ହିନ୍ଦୁତ୍ୱ ବନାମ ଶ୍ରୀ ଜଗନ୍ନାଥ

ବିପିନ ବିହାରୀ ମହାନ୍ତି

ଶ୍ରୀକୃଷ୍ଣଙ୍କ ଦେହାନ୍ତ ପରେ ତାଙ୍କର ଁ ଅର୍ଦ୍ଧଦଗ୍ଧ ଶରୀରକୁ ଯାମନୀକ ତୀର୍ଥରେ ଭସାଇ ଦିଆଗଲା । ଏହାପରେ ସେ ଦାରୁରୂପେ ନୃସିଂହ କ୍ଷେତ୍ର ନିକଟରେ ଲାଗିଲେ । ସ୍ୱପ୍ନାଦେଶ ପାଇ ପ୍ରଥମେ ଶବରାଧିପତି ବିଶ୍ୱାବସୁ ଏହାଙ୍କୁ ଉଦ୍ଧାର କରି ପୂଜାକଲେ ଏବଂ ପରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ପୂଜିତ ହେଲେ । ଏହି ଦାରୁଦେବତା ହିଁ ସେ ଯୁଗରୁ ଶ୍ରୀ ଜଗନ୍ନାଥ ଥିଲେ ଏବଂ ଅଛନ୍ତି । ଏ ଦେବତା ଉଭୟ ଅନାର୍ଯ୍ୟ ବିଶ୍ୱାବସୁ ଓ ଆର୍ଯ୍ୟ ଇନ୍ଦ୍ରଦ୍ୟୁମ୍ନଙ୍କ ଦେବତା ହେତୁ, ପ୍ରଥମତଃ ସେ ଆର୍ଯ୍ୟ ଏବଂ ଅନାର୍ଯ୍ୟର ଦେବତାରୂପେ ପୂଜିତ ହୋଇଆସୁଛନ୍ତି ।
‘ସର୍ଚ୍ଚ ଫର ଦି ଇଷ୍ଟୋରିକାଲ୍ କ୍ରୀଷ୍ଣ’ରେ ଗବେଷକ ଏନ୍‌ଏସ୍ ରାଜାରାମ ଦର୍ଶାଇଛନ୍ତି ଯେ ପ୍ରାୟ ୫ହଜାର ବର୍ଷ ପୂର୍ବେ (୩୦୦୦/୩୧୦୦ଖ୍ରୀଷ୍ଟପୂର୍ବେ) ଶ୍ରୀକୃଷ୍ଣଙ୍କର ଜନ୍ମ ହୋଇଥିଲା । ତାଙ୍କ ହିସାବରେ ଏହି ଜନ୍ମ କାଳ ହେଉଛି ୨୭ ଜୁଲାଇ ୩୦୧୨ ଖ୍ରୀଷ୍ଟପୂର୍ବ ଏବଂ ମୃତ୍ୟୁ ହେଉଛି ଖ୍ରୀଷ୍ଟପୂର୍ବ ଏପ୍ରିଲ ୩୦୩୧ । ତାଙ୍କ ସ୍ମୃତିରେ ହିଁ ଜଗନ୍ନାଥ ବା ଦାରୁଦେବତା ପୂଜା ଆରମ୍ଭ ହେଲା ଅର୍ଥାତ୍ ଶ୍ରୀକୃଷ୍ଣଙ୍କ ଦେହାନ୍ତକୁ ଧରି ବିଚାରିଲେ ଶ୍ରୀ ଜଗନ୍ନାଥଙ୍କ ପ୍ରତି ବିଶ୍ୱାସ ଏବଂ ତାଙ୍କ ପାଇଁ ପୂଜାରମ୍ଭ ଆଜକୁ ୫୦୪୩ବର୍ଷ ପୂର୍ବରୁ ଆରମ୍ଭ ହୋଇଛି । ଯୁଗାବ୍ଧ ହିସାବରେ ଏହା ୫୧୦୬ବର୍ଷ ହେଲା । ତୁଳନାତ୍ମକ ବିଚାରର ପାର୍ଥକ୍ୟ ପାଖାପାଖି ୫୦ବର୍ଷ । ଇତିହାସରେ ଏମିତି କିଛି ତଥ୍ୟ ଏପଟ ସେପଟ ହେବା କିଛି ନୂଆ କଥା ନୁହେଁ ।
ଆର୍ଯ୍ୟମାନେ ବିଶେଷକରି ବ୍ରାହ୍ମଣମାନେ ହିନ୍ଦୁଧର୍ମର ଧ୍ୱଜାଧାରୀ ବା ବଡ଼ପଣ୍ଡା ବୋଲି ସମସ୍ତେ ଭାବନ୍ତି । ବ୍ରାହ୍ମଣମାନେ ଜଗନ୍ନାଥଙ୍କ ସେବାରେ ୧୧ମାସ ନିୟୋଜିତ ଥିବାବେଳେ ଦଇତାପତି (ଅନାର୍ଯ୍ୟମାନେ) ମାତ୍ର ଏକମାସ : ଦେବସ୍ନାନ ପୂର୍ଣ୍ଣିମା ଠାରୁ ଶ୍ରୀଗୁଣ୍ଡିଚା ପର ପୁନଶ୍ଚ ନିିଳାଦ୍ରୀବିଜେ ଯାଏଁ ତାଙ୍କର ପୂଜା କରିଥାଆନ୍ତି ।
ଖ୍ରୀଷ୍ଟପୂର୍ବ ୬ଷ୍ଠ ଶତାବ୍ଦୀ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ଧର୍ମ ଉପରେ ଅନ୍ୟ କୌଣସି ଧର୍ମର ପ୍ରଭାବ ନଥିଲା । ଏହାର ଦୁଇଟି କାରଣ ଥିଲା । ପ୍ରଥମତଃ ପୃଥିବୀର ଅନ୍ୟାନ୍ୟ ମହାଦେଶମାନଙ୍କ ସମ୍ପର୍କରେ ଅମକୁ ଜଣାନଥିଲା ବା ସେଗୁଡ଼ିକ ଆବିଷ୍କୃତ ହୋଇନଥିଲେ । ଦ୍ୱିତୀୟତଃ ସେଯାଏଁ ଏସିଆ ମହାଦେଶରେ କୌଣସି ନୂତନ ଧର୍ମ ଚେତନାରେ ଆନ୍ଦୋଳନ ଦେଖାଯାଇନଥିଲା ।
ଖ୍ରୀଷ୍ଟପୂର୍ବ ୫୬୬ରେ ବୁଦ୍ଧଦେବ ଏବଂ ଖ୍ରୀଷ୍ଟପୂର୍ବ ୫୪୦ (ବିତର୍କିତ)ରେ ମହାବୀର ଜୈନ ଭାରତରେ ଜନ୍ମ ଗ୍ରହଣ କଲେ । ଏଦୁହେଁ ଯଥାକ୍ରମେ ବୌଦ୍ଧ ଓ ଜୈନ ଧର୍ମର ପ୍ରବର୍ତ୍ତକ ଏବଂ ପ୍ରଚାରକ ଏବଂ ହିନ୍ଦୁଧର୍ମର ସଂସ୍କାରକ । ସମୟାନୁକ୍ରମେ ବୁଦ୍ଧ ଈଶ୍ୱରଙ୍କ ପିତୃତ୍ୱ ସ୍ୱୀକାର କରୁନଥିଲେ ବି ସେ ହିନ୍ଦୁମାନଙ୍କ ବିଶ୍ୱାସ ଭିତରେ ଏକ ଅବତାର ବୁଦ୍ଧ ବା ଜଗନ୍ନାଥ ହୋଇଗଲେ ଅର୍ଥାତ୍ ସେ ବୁଦ୍ଧମାନଙ୍କର ।
ଜୈନଧର୍ମ ମତରେ ମହାବୀର ହେଉଛନ୍ତି ଜୈନଧର୍ମର ୨୪ତମ ତୀର୍ଥଙ୍କର । ତାଙ୍କର ପ୍ରଥମ ତୀର୍ଥଙ୍କର ଋଷଭନାଥଙ୍କ ମାତୃଗର୍ଭରେ ସ୍ଥାପନ ଦିନକୁ ଧରି ସେମାନଙ୍କର ରଥଯାତ୍ରା ପାଳନ ହୁଏ । ଆଷାଢ଼ ଶୁକ୍ଲ ଦ୍ୱିତୀୟ ଦିନ ଯେଉଁ ଦିନକି ରଥଯାତ୍ରା ହୁଏ, ତାହାହିଁ ତାଙ୍କର ଜନ୍ମଦିନ । ତାହାହିଁ ତାଙ୍କର ବର୍ଣ୍ଣିତ ତିଥି । ଜୈନମତରେ ଜଗନ୍ନାଥ ହେଉଛନ୍ତି ତାଙ୍କର । ଉଭୟ ବୌଦ୍ଧ ଓ ଜୈନଧର୍ମ ଦାବୀ କରନ୍ତି ଯେ ଜଗନ୍ନାଥଙ୍କ ନାଭୀ ଗର୍ଭରେ ଯାହା ଲୁକ୍‌କାୟିତ ଏବଂ ଅସ୍ପର୍ଶ୍ୟ ଭାବରେ ରହିଅଛି, ଏହା ସେମାନଙ୍କର ପ୍ରଭୁଙ୍କର କିଛି ସନ୍ତକ । କେହି ଏହାକୁ ଦନ୍ତ ବା କେଶ ବୋଲି କହୁଥିଲେ ମଧ୍ୟ, ଏହା ଏକ ବିତର୍କିତ ପ୍ରଶ୍ନ ।
ଏଠାରେ ଗୋଟିଏ କଥା ଉଲ୍ଲେଖ କରୁ ଯେ ବୌଦ୍ଧ ଧର୍ମ ଏସିଆ ମହାଦେଶର ପ୍ରାୟତଃ ଅଧିକାଂଶ ଅଞ୍ଚଳ ଦଖଲ କରିନେଇଥିଲା । ଏହାର କାରଣ ଏହି ଯେ ରାଜା ଏବଂ ମହାରାଜାମାନଙ୍କର ପୃଷ୍ଠକତା ଲାଭକରି ବୌଦ୍ଧଧର୍ମ ଭାରତର ସୀମାରେଖା ଡ଼େଇଁ ମଧ୍ୟ ଏସିଆରେ ପ୍ରଚାର ଏବଂ ପ୍ରସାର ଲାଭ କରିଥିଲା । ପୁନଶ୍ଚ ଏ ଧର୍ମ ଅତ୍ୟନ୍ତ ସରଳ, ଉଦାର ଓ ମାନବୀଧର୍ମୀ ଥିବାରୁ ଏହାକୁ ଅନ୍ୟମାନେ ସହଜରେ ଆପଣେଇ ନେଲେ । ସେତେବେଳେ ହିନ୍ଦୁଧର୍ମରେ ବହୁ କୁସଂସ୍କାର ଏବଂ ସଂକୀର୍ଣ୍ଣତା ପ୍ରବେଶ କରିଥିବାରୁ , ଲୋକମାନେ ଏହାପ୍ରତି ବିମୁଖ ଥିଲେ । ବୌଦ୍ଧ ଧର୍ମ ସହିତ ଜୈନ ଧର୍ମର ନୀତିଗତ ଅନେକ ସାମଞ୍ଜସ୍ୟ ଥିଲେ ହେଁ, ଏହା ଭାରତର ସୀମାରେଖା ଡେଇଁ ପାରିନଥିଲା । ହିନ୍ଦୁମାନେ ସେତେବେଳକୁ ତଥାକଥିତ ଜଗନ୍ନାଥ ବା ହିନ୍ଦୁଧର୍ମକୁ ଏକ ଜାତୀୟ ଧର୍ମ ବୋଲି ଭାବୁଥିଲେ । ସେମାନଙ୍କ ମତ ଥିଲା ଯେ ନିଜ ଜାତୀୟ ଧର୍ମ ସ୍ୱଦେଶରେ ରହୁ । ତେଣୁ ସେମାନେ ଏହାର ପ୍ରଚାର ଏବଂ ପ୍ରସାର ପାଇଁ ଯତ୍ନବାନ୍ ନଥିଲେ । ଯଦି ସେମାନେ କିଛି ପଦକ୍ଷେପ ନେଇଥାଆନ୍ତେ, ତେବେ ବୈଦିକ ବେଦ, ଉପନିଷଦ ତଥା ସଂହିତା ଇତ୍ୟାଦିର ତଥ୍ୟ, ଅନ୍ୟଦେଶକୁ ଯାଇପାରିଥାଆନ୍ତା ।
ସବୁଧର୍ମଗୁଡ଼ିକର ନୀତି, ନିୟମ ପ୍ରଥମେ ପ୍ରବର୍ତ୍ତନ ହେଲା ବେଳେ, ପ୍ରଚାର ଓ ପ୍ରସାର ଦୃଷ୍ଟିରୁ ଖୁବ୍ ସରଳ ଥାଏ । ପରେ କୁସଂସ୍କାର ଏବଂ ଅନ୍ଧବିଶ୍ୱାସ ପହଞ୍ôଚ ଏହାକୁ କଳୁଷିତ କରିଦିଏ । ଋକ୍‌ବେଦ ମତେ ବୈଦିକ ସନାତନୀ ଧର୍ମରେ ଜାତିବିଭାଗ ନଥିଲା; ହିଂସା ଏବଂ ଜୀବବଦ୍ଧ ନଥିଲା । ଜାଗଯଜ୍ଞ ଇତ୍ୟାଦିର ଆଡ଼ମ୍ବର ନଥିଲା । ପରେ ପରେ ଏ ସବୁ ପ୍ରବେଶ କଲା ଏବଂ ଏହା ପ୍ରଦୁଷିତ ହେଲା । ବୌଦ୍ଧ ଧର୍ମ ଏବଂ ଜୈନଧର୍ମ କୁସଂସ୍କାର ବିଜଡ଼ିତ ହିନ୍ଦୁଧର୍ମକୁ ବିରୋଧକରି ସରଳୀକୃତ ରୂପ ନେଇ ଜନ୍ମ ନେଲେ । ତାହା ମଧ୍ୟ କାଳକ୍ରମେ ଜଟିଳ ହୋଇଗଲା ।
ବୁଦ୍ଧଦେବ ଈଶ୍ୱରଙ୍କ ସଂପର୍କରେ କିଛି କହିନାହାଁନ୍ତି । ଏକଦା ତାଙ୍କର ପଟ୍ଟଶିଶ୍ୟ ଆନନ୍ଦ ତାଙ୍କର ଈଶ୍ୱରଙ୍କ ସଂପର୍କରେ ପ୍ରଶ୍ନ କଲା । ସେ ଉତ୍ତରରେ କହିଥିଲେ ଯେ ସେ ଯାହା କହୁନାହାଁନ୍ତି. ସେ କଥା ଭୁଲିଯାଅ । ସେ ଯାହା କହୁଛନ୍ତି କର ।
ଅଥଚ ସେଇ ବୁଦ୍ଧଦେବଙ୍କୁ ଏକ ଅବତାର ହିସାବରେ ଗ୍ରହଣ କରାଗଲା ଏବଂ ପରେ ପରେ ବୌଦ୍ଧମାନେ ହୀନଜାନ ଏବଂ ମହାଜାନ ଇତ୍ୟାଦି ଭାଗରେ ବିଭକ୍ତ ହୋଇଗଲେ । ତା’ ଦେହରୁ କେନାମେଲିଲା ତନ୍ତ୍ରଜାନ, ମନ୍ତ୍ରଜାନ ଇତ୍ୟାଦି । ମହାଜନିମାନେ ବୁଦ୍ଧଙ୍କୁ ଦେବତାରୂପେ ପୂଜା ଆରମ୍ଭ କରିଦେଲେ ଏବଂ ହୀନଯାନୀମାନେ ବୁଦ୍ଧଙ୍କର ନୀତି ଏବଂ ଆଦର୍ଶ ଭିତରେ ସୀମିତ ରହିଗଲେ ।
ସେହିପରି ଜୈନମାନେ ବ୍ରାହ୍ମଣ ଧର୍ମପ୍ରତି ମଧ୍ୟ ଆଶକ୍ତିଥିଲେ । ଏମିତିତ ପ୍ରତିଟି ଧର୍ମ ତା’ର ଆରମ୍ଭରେ ଯାହାଥାଏ ପରିବର୍ତ୍ତନଶୀଳ ଦୁନିଆରେ ସେ ତା’ର ସବୁ ଆଦର୍ଶକୁ ଭୁଲିଯାଏ ପ୍ରଦୂଷିତ ହୋଇଯାଏ । ଏଇଥିପାଇଁ ଏବେ ହିନ୍ଦୁଧର୍ମ, ବୌଦ୍ଧଧର୍ମ ଏବଂ ଜୈନଧର୍ମ ମଧ୍ୟରେ କୌଣସି ପାର୍ଥକ୍ୟ ଅନୁଭୂତ ହୁଏ ନାହିଁ ।
ଯୀଶୁଙ୍କ ଜନ୍ମ ଆଜକୁ ୨୦୧୧ବର୍ଷ (ବିତର୍କମତେ ୨୦୧୫ବର୍ଷ) ତଳେ ହୋଇଥିଲା । ସିଏ ତାଙ୍କର ଯୌବନରେ ଶ୍ରୀକ୍ଷେତ୍ର ଆସି ପନ୍ଦରବର୍ଷ କାଳ (ଚଉଦବର୍ଷରୁ ଅଣତିରିଶ ବର୍ଷ ଯାଏଁ) କଟାଇଥିବାର କିଛି ପ୍ରମାଣ ଅଛି । ସେ ଶ୍ରୀ ଜଗନ୍ନାଥ ଧର୍ମ ଅଧ୍ୟୟନ କରି ସ୍ୱଦେଶ ଫେରି ଏକ ଈଶ୍ୱରବାଦ ପ୍ରଚଳନ କଲେ । ଏହା ଯଦି ସତ୍ୟ, ତେବେ ଯିଶୁ ଧର୍ମ ହିଁ ଜଗନ୍ନାଥ ଧର୍ମ ।
ମୁଖ୍ୟ କନିଷ୍ଠ ଧର୍ମଟି ହେଉଛି ଇସ୍‌ଲାମ୍ । ଏହାର ପ୍ରବର୍ତ୍ତକ ମହାପୁରୁଷ ମହମ୍ମଦଙ୍କ ଜନ୍ମହୁଏ ୫୭୦ଖ୍ରୀଷ୍ଟାବ୍ଦରେ । ଏହାଙ୍କ ଦ୍ୱାରା ପ୍ରଚାରିତ ଧର୍ମ ମଧ୍ୟ ‘ଏକ ଈଶ୍ୱରବାଦୀ’ ଭାବଧାରା ଉପରେ ପ୍ରତିଷ୍ଠିତ । ଏଧର୍ମ ଭାରତ ଭୂଖଣ୍ଡରେ ପ୍ରବେଶ କରେ ୭୧୨ ଖ୍ରୀଷ୍ଟାବ୍ଦରେ ମୁସଲମାନଙ୍କର ସିନ୍ଧୁପ୍ରଦେଶ ଆକ୍ରମଣ ଫଳରେ । ଏହା ଏକ ତୃତୀୟ ଧର୍ମ ରୂପେ ଭାରତରେ କାୟା ବିସ୍ତାର କଲା । ତେବେ ଏକଥା ମାନିବା ଯେ, ଭକ୍ତ ହରିଦାସ ଏବଂ ସାଲବେଗ ଇତ୍ୟାଦି ଶ୍ରୀ ଜଗନ୍ନାଥଙ୍କର କରୁଣା ଲାଭ କରିଥିବାରୁ, ସେ ତାଙ୍କର ଠାକୁର ବୋଲି ଦାବୀ କରନ୍ତି । ଅର୍ଥାତ୍ ଜଗନ୍ନାଥ ଯବନଙ୍କ ଠାକୁର ଅଟନ୍ତି ।
ସେ ଅସବର୍ଣ୍ଣ ଦାସିଆ ବାଉରୀ ହାତରୁ ଶ୍ରୀଫଳ ଉଠାନ୍ତି । ଅର୍ଥାତ୍ ସେ ନିଜ ଅସବର୍ଣ୍ଣ । ସେ ଜଙ୍ଗଲର ଆଦିବାସୀମାନଙ୍କର ଶବରୀ ନାରାୟଣ । ଅର୍ଥାତ୍ ସେ ଆଦିବାସୀ ଅଟନ୍ତି । ଏଇଥିପାଇଁ କୋରାପୁଟରେ ସେ ବିଜେ କରିଛନ୍ତି ଶାବର କ୍ଷେତ୍ରୀ ହିସାବରେ ।
ସେ ଶୌବମାନଙ୍କର ପଶୁପତି; ଶାକ୍ତମାନଙ୍କର ଦୁର୍ଗା; ଗାଣପତ୍ୟଙ୍କର ଗଣେଶ; ସେ ତୁଳସୀ ଦାସଙ୍କ ଶ୍ରୀରାମ; କବୀରଙ୍କର ନାରାୟଣ; ଶଂକରାଚାର୍ଯ୍ୟଙ୍କ ମତରେ ସେ ଅଦ୍ୱୈତ; ରାମାନୁଜଙ୍କ ମତରେ ସେ ସ୍ମାର୍ତ୍ତ ଏବଂ ମାଧବାଚାର୍ଯ୍ୟଙ୍କ ମତରେ ସେ ଦ୍ୱୈତ… । ସେ ତାହାହେଲେ କ’ଣ ଯେ? ସେ କାହାର? ସେଇ ଜଣଙ୍କଠିତ ସବୁରିଙ୍କର ଆଖି : ଜଗନ୍ନାଥ, ହେ ଜଗନ୍ନାଥ, ଶ୍ରୀ ଜଗନ୍ନାଥ, ହେ ରହସ୍ୟମୟ!
ଜଗନ୍ନାଥ କେବଳ ହିନ୍ଦୁର ନୁହଁନ୍ତି । ଏକଥା ହିନ୍ଦୁମାନେ ଉପରୋକ୍ତ ଆଲୋଚନା ଦୃଷ୍ଟିରୁ ଭୁଲିଯିବା ଉଚିତ୍ । ସେ ଜାତି, ଧର୍ମ ଓ ବର୍ଣ୍ଣର ଉର୍ଦ୍ଧ୍ୱରେ ସମସ୍ତଙ୍କର; ସେ ବିଶ୍ୱର । ଏଣୁ ଏ ବିଶ୍ୱକୁ ଏକ ପରିବାର ବୋଲି ବିଚାରନ୍ତୁ । ଉଦାରବାଦ ଓ ମାନବବାଦକୁ ମୂଳମନ୍ତ୍ର କରନ୍ତୁ । ଏହାହିଁ ଜଗନ୍ନାଥ ଧର୍ମର ଭିତିରି କଥା ।
ଜଗନ୍ନାଥ ଧର୍ମ ଏକ ମହାନସଂସ୍କୃତି ସମ୍ପନ୍ନ ଏବଂ ସର୍ବପୁରାତନ ଧର୍ମ । ଯଥାର୍ଥ ପ୍ରଚାର ଏବଂ ପ୍ରସାର ହୋଇପାରିଥିଲେ ଏହାର ମହାନତା ଏବଂ ଗୁରୁତ୍ୱ ଆଜି ସାରା ବିଶ୍ୱ ଉପଲବ୍ଧି କରିପାରି ଥାଆନ୍ତା । ଏ ଦୃଷ୍ଟିରୁ ବୋଧହୁଏ ଏହା ପୃଥିବୀର ଏକ ନମ୍ବର ଧର୍ମ ହୋଇଥାଆନ୍ତା । ଅଥଚ ଏହାର ଆଦର୍ଶ ଓ ଦର୍ଶନରେ ଜନ୍ମ ନେଇଥିବା ଯୀଶୁ ଧର୍ମ ଆଜି ପ୍ରଚାର ଓ ପ୍ରସାର ଫଳରେ ସାରା ବିଶ୍ୱ ମାଡ଼ିବସିଲାଣି । ଇସ୍‌ଲାମ ଧର୍ମ ସର୍ବ କନିଷ୍ଠ ହେଲେ ହେଁ ଏହା ପୃଥିବୀର ଏକ ଚତୁର୍ଥାଶଂ ଦଖଲ କରିଛି । ଏମାନଙ୍କର ଜନ୍ମ ଯଥାକ୍ରମେ ୨୦୦୦ ଏବଂ ୧୪୦୦ ବର୍ଷ ଅଟେ । ଜଗନ୍ନାଥ ଧର୍ମର ଜନ୍ମର ଇତିହାସ ଦୀର୍ଘ ୫୦୦୦ବର୍ଷ ହେଲେ ହେଁ ଆମେ ଯୋଉଠି ରହିଛେ ସେଇଠି । ବରଂ ଆମେ ସଂକୀର୍ଣ୍ଣତା ଏବଂ କୁସଂସ୍କାର ଭିତରେ ଏତେ ବୁଡ଼ିଯାଇଛୁ ଯେ, ଧର୍ମାନ୍ତୀକରଣର ସୁଯୋଗ ନେଉଛନ୍ତି ଅନ୍ୟମାନେ ।
ବହୁତ ଦୁଃଖ ଲାଗେ ଯେତେବେଳେ ବିଦେଶୀଟିଏ ବା ବିଧର୍ମୀଟିଏ ମନ୍ଦିର ପଶିଗଲା ବା ଠାକୁରଙ୍କ ଛୁଇଁ ଦେଲାବୋଲି, ମନ୍ଦିରକୁ ଶୁଦ୍ଧ କରାଯାଏ ଏବଂ ସେବାୟତମାନେ ଶୁଦ୍ଧି ହୁଅନ୍ତି ଏବଂ ଆସାମୀକୁ ଯାବତୀୟ ଖରାପ ବ୍ୟବହାର ପ୍ରଦର୍ଶନ କରାଯାଏ । ଏହା ଅତୀବ ଦୁଃଖ ଦାୟକ । ଏହାର ଖରାପ ପ୍ରଭାବ ସୁଦୁର ପ୍ରସାରୀ ଏବଂ ସେଥିପାଇଁ ଆମେ ଶୀକାର ହେଉଛୁ । ଅନ୍ୟକୁ ଶ୍ରଦ୍ଧାକର; ସେ ତୁମକୁ ଶ୍ରଦ୍ଧା କରିବ; ଘୃଣ କରିବିତ ଅନୁରୂପ ଫଳ ପାଇବ ।
ଜଗନ୍ନାଥ ଯେତେବେଳେ ସମସ୍ତଙ୍କର ଏବଂ ସେ ତଥାକଥିତ କୌଣସି ଧର୍ମ – ହିନ୍ଦୁ, ବୁଦ୍ଧ କିମ୍ବା ଜୈନ କିମ୍ବା ଯୀଶୁ କିମ୍ବା ଇସ୍‌ଲାମ୍ ଧର୍ମ ଇତ୍ୟାଦିର ଗଣ୍ଡିମଧ୍ୟରେ ଆବଦ୍ଧ ନୁହଁନ୍ତି । ସେ ସ୍ୱତନ୍ତ୍ର ଭାବରେ ମାନବଧର୍ମର ଅବତାର ।
ଆମେ କ’ଣ ଜଗନ୍ନାଥଙ୍କ ଠାରୁ ବଡ଼ ଯେ ନିଜକୁ ହିନ୍ଦୁ କହି ଅନ୍ୟମାନଙ୍କ ପ୍ରତି ବଡ଼ପଣ୍ଡା ପଣ ଜାହିର କରିବୁ?
ଆମକୁ କେହି ହିନ୍ଦୁବୋଲି ମନ୍ଦିର ମନା କରେନାହିଁ । ସେମିତିତ ମସ୍‌ଜିଦ୍‌ମାନଙ୍କରେ ନାହିଁ, ଚର୍ଚ୍ଚମାନଙ୍କର ନାହିଁ…. । ଆମେ କାହାକୁ ସେହିପରି ଆମ ମନ୍ଦିର ମନା କରିବୁ ନାହିଁ । ସବୁ ମନ୍ଦିର ସର୍ବସାଧାରଣଙ୍କର ଆରାଧାନର ପୀଠ । ସେ ତାଙ୍କୁ ଯେଉଁ ନାଁରେ ଡାକୁଛି ଡାକୁ, ସେତ ସର୍ବନାମ, ସେ ପୁଣି ନିରାକାର ।
ଠାକୁରେ କାହାକୁ କିଛି ମନା କରିନାହାଁନ୍ତି । ଯିଏ କହୁଛି ଠାକୁରେ ମନାକରିଛନ୍ତି ବୋଲି, ସେ ତା’ର ପ୍ରମାଣ ଦେଖାଉ । କୋଉଠି ଲେଖାଅଛି? କୋଉଠି ଦୃଷ୍ଟାନ୍ତ ଅଛି ଯେତେ ପୁରାଣ, କାହାଣୀ ବା ଶାସ୍ତ୍ର ଆମେ ପଢ଼ିଛୁ, ସବୁଠି ଗୋଟିଏ କଥା ପାଇଛୁ, ଆମେ ଯାହାକୁ ଘୃଣା କରୁ ସେ ତା’ର । ସେ ସେଇଥିପାଇଁ ପତିତପାବନ ବାନା ଉଡାଇଛି ।
ପରଂପରା ଏବଂ ଚଳଣି ନାଁରେ ଯେ ଆମେ କୁସଂସ୍କାର ଏବଂ ସଂକୀର୍ଣ୍ଣତାକୁ ଗ୍ରହଣ କରିବୁ, ତାହାର ପ୍ରଶ୍ନ ଉଠୁନାହିଁ । ଆମେ ଆଲୋଚନା କରିଛୁ ଯେ, ସବୁ ସରଳ ଏବଂ ଉଦାରମାନେ କ୍ରମଶଃ ଏଇ କୁସଂସ୍କାର ଏବଂ ସଂକୀର୍ଣ୍ଣତା ଯୋଗୁଁ ପ୍ରଦୂଷିତ ହୋଇଯାଆନ୍ତି । ତା’ହେଲେ ଆମେ କ’ଣ ଏଇ ପ୍ରଦୂଷିତ ଖରାପ ପରଂପରାକୁ ଚାଲୁରଖିବା? ଧର୍ମରେ ଧାରଣା ନଥାଇ, ଧର୍ମ ନାଁରେ ଧାରଣା ଦେବା କି ହରତାଳ କରିବା ନିହାତି କଦର୍ଯ୍ୟ କଥା । ଯଦି ପ୍ରତିଟିଧର୍ମ ନିଜ ଧର୍ମର ସ୍ତୁତିଗାନ ପୂର୍ବକ, ତା’ର ପ୍ରଚାର ଏବଂ ପ୍ରସାର ପାଇଁ ଧର୍ମ ଯୁଦ୍ଧ ଆରମ୍ଭ କରେ, ତେବେ ଆମ୍ଭମାନଙ୍କର ସ୍ଥିତି କେଉଁଠି? ଜଗନ୍ନାଥଙ୍କ ଦଶମ ଅବତାରରେ କଳ୍‌କୀ ଅବତାର ବୋଲି ଯାହା ଲେଖାହୋଇଛି, ତା’ ହେଲେ ଆମେ କ’ଣ ହଣାକଟା ହୋଇ ମରିବା? ବୋମା ପକାଇ ପରସ୍ପରକୁ କ’ଣ ଧ୍ୱଂସ କରିବା । ଏ ପୃଥିବୀକୁ ମନୁଷ୍ୟ ବିହୀନ କରିବା?
ବୋଧହୁଏ ଜଗନ୍ନାଥଙ୍କର ତତ୍ତ୍ୱକୁ ଭଲକି ଅଧ୍ୟୟନ କରିନଥିବା ବ୍ୟକ୍ତିଟି କାହାକୁ ହେଲେ ମନ୍ଦିର ମନା କଥା କହିବ । ଆମେ ଏତିକି ବୁଝୁଯେ, ଜଗନ୍ନାଥ ସମଗ୍ର ବିଶ୍ୱର : ଜଡ଼ ଓ ଜୀବନ୍ତର । ତା’ ଦୁଆର ସମସ୍ତଙ୍କ ପାଇଁ ସଦାଦିନ ସାହାଣା ମେଲାଥାଉ । ଜଗନ୍ନାଥଙ୍କୁ କୌଣସି ବାଦ – ବିବାଦ ଏବଂ ତର୍କ-ବିତର୍କ ମଧ୍ୟକୁ ଟଣା ନଯାଉ ।
ବିଶ୍ୱ ମାନବଧର୍ମର ଏକମାତ୍ର ପ୍ରତୀକ ଜଗନ୍ନାଥ ଧର୍ମ । ସେ କାହା ପାଇଁ ନିଷିଦ୍ଧ ନୁହେଁ ।

ବିକାଶ ନଗର, ଜଟଣୀ, ଖୋର୍ଦ୍ଧା ।
ମୋ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ