ମାନସିକତା ଓ ଇଚ୍ଛାଶକ୍ତି ବଳରେ କରୋନା ରୋକିପାରିବା,

ଅନିଲ କୁମାର ମହାରଣା

କରୋନା ମହାମାରୀ ଗଂଜାମ ଜିଲ୍ଲାରେ ନିଜର କାୟା ବିସ୍ତାର କରି ଚାଲିଥିବା ବେଳେ ” ଡେଙ୍ଗା ମୁଣ୍ଡରେ ଠେଙ୍ଗା ” ପ୍ରକାରେ ଆମେ ସବୁ କଥାରେ ପ୍ରଶାସନକୁ ଦାୟୀ କରି ବିଭିନ୍ନ କମେଣ୍ଟ ଦେଉଛେ। ପ୍ରକୃତରେ ବିଭିନ୍ନ ଆରୋପର ସମସ୍ତ କାର୍ଯ୍ୟ ପାଇଁ କଣ ପ୍ରଶାସନ ଦାୟୀ ? ବିଭିନ୍ନ ପ୍ରିଣ୍ଟ ମିଡ଼ିଆ ଓ ଇଲୋଟ୍ରୋନିକ ମିଡ଼ିଆ, ସରକାରଙ୍କ ବିଭିନ୍ନ ବିଜ୍ଞାପନ, ପ୍ରଶାସନ ପକ୍ଷରୁ ପ୍ରାଚୀର ପତ୍ର ଓ ପ୍ରଚାର ପତ୍ର, ସ୍ଥାନୀୟ ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର, ଥର୍ମାଲ ସ୍କ୍ରିନିଂ ବେଳେ କର୍ମାଚାରୀଙ୍କ ଘରକୁ ଘର ବୁଲି କହିବା ପ୍ରଭୃତି ଉପାୟରେ ଜନସାଧାରଣଙ୍କୁ ସଚେତନ କରାଯାଇଛି। ଏହି ସବୁ କାର୍ଯ୍ୟକ୍ରମ ପରେ ମଧ୍ୟ ଜନସାଧାରଣ ସତରେ କଣ ସଚେତନତା ବାର୍ତ୍ତା ଜାଣି ନାହାଁନ୍ତି ? ଲକ ଡାଉନ ଓ ସଟ୍ ଡାଉନ ଆଇନ ଲାଗୁ ହୋଇଛି କେବଳ କରୋନା ମହାମାରୀ ସଂକ୍ରମଣ ରୋକିବା ପାଇଁ। ଏହି ବିଷୟରେ ବିଭିନ୍ନ ପୋଲିସ ଥାନା ପକ୍ଷରୁ ପୋଲିସ ବାହିନୀ ସଚେତନତା ରାଲି କରିବା ସହ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରଚାର କରିଛନ୍ତି।
ସଟ୍ ଡାଉନ ଓ ଲକ ଡାଉନ ନିୟମକୁ ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସମସ୍ତେ ଜାଣିଛନ୍ତି। ସହରାଞ୍ଚଳରେ ଆଇନ ଭଙ୍ଗ କାରୀଙ୍କୁ ପ୍ରଶାସନ ବାରମ୍ବାର ତାଗିଦ କରିବା ପରେ ମଧ୍ୟ ଅମାନିଆ ସୁଧୀରି ନଥିବା ଯୋଗୁଁ ଅର୍ଥ ଦଣ୍ଡରେ ଦଣ୍ଡିତ କରୁଛନ୍ତି। ଗ୍ରାମାଞ୍ଚଳରେ ଏକାଠି ହୋଇ କଥାବାର୍ତ୍ତା ହେବା ଓ ତାସ ଖେଳିବା ସମୟରେ ଯେଉଁ ଗାଡି ଶବ୍ଦ ଶୁଣିଲା ମାତ୍ରେ ପୋଲିସ ଗାଡି ଭାବି ଛତ୍ରଭଙ୍ଗ ଦେଉଛନ୍ତି। ତାହାହେଲେ ସେମାନେ କୋଭିଡ ଆଇନ ଜାଣି ନାହାଁନ୍ତି ବୋଲି କହି ପାରିବାକି ? ପ୍ରବାସୀ ଓଡ଼ିଆମାନଙ୍କୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପ୍ରଥମେ ନିଜ ଜିଲ୍ଲାକୁ ଫେରି ଆସିବା ପାଇଁ ଅନୁମତି ଦେବାପରେ କରୋନା ଶୂନ୍ୟ ଥିବା ଗଂଜାମ ଜିଲ୍ଲାରେ ପଜିଟିଭ ଆରମ୍ଭ ହେବାଯୋଗୁଁ ଜିଲ୍ଲାପାଳଙ୍କୁ ବହୁ କଟୁ କମେଣ୍ଟର ସମ୍ମୁଖୀନ ହେବାକୁ ପଡିଥିଲା। କେତେକ କଡା ଭାଷାରେ ଗଞ୍ଜାମକୁ ମହାରାଷ୍ଟ୍ର କରିଦେବାକୁ ଜିଲ୍ଳାପାଳ ଚିନ୍ତା କରୁଥିବା କହିବାକୁ ମଧ୍ୟ ଭୁଲି ନଥିଲେ। ମାତ୍ର ଯେତେବେଳେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ୧୫ ଦିନ ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ପ୍ରବାସୀ ମାନଙ୍କୁ ନିଜ ରାଜ୍ୟରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଲେ ତାହା ପରୋକ୍ଷରେ ଗଂଜାମ ଜିଲ୍ଳାପାଳଙ୍କ ପ୍ରବାସୀଙ୍କୁ ଫେରାଇ ଆଣିବା କାର୍ଯ୍ୟ ଠିକ ବୋଲି ପ୍ରମାଣିତ କଲା। ଗଂଜାମ ଜିଲ୍ଲା ପ୍ରଶାସନ ଓ ସୁରତ ଜିଲ୍ଲା ପ୍ରଶାସନ ମଧ୍ୟରେ ଆଲୋଚନା ହୋଇ ଯେତେବେଳେ ପ୍ରବାସୀମାନେ ଗଂଜାମ ଫେରୁଥିଲେ ସେତେବେଳେ କେଉଁ ବସରେ କେଉଁ ବ୍ଲକର କେତେ ଜଣ ଆସୁଥିଲେ ତାହା ପ୍ରଶାସନ ଜାଣିପାରିବା ଯୋଗୁଁ ଠିକ ଭାବେ କାର୍ଯ୍ୟ ହୋଇ ପ୍ରବାସୀ ମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ବାଧ୍ୟତାମୂଳକ ଭାବେ ରଖା ଯାଉଥିଲା। ଫଳରେ ସଙ୍ଗରୋଧ କେନ୍ଦ୍ରରେ ଯେଉଁମାନେ ପଜିଟିଭ ଚିହ୍ନଟ ହେଉଥିଲେ କୋଭିଡ ହସପିଟାଲରେ ଚିକିତ୍ସା ହେଉଥିବା ବେଳେ ସ୍ଥାନୀୟ ଲୋକଙ୍କୁ ବ୍ୟାପିବାର ଆଶଙ୍କା ନଥିଲା। ଜନସାଧାରଣ ଜିଲ୍ଳାପାଳଙ୍କ ଏହି କାର୍ଯ୍ୟକୁ ବିରୋଧ କରବା ଯୋଗୁଁ ପ୍ରବାସୀଙ୍କ ନିଜ ଜିଲ୍ଲାକୁ ଫେରିବା ବନ୍ଦ ହେଲା। ପ୍ରବାସୀମାନେ ଅଦାଲତର ଆଶ୍ରୟ ନେବା ପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଏକକାଳୀନ ହଜାର ହଜାର ପ୍ରବାସୀ ଓଡିଆଙ୍କ ଜିଲ୍ଲାରେ ପ୍ରବେଶ ହୋଇ ଅଣଆୟତ ପରିସ୍ଥିତି ସୃଷ୍ଟି ହେଲା। କେଉଁଠି ପ୍ରବାସୀ ଓଡିଆମାନେ ଚେଇନ ଟାଣି ନିଜ ଗ୍ରାମ ନିକଟରେ ଟ୍ରେନ ଅଟକାଇ ଟ୍ରେନରୁ ଡେଇଁ ଚାଲିଗଲେତ କେଉଁଠି ରେଳ ଷ୍ଟେସନର ଗଳାବାଟ ଦେଇ ଲୁଚି ନିଜର ଘରକୁ ଚାଲିଗଲ। ତାହାହେଲେ ପ୍ରଥମେ ଗଂଜାମ ଜିଲ୍ଲାପାଳ ସୁରତ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ପ୍ରବାସୀଙ୍କୁ ପର୍ଯ୍ୟାୟ କ୍ରମେ ନିଜ ଜିଲ୍ଲାକୁ ଫେରାଇ ଆଣିବା ଭୁଲ କାର୍ଯ୍ୟକ୍ରମ ଥିଲାକି ? ସେହି ପନ୍ଥା ଅବଲମ୍ବନ କରିଥିଲେ ବୋଧହୁଏ ସ୍ଥାନୀୟ ବ୍ୟକ୍ତି ଏତେ ପରିମାଣରେ ପଜିଟିଭ ଚିହ୍ନଟ ହୋଇନଥାନ୍ତେ। ଏହି ସବୁ ବିଷୟକୁ ଦେଖିଲେ ପ୍ରଶାସନର ଭୁଲ ଅପେକ୍ଷା ଜନସାଧାରଣଙ୍କ ଭୂଲ ଯଥେଷ୍ଟ ଗୁଣରେ ଅଧିକ ଏଥିରେ ସନ୍ଦେହ ନାହିଁ।ବର୍ତ୍ତମାନ ମଧ୍ୟ ସମୟ ଅଛି, ତଣ୍ଡ ଗଣିଲେ ଗଣିବୁ ପଛେ ଆଇନ ମାନିବୁ ନାହିଁ ବିଚାରାଧାର ପରିବର୍ତ୍ତନ ଆଣିବାକୁ ପଡିବ। ମାନସିକ ସ୍ତରରେ ଆମେ ଚିନ୍ତା କରି ଦୃଢ଼ ଇଚ୍ଛାଶକ୍ତି ବଳରେ ପଦକ୍ଷେପ ନେବା ଯେ ଆମେ ନିଶ୍ଚିତ ଭାବେ ପ୍ରଶାସନଙ୍କ କୋଭିଡ ଆଇନକୁ ଅକ୍ଷରେ ଅକ୍ଷରରେ ପାଳନ କରିବା। ସମସ୍ତେ ମନେରଖିବା ଉଚ୍ଚିତ କରୋନା ଶୀଘ୍ର ହଟିବାର ନାହିଁ। ଘରେ ରହିବା,ବାରମ୍ବାର ସାବୁନରେ ହାତ ସଫା କରିବା, ମାସ୍କ ପନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ଶିଶୁ ବରିଷ୍ଠ ନାଗରିକ ସମେତ କିଡିନ ଡାଇବେଟିସ ବ୍ଲଡ଼ପ୍ରେସର ପ୍ରଭୃତି ରୋଗୀଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା, ବାହ୍ୟ ପଦାର୍ଥ ସ୍ବର୍ଶ୍ୱ କଲେ ସାନିଟାଇଜ କରିବା, ହାତ ସଫା ନକରି ଚକ୍ଷୁ ନଛୁଇଁବା, କୋଭିଡ ଲକ୍ଷଣ ଦେଖାଦେଲେ କୋଭିଡ କେୟାର ସେଣ୍ଟରରେ ତୁରନ୍ତ ସ୍ୱାସ୍ଥ୍ୟ ପରୀକ୍ଷା କରିବା, କୋଭିଡ ଲକ୍ଷଣ ନଲୁଚାଇବା ପ୍ରଭୃତି ବିଷୟକୁ ଗୁରୁତ୍ୱ ଦେଇ ଯଦି କାର୍ଯ୍ୟ କରିବା, ତେବେ ଯାଇ କରୋନା ପରାଜୟ ବରଣ କରବା ସଙ୍ଗେ ଆମେ ସମସ୍ତେ କରୋନା ମୁକ୍ତ ହୋଇପାରିବ।

ମାଣିତରା, ବୁଗୁଡ଼ା, ଗଞ୍ଜାମ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ