ସହକାରୀ ସାଧାରଣ ପରିଚାଳକଙ୍କ ଆକ୍ରମଣଅଭିଯୁକ୍ତକୁ ଗିରଫ ଦାବିରେ ସଦର ଥାନା ଘେରାଉ

କେନ୍ଦ୍ରାପଡା : ସହର ନିକଟସ୍ଥ ବରଫକଳକୁ ଯୁଗ୍ମ ତଦନ୍ତ ପାଇଁ ଯାଇଥିବା କେନ୍ଦ୍ରାପଡା ସେସୁ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ସଂପୃକ୍ତ ବରଫ କଳ ମାଲିକ ମରଣାନ୍ତକ ଆକ୍ରମଣ କରିବା ଘଟଣା ପ୍ରତିବାଦରେ ଏବଂ ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ୟୁନାଇଟେଡ ଇଲେକ୍ଟ୍ରିକାଲ ଏମ୍ପେ୍ଲାଇଜ ୟୁନିଅନ, କେନ୍ଦ୍ରାପଡା ପକ୍ଷରୁ ସଦର ଥାନା ଘେରାଉ କରାଯାଇଥିଲା । ଅଭିଯୁକ୍ତକୁ ଯେତେ ଶୀଘ୍ର ସମ୍ଭବ ଗିରଫ କରାଯିବ ବୋଲି ଥାନା ଅଧିକାରୀଙ୍କ ପ୍ରତିଶୃତି ପରେ ଘେରାଉ ପ୍ରତ୍ୟାହୃତ କରାଯାଇଥିଲା । ପ୍ରକାଶ ଯେ ସଦର ଥାନା ଅନ୍ତର୍ଗତ ହଳଦିଡିହ ଗ୍ରାମର ସେକ ଅବଦୁଲ ଗୋଫ୍ରାନଙ୍କ ପୁଅ ସେକ ଅବଦୁଲ ରିହାନଙ୍କର ସେହି ଥାନା ଅନ୍ତର୍ଗତ ଆଳିଜଙ୍ଗା ଗ୍ରାମରେ ରିହାନ ଆଇସ ପ୍ଲାଂଟ ନାମରେ (କଞ୍ଜ୍ୟୁମର ନଂ- ଆରଇଭି-୨୭୮) ବରଫ କଳ ରହିଛି । ସେହି ବରଫ କଳକୁ ଯୁଗ୍ମ ତଦନ୍ତ ନିମନ୍ତେ ଶନିବାର ପ୍ରାୟ ସାଢେ ୧୧ଟା ସମୟରେ କେନ୍ଦ୍ରାପଡା ନଂ-୧ ବିଦ୍ୟୁତ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ଅମରଜୀତ ପଟ୍ଟନାୟକ,କେନ୍ଦ୍ରାପଡା ଏମ.ଆର.ଟି.ଡିଭିଜନର ନିର୍ବାହୀ ଯନ୍ତ୍ରୀ ବ୍ରହ୍ମ ପ୍ରକାଶ ପାଇଟାଳ,ଏମ.ଆର.ଟି.ଏସଡିଓ ରଜନୀକାନ୍ତ ମହାପାତ୍ର, ସହକାରୀ ପରିଚାଳକ ଶ୍ମୃତିରଞ୍ଜନ ରଥ, ଏନଜେନର ଜିଲ୍ଲା ପ୍ରକଳ୍ପ ପରିଚାଳକ ଶରତ ଚନ୍ଦ୍ର ଦାସ,ଇଲେକ୍ଟ୍ରିସିଆନ,ବୈଷୟିକ କର୍ମଚାରୀ ପ୍ରମୁଖ ଯାଇଥିଲେ । ଏ ସମ୍ପର୍କରେ ବରଫ କଳ ମାଲିକଙ୍କୁ ପତ୍ର ସଂଖ୍ୟା ୬୦୩୪(୯) ତା ୧୮.୦୭.୨୦୧୯ରିଖରେ ଜଣାଇ ଦିଆଯାଇଥିଲା । କିନ୍ତୁ ଶନିବାର ବିଦ୍ୟୁତ ବିଭାଗର ଅଧିକାରୀ ଓ ଷ୍ଟାଫମାନେ ବରଫକଳ ପରିସରରେ ପହଁଚିବା କ୍ଷଣି ମାଲିକ ସେକ ଅବଦୁଲ ରିହାନ ସେମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବାକୁ ଆରମ୍ଭ କରିବା ସହ ବରଫକଳ ମଧ୍ୟକୁ ଯିବାକୁ ଦେଇନଥିଲେ । ଏହି ସମୟରେ କେନ୍ଦ୍ରାପଡା ନଂ-୧ ବିଦ୍ୟୁତ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ପଟ୍ଟନାୟକ ଯୁଗ୍ମ ତଦନ୍ତ ସମ୍ପର୍କରେ ସେକ ଅବଦୁଲ ରିହାନଙ୍କୁ ବୁଝାଇବାକୁ ଚେଷ୍ଟା କରିବାରେ ରେହାନ ଉତକ୍ଷିପ୍ତ ହୋଇ ଇଂ ପଟ୍ଟନାୟକଙ୍କୁ ଶକ୍ତ ଚାପୁଡା ଓ ଧକ୍କା ମାରିବାରୁ ସେ ତଳେ ପଡିଯାଇଥିଲେ । ପରେ ନିକଟରେ ପଡିଥିବା ଲୁହା ରଡରେ ଇଂ ପଟ୍ଟନାୟକଙ୍କୁ ମରଣାନ୍ତକ ଆକ୍ରମଣ କରିବାକୁ ଉଦ୍ୟମ କରିବାରେ ସେଠାରେ ଉପସ୍ଥିତ ବିଦ୍ୟୁତ ବିଭାଗ ଷ୍ଟାଫଙ୍କ ଯୋଗୁ ନିଶ୍ଚିତ ମରଣାନ୍ତକ ଆକ୍ରମଣରୁ ରକ୍ଷା ପାଇଥିଲେ । ଯୁଗ୍ମ ତଦନ୍ତ ନକରି ସେଠାରୁ ଫେରି ଇଂ ପଟ୍ଟନାୟକଙ୍କ ସମେତ ସମସ୍ତ ବିଦ୍ୟୁତ ବିଭାଗ ଅଧିକାରୀ ଓ ଷ୍ଟାଫ । ଏ ସମ୍ପର୍କରେ କେନ୍ଦ୍ରାପଡା ସଦର ଥାନାରେ ନଂ-୧ ବିଦ୍ୟୁତ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ପଟ୍ଟନାୟକଙ୍କ ଅଭିଯୋଗକ୍ରମେ ସଦର ଥାନା ପୋଲିସ ୨୦୯/୨୦୧୯ରେ ଆଇପିସିର ଧାରା ୩୪୧, ୩୨୩, ୨୯୪, ୩୫୪, ୫୦୬ ଦଫାରେ ମାମଲା ରୁଜୁକରିବା ସହ ଅଭିଯୁକ୍ତର ସାନଭାଇକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡିଛି । ଅଭିଯୁକ୍ତକୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ସଦର ଥାନା ଅଧିକାରୀ ମହେଶ୍ୱର ସେଠୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ