳକ କଂଗ୍ରେସ ସଭାପତି ନିରଞନ ବେହୁରାଙ୍କ ନେତୃତ୍ୱରେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ବିଚିତ୍ରାନନ୍ଦ ଲେଙ୍କା,ନୁଆଗାଁ ପଂଚାୟତ ସମିତି ସଭ୍ୟ ଉଲ୍ଲାସ ଚନ୍ଦ୍ର ରାଉଳ,ବାଂଶ ସରପଂଚ ସନ୍ତୋଷ ଦାସ, ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ବେଣୁଧର ସ୍ୱାଇଁ, ରାଜ୍ୟ ଛାତ୍ର କଂଗ୍ରେସ ସଂଯୋଜକ ସୁନିଲ କୁମାର ମାଟିଆ, ଜିଲ୍ଲା ଛାତ୍ର କଂଗ୍ରେସ ସଂଯୋଜକ କୃଷ୍ଣାନନ୍ଦ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦୁଃଶାସନ ନାୟକ ପ୍ରହଲ୍ଲାଦ ବିଶ୍ୱାଳ, ରୋହିଆ ସରପଂଚ ଶିବ ପ୍ରସାଦ ନାୟକ, ଯୁବନେତା ବାବୁରାମ ଜେନା, ସୌମ୍ୟ ସଂଜିବ ଦାସଙ୍କ ସମେତ ଶତାଧିକ କର୍ମୀଙ୍କ ସ୍ୱାକ୍ଷରରେ ଏକ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡିଓ ରଶ୍ମିରେଖା ମଲ୍ଲିକଙ୍କ ଜରିଆରେ ମଙ୍ଗଳବାର ପ୍ରଦାନ କରାଯାଇଛି । ଦାବି ମୁତାବକ କରୋନାରେ ଜନସାଧରାଣ ପ୍ରଭାବିତ ହେଇଛନ୍ତି । ଏପରିକି ଚାଷୀ ଚାଷ କାର୍ଯ୍ୟ କରିପାରୁ ନଥିବା ବେଳେ ଲକ୍ଷ ଲକ୍ଷ ଲୋକ କାମ ଧନ୍ଦା ଛାଡି ଭୋକ ଉପାସରେ ରହୁଛନ୍ତି । ତୈଳ ମନ୍ତ୍ରଣାଳୟର ନିୟମାନୁସାରେ ଆନ୍ତର୍ଜାତିକ ବଜାରରେ ତୈଳଦର ବୃଦ୍ଧି ହେଲେ ଆମ ଦେଶରେ ତୈଳଦର ବୃଦ୍ଧି ହେବା କଥା । କିନ୍ତୁ ଆନ୍ତର୍ଜାତିକ ବଜାରରେ ତୈଳଦର ବୃଦ୍ଧି ପାଉ ନଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନଇଚ୍ଛା ତୈଳ ବୃଦ୍ଧି ଜନସାଧାରଣଙ୍କୁ ନାହିଁ ନଥିବା ଅସୁବିଧାରେ ପକାଉଛି । ତୈଲଦର ବୃଦ୍ଧି ଯୋଗୁ ଖାଉଟି ସାମଗ୍ରୀ ଓ ବିଭିନ୍ନ ଦ୍ରବ୍ୟର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଉଛି । ଜନସାଧାରଣଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ଓ କେନ୍ଦ୍ର ତୈଳ ଉପରେ ଟିକସ ଛାଡ କରିବା ପାଇଁ ଦାବି କରାଯାଇଛି । ଉକ୍ତ ଦାବିପତ୍ରକୁ ବ୍ଳକ ସଭାପତି ନିରଞନ ବେହୁରା, ବିଚିତ୍ରାନନ୍ଦ ଲେଙ୍କା, ବେଣୁଧର ସ୍ୱାଇଁ, ଜ୍ୟୋତିପ୍ରକାଶ ପରିଡା, ସୁନିଲ କୁମାର ମାଟିଆ ଆଦି ବିଡିଓଙ୍କୁ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ