ଶ୍ରୀ ମହାପ୍ରସାଦ

ବିପିନ ବିହାରୀ ମହାନ୍ତି

କୌଣସି ଦେବ ବା ଦେବୀଙ୍କ ଅର୍ପିତ ଭୋଗକୁ ପ୍ରସାଦ କୁହନ୍ତି । ପ୍ରସାଦ କହିଲେ, ଉଚ୍ଚିଷ୍ଟ ବା ସଙ୍ଖୁଡ଼ିକୁ ବୁଝାଏ । ଉଚ୍ଚିଷ୍ଟ ପାଇବା ମାନେହିଁ ହାତ ଧୋଇବାକୁ ହୁଏ । ଶ୍ରୀ ଜଗନ୍ନାଥଙ୍କ ପ୍ରସାଦକୁ ମହାପ୍ରସାଦ କୁହନ୍ତି । ଏହା ପ୍ରସାଦ ହେଲେ ହେଁ, ଏହା ଉଚ୍ଚିଷ୍ଟ ନୁହେଁ । ଏହାକୁ ଭୋଜନ କରି ହାତକୁ ମୁଣ୍ଡରେ ମାରିବାକୁ ହୁଏ । ମହାପ୍ରସାଦ ଭୋଜନରେ ଛୁଆଁ ଅଛୁଆଁ ବା ଜାତିଆଣ ଗନ୍ଧର ଭାବ ନାହିଁ । ଅଛି ବିଶ୍ୱପ୍ରାଣତା, ମାନବତା, ଏøକିକ, ସଂହତି ଓ ମୈତ୍ରୀର ପ୍ରାଣ ପ୍ରାଚୁର୍ଯ୍ୟ । ଏହାକୁ ଆଚଣ୍ଡାଳ ବ୍ରାହ୍ମଣ ଏକତ୍ର ବସି ଭୋଜନ କରନ୍ତି । ଏଣୁ ଯଥାର୍ଥରେ ମହାଲକ୍ଷ୍ମୀ ପୁରାଣରେ ଲେଖାଅଛି :
ଚଣ୍ଡାଳୁ ବ୍ରାହ୍ମଣ ଯାଏଁ ଖୁଆ ଖୋଇ ହେବେ,
ସମସ୍ତେ ଖାଇଣ ଜଳେ ହସ୍ତ ନ ଧୋଇବେ ।
ହାଡ଼ିର ହାତୁ ବ୍ରାହ୍ମଣ ଛଡ଼ାଇ ଖାଇବେ
ବ୍ରାହ୍ମଣ ଖାଇ ହସ୍ତକୁ ମୁଣ୍ଡରେ ପୋଛିବେ ।
ଶ୍ରୀ ଜଗନ୍ନାଥଙ୍କ ପ୍ରସାଦକୁ ଶ୍ରୀ ମହାପ୍ରସାଦ କୁହନ୍ତି । ଏଠାରେ ‘ଶ୍ରୀ’ କହିଲେ ଲକ୍ଷ୍ମୀ, ସୌନ୍ଦର୍ଯ୍ୟ ବା ସିଦ୍ଧିଯୁକ୍ତ । ‘ମହା’ କହିଲେ ବଡ଼ପଣିଆ ବା ଶ୍ରେଷ୍ଠତ୍ୱ କଥାକୁ ବୁଝାଏ, ପ୍ରସାଦ କହିଲେ ଠାକୁରଙ୍କ ସଂଖୁଡ଼ି । ମୋଟାମୋଟି ଭାବେ ‘ଶ୍ରୀ ମହାପ୍ରସାଦ’ ପ୍ରସାଦ ମଧ୍ୟରେ ଶ୍ରେଷ୍ଠତ୍ୱକୁ ବୁଝାଏ । ଯାହାକୁ ଉଚ୍ଚିଷ୍ଟ କୁହାଯାଇ ନପାରେ ଅଥଚ ଯାହାର ସେବନରେ ମୋକ୍ଷଗତି ଅଛି ବୋଲି ବିଶ୍ୱାସ କରାଯାଏ । ଅନେକଙ୍କ ମତରେ ମା’ ପ୍ରସାଦରୁ ମହାପ୍ରସାଦ ହୋଇଛି । ମା’ କହିଲେ ଏଠାରେ ବିମଳାଙ୍କୁ ବୁଝାଏ । ଜଗନ୍ନାଥଙ୍କୁ ଅର୍ପିତ ଅନ୍ନପ୍ରସାଦ ବିମଳାଙ୍କୁ ସମର୍ପଣ କରାଯାଉଥିବାରୁ, ଏହାକୁ ମହାପ୍ରସାଦ କୁହାଯାଏ । ଆଉ କେତେକଙ୍କ ମତରେ ବେଦ ବିହିତ ଯଜ୍ଞ ବା ଚୁଲିରେ ଏହାକୁ ପାକ କରି ବ୍ରହ୍ମାଙ୍କୁ ଅର୍ପଣ କରାଯାଉଥିବାରୁ ଏହାକୁ ମଧ୍ୟ ମହାପ୍ରସାଦ ଆଖ୍ୟା ଦିଆଯାଇଛି । ଜଗନ୍ନାଥଙ୍କ ପାକଶାଳାର ଷଟ କୋଣାତକ ଚୁଲିକୁ ଅଗ୍ନିଯନ୍ତ୍ର କୁହାଯାଏ । ଏହି ଚୁଲିରେ ଏକ ସମୟରେ ୯ଗୋଟି ହାଣ୍ଡି ବସେ । ନଅ ହେଉଛି ମହାପ୍ରସାଦର ମହାନତା, ମହତ୍ୱ: ନବଗଣିତମ୍ : ଗ୍ରନ୍ଥ ଶାରଦା ତିଳକ । ଏହାରମାନେ ହେଲା ୯ ବା ଏହାର ଗୁଣିତକ ଅକ୍ଷର ହେଉଛି ମହାପ୍ରସାଦର ଗୌରବମୟ କଥା ବା କାହାଣୀ ।
ମହାପ୍ରସାଦର ଅନ୍ୟନାମ ଁ: କୈବଲ୍ୟ, ବୌଦ୍ଧ ଧର୍ମରେ ଏହାର ଅର୍ଥ : ଏକୀଭାବ । ଜୈନ ଧର୍ମରେ ଏହା କେବଳୀ ଭାବ, ସଂସ୍କୃତରେ ଏହାର ନାମ କୈବଲ୍ୟ । ଏକୀଭାବ ନେଇ ସେବନ ହେତୁ କୈବଲ୍ୟ । ଏହାର ଏକୀଭାବରେ ସେବନ ହେତୁ ଜୈନ ଓ ବୌଦ୍ଧ ଧର୍ମରେ ନିର୍ବାଣ ପ୍ରାପ୍ତି ଏବଂ ହିନ୍ଦୁମତେ ମୋକ୍ଷପ୍ରାପ୍ତି । ଏକାକଥା । ପୃଥିବୀର କୌଣସି ସ୍ଥାନରେ ଅନ୍ନ ଭୋଜନକୁ ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଏକତ୍ର ଖାଇବାର ନଜୀରନାହିଁ । ଏଣୁ ମହାନ ପ୍ରସାଦ । ଆଗରୁ କହିଛି କୌଣସି ଦେବତା ବା ବ୍ରାହ୍ମଣର ପ୍ରସାଦକୁ ମହାପ୍ରସାଦ କୁହାଯାଏନାହିଁ: ପ୍ରସାଦ । କେଉଁଠି ସମସ୍ତେ ଏକାଠି ଭୋଜନ କରନ୍ତି ନାହିଁ କେବଳ ଶ୍ରୀକ୍ଷେତ୍ରରେ :
ବାଇଶି ପାବଛେ ଗଲି ସୁଖେ । କୈବଲ୍ୟ ପସରା ବେନିପାଖେ,
ଚଣ୍ଡାଳୁ ବ୍ରାହ୍ମଣ ଶୁଦ୍ର ପରି ଜନ୍ତେ କୈବଲ୍ୟ ଭୁଞ୍ଜନ୍ତି ମୁଖେ ମୁଖେ ।ା
ଏହି କୈବଲ୍ୟ ବା ମହାପ୍ରସାଦ ଦୁଇ ପ୍ରକାର ; ସଙ୍ଖୁଡ଼ି ଓ ନିସଙ୍ଖୁଡ଼ି । ସଙ୍ଖୁଡ଼ି ଭୋଗରେ ଅନ୍ନ ବା ଅଭଡ଼ା, ଘି ଅନ୍ନ, କାନିକା ଓ ଖେଚୁଡ଼ି, ଅଦା ହେଙ୍ଗୁ, କର୍ମରାଇ ଡାଲି, ଡାଲମା, ବେସର, ମହୁର, ଶାଗ ପିତା ଏବଂ ଖଟା ଇତ୍ୟାଦି ଭୋଗ । ନିସଙ୍ଖୁଡ଼ି ଭୋଗ ମଧ୍ୟରେ ଖଜା, ଗଜା, ଚକୁଳି, ପୁଳି, ନାଡ଼ି, ନଡ଼ୁ, ବଡ଼ି ବଢ଼େଇ ଖଜା, ମନୋହର, ଝିଲି, ଆରିଷା, କାକରା ଏବଂ ପୋଡ଼ପିଠା ଆଦି ମୁଖ୍ୟ ଅଟନ୍ତି ।
ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ମତରେ ବର୍ତ୍ତମାନର ମହାପ୍ରସାଦ ବ୍ୟବସ୍ଥା ପରି ବ୍ୟବସ୍ଥା ଯଯାତି କେଶରୀ (ଖ୍ରୀ. ୫୫୨-୫୫୮) କାଳରେ ଆରମ୍ଭ ହୋଇଥିଲା । ତାଙ୍କୁ ମଧ୍ୟ ଦ୍ୱିତୀୟ ଇନ୍ଦ୍ରଦ୍ୟୁମ୍ନ କହନ୍ତି । ମାଦଳାପାଞ୍ଜି ମତେ ଭୋଇ ବଂଶର ରାଜା ରାମଚନ୍ଦ୍ର ଦେବ (୧୫୬୮-୧୬୦୦) ସେବକମାନଙ୍କୁ ଲଗାଇ ମହାପ୍ରସାଦ ସଙ୍ଖୁଡ଼ି ଭୋଗ ବ୍ୟବସ୍ଥା କରିଥିଲେ ଯାହା ମୁକୁନ୍ଦ ଦେବଙ୍କ ସମୟରେ କଳା ପାହାଡ଼ ଆକ୍ରମଣ ଯୋଗୁଁ ବନ୍ଦ ହୋଇ ଯାଇଥିଲା । ପରେ ଗଜପତି ନରସିଂହ ଦେବ (ଖ୍ରୀ ୧୬୨୧-୧୬୪୭) ଏହାର ପ୍ରଚଳନ କରିଥିଲେ ।
ଶ୍ରୀ ଜଗନ୍ନାଥ ହିଁ ବିଶ୍ୱ ଠାକୁର । ତାଙ୍କଠାରୁ ବଳି ବା କିଏ ଅଛି? ସେ ହିଁ ଅଚ୍ୟୁତ, ସେ ହିଁ ଅନନ୍ତ ନିତ୍ୟ ବର୍ତ୍ତମାନ କାଳେ କାଳେ । ତେଣୁ ଯଥାର୍ଥରେ ସେ ମହାପ୍ରଭୁ, ସେ ମହାବାହୁ । ତାଙ୍କର ସବୁକିଛି ‘ମହା’ ଯୁକ୍ତ । ତାଙ୍କ ସମୁଦ୍ରହିଁ ମହୋଦଧି, ତାଙ୍କ ଦାଣ୍ଡ ହିଁ ବଡ଼ ଦାଣ୍ଡ, ତାଙ୍କ କ୍ଷେତ୍ର ହିଁ ମହାନ କ୍ଷେତ୍ର ଶ୍ରୀକ୍ଷେତ୍ର; ସେ ଶ୍ରୀ କ୍ଷେତ୍ର ଠାକୁର, ପୁରୁଷୋତ୍ତମ; ତାଙ୍କ ବାନା ପତିତପାବନ ବାନା, ତାଙ୍କ ପୂଜକ ହିଁ ବଡ଼ ପଣ୍ଡା, ତାଙ୍କ ଦେଶର ନଦୀ ମହାନଦୀ ଏବଂ ସର୍ବୋପରି ତାଙ୍କ ପ୍ରସାଦ ହିଁ ମହାପ୍ରସାଦ । ଏ ପ୍ରସାଦ ମହାଭାବର ପ୍ରତୀକ । ମହାପ୍ରସାଦରୁ ଗୁରୁତ୍ୱ ଦୃଷ୍ଟିରୁ ଏହା ମହାପ୍ରଭୁଙ୍କ ଠାରୁ ଆହୁରି ଉଚ୍ଚରେ । ସେଥିପାଇଁ ପ୍ରଭୁ କହିଛନ୍ତି : ମତେ ପଛେ ନିନ୍ଦ ହେଲେ ମୋ କୈବଲ୍ୟକୁ ନୁହେଁ । ମୋତେ ତଳେ ପକା ପଛେ ହେଲେ ମୋ କୈବଲ୍ୟକୁ ନୁହେଁ । ଏହା ମୋକ୍ଷର ମାର୍ଗ, କାଣିଚାଏ କୈବଲ୍ୟ ପାଇଁ ତେତିଶି କୋଟି ଦେବତାଙ୍କ ଅପେକ୍ଷା ଆଉ ନରାଧମକଥା କହିବ କ’ଣ?
ମହାପ୍ରସାଦ ମହିମା ଅବର୍ଣ୍ଣନୀୟ । ମହାପ୍ରସାଦ ଖୁୁଆଇ ବନ୍ଧୁ ବାନ୍ଧନ୍ତି । କଥାରେ ଅଛି ନିଜେ ମହାପ୍ରଭୁ ସ୍ୱହସ୍ତରେ ବନ୍ଧୁ ମହାନ୍ତିଙ୍କୁ ଅଭଡ଼ା ଖୁଆଇଥିବାରୁ ଏହା ବନ୍ଧୁତ୍ୱର ସଚ୍ଚା ନିଦର୍ଶନ । ଏଣୁ କୁହନ୍ତି ଆରେ କେମିତି ବନ୍ଧୁ : ନା’ ମହାପ୍ରସାଦ ବନ୍‌ଧୁ । ମହାପ୍ରସାଦ ହିଁ ସେହି ମହା ଅର୍ଥରେ ମହାନନ୍ଦ, ମହାପ୍ରେମ, ମହାଭାବ ଏବଂ ମହାପବିତ୍ରତା ଆଦିର ପରିଚାୟକ ।
ଗଙ୍ଗାରେ ସ୍ନାନକଲେ ମୋକ୍ଷ ହୁଏ ଅଥଚ ମହାପ୍ରସାଦ ଭୋଜନ କଲେ ସମସ୍ତ କୃତ କର୍ମର ପାପନାଶ ସହିତ, ମୋକ୍ଷ ପ୍ରାପ୍ତି ହୁଏ :
ଞ୍ଚ ଅତିପାତକ ପାଣନି ମହାପାପାନି ତାନିତ ।
ତାନି ସର୍ବାଣିସ୍ୟନ୍ତି ଜଗନ୍ନାଥାନ୍ନ ଭକ୍ଷଣାତ୍ ।ା – ବାୟୁ ପୁରାଣ ।
ଞ୍ଚ ସର୍ବପାପ ବିନିଯୁକ୍ତଃ ଶୁଦ୍ଧାନ୍ତ କରଣୋ ନରଃ
ସଶୁଦ୍ଧଂ ବୈଷ୍ଣବଂ ସ୍ନାନଂ କ୍ରମାଦ୍ ଯାତି ନ ସଂଶୟ ।ା – ସ୍କନ୍ଦ ପୁରାଣ
ମୋକ୍ଷପାଇଁ ଗଙ୍ଗାକୁ ସ୍ନାନ କରିଯିବା ସମସ୍ତଙ୍କ ପାଇଁ ସମ୍ଭବ ନୁହଁ । ଜଗନ୍ନାଥଙ୍କ ମହାପ୍ରସାଦ ସେ ସ୍ଥାନ ପୂରଣ କରିଥାଏ । ଅନ୍ନପ୍ରସାଦ ସର୍ବତ୍ର ନ ମିଳିଲେ ହେଁ ଶୁଖିଲା ସଙ୍ଖୁଡ଼ି ଭୋଗ ସେ ଅଭାବ ପୂରଣ କରେ । ଜଗନ୍ନାଥଙ୍କ ଅନ୍ନଭୋଗ ଶୁଖିଗଲେ ତାକୁ ନିର୍ମାଲ୍ୟ କୁହନ୍ତି । ମଲା ବେଳେ ମୁଖରେ ଗଙ୍ଗାଜଳ ଦେଲାପରି ନିର୍ମାଲ୍ୟ କଣିକାଏ ଦେଲେ ସେ ସ୍ୱର୍ଗପ୍ରାପ୍ତି ହୁଏ । ଏଣୁ କୁହାଯାଏ : ସେ ଆଉ ନୁହନ୍ତି । ତାଙ୍କ ମୁଖରେ ନିର୍ମାଲ୍ୟ ଦିଅ । ଏଥିପାଇଁ ପ୍ରତ୍ୟହ ମହାପ୍ରସାଦ ନମିଳିଲେ ତା’ ସ୍ଥାନରେ ସ୍ନାନପରେ ଶୁଦ୍ଧ ଚିତ୍ତରେ କାୟାଶୁଦ୍ଧି ପାଇଁ ଲୋକେ ନିର୍ମାଲ୍ୟ ପାଆନ୍ତି ।
ନିର୍ମାଲ୍ୟ ଜଗତୀଶସ୍ୟ ନିଣିତ୍ୟା ଶ୍ଲାନିକିଂ ଚେନଂ
ଇତି ସତ୍ୟପ୍ରତି ଦେୟଃ ପ୍ରତ୍ୟହଂ ତତ୍ ଭକ୍ଷୟାତ ।ା
ଏଥିରୁ ମିଳେ ଯେ ମହାପ୍ରସାଦ ଭକ୍ଷଣପରେ, ଅନ୍ର‌୍ୟକିଛି ଭକ୍ଷଣ ମନା, ପବିତ୍ରତା ମଧ୍ୟରେ ଅସାରତା ଗ୍ରହଣ ସମୀଚୀନ ନୁହେଁ ।
କଥାରେ ଅଛି ଯଦି ମହାପ୍ରସାଦକୁ ଚଣ୍ଡାଳ ବା ଶ୍ୱାନ ସ୍ପର୍ଶ କରିଥାଏ, ତାହାକୁ ଅନ୍ୟମାନେ କ’ଣ, ବ୍ରାହ୍ମଣ ପାଇଲେ, ଦେବତାମାନେ ଯେଉଁ ଫଳ ପାଇ ନ ଥା’ନ୍ତି, ତାହା ସେମାନେ ପାଆନ୍ତି :
କୁକୁରସ୍ୟ ମୁଖାଦ୍ ଭ୍ରଷ୍ଟଂ ତଦ୍‌ଗ୍ରାହ୍ୟଂ ନୈବ ତୈରପି
ତସ୍ମା ଭୋଜନଂ ସହସାଂପ୍ରାପ୍ତ ମାତ୍ରେଣ ଭକ୍ଷେୟ ବତ୍‌
ବିଚରଣାନ କର୍ତ୍ତବ୍ୟା ନ କର୍ତ୍ତବ୍ୟା କଦାଚନ
ସାକ୍ଷାତ୍ ବ୍ରହ୍ମ ସ୍ୱରୂପୋୟଂ ଜଗନ୍ନା ନ ସଂଶୟ ।ା
ଗଙ୍ଗାଜଳ ଏବଂ ମହାପ୍ରସାଦ ମହାତ୍ମ୍ୟ ଦୃଷ୍ଟିରୁ ଉଭୟ ସମାନ । ଏହାକୁ ଦର୍ଶନ, ସ୍ପର୍ଶନ ଏବଂ ଆତ୍ମୀକରଣ କଲେ ସକଳ ପାତକ ଦୂର ହୁଏ । ବିଶ୍ୱାସ ଯେ କୋଟିଏ କପିଳାଗାଈ ଦାନକଲେ ଯେଉଁ ଫଳ ମିଳେ, ଜଗନ୍ନାଥଙ୍କ ମହାପ୍ରସାଦ ସେବନ ଦ୍ୱାରା ସେହି ଫଳ ପ୍ରାପ୍ତି ହୁଏ ।
ନୀଳାଦ୍ରୀ ମହୋଦୟ ମତେ ଯଦି ଏହି ମହାପ୍ରସାଦ ପିତୃପୁରୁଷଙ୍କୁ ଶ୍ରାଦ୍ଧରେ ଦିଆଯାଏ ବା ଦେବତା ବା ମହର୍ଷିମାନଙ୍କୁ ସମର୍ପଣ କରାଯାଏ ଏବଂ ସେ ତାକୁ ପାଆନ୍ତି, ସେମାନେ ମୁକ୍ତ ହୋଇ ଯାଆନ୍ତି ।
“ପିତର ସ୍ୱପିତସ୍ତେନ ତଥା ଦେବା ମହର୍ଷୟଃ
ବଭାନି ତେନ ଦାନାନି ସକଳାନି ମହାପତେ ।ା
ଜଗନ୍ନାଥାନ୍ନ ମେ ତ ଦୈତ ଯେନ ଭୁକ୍ତଂ ସୁପାବିନଂ
ବହୁନାତ୍ର ବିଷ୍ଣଉକେନ ନୃପସତ୍ତମ ସ୍ୟପ୍ରତଂ ।ା
ଉପେନ୍ଦ୍ର ଭଂଜଙ୍କ ଭାଷାରେ : ମୁକ୍ତି ଦେବା ଗୁପ୍ତ ହୋଇଅଛି ଯୁକ୍ତାକ୍ଷର ।
ଏଥିପାଇଁ ମହାପ୍ରସାଦର ମୋହ ସମସ୍ତଙ୍କର ଥାଏ । ଏହାହିଁ କୈବଲ୍ୟ : ନିର୍ବାଣ ମାର୍ଗ: ଏଣୁ ଯଥାର୍ଥରେ ଭକ୍ତର ତୁଣ୍ଡରେ :
ତୁଣ୍ଡେ ନିର୍ମାଲ୍ୟରେ ପ୍ରାଣ ଯାଉ ହେ, ମହାବାହୁ,
ମୋତେ କୈବଲ୍ୟ କଣିକାଏ ହେଉ ହେ ମହାବାହୁ ।

ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ