ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ନିହତ, ଦୁଇ ଫେରାର, ବନ୍ଧୁକ ସହ ମାଓ ସାମଗ୍ରୀ ଜବତ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ପୋଲିସକୁ ପୁଣି ମିଳିଛି ସଫଳତା ।କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ସିର୍ଲା ଜଙ୍ଗଲରେ ମଙ୍ଗଳବାରରେ ପୁଣି ସୁରକ୍ଷାକର୍ମୀ ମାଓବାଦୀ ମୁହାଁମୁହିଁ । ଏନକାଉଣ୍ଟରରେ ପୁଣି ଜଣେ ମାଓବାଦୀ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଦୁଇ ଦିନ ଭିତରେ ପାଞ୍ଚ ଜଣ ମାଓବାଦୀଙ୍କୁ ନିପାତ କରିଛି ପୋଲିସ୍ । ଗତ ୫ ତାରିଖ ଦିନ ସିର୍ଲା ପଞ୍ଚାୟତର କେହାଲିଗୁଡ଼ା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପୋଲିସ୍ ଗୁଳିରେ ପ୍ରାଣ ହରାଇଥିଲେ ୪ ମାଓବାଦୀ । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିଲା ପୋଲିସ୍ । ଏନକାଉଣ୍ଟର ପରେ ପୋଲିସ୍ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିଲା । ପୁଣି ସେହି ନିକଟ ଜଙ୍ଗଲରେ ତିନି ଜଣ ମାଓବାଦୀଙ୍କ ସହ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ସୁରକ୍ଷାକର୍ମୀଙ୍କୁ ଦେଖି ମାଓବାଦୀ ପ୍ରଥମେ ଫାୟାରିଂ କରିବାପରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଦୁଇଜଣ ଘଟଣାସ୍ଥଳରୁ ପଳେଇଯାଇଥିବା ଜଣାପଡ଼ିଛି । ଘଟଣାସ୍ଥଳରୁ ବନ୍ଧୁକ ସହ ମାଓ ସାମଗ୍ରୀ ଜବତ କରିଛି ପୋଲିସ୍ । ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଅନ୍ୟପଟେ ପୋଲିସ୍ ପକ୍ଷରୁ କୁମ୍ବିଂ ଅପରେସନକୁ ଜୋରଦାର କରାଯିବା ସହ ସର୍ଚ୍ଚ ଅପରେସନ ମଧ୍ୟ ଜାରି ରହିଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ