ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଝରାଡିହି ଶାଖା ପ୍ରବନ୍ଧକଙ୍କ ବିରୁଦ୍ଧରେ ଅନିୟମିତତା ଅଭିଯୋଗ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ବହଳଦା ରୋଡ(ଝରାଡିହି) ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ପ୍ରବନ୍ଧକ’ଙ୍କ ବିରୁଦ୍ଧରେ ବେଆଇନ ଭାବେ ବ୍ୟାଙ୍କ ଉପଭୋକ୍ତାଙ୍କ ସଞ୍ଚୟ ଖାତା ବନ୍ଦ କରାଯିବା ସହିତ ବିଭିନ୍ନ ଯୋଜନାରେ ସାଧାରଣ ଲୋକଙ୍କୁ ମିଳୁଥିବା ସରକାରୀ ସହାୟତା ରାଶିକୁ ଅଟକ ରଖି ଲୋନ୍ ବାବଦରେ ଟଙ୍କା କାଟି ନେଉଥିବା ଅଭିଯୋଗ ହୋଇଛି। ବଡକେଡମ ଗ୍ରାମର ସଞ୍ଜୟ ବେହାରା’ଙ୍କ ଅଭିଯୋଗ ଅନୁସାରେ ତାଙ୍କ ମାଆଙ୍କ ଦେହ ଅସୁସ୍ଥ ଥିବାରୁ ମାଆଙ୍କୁ ଡାକ୍ତରଖାନା ନେବା ବେଳେ ବାଟରେ ତାଙ୍କ ଗ୍ରାମର ପରିଚିତ ବ୍ୟକ୍ତି ମଙ୍ଗଳୁ ବେହେରାଙ୍କୁ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ରେ ଥିବା ”୪୯୪୫୩୦’ ନଂ ବିଶିଷ୍ଠ ଏକ ଚ୍ୟାକ୍ ଭଙ୍ଗାଇ ୧୪’ହଜାର ଟଙ୍କା କାଢି ଆଣିବାକୁ ଦେଇଥିଲେ।ତେବେ ସେ ବ୍ୟାଙ୍କ ପ୍ରବନ୍ଧକଙ୍କ ନିକଟକୁ ଯାଇ ଚ୍ୟାକ୍ ଭଙ୍ଗାଇବା ବିଷୟରେ କହିବାରୁ ବ୍ୟାଙ୍କ୍ ପ୍ରବନ୍ଧକ ମଙ୍ଗଳୁ ବେହେରା’ଙ୍କୁ ବ୍ୟାଙ୍କରେ ଥିବା ତାଙ୍କ ସଞ୍ଚୟ ଖାତାରେ ଜମା କରିବାକୁ କହିଥିଲେ।ସଞ୍ଚୟ ଖାତାରେ ଚ୍ୟାକ୍ ଜମା କଲାପରେ ଟଙ୍କା କାଢିବାରେ ସହଜ ହେବ ବୋଲି କହିଥିଲେ।ତେବେ ତାଙ୍କ ସଞ୍ଚୟ ଖାତାରେ ଟଙ୍କା ଜମା ହେବା ପରେ ମଙ୍ଗଳୁ ବେହେରା’ଙ୍କ ନାମରେ ଥିବା ୯’ହଜାର ଟଙ୍କା କାଟି ରଖି ବାକି ୫’ହଜାର ଟଙ୍କା ମଙ୍ଗଳୁ ବେହେରାଙ୍କୁ ଦେଇଥିଲେ।ଅନ୍ୟ ଜଣଙ୍କ ଟଙ୍କା ହୋଇଥିବା ଓ ତାଙ୍କ ମାଆ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କହି କାକୁତି ମିନତି ହୋଇଥିଲେ ମଧ୍ୟ ବ୍ୟାଙ୍କ ପ୍ରବନ୍ଧକ କିଛି ଶୁଣି ନଥିଲେ।ତେବେ କାହାରୀ ନିଜସ୍ୱ ଚେକ୍ କୁ ବଳ ପୂର୍ବକ କିମ୍ବା ମିଥ୍ୟା ପ୍ରତିଶୃତି ଦେଇ ବ୍ୟାଙ୍କ ପ୍ରବନ୍ଧକଙ୍କ ଦ୍ୱାରା ଖାତାରେ ଟଙ୍କା ଜମା କରାଇବା ସମ୍ପୂର୍ଣ୍ଣ ଭାବେ ବେଆଇନ ହୋଇଥିବାବେଳେ ଶ୍ରୀ ସଞ୍ଜୟ ବେହେରା ଓଡିଶା ଗ୍ରାମ୍ୟ ବ୍ୟାଙ୍କର ମୂଖ୍ୟ କାର୍ଯ୍ୟାଳୟରେ ବହଳଦାରୋଡ ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ଶାଖା ପ୍ରବନ୍ଧକଙ୍କ ଏହି ବେଆଇନ କାର୍ଯ୍ୟ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି।ତେବେ ମୂଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଯଦି କୌଣସି ସନ୍ତୋଷ ଜନକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଏ ତାହେଲେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବେ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି। ଏହାଛଡା ଏହି ଶାଖାର ବ୍ୟାଙ୍କ୍ ପ୍ରବନ୍ଧକଙ୍କ ଦ୍ୱାରା ନିରିହ ଗରିବ ଆଦିବାସୀ ସାଧାରଣ ଲୋକଙ୍କ ଖାତାରେ ଆସୁଥିବା ଜରୁରୀ କାଳୀନ ସରକାରୀ ସହାୟତା ରାଶି ଯଥା, କରୋନା ସଂକ୍ରମଣ ଜନିତ ଲୋକଡାଉନରେ ମିଳିଥିବା ସହାୟତା ରାଶି,କାଳିଆ ଯୋଜନା ତଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଇତ୍ୟାଦିରେ ସଞ୍ଚୟ ଖାତାକୁ ଆସୁଥିବା ରାଶିକୁ ଅଟକ ରଖିବା ଉଦ୍ଧେଶ୍ୟରେ ଉପଭୋକ୍ତାଙ୍କ ଖାତାକୁ ପ୍ରବନ୍ଧକ’ଙ୍କ ଦ୍ୱାରା ଅଚଳ କରିଦିଆଯାଉଛି। ଫଳରେ ଅନ୍ୟ କୌଣସି ଉପାୟରେ ଟଙ୍କା କାଢି ନପାରି ଉପଭୋକ୍ତାମାନେ ବ୍ୟାଙ୍କ’କୁ ପହଞ୍ଚିଲେ ତାଙ୍କ ଠାରୁ ଲୋନ୍ ଟଙ୍କା କାଟି ନିଆ ଯାଉଛି। ଯାହା ଫଳରେ ଆବାସ ଟଙ୍କା କାଢି ନପାରି ଲୋକେ ଘର ତୋଳି ପାରୁ ନଥିବା ସହିତ ଅନ୍ୟାନ୍ୟ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଶାଖା ପ୍ରବନ୍ଧକ’ଙ୍କ ବିରୁଦ୍ଧରେ ଯଥାଶିଘ୍ର ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ