ଇଂଲଣ୍ଡ-ଓ୍ବେଷ୍ଟ୍‌ଇଣ୍ଡିଜ୍ ପ୍ରଥମ ଟେଷ୍ଟ୍‌: ବର୍ଷା ବାଧକ

ସାଉଥମ୍ପଟନ୍: କୋଭିଡ୍‌-୧୯ ମହାମାରୀର ପ୍ରାଦୁର୍ଭାବ ସତ୍ତ୍ବେ ଇଂଲଣ୍ଡରେ ଆରମ୍ଭ ହୋଇଛି ଆନ୍ତର୍ଜାତିକ କ୍ରିକେଟ୍‌। ବୁଧବାରଠୁ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଆରମ୍ଭ ହୋଇଛି ପ୍ରଥମ ଟେଷ୍ଟ୍‌। ଫଳରେ ତିନି ଟେଷ୍ଟ୍‌ ବିଶିଷ୍ଟ ଶୃଙ୍ଖଳା ଖେଳିବା ଲାଗି ୱେଷ୍ଟଇଣ୍ଡିଜ୍‌ ଦଳର ଏହି ଇଂଲଣ୍ଡ ଗସ୍ତକୁ କରୋନା ପରବର୍ତୀ ପ୍ରଥମ ଆନ୍ତର୍ଜାତିକ କ୍ରିକେଟ୍‌ର ମାନ୍ୟତା ମିଳିଛି। ମାର୍ଚ୍ଚ ୧୫ରୁ ଏପର୍ଯ୍ୟନ୍ତ ପ୍ରାୟ ୪ ମାସ ଧରି କରୋନା ମହାମାରୀ ଯୋଗୁଁ ବନ୍ଦ ରହିଥିବା କ୍ରିକେଟ୍‌ ଏବେ ପଡ଼ିଆକୁ ଫେରିଛି। ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍‌ ଟେ‌ଷ୍ଟ୍‌ ଶୃଙ୍ଖଳାରୁ ଏଭଳି ପ୍ରତ୍ୟାବର୍ତନ ଘଟିଛି। ଏଠାରେ ଉଭୟ ଦଳ ପ୍ରଥମ ଟେଷ୍ଟ୍‌ ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି। କୋଭିଡ୍‌-୧୯ କଟକଣା ଯୋଗୁଁ ଫାଙ୍କା ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଖେଳାଯାଇଛି। ବଲ୍‌ରେ ଲାଳର ପ୍ରୟୋଗ କରାଯାଉନି କି ପଡ଼ିଆରେ ପୂର୍ବ ଭଳି ଖେଳାଳିମାନେ ଉତ୍ସବ ପାଳନ କରୁନାହାନ୍ତି। ତେବେ ପ୍ରତ୍ୟାବର୍ତନର ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍‌କୁ ବର୍ଷା ହିଁ ସ୍ବାଗତ କରିଛି। ସାଉଥମ୍ପଟନ୍‌ରେ ପ୍ରବଳ ବର୍ଷା ପ୍ରଥମ ଦିନ ‌ଖେଳ ଆରମ୍ଭରୁ ବାଧକ ସାଜିଛି। ବର୍ଷା ଯୋଗୁଁ ଟସ୍‌ ପଡ଼ିବାରେ ବିଳମ୍ବ ହୋଇଥିଲା।
ଏପରିକି ଗୋଟିଏ ବି ବଲ୍‌ ବୋଲିଂ ନହୋଇ ଖେଳାଳିମାନେ ମଧ୍ୟାହ୍ନ ବିରତିକୁ ଯାଇଥିଲେ। ବିରତି ପରେ ବର୍ଷା ସାମାନ୍ୟ ଥମି ଯାଇଥିବାରୁ ଟସ୍‌ ପଡ଼ିଥିଲା। ଘରୋଇ ଇଂଲଣ୍ଡର କାମଚଳା ଅଧିନାୟକ ବେନ୍‌ ଷ୍ଟୋକ୍ସ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଅଧିନାୟକ ଭାବେ ପ୍ରଥମ ମ୍ୟାଚ୍‌ରେ ମଧ୍ୟ ଟସ୍‌ ଜିତିବାର ସୌଭାଗ୍ୟ ପାଇଥିଲେ ଷ୍ଟୋକ୍ସ। ତେବେ ଓଦା ପଡ଼ିଆ ପାଇଁ ବିଳମ୍ବରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା। ଏଥିରେ ୩ ଓଭର ବୋଲିଂ ହୋଇଥିଲା ବେଳେ ଇଂଲଣ୍ଡ ଡୋମିନିକ୍‌ ଶିବ୍‌ଲେଙ୍କ ୱିକେଟ୍‌ ହରାଇଥିଲା। ଆନ୍ତର୍ଜାତିକ ପ୍ରତ୍ୟାବର୍ତନ ମ୍ୟାଚ୍‌ର ପ୍ରଥମ ୱିକେଟ୍‌ ଇଣ୍ଡିଜ୍‌ ଦ୍ରୁତ ବୋଲର ସାନନ୍‌ ଗାବ୍ରିଏଲ୍‌ଙ୍କୁ ମିଳିଥିଲା। ସେ ୧୦ଟି ବଲ୍‌ ବୋଲିଂ କରିବା ପରେ ଏହି ସଫଳତା ପାଇଥିଲେ। ଶିବ୍‌ଲେ ୪ ବଲ୍‌ର ସାମ୍ନା କରି ଖାତା ଖୋଲିବା ପୂର୍ବରୁ ପାଭିଲିୟନ୍‌ ଫେରିଯାଇଥିଲେ। ଏହା ପୂର୍ବରୁ କେମାର ରୋଚ୍‌ଙ୍କ ପ୍ରଥମ ଓଭରର ଚତୁର୍ଥ ବଲ୍‌ରେ ଏକ ଏଲ୍‌ବିଡବ୍ଲୁ ଆବେଦନକୁ ଅମ୍ପାୟାର ଖାରଜ କରିଦେଇଥିଲେ। ୩ ଓଭରରେ ଗୋଟିଏ ୱିକେଟ୍‌ ହରାଇ ଇଂଲଣ୍ଡ ୧ ରନ୍‌ କରିଥିଲା ବେଳେ ପୁନର୍ବାର ବର୍ଷା ଫେରିଥିଲା। ପୁଣି ମ୍ୟାଚ୍‌ ବନ୍ଦ ରହିଥିଲା। ଚା’ପାନ ବିରତିର ଅଳ୍ପ ସମୟ ପୂର୍ବରୁ ବର୍ଷା ଥମିବାରୁ ଖେଳ ପୁଣି ଆରମ୍ଭ ହୋଇଥିଲା। ଶିବ୍‌ଲେଙ୍କ ଆଉଟ୍‌ ପରେ କ୍ରିଜ୍‌କୁ ଆସିଥିଲେ ଜୋଏ ଡେନ୍‌ଲି। ସେ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ରୋରି ବର୍ନସଙ୍କ ସହ ଅତ୍ୟନ୍ତ ସତର୍କତାରେ ପାଳିକୁ ଆଗକୁ ବଢ଼ାଇଥିଲେ। ଉଭୟେ ଦ୍ବିତୀୟ ୱିକେଟ୍‌ରେ ୩୪ ରନ୍ ଯୋଡ଼ିଥିଲା ବେଳେ ବର୍ଷାର ଖେଳ ପୁଣି ଆରମ୍ଭ ହୋଇଯାଇଥିଲା। ସେତେବେଳକୁ ୧୭.୪ ଓଭର ବୋଲିଂ ହୋଇଥିଲା ବେଳେ ଇଂଲଣ୍ଡ ୧/୩୫ କରିଥିଲା। ବର୍ନସ ୨୦ ଏବଂ ଡେନ୍‌ଲି ୧୪ ରନ୍‌ରେ ଅପରାଜିତ ରହିଥିଲେ। ସେହିଠାରେ ହିଁ ପ୍ରଥମ ଦିବସର ଷ୍ଟମ୍ପ୍‌ସ ପ୍ରତ୍ୟାହାର କରିନିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ