ଜୁଲାଇ ୩୧ ପର୍ଯ୍ୟନ୍ତ ଅଙ୍ଗନବାଡ଼ି ବନ୍ଦ

ଭୁବନେଶ୍ୱର: କରୋନା ପାଇଁ ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ପ୍ରତ୍ୟେକ ଆଇସିଡିଏସ ପ୍ରକଳ୍ପ ଅଧୀନରେ ଶୁଖିଲା ରାସନ ବଣ୍ଟନ କରାଯାଇଛି । ଅଙ୍ଗନବାଡ଼ି କର୍ମୀମାନେ ହିତାଧିକାରୀଙ୍କ ଘରକୁ ଘର ପହଞ୍ଚି ଜୁଲାଇ ମାସର ରାସନ ବାଣ୍ଟିଛନ୍ତି । ଏହା ସହିତ ଅଙ୍ଗନବାଡ଼ି କେନ୍ଦ୍ରରେ ୩ ରୁ ୬ ବର୍ଷ ବୟସର ଶିଶୁମାନଙ୍କୁ ଦିଆଯାଉଥିବା ରନ୍ଧା ଖାଦ୍ୟ ବଦଳରେ ଶୁଖିଲା ରାସନ ବଣ୍ଟନ କରିଛନ୍ତି । ଏହି ବଣ୍ଟନ ପ୍ରକ୍ରିୟାକୁ ମାତୃ କମିଟି ଓ ଯାଞ୍ଚ କମିଟିର ସଦସ୍ୟମାନେ ଯାଞ୍ଚ କରୁଛନ୍ତି । ଏହା ଦ୍ୱାରା ପ୍ରାୟ ୪୨ ଲକ୍ଷ ଗର୍ଭବତୀ, ପ୍ରସୂତି ଏବଂ ୬ ମାସରୁ ୬ ବର୍ଷ ବୟସର ଶିଶୁ ଉପକୃତ ହେଉଛନ୍ତି । କୋଭିଡ-୧୯ ପରିସ୍ଥିତିରେ ଓଡ଼ିଶାକୁ ଫେରିଥିବା ପ୍ରବାସୀମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କୁ ସମନ୍ୱିତ ପୁଷ୍ଟିସାଧନ ଯୋଜନାରେ ଅନ୍ତର୍ଭୁକ୍ତ କରି ସେମାନଙ୍କୁ ମଧ୍ୟ ଶୁଖିଲା ରାସନ ଦେବା ନିମନ୍ତେ ବିଭାଗ ପକ୍ଷରୁ ଜିଲ୍ଲା ଅଧିକାରୀମାନଙ୍କୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି । ଅଙ୍ଗନବାଡ଼ି କର୍ମୀମାନେ ବିଭିନ୍ନ ପଞ୍ଚାୟତ ଅଧୀନରେ ସଙ୍ଗରୋଧରେ ରହିଥିବା ଗର୍ଭବତୀ ଓ ଶିଶୁଙ୍କୁ ମଧ୍ୟ ଶୁଖିଲା ରାସନ ଯୋଗାଇ ଦେଇଛନ୍ତି । ଏ ପର୍ଯ୍ୟନ୍ତ ରାଜ୍ୟକୁ ଫେରି ଅଙ୍ଗନବାଡ଼ିରେ ତାଲିକା ଭୁକ୍ତ ହୋଇଥିବା ୫୫୩୮ ଗର୍ଭବତୀ ମହିଳା, ୨୩୮୦୮ ଶିଶୁଙ୍କୁ ଶୁଖିଲା ରାସନ ଯୋଗାଇ ଦିଆଯାଇଛି । ଏହି ବଣ୍ଟନ ସମୟରେ କୋଭିଡ-୧୯ ନିୟମାବଳୀକୁ ଠିକ୍ ଭାବେ ପାଳନ କରାଯାଉଛି ବୋଲି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ