ଗାଁକୁ ଯିବାକୁ ଭଲ ରାସ୍ତା ନାହିଁ କି ପିଇବା ପାଣି ନାହିଁ

ମୌଳିକ ସୁବିଧାରୁ ବଞ୍ଚିତ ବୁତେଡି ଗ୍ରାମବାସୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବକ୍ଳ ବ୍ରାହ୍ମଣୀଗାଁ ଥାନା ନିକଟସ୍ଥ ସରାମୂଳି ପଞ୍ଚାୟତର ବୁତେଡି ଗାଁ ମୌଳିକ ସୁବିଧା ରୁ ବଞ୍ଚିତ । ଦେଶ ସ୍ଵାଧୀନ ହୋଇ ୭୩ ବର୍ଷ ବିତିଯାଇଥିଲେ ସୁଧା ଗାଁ ରେ ହୋଇ ପାରିନି ପକ୍କା ରାସ୍ତା ଓ ପିଇବା ପାଣି । ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ତାହା ଦୁର୍ଗମ ଅଞ୍ଚଳ ମାନଙ୍କରେ ବିକାଶ ହୋଇପାରୁନାହିଁ । ଏହି ବୁତେଡି ଗ୍ରାମରେ ୩୦ ରୁ ଉର୍ଦ୍ଧ ପରିବାର ୨ଶହରୁ ଅଧିକ ଲୋକ ବସବାସ କରୁଛନ୍ତି । ଏହି ଗ୍ରାମରେ ସବୁ ଆଦିବାସୀ ପରିବାର ବସବାସ କରନ୍ତି । ଏଠାରେ ସରକାରୀ ଯୋଜନା ଦିଗହରା । ପ୍ରଧାନମନ୍ତ୍ରୀ ସଡକ ମୁଖ୍ୟ ରାସ୍ତା ଠାରୁ ଗାଁକୁ ୩ କିମି ବାଟ ହୋଇଥିବା ବେଳେ ରାସ୍ତା ଅତି କର୍ଦମାକ୍ତ ପାହାଡିଆ ଖାଲଖମା । ଗାଁକୁ ପାଦରେ ଚାଲିଯିବା କଷ୍ଟ ସାଧ୍ୟ । ରାସ୍ତା ନଥିବା ଯୋଗୁଁ ଗାଁକୁ ଆମ୍ବୁଲାନ୍ସ ଆସିପାରୁନାହିଁ । ରୋଗି ଗର୍ଭବତୀ ମହିଳା ମାନଙ୍କୁ ୩ କିମି ଦୁରୁ ଖଟିଆରେ ବୋହି ନେବାକୁ ପଡେ। ଗୁରୁତର ରୋଗି ମାନେ ଖଟିଆରେ ବୋହିନେବା ସମୟରେ ମୁତ୍ୟୁ ବରଣ କରୁଥିବା ବହୁ ନଜିର ରହିଛି । ଗର୍ଭବତୀ ମହିଳା ମାନେ ମଝି ରାସ୍ତାରେ ହିଁ ପ୍ରସବ କରୁଛନ୍ତି । ଏଠାରେ ଅନ୍ୟ ଏକ ସମସ୍ୟା ହେଲା ବିଶୁଦ୍ଧ ପାନୀୟ ଜଳ । ଗ୍ରାମରେ ୨ ଟି ନଳକୂପ ଅଛି । ଗୋଟିଏ ବହୁବର୍ଷ ହେଲା ଅଚଳ । ଅନ୍ୟଟି ସ୍କୁଲ ପରିସର ମଧ୍ୟରେ ରହିଛି । ସେଥିରୁ ଦୁର୍ଗନ୍ଧ ବାହାରିବା ସହ ଲୌହଯୁକ୍ତ ପାଣି ବାହାରୁଛି । ତାହା ପିଇବା ପାଣି ଯୋଗ୍ୟ ନୁହେଁ । ଲୋକେ ବାଧ୍ୟ ହୋଇ ନିଜର ଶୋଷ ମେଣ୍ଟାଇବା ପାଇଁ ଚୁଆ ପାଣି ଓ ପାହାଡିଆ ନାଳ ପାଣି ବ୍ୟବହାର କରୁଛନ୍ତି ବୁତେଡି ଗ୍ରାମବାସୀ । ବର୍ଷା ଦିନ ହେଲେ ଗାଁକୁ ପାଦରେ ଚାଲିଯିବା ସମ୍ଭବ ନୁହେଁ । କାଦ ପଚପଚ ହୋଇଥାଏ । ବର୍ତ୍ତମାନ ବର୍ଷା ଦିନ ହୋଇଥିବାରରୁ ନାଳ ପାଣି ଓ ଚୁଆ ପାଣି ଗୋଳିଆ ହୋଇଯାଏ । ଗୋଳିଆ ପାଣି ବାଧ୍ୟ ହୋଇ ବ୍ୟବହାର କରୁଛନ୍ତି ବୁତେଡି ଗ୍ରାମବାସୀ । ଏହି ପାନୀୟ ଜଳ ସମସ୍ୟା ଓ ରାସ୍ତା ସମସ୍ୟା ନେଇ ବ୍ଳକ ପ୍ରଶାସନ ଓ ଜନ ପ୍ରତିନିଧି ମାନଙ୍କୁ ବହୁବାର ଅଭିଯୋଗ କରିଥିଲେ ସୁଧା କୌଣସି ସଫଳ ମିଳୁନଥିବା ଜଣାପଡିଛି l ଏଥି ପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଦାବୀ ହେଉଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ