୧୫% ସ୍କୁଲ ଫି’ ଛାଡ଼ ପାଇଁ ହାଇକୋର୍ଟରେ ଘରୋଇ ବିଦ୍ୟାଳୟ ସଂଘର ପ୍ରସ୍ତାବ

କଟକ: ଶେଷରେ କୋଭିଡ -୧୯ ନିୟମ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ସ୍କୁଲ ଫି’ରେ ୧୫% ଛାଡ଼ କରିବାକୁ ଘରୋଇ ବିଦ୍ୟାଳୟ ସଂଘ ହାଇକୋର୍ଟରେ ପ୍ରସ୍ତାବ ରଖିଛି । କିନ୍ତୁ ଏଥିରେ ଆବେଦନକାରୀ ସହମତି ପ୍ରକାଶ କରିନାହାନ୍ତି ।
ଚଳିତ ବର୍ଷ ସ୍କୁଲ ବନ୍ଦ ଥିବାରୁ ବିଦ୍ୟୁତ ଖର୍ଚ୍ଚ ନାହିଁ କହିଲେ ଚଳେ । ସ୍କୁଲରେ ଶିକ୍ଷା ପ୍ରଦାନ ହେଉନଥିବାରୁ ପିଲାଙ୍କ ଯାତାୟାତ ମଧ୍ୟ ବନ୍ଦ ରହିଛି । ଯେଉଁଥିପାଇଁ ଗାଡ଼ି ଖର୍ଚ୍ଚ ମଧ୍ୟ ନାହିଁ । ତେଣୁ ଏସବୁକୁ ଦୃଷ୍ଟିରେ ରଖି ଘରୋଇ ସ୍କୁଲ କର୍ତ୍ତୃପକ୍ଷ ସ୍କୁଲ ଫି’ ଆହୁରି କମ୍ କରିବା ଉଚିତ ବୋଲି ଓଡ଼ିଶା ଅଭିଭାବକ ମହାସଂଘ ଏବଂ ପ୍ରହ୍ଲାଦ ରାଉତଙ୍କ ପକ୍ଷରୁ ଅଦାଲତରେ ଜବାବ ରଖାଯାଇଥିଲା । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିଜ ଏବଂ ବିଚାରପତି କୁମାରୀ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣିକୁ ଆସନ୍ତା ୬ ତାରିଖକୁ ଧାର୍ଯ୍ୟ କରିଛନ୍ତି । ସେହିଦିନ ଆବେଦନକାରୀମାନେ କେଉଁ କେଉଁ କ୍ଷେତ୍ରରେ ଫି’କମ୍ କରିବାକୁ ଚାହୁଁଛନ୍ତି ତାହାର ବିସ୍ତୃତ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ଆଦେଶ ଦେଇଛନ୍ତି । ଉକ୍ତ ଦିନ ମାମଲାର ଚୂଡ଼ାନ୍ତ ଶୁଣାଣି ହେବ । ଅପରପକ୍ଷରେ କୌଣସି ଅଭିଭାବକ ସ୍କୁଲ ଫି’ ଦେଇଥାନ୍ତୁ ବା ଦେଇନଥାନ୍ତୁ ସେମାନଙ୍କ ପିଲା କିନ୍ତୁ ପାଠପଢ଼ାରୁ ବଞ୍ଚିତ ହେବେ ନାହିଁ ବୋଲି ପୂର୍ବରୁ ଜାରି କରିଥିବା ଅନ୍ତରୀଣ ନିର୍ଦ୍ଦେଶ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି । ଘରୋଇ ବିଦ୍ୟାଳୟ ସଂଘ ପକ୍ଷରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ, ପ୍ରହ୍ଲାଦ ରାଉତଙ୍କ ପକ୍ଷରୁ ଆଇନଜୀବୀ ରଞ୍ଜନ କୁମାର ରାଉତ ଏବଂ ଅଭିଭାବକ ସଂଘ ପକ୍ଷରୁ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ ମାମଲା ପରିଚାଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ