ଶ୍ରୀକ୍ଷେତ୍ରେ ଦ୍ୱାଦଶ ଯାତ୍ରା

ବିପିନ ବିହାରୀ ମହାନ୍ତି

ଶ୍ରୀ ଜଗନ୍ନାଥଙ୍କୁ କେନ୍ଦ୍ରକରି ଶ୍ରୀ ମନ୍ଦିରରେ ବର୍ଷସାରା ଯାତ୍ରା ମହୋତ୍ସବ ପାଳିତ ହୁଏ । କେତେକଙ୍କ ମତରେ ଏହା ଛପନ ବା ଅଣଷଠି ପ୍ରକାର ବେଳେ, ଆଉ କେହି ମତ ଦିଅନ୍ତି ଯେ ଏହା ବାଷଠି ପ୍ରକାର । ତେବେ ବର୍ଷର ବାର ମାସକୁ ଧରି ସେମାନେ ଏହିପରି ପାଳିତ ହୁଅନ୍ତି :
ବୈଶାଖରେ ପଣା ସଂକ୍ରାନ୍ତି, ଦମନକ ଏକାଦଶୀ, ଅକ୍ଷୟ ତୃତୀୟା ଏବଂ ନିଳାଦ୍ରି ମହୋତ୍ସବ ପାଳିତ ହୁଏ; ଜ୍ୟେଷ୍ଠରେ ନୃସିଂହ ତତୁର୍ଦ୍ଦଶୀ, ରାଜେନ୍ଦ୍ରାଭିଷେକ, ରୁକ୍ମିଣୀ ହରଣ ଏକାଦଶୀ, ଚମ୍ପକ ଦ୍ୱାଦଶୀ, ସ୍ନାନଯାତ୍ରା, ଅନବସର ଏବଂ ନେତ୍ରୋତ୍ସବ, ଆଷାମ ମାସରେ ଶ୍ରୀ ଗୁଣ୍ଡିଚା, ନବଦିନଯାତ୍ରା, ହେରାପଞ୍ଚମୀ, ଶୟନ ଏକାଦଶୀ ଗରୁଡ଼ ଶୟନ ଦ୍ୱାଦଶୀ ଓ ବାହୁଡ଼ା ଯାତ୍ରା; ଶ୍ରାବଣ ମାସରେ କର୍କଟ ସଂକ୍ରାନ୍ତି , ଚିତାଲାଗି ଅମାବାସ୍ୟା, ପବିତ୍ରାଧିବାସ, ଝୁଲଣ ଯାତ୍ରା, ଗହ୍ମାପୂର୍ଣ୍ଣିମା ଓ ରେଖା ପଞ୍ଚମୀ, ଭାଦ୍ରବମାସରେ ରାହୁରେଖାଲାଗି, ଜନ୍ମାଷ୍ଟମୀ, ନନ୍ଦୋତ୍ôସବ, ସପ୍ତପୁରିକା ଅମାବାସ୍ୟା, ଗଣେଶ ଚତୁର୍ଥୀ, ଋଷି ପଞ୍ଚମୀ, ବାମନ ଜନ୍ମ, ଅନନ୍ତ ଚତୁର୍ଦ୍ଦଶୀ ଓ ଇନ୍ଦ୍ରଗୋବିନ୍ଦ ପୂଜା, ଆଶ୍ୱିନ ମାସରେ ଷୋଳ ପୂଜା, ଦ୍ୱିତୀୟା ଓଷା, ଦଶହରା, କୁମାର ପୂର୍ଣ୍ଣିମା; କାର୍ତ୍ତିକ ମାସରେ ତୁଳା ସଂକ୍ରାନ୍ତି, ଉତ୍‌ଥାନ ଏକାଦଶୀ; ମାର୍ଗଶୀର ମାସରେ ନବାନ୍ନ, ପ୍ରଥମାଷ୍ଟମୀ, ଓଢ଼ଣୀ ଷଷ୍ଠୀ; ପୌଷରେ ବକୁଳ ଅମାବାସ୍ୟା, ପୁଷ୍ୟା ଭିଷେକ, ମାଘରେ ମକର ସଂକ୍ରାନ୍ତି, ବସନ୍ତ ପଞ୍ଚମୀ ଓ ଶିବରାତ୍ରୀ, ଫାଲଗୁନରେ ଦୋଳ ପୂର୍ଣ୍ଣିମା ଏବଂ ଚୈତ୍ରରେ ଅଶୋକାଷ୍ଟମୀ, ଶ୍ରୀରାମ ନବବୀ ମହୋତ୍ସବ ଅନୁଷ୍ଠିତ ହୁଏ । ଯେପରି ମାସକୁ ନେଇ ଯାତ୍ରା, ସେହିପରି ଯାତ୍ରାକୁ ନେଇ ବାର ମାସରେ ବେଶ । ସେଗୁଡ଼ିକ ଯଥାକ୍ରମେ : ଚନ୍ଦନ ବେଶ, ଗଣେଶ ବେଶ, ରୁକ୍ମିଣୀ ହରଣ ବେଶ, ନବଯୌବନ ବେଶ, ସ୍ୱର୍ଣ୍ଣ ବେଶ, ଚିତାଲାଗିବେଶ, ରାଧା ଦାମୋଦର ବେଶ, ବନଭୋଜି, କାଳୀୟ ଦଳନ, ପ୍ରଳମ୍ବବଧ, ବାମନ ବେଶ, ପଦ୍ମବେଶ, ଗଜୋନ୍ଧାରଣବେଶ, ଚାଚେରୀବେଶ, କୁଣ୍ଡଳ ବେଶ ଓ ରାଜାରାମ ଇତ୍ୟାଦି ବେଶ ପ୍ରମୁଖ ଅଟନ୍ତି । ସେହିପରି କେତେକ ନିର୍ଦ୍ଦିଷ୍ଟ ଦିନକୁ ନେଇ ମଧ୍ୟ ବେଶ କଥା ଅଛି । ଯେମିତି ଜ୍ୟେଷ୍ଠ ପୂର୍ଣ୍ଣିମାରେ ହାତୀବେଶ, ଆଷାଢ଼ ଶୁକ୍ଲ ଏକାଦଶୀରେ ସୁନାବେଶ, ଭାଦ୍ରକୃଷ୍ଣ ଦଶମୀଠାରୁ ତ୍ରୟୋଦଶୀ, ବଣଭୋଜି, କାଳୀୟ ଦଳନ, ପ୍ରଳମ୍ବାସୁର ବଧ ଓ କୃଷ୍ଣ ବଳରାମ ବେଶ; ଭାଦ୍ରଶୁକ୍ଲ ଦ୍ୱାଦଶୀରେ ବଳିବାମନ ବେଶ; ଆଶ୍ୱିନ ଶୁକ୍ଲ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଲ ଦଶମୀ ଯାଏଁ ରାଧା ଦାମୋଦର ବେଶ, କାର୍ତ୍ତିକ ଶୁକ୍ଲ ଏକାଦଶୀ ଠାରୁ ପୂର୍ଣ୍ଣିମା ଯାଏଁ, ଠିଆକିଆ, ବାଙ୍କଚୂଡ଼ା, ଆଡ଼ିକିଆ, ଡାଳକିଆ ଓ ଗଜବେଶ; ପୌଷ ପୂର୍ଣ୍ଣିମାରେ ଗଜ – ଉଦ୍ଧାରଣ ବେଶ, ଫାଲଗୁନ – ପୂର୍ଣ୍ଣିମାରେ ରାଜବେଶ; ମାଘ କୃଷ୍ଣ ପ୍ରତିପଦା ଠାରୁ ତୃତୀୟା ଯାଏଁ ଶ୍ରାଦ୍ଧବେଶ, ଫାଲଗୁନ ଶୁକ୍ଲ ନବମୀରେ ଚାଚେରୀ ବେଶ, ଜ୍ୟେଷ୍ଠ କୃଷ୍ଣ ଦଶମୀଠାରୁ ପୂର୍ଣ୍ଣିମା ଯାଏଁ ଚନ୍ଦନଲାଗି ବେଶ ଏବଂ ଛ’ଦିନ ବ୍ୟାପୀ ପଞ୍ଚୁକରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହୁଏ । ଭିନ୍ନମତେ ବୈଶାଖେ ମଧୁସୂଦନ, ଜ୍ୟେଷ୍ଠ ତ୍ରିବିକମ, ଆଷାଢ଼େ ବାମନ, ଶ୍ରାବଣେ ରୂପ ଶ୍ରୀଧର, ଆଶ୍ୱିନେ ପଦ୍ମନାଭ / ଦୁର୍ଗାମାଧବ, ଭାଦ୍ରବେ ହୃଷିକେଶ, କାର୍ତ୍ତିକେ ଦାମୋଦର, ମାର୍ଗଶୀରେ କେଶବ, ପୌଷେ ନାରାୟଣ, ମାଘେ ମାଧବ, ଫାଲଗୁନେ ଦୋଳ ଗୋବିନ୍ଦ ଏବଂ ଚୈତ୍ରରେ ବିଷ୍ଣୁ ରୂପେ ଏବଂ ବେଶରେ ପୂଜା ହୁଅନ୍ତି ।
ଶ୍ରୀ ଜଗନ୍ନାଥ ଧାମରେ ଏ ସମସ୍ତ ଯାତ୍ରା ମଧ୍ୟରୁ ମାତ୍ର ବାରଟିକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି ଯାହାଙ୍କୁ ଦ୍ୱାଦଶ ଯାତ୍ରା ବୋଲି କୁହାଯାଏ । ତେବେ ଭିନ୍ନମତେ ଏହି ଦ୍ୱାଦଶ ଯାତ୍ରା ଭିନ୍ନ ଭିନ୍ନ ଅଟନ୍ତି ।
ଲୋକନାଥ ବିଦ୍ୟାଧରଙ୍କ ମତେ :
‘ସ୍ନାନ ଗୁଣ୍ଡିଚା ଶୟନ ଯାତ୍ର୍ରା ଅନ୍ତେ ଅୟନ ।
ପାରୁଶ ପରିବର୍ତ୍ତନ ଉତ୍‌ଥାପନ ଓଢ଼ଣ ।ା
ମକର ଅଭିଷେକ ଦୋଳ ଦମନକ ଚନ୍ଦନ ।
ଯେ ରୂପେ ଦ୍ୱାଦଶ ଉତ୍ସବ ୟେକୋ ୟେକେ ସଘନ ।ା
ନୀଳାଦ୍ରି ମହୋଦୟ ୬ଷ୍ଠ ଅଧ୍ୟାୟଅନୁସାରେ ଏମାନେ ହେଲେ ସ୍ନାନଯାତ୍ରା, ଗୁଣ୍ଡିଚା ଯାତ୍ରା, ଶୟନୋତ୍ସବ, ଅୟନୋତ୍ସବ, ପାଶ୍ୱର୍ପରିବର୍ତ୍ତନ, ଦେବୋତ୍‌ଥାପନ, ପ୍ରାବରଣ ଷଷ୍ଠୀ, ପୁଷ୍ୟାଭିଷେକ, ମକରୋତ୍ସବ, ଦୋଳଯାତ୍ରା, ଦମନୋତ୍ସବ ଏବଂ ଚନ୍ଦନଯାତ୍ରା ।
ପୁନଶ୍ଚ ବାଲୁଙ୍କୀପାଠୀଙ୍କ ଯାତ୍ରା ଭାଗବତିରେ ଉଲ୍ଲେଖ ଅଛି :
ଦୋଳଯାତ୍ରା ଦମନକ ମହୋଽକ୍ଷଯ୍ୟ ପୂର୍ଣ୍ଣ ତୃତୀୟା
ମଞ୍ଚସ୍ନାନଂ ରଥବର ଗତିଃ ଶାୟନଂ ଚାୟନେ ଦ୍ୱେ ।
ପାଶ୍ୱର୍ାବୃତ୍ତିଃ ଶୟପରିବର୍ତ୍ତିଃ ପ୍ରାବୃତିଃ ପୂଷ୍ୟପୂଜା
ଏ ଯାତ୍ରାବିଧି ନିର୍ଗଦିତା ଦ୍ୱାଦଶୈତା ନରେନ୍ଦ୍ର ।ା
ଏଥିରୁ ଦୋଳ, ଦମନକ, ଅକ୍ଷୟ ତୃତୀୟା, ସ୍ନାନ, ରଥ, ଶୟନ ଦୁଇ ଅୟନ, ପାଶ୍ୱର୍ ପରିବର୍ତ୍ତନ, ଉତ୍‌ଥାନ, ପ୍ରାବରଣ ଓ ପୁଷ୍ୟା ପୂଜା ଇତ୍ୟାଦିର ଦ୍ୱାଦଶଯାତ୍ରା ସମ୍ପର୍କିତ ତଥ୍ୟ ମିଳେ ।
କବି ନରସିଂହ ଦାସଙ୍କ ପ୍ରଣୀତ ‘ଅଭିନବ ଜଗନ୍ନାଥ ପ୍ରସ୍ତାବ’ ଅନୁସାରେ ଗୁଣ୍ଡିଚା, ଝୁଲଣ, ଜନ୍ମାଷ୍ଟମୀ, ବିଜୟା ଦଶମୀ, କୁମାର ପୂର୍ଣ୍ଣିମା, ରାସୋତ୍ସବ, ମକର ଯାତ୍ରା, ଦୋଳଯାତ୍ରା, ରୁକ୍ମିଣୀ ଯାତ୍ରା, ରୁକ୍ମିଣୀ ବିବାହ, ଚନ୍ଦନ ଯାତ୍ରା ଓ ସ୍ନାନଯାତ୍ରା ଇତ୍ୟାଦି ଦ୍ୱାଦଶ ଯାତ୍ରାର ଉଲ୍ଲେଖ ଅଛି ।
ପାଞ୍ଜି ଅନୁସାରେ ବୈଶାଖର ଅକ୍ଷୟ ତୃତୀୟା, ଜ୍ୟେଷ୍ଠ ପୂର୍ଣ୍ଣିମାର ସ୍ନାନ ଯାତ୍ରା, ଆଷାଢ଼ର ଶୁକ୍ଲ ଦ୍ୱିତୀୟାର ରଥଯାତ୍ରା, ଶ୍ରାବଣ କୃଷ୍ଣ ଦଶମୀରେ କର୍କଟ ସଂକ୍ରାନ୍ତି ଏବଂ ଏକାଦଶୀରେ ଶୟନ ଯାତ୍ରା, ଭାଦ୍ର ଶୁକ୍ଲ ଏକାଦଶୀରେ ପାଶ୍ୱର୍ ପରିବର୍ତ୍ତନ, କାର୍ତ୍ତିକ ଶୁକ୍ଲ ଏକାଦଶୀରେ ଦେବତୋତ୍ ଥାପନ, ମାର୍ଗଶୀର ଶୁକ୍ଲ ଷଷ୍ଠୀରେ ପ୍ରବରଣ ଷଷ୍ଠୀ, ପୌଷ ପୂର୍ଣ୍ଣିମାରେ ପୁଷ୍ୟାଭିଷେକ, ମାଘରେ ମକର ସଂକ୍ରାନ୍ତି; ଫାଲଗୁନ ପୂର୍ଣ୍ଣିମାରେ ଦୋଳଯାତ୍ରା ଏବଂ ଚୈତ୍ର ଶୁକ୍ଲ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀରେ ଦମନକୋତ୍ସବ (ଦୟଣା ଚାରି ବା ଦୟଣା ଲାଗି) ଇତ୍ୟାଦି ଦ୍ୱାଦଶ ଯାତ୍ରା ପାଳନର ବିଧି ଅଛି ।
ଉପରୋକ୍ତ ଆଲୋଚନାରୁ ନାନାମୁନି ନାନାମତ କଥାରେ ବ୍ୟତିକ୍ରମପରି କିଛିଟା ପାର୍ଥକ୍ୟ ଦେଖାଯାଏ । ତେବେ ବାରମାସ ଅନୁସାରେ ଦ୍ୱାଦଶ ଯାତ୍ରା କହିବାର ଅପ୍ରାସଙ୍ଗିକତା କିଛି ନାହିଁ ବୋଲି ଧରି ନିଆଯାଇପାରେ ।
ଏସବୁର ଉର୍ଦ୍ଧ୍ୱରେ ବାରମାସରେ ଶ୍ରୀକ୍ଷେତ୍ରରେ ତେର ଯାତ୍ରା ଦେଖାଯାଏ ବୋଲି କୁହାଯାଏ । ଏନେଇ ଭକ୍ତ କବି ବନମାଳୀ ଦାସ ଗାଇଥିଲେ : ବାରମାସେ ତେର ଯାତ୍ରା ଦେଖୁଥିବି, ଶ୍ରୀକ୍ଷେତ୍ର ହୋଇ ଭିକାରି, ସାଧୁ ସନ୍ଥଙ୍କର ହୋଇ ମୁଁ କିଙ୍କର ମାଗୁଥିବି ମାଧୁକରି…. । ଦୀନବନ୍ଧୁ .. ଶ୍ରୀ ଛାମୁରେ ।
ଏହି ତେର ଯାତ୍ରାଟି କ’ଣ? ଏହା ପୁଣି ଲୋକ ମୁଖରେ ପ୍ରିୟ-ବିଦିତ ।
ତେବେ ଆଦୃତମତେ ଏଗୁଡ଼ିକ ହେଲା : ଚନ୍ଦନ ଯାତ୍ରା, ସ୍ନାନ ପୂର୍ଣ୍ଣିମା, ରଥଯାତ୍ରା, ନେତ୍ରଉତ୍ସବ, ଚିତାଲାଗି ଅମାବାସ୍ୟା, ଝୁଲଣ ଯାତ୍ରା, ଜନ୍ମାଷ୍ଟମୀ ଓ କାଳୀୟ ଦଳନ, ଦଶହରା ଓ ଦୁର୍ଗାପୂଜା, ରାହାସ ପୂର୍ଣ୍ଣିମା ବା କାର୍ତ୍ତିକ ପୂର୍ଣ୍ଣିମା, ପ୍ରଥମାଷ୍ଟମୀ, ଦୋଳଯାତ୍ରା, ମକର ସଂକ୍ରାନ୍ତି ଓ ଶ୍ରୀ ପଞ୍ଚମୀ ଏବଂ ନବାନ୍ନ ଓ ଧନୁ ସଂକ୍ରାନ୍ତି ।
ବର୍ଷସାରା ଶ୍ରୀ ମନ୍ଦିରରେ ଯାତ୍ରା ଉତ୍ସବ ଲାଗିରହିଛି । ଏ ଯାତ୍ରାଗୁଡ଼ିକ ମାଧ୍ୟମରେ ଓଡ଼ିଆ ଜାତିର ସଂସ୍କୃତିର ପରମ୍ପରା ଓ ଜୀବନ ବୈଚିତ୍ର‌୍ୟର ପ୍ରତିଟିଛବି ରୂପାୟିତ ହୁଏ ଏବଂ ଭାରତୀୟ ଶିଳ୍ପ, କଳା ଓ ସାହିତ୍ୟକୁ ଏହା ପ୍ରତିନିଧିତ୍ୱ କରେ । ଜଗନ୍ନାଥ ହିଁ ବିଶ୍ୱ ମୈତ୍ରୀ, ଏକତା, ମାନବବାଦ ଏବଂ ସର୍ବୋପରି ବସୁଧୈବ କୁଟୁମ୍ବକମ୍‌ର ପ୍ରତୀକ ।
‘ନୀଳାଚଳ ନିବାସାୟ ସକଳାୟ କଳାତ୍ମନେ ।
ନୀଳାଦ୍ରିଚର ମେଘାୟ ଜଗନ୍ନାଥାୟ ତେ ନମଃ ।ା”

ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,
ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ