ଅଗଷ୍ଟରେ ବିଧାନସଭା ଅଧିବେଶନ ଡକାଯାଉ: ନରସିଂହ

ଭୁବନେଶ୍ୱର: କୋଭିଡ-୧୯ ମୁକାବିଲା ପାଇଁ ବିରୋଧୀ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ ଦେଇ ଆସିଛନ୍ତି । ବିଧାନସଭା ଭିତରେ ଓ ବାହାରେ ସାଧାରଣ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ସବୁ ପ୍ରକାର ସହଯୋଗ ଦିଆଯାଇଛି । କିନ୍ତୁ ୩ ମାସରୁ ଊର୍ଦ୍ଧ୍ବ ସମୟ ବିତିଥିଲେ ବି କରୋନା ରୋଗ ନିୟନ୍ତ୍ରଣ ଓ ବେରୋଜଗାରୀ ରୋକିବାରେ ସରକାର ସଫଳ ହୋଇନାହାନ୍ତି । ଏହାର ତ୍ୱରିତ ସମାଧାନ ପାଇଁ ମିଳିତ ଆଲୋଚନା ହେବା ଦରକାର । ଏଥିପାଇଁ ଆସନ୍ତା ଅଗଷ୍ଟ ମାସ ତୃତୀୟ ସପ୍ତାହରେ ବିଧାନସଭା ଅଧିବେଶନ ଡାକିବାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।
ଶ୍ରୀ ମିଶ୍ର ଚିଠିରେ ଦର୍ଶାଇଛନ୍ତି, କରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଯାହା ସବୁ ପଦକ୍ଷେପ ନେଉଛନ୍ତି, ସେଗୁଡ଼ିକରେ କୌଣସି ସୁଫଳ ମିଳିନାହିଁ । ଏବେ ସୁଦ୍ଧା ୭ ହଜାର ବ୍ୟକ୍ତି ରାଜ୍ୟରେ କରୋନା ଆକ୍ରାନ୍ତ ହେଲେଣି । ପ୍ରତ୍ୟେକ ଦିନ ଏମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଯଦିଓ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା କମ ରହିଛି କିନ୍ତୁ ଅନ୍ୟ ରାଜ୍ୟମାନେ ମୁକାବିଲା କ୍ଷେତ୍ରରେ ଯେପରି ସଫଳତା ପାଇଛନ୍ତି ସେପରି ସଫଳତା ଆମକୁ ମିଳିନାହିଁ । ଏବେ ବି ବହୁତ ଲୋକଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ପହଞ୍ଚିପାରିନି । ଔଷଓ ଅଭାବରୁ ଗଞ୍ଜାମର ଗ୍ରାମାଞ୍ଚଳରେ ଔଷଧ ଦୋକାନ ଗୁଡ଼ିକ ବନ୍ଦ ରହିଛି । ଫଳରେ ସେଠାକାର ଲୋକମାନେ ଔଷଧ ପତ୍ର ପାଉନାହାନ୍ତି । ଡାକ୍ତରମାନେ ପିଏଚସି ଓ ସିଏଚସିରେ ରହୁନାହାନ୍ତି । ଜିଲ୍ଲା ପ୍ରଶାସନ ମଧ୍ୟ ଔଷଧ ଦୋକାନୀ କିମ୍ବା ଡାକ୍ତରଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ଏପରିକି ଭୁବନେଶ୍ୱରରେ ଥିବା ଡାକ୍ତର ବି ରୋଗୀଙ୍କ ରକ୍ତଚାପ ମାପିବାକୁ ପଛଘୁଞ୍ଚା ଦେଉଛନ୍ତି । ବଲାଙ୍ଗୀର ବି ହସ୍ପିଟାଲ, ପିଏଚସି ଓ ସିଏଚସିରେ ଡାକ୍ତରଙ୍କର ଦେଖାମିଳୁନି । ରାଜ୍ୟରେ ବେରୋଜଗାର ସମସ୍ୟା ଉତ୍କଟ ରୂପ ଧାରଣ କଲାଣି । ବିଶେଷ କରି ପ୍ରବାସୀ ଶ୍ରମିକମାନଙ୍କ ସମସ୍ୟା କଥା କହିଲେ ନସରେ । ଚାଷୀମାନେ ଚାଷ ପାଇଁ ବିହନ ପାଉନାହାନ୍ତି କି ଉତ୍ପାଦିତ ଧାନକୁ ବିକ୍ରି କରିପାରୁନାହାନ୍ତି । ପେଟ୍ରୋଲ ଓ ଡିଜେଲର ଅହେତୁକ ଦରବୃଦ୍ଧି ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀ ଦର ଆକାଶଛୁଆଁ ହେଲାଣି । ପର୍ଯ୍ୟାପ୍ତ ପରିବହନ ବ୍ୟବସ୍ଥା ନଥିବା ଯୋଗୁଁ ଲୋକମାନେ କୁଆଡେ଼ ଯାଇପାରୁନାହାନ୍ତି । ଗଣତାନ୍ତ୍ରିକ ବ୍ୟବସ୍ଥା ରସାତଳକୁ ଗଲାଣି । ସାମ୍ବିଧାନିକ ଅଧିକାର କ୍ଷୁଣ୍ଣ ହେବାରେ ଲାଗିଛି । ଏହାର କାରଣ ଯୋଗୁଁ ବିଧାନସଭା ଅଧିବେଶନ ଡାକିବା ଜରୁରୀ ହୋଇପଡ଼ିଛି । ଗତ ମାସ ମାସରେ ଯେତେବେଳେ ବିଧାନସଭା ଅଧିବେଶନକୁ ଅଧାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବି କରାଯାଇଥିଲା ସେତେବେଳେ ପୁଣି ଥରେ ଖୁବ୍ ଶୀଘ୍ର ଅଧିବେଶନ ଡକାଯିବା ନେଇ ପ୍ରତିଶ୍ରୁତି ଦିଆଯାଇଥିଲା ବୋଲି ଶ୍ରୀ ମିଶ୍ର ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ