ଡିସେମ୍ବରରେ ଅଷ୍ଟ୍ରେଲିଆ ଗସ୍ତ କରିବ ଭାରତୀୟ କ୍ରିକେଟ୍‌ ଟିମ୍‌

କୋଲକାତା: ସାରା ବିଶ୍ବରେ କରୋନା ପ୍ରକୋପ ସତ୍ତ୍ବେ ଆସନ୍ତା ଡିସେମ୍ବର ମାସରେ ଭାରତୀୟ କ୍ରିକେଟ୍ ଦଳ ଅଷ୍ଟ୍ରେଲିଆ ଗସ୍ତ କରି ସେଠାରେ ଚାରି ଟିକିଆ ଟେଷ୍ଟ୍ ଶୃଙ୍ଖଳା ଖେଳିବ। ବିସିସିଆଇ ଏହି ଗସ୍ତକୁ ସବୁଜ ସଙ୍କେତ ଦେଇଛି। ଅଷ୍ଟ୍ରେଲିଆରେ କରୋନା ପ୍ରକୋପ ନିୟନ୍ତ୍ରଣାଧୀନ ଥିବାରୁ ଉଭୟ ବିସିସିଆଇ ଓ କ୍ରିକେଟ୍ ଅଷ୍ଟ୍ରେଲିଆ ମଧ୍ୟରେ ସହମତି ହୋଇସାରିଥିବା ବିସିସିଆଇ ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ମଧ୍ୟ ସ୍ପଷ୍ଟ କରିଛନ୍ତି। ତେବେ ଭାରତୀୟ ଖେଳାଳିମାନେ ଅଷ୍ଟ୍ରେଲିଆରେ ଦୀର୍ଘ ଦୁଇ ସପ୍ତାହ ସଙ୍ଗରୋଧରେ ରହିବା ସପକ୍ଷରେ ସେ ନଥିବା ରବିବାର ମତ ପ୍ରକାଶ କରିଛନ୍ତି। ବରଂ ସଙ୍ଗରୋଧ ନିୟମକୁ କୋହଳ କରିବାକୁ ସେ କ୍ରିକେଟ୍ ଅଷ୍ଟ୍ରେଲିଆକୁ ଆହ୍ବାନ କରିଛନ୍ତି। ଏଥିନେଇ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବା ମଧ୍ୟ ଗାଙ୍ଗୁଲି ସୂଚନା ଦେଇଛନ୍ତି। ଏଥିନେଇ ସେ କହିଛନ୍ତି ଯେ ଆମେ ଭାରତର ଅଷ୍ଟ୍ରେଲିଆ ଗସ୍ତକୁ ମଞ୍ଜୁରି ଦେଇସାରିଛୁ। ହେଲେ ସଙ୍ଗରୋଧ ଅବଧି କିଛି ଦିନ କମାଯାଉ ବୋଲି ଚାହୁଁଛୁ। କାରଣ ଆମେ ଚାହୁଁନୁ ଯେ ଖେଳାଳିମାନେ ଏତେ ଦୂର ଯାତ୍ରା କରି ସେଠାରେ ପହଞ୍ଚିବା ପରେ ଦୁଇ ସପ୍ତାହ ଧରି ହୋଟେଲ କୋଠରିରେ ବସି ରୁହନ୍ତୁ। ଏହା ଅତ୍ୟନ୍ତ କଷ୍ଟଦାୟକ ଓ ନୈରାଶ୍ୟଜନକ। ସଙ୍ଗରୋଧ ଉପରେ ଆମର ନଜର ରହିଛି, ଏହାକୁ ନେଇ କିଛି ଗୋଟିଏ ସକାରାତ୍ମକ ନିଷ୍ପତ୍ତି ହେବ ବୋଲି ଆଶା ରଖିଛୁ। ମେଲବର୍ନ ଛଡ଼ା ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ସ୍ଥିତି ଏବେ ତୁଳନାତ୍ମକ ଭାବେ ଭଲ ରହିଛି। ସେଥିପାଇଁ ଆମେ ସେଠାକୁ ଯାଉଛୁ। ସଙ୍ଗରୋଧ ଦିନକୁ କମାଇ ଯେତେ ଶୀଘ୍ର କ୍ରିକେଟ୍ ଆରମ୍ଭ ହେବ ସେତେ ଭଲ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ