ହାଟଡିହି-ସମଣା ରାସ୍ତା ଅଧାପନ୍ତରିଆ, ପୁର୍ତ୍ତ ବିଭାଗର ଦୃଷ୍ଟି ପଡିବ କେବେ

ହାଟଡିହି, (ଓ୍ବାଇଏନ୍ଏସ୍) : ହାଟଡିହି ବ୍ଲକ ହାଟଡିହି- ସମଣା ପୁର୍ତ୍ତବିଭାଗ ରାସ୍ତାଟି ଅଧାପନ୍ତରିଆ ଭାବେ ପଡିଥିବାରୁ ରାସ୍ତାର ଅନେକ ସ୍ଥାନ ଖାଲଖମାରେ ପୁରିଗଲାଣି । ଫଳରେ ୪ଚକିଆ ଯାନ କିମ୍ବା ବାଇକ ଆରୋହୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ଉପରେ ସମଣା, ବଡରମ୍ପାସ, ଆମ୍ବୋ, ମରୈଗାଁ ଆଦି ପଞ୍ଚାୟତର ହଜାର ହଜାର ଲୋକ ନିର୍ଭର କରିଥାନ୍ତି । ଗତବର୍ଷ ରମ୍ପାସ ଠାରୁ ସମଣା ପର୍ଯ୍ୟନ୍ତ ରାସ୍ତା କାମ କରାଯାଉଥିବାବେଳେ କେତେକ ସ୍ଥାନରେ କଲଭଟ ଗୁଡିକ ନିର୍ମାଣ ହୋଇପାରି ନଥିବାରୁ ସେସବୁ ସ୍ଥାନରେ ରାସ୍ତାକାମ ହୋଇନପାରି ଅଧାପନ୍ତରିଆ ଭାବେ ପଡି ରହିଛି । ଫଳରେ ଏହି ରାସ୍ତାର ଇଶଳା ଛକ, ଶଙ୍ଖୋ, ବରାଙ୍ଗ ନିକଟରେ ବିରାଟ ବିରାଟ ଖାଲଖମା ସୃଷ୍ଟି ହୋଇଛି । ଯେଉଁଖାଲ ସବୁ ହୋଇଛି ତାକୁ ପାରକରି ଯିବା ଛୋଟ ଗାଡି ଗୁଡିକ କ୍ଷେତ୍ରରେ ସମ୍ଭବ ହେଉ ନାହିଁ । ବାଇକ ଆରୋହୀମାନେ ବାଇକରୁ ଓହ୍ଲାଇ ବାଇକକୁ ଠେଲି ଠେଲି ଖାଲ ପାରକରୁଥିବା ଦେଖିବାକୁ ମିଳିଛି । ଏପରିକି ଆମ୍ବୁଲାନସଟିଏ ମଧ୍ୟ ଯାଇପାରୁନି । ଯାହାକୁନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏ ସମ୍ପର୍କରେ ପୁର୍ତ୍ତ ବିଭାଗର ସହକାରୀଯନ୍ତ୍ରୀ ସମିର କୁମାର ଅଧିକାରୀଙ୍କୁ ପଚାରିବାରେ ସେ କରୋନା ପାଇଁ କିଛି କାମ ଅଟକି ଯାଇଛି, ତୁରନ୍ତ ତାହାକୁ ଏବେ ମରାମତି କରିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ