ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ଲାଗି ସଂକଳ୍ପ ଆଣିଲେ ସରକାର, ଉଭୟ ବିଲ ରାଜ୍ୟସଭାରେ ସର୍ବସମ୍ମତିକ୍ରମେ ପାରିତ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଜାମ୍ମୁ ଓ କାଶ୍ମୀର ସଂକ୍ରାନ୍ତରେ ଦୁଇଟି ବିଲ ଏବଂ ଦୁଇଟି ସଂକଳ୍ପ ରାଜ୍ୟସଭାରେ ଉପସ୍ଥାପନ କରିଛନ୍ତି । ସେଗୁଡିକ ମଧ୍ୟରେ ୧.ରାଷ୍ଟ୍ରପତିଙ୍କ ଦ୍ୱାରା ଜାରି ସାମ୍ବିଧାନିକ (ଜାମ୍ମୁ ଓ କାଶ୍ମୀରରେ ଲାଗୁ)ଅଧ୍ୟାଦେଶ, ୨୦୧୯ (ଭାରତୀୟ ସମ୍ବିଧାନର ଧାରା ୩୭୦ (୧)) ୧୯୫୪ରେ ଜାରି ଧାରା ୩୭୦ ସଂକ୍ରାନ୍ତରେ ଜାରି ଅଧ୍ୟାଦେଶର ସ୍ଥାନ ନେବ । ୨.ଧାରା ୩୭୦ (୩) ଅନୁଯାୟୀ ଧାରା ୩୭୦କୁ ଉଚ୍ଛେଦ ଲାଗି ସଂକଳ୍ପ ୩.ଭାରତୀୟ ସମ୍ବିଧାନର ଧାରା ୩ ଅନୁଯାୟୀ ଜାମ୍ମୁ ଓ କାଶ୍ମୀରର ପୁନର୍ଗଠନ ବିଲ, ୨୦୧୯ ୪.ଜାମ୍ମୁ ଓ କାଶ୍ମୀର ସଂରକ୍ଷଣ (ଦ୍ୱିତୀୟ ସଂଶୋଧନ) ବିଲ, ୨୦୧୯ ସରକାରଙ୍କ ଏକ ଐତିହାସିକ ନିଷ୍ପତି ବିଷୟରେ ଘୋଷଣା କରି ଶାହ କହିଲେ ଯେ ଭାରତୀୟ ସମ୍ବିଧାନର ଧାରା ୩୭୦କୁ ଉଚ୍ଛେଦ କରିବା ଲାଗି ସରକାର ଏକ ସଂକଳ୍ପ ଆଗତ କରୁଛନ୍ତି । ଏହି ଧାରା ଜାମ୍ମୁ ଓ କାଶ୍ମୀର ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିଲା । ସଂସଦର ଅନୁମୋଦନ ପରେ ରାଷ୍ଟ୍ରପତି ବିଜ୍ଞପ୍ତି ଜାରି କରିବା ତାରିଖ ଠାରୁ ଧାରା ୩୭୦ରେ ଥିବା ସମସ୍ତ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ ହେବ । ଏହାପରେ ଭାରତୀୟ ସମ୍ବିଧାନ ଦେଶର ଅନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ଭଳି ଜାମ୍ମୁ ଓ କାଶ୍ମୀରରେ ମଧ୍ୟ ଲାଗୁ ହେବ ବୋଲି କହିଥିଲେ । ଏହି ସଂକଳ୍ପ ଏବଂ ଜାମ୍ମୁ ଓ କାଶ୍ମୀରର ଭବିଷ୍ୟତକୁ ନେଇ ହେଉଥିବା ଆଶଙ୍କା ସମ୍ପର୍କରେ ପ୍ରତିକ୍ରିୟା ରଖି ଶାହ କହିଥିଲେ, ମୁଁ ଏତିକି କହିପାରେ ଯେ ସରକାର ଆଣିଥିବା ଏହି ବିଲ ଐତିହାସିକ । ଧାରା ୩୭୦ ଭାରତ ସହିତ ଜାମ୍ମୁ ଓ କାଶ୍ମୀରର ମିଶ୍ରଣ ପରିବର୍ତେ ଏଥିରେ ବାଧକ ସାଜୁଥିଲା । ଭୋଟ ବ୍ୟାଙ୍କ ରାଜନୀତି ଗତ ୭୦ ବର୍ଷ ଧରି ରାଜ୍ୟର ଯୁବକମାନଙ୍କୁ ଲୁଟିଚାଲିଥିଲା । କାହିଁକି ଆଜି ଯାଏ ଜାମ୍ମୁ ଓ କାଶ୍ମୀରର ଲୋକମାନଙ୍କ ନିକଟରେ ବିକାଶର ଲାଭ ପହଁଚିପାରିନାହିଁ ତା’ ଉପରେ ବିତର୍କ କରିବା ଲାଗି ମୁଁ ବିରୋଧୀ ଦଳ ସଦସ୍ୟମାନଙ୍କୁ ଆହ୍ୱାନ କରୁଛି । ସବୁମତେ ଧର୍ମକୁ ନେଇ ରାଜନୀତି ବନ୍ଦ ହେବା ଉଚିତ । ଧାରା ୩୭୦ ସବୁଧର୍ମର ଲୋକମାନଙ୍କ ପାଇଁ ବିପଜ୍ଜନକ ବୋଲି କହିଥିଲେ । ଆହୁରି ଲିଙ୍ଗ, ଶ୍ରେଣୀ, ଜାତି ଓ ବାସସ୍ଥାନ ଆଧାରରେ ଧାରା ୩୭୦ର ବ୍ୟବସ୍ଥା ଭେଦଭାବପୂର୍ଣ୍ଣ ବୋଲି କହିଥିଲେ । ରାଜନେତାମାନେ ଏତେ ଦିନ ଧରି ଯୁବସମାଜକୁ ଶୋଷଣ କରି ଆସୁଥିଲେ । ଏହି ବ୍ୟବସ୍ଥା ପ୍ରଥମତଃ ଅସ୍ଥାୟୀ ଥିଲା ଏବଂ ଜାମ୍ମୁ ଓ କାଶ୍ମୀରର ଲୋକମାନଙ୍କର ବୃହତ ସ୍ୱାର୍ଥ ଦୃଷ୍ଟିରୁ ଏହାକୁ ଉଚ୍ଛେଦ କରାଯିବାର ଥିଲା ବୋଲି କହିଥିଲେ । ଧାରା ୩୭୦ (୩)ରେ ଥିବା ବ୍ୟବସ୍ଥା ଅନୁଯାୟୀ, ସଂସଦର ଅନୁମୋଦନ କ୍ରମେ, ସର୍ବସାଧାରଣ ବିଜ୍ଞପ୍ତି ଜରିଆରେ ରାଷ୍ଟ୍ରପତି ଧାରା ୩୭୦ରେ ସଂଶୋଧନ କିମ୍ବା ଏହାର ଉଚ୍ଛେଦ କରିପାରିବେ । ଅତୀତରେ ଏହା ଏକାଧିକ ବାର ହୋଇଥିଲା । ବିରୋଧୀଙ୍କ ଉଦ୍ଦେଶ୍ୟରେ ସ୍ୱରାଷ୍ଟ୍ରମନ୍ତ୍ରୀ କହିଥିଲେ ଯେ ଧାରା ୩୭୦ କିଭଳି ଭାବେ ରାଜ୍ୟର ଲୋକମାନଙ୍କ ବିକାଶକୁ ପ୍ରଭାବିତ କରୁଥିଲା ତାହା ସମସ୍ତେ ଜାଣନ୍ତି । ଶାହ କହିଥିଲେ ଯେ ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ ଓ କାଶ୍ମୀରରେ ଘରୋଇ ନିବେଶ ପାଇଁ ବାଟ ଖୋଲିଯିବ, ଯାହା ଏଠାରେ ବିକାଶ ସମ୍ଭାବନା ବୃଦ୍ଧି କରିବ । ଅଧିକ ନିବେଶ ଦ୍ୱାରା ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଏହା ରାଜ୍ୟର ସାମାଜିକ-ଆର୍ଥିକ ଭିତିଭୂମିର ବିକାଶ କରିବ । ସେଠାରେ ଜମି କିଣାଯିବା ସମ୍ଭବ ହେଲେ ଘରୋଇ ବ୍ୟକ୍ତିବିଶେଷ ଏବଂ ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ପାଇଁ ନିବେଶ ସୁଯୋଗ ବୃଦ୍ଧି ପାଇବ ଯାହା ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ଅଭିବୃଦ୍ଧି ପ୍ରଦାନ କରିବ । ଯେଉଁମାନେ ଏହି ଐତିହାସିକ ପଦକ୍ଷେପକୁ ବିରୋଧ କରୁଛନ୍ତି ସେମାନେ ଏ ସମସ୍ତ ବିକାଶ ସମ୍ଭାବନାକୁ ବିରୋଧ କରୁଥିବା କହିଥିଲେ । ୧୯୮୯ରୁ ୨୦୧୮ ମଧ୍ୟରେ ପ୍ରାଣବଳୀ ଦେଇଥିବା ସାଧାରଣ ଜନତା ଏବଂ ସେନା ଯବାନ ମାନଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରୀ ସ୍ମରଣ କରିଥିଲେ । ସେ କହିଥିଲେ ଯେ ୩୭୦ ଧାରା ନଥିଲେ ଏହି ଲୋକମାନଙ୍କୁ ପ୍ରାଣ ହରାଇବାକୁ ପଡ଼ିନଥାନ୍ତା । ଦେଶ ବିଭାଜନ ପରେ ପାକିସ୍ତାନରୁ ଆସିଥିବା ଶରଣାର୍ଥୀମାନେ ଆଜି ଯାଏ ନାଗରିକତା ପାଇପାରିନାହାନ୍ତି । ସେମାନେ ରାଜ୍ୟରେ କାଉନସିଲର ମଧ୍ୟ ହୋଇପାରୁନାହାନ୍ତି । ଏହି ଲୋକମାନଙ୍କ ପ୍ରତି ଲଗାତାର ଭାବେ ଐତିହାସିକ ଅନ୍ୟାୟ ହୋଇ ଆସିଛି । ଅନ୍ୟପଟେ ଏହି ଶରଣାର୍ଥୀମାନଙ୍କ ମଧ୍ୟରୁ ୨ ଜଣ ଭାରତର ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି । ଶାହ କହିଥିଲେ ଯେ ଧାରା ୩୭୦ କାରଣରୁ ଜାମ୍ମୁ କାଶ୍ମୀରରେ ଗଣତନ୍ତ୍ରର ପୂର୍ଣ୍ଣ ପ୍ରତିଷ୍ଠା ସମ୍ଭବପର ହୋଇନାହିଁ, ଦୁର୍ନୀତି ବୃଦ୍ଧି ପାଇଛି, ଦାରିଦ୍ର୍ୟ ଅଧିକ ପ୍ରସାରିତ ହୋଇଛି ଏବଂ ସାମାଜିକ-ଆର୍ଥିକ ଭିତିଭୂମି ପ୍ରତିଷ୍ଠା ହୋଇପାରିନାହିଁ । ଏହା ଆତଙ୍କବାଦର ମୂଳ କାରଣ ବୋଲି ସେ କହିଥିଲେ । ଧାରା ୩୭୦ କାରଣରୁ ସମ୍ବିଧାନର ୭୩ ଏବଂ ୭୪ତମ ସଂଶୋଧନ ଜାମ୍ମୁ ଓ କାଶ୍ମୀରରେ ଲାଗୁ ହୋଇପାରିନାହିଁ । ପଂଚାୟତ ଓ ନଗର ପାଳିକା ନିର୍ବାଚନ ହୋଇପାରୁନାହିଁ । ଭାରତର ଅନ୍ୟ ନାଗରିକଙ୍କ ପାଇଁ ଉପଲବ୍ଧ ହେଉଥିବା ଗଣତାନ୍ତ୍ରିକ ଅଧିକାରକୁ ଜାମ୍ମୁ ଓ କାଶ୍ମୀରର ଲୋକମାନଙ୍କ ଠାରୁ କିଏ ଛଡ଼ାଇ ନେଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ପ୍ରଶ୍ନ କରିଥିଲେ । ନିଶ୍ଚିତ ଭାବେ ଏହା ଧାରା ୩୭୦ କାରଣରୁ ହୋଇଛି । ନିକଟରେ ପଂଚାୟତ ନିର୍ବାଚନ ସଫଳତା ପୂର୍ବକ ଏବଂ ଶାନ୍ତିପୂର୍ଣ୍ଣ ଭାବେ ହୋଇଛି । ଲୋକମାନେ ରକ୍ତପାତ ନୁହେଁ ବରଂ ଗଣତନ୍ତ୍ର ଚାହୁଁଛନ୍ତି ବୋଲି କହିଥିଲେ । ଜାମ୍ମୁ ଓ କାଶ୍ମୀର ଆର୍ଥିକ ଦୃଷ୍ଟିରୁ ପଛୁଆ ରହିବା ସମ୍ପର୍କରେ ଆଲୋକପାତ କରି ଶାହ କହିଥିଲେ ଯେ ଧାରା ୩୭୦ କାରଣରୁ ରାଜ୍ୟ ବାହାରର ଲୋକମାନେ ସେଠାରେ ବ୍ୟବସାୟ କରିପାରୁନାହାନ୍ତି । ଅର୍ଥନୈତିକ ପ୍ରତିଦ୍ୱନ୍ଦ୍ୱିତାର ଅଭାବ ବିକାଶରେ ବାଧକ ସାଜିଛି ଏବଂ ଦୁର୍ନୀତି ବୃଦ୍ଧି ପାଇଛି । ଜମି ମୂଲ୍ୟ ବଢ଼ିପାରିନାହିଁ, କାରଣ ଏଠାରେ କେହି ଜମି କିଣିପାରିବେ ନାହିଁ । ଶିଳ୍ପ ନାହିଁ, ପର୍ଯ୍ୟଟନର ଅଭିବୃଦ୍ଧି ମଧ୍ୟ ଏଠାରେ ହୋଇପାରୁନାହିଁ । ସ୍ଥାନୀୟ ଲୋକମାନଙ୍କ ପାଇଁ ଆର୍ଥିକ ସୁବିଧାସୁଯୋଗର ଅଭାବ କାରଣରୁ ସେମାନେ ଦାରିଦ୍ର୍ୟ ମଧ୍ୟରେ କାଳାତିପାତ କରୁଛନ୍ତି । ଦୁର୍ନୀତି ବ୍ୟାପକ ହୋଇଛି, ଯାହା ରାଜ୍ୟରେ ବାହ୍ୟ ନିବେଶକୁ ଅଟକାଇଛି । ସ୍ୱରାଷ୍ଟ୍ରମନ୍ତ୍ରୀ କହିଥିଲେ, ମୁଁ କାଶ୍ମୀରର ଯୁବକମାନଙ୍କୁ କହିବାକୁ ଚାହେଁ ଯେ ଧାରା ୩୭୦ ସେମାନଙ୍କୁ କୌଣସି ଲାଭ ଦେବ ନାହିଁ । ଏହା କେବଳ ସେ ସେହି କ୍ଷମତାଭୋଗୀ ଲୋକମାନଙ୍କୁ ଲାଭ ଦେବ ଯେଉଁମାନେ ସବୁଦିନ ପାଇଁ ଯୁବକମାନଙ୍କୁ ଗରିବ କରି ରଖି ସବୁ ଲାଭ ସେମାନଙ୍କ ପାଖରେ ରଖିବାକୁ ଚାହୁଁଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ଯଥେଷ୍ଟ ପାଣ୍ଠି ଯୋଗାଣ ସତ୍ୱେ ସ୍ୱାସ୍ଥ୍ୟ ଓ ଶିକ୍ଷାର ସୁବିଧା କାହିଁକି ହୋଇପାରୁନାହିଁ? ଯେଉଁମାନେ ଧାରା ୩୭୦କୁ ସମର୍ଥନ କରୁଛନ୍ତି ସେମାନେ ଜାଣି ରଖିବା ଉଚିତ ଯେ ଏହି ଧାରା ରାଜ୍ୟ ବାହାରର ପେସାଦାରଙ୍କୁ ରାଜ୍ୟରେ ପ୍ରତିଷ୍ଠିତ ହେବା ଉପରେ ଅଙ୍କୁଶ ଲଗାଇଥିଲା, ତେଣୁ ସେଠାକୁ କେହି ଯାଉନଥିଲେ । ବର୍ତମାନ ଏହି ସଂକଳ୍ପ ଗୃହୀତ ହେବା ପରେ ଧାରା ୩୭୦ ଉଚ୍ଛେଦ ହୋଇଛି । ପ୍ରତ୍ୟେକ ପିଲା ଶିକ୍ଷାର ଅଧିକାର ପାଇବେ ଏବଂ ପ୍ରତ୍ୟେକ ରୋଗୀ ଆୟୁଷ୍ମାନ ଭାରତ ଯୋଜନାରେ ମାଗଣା ସ୍ୱାସ୍ଥ୍ୟସେବା ପାଇବେ ।
କାଶ୍ମୀର ଯୁବକମାନଙ୍କ ଉଦ୍ଦେଶ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଆହୁରି କହିଥବଲେ ଆମେ ଜାମ୍ମୁ ଓ କାଶ୍ମୀରର ଯୁବକମାନଙ୍କର ବିକାଶ ଚାହୁଁଛୁ ଏବଂ ସେମାନଙ୍କୁ ନିଯୁକ୍ତିର ବ୍ୟାପକ ସୁଯୋଗ ଦେବାକୁ ଚାହୁଁଛୁ । ତେଣୁ ଯଦି ସଂକଳ୍ପ ସଂସଦର ଉଭୟ ସଦନରେ ଗୃହୀତ ହୋଇଯାଏ ତା’ହେଲେ ଆର୍ଥିକ ପଛୁଆ ବର୍ଗଙ୍କ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥା ଆପେ ଆପେ ଜାମ୍ମୁ ଓ କାଶ୍ମୀରରେ ଲାଗୁ ହୋଇଯିବ । ଫଳରେ ପୃଥକ ସଂରକ୍ଷଣ ବିଲର ଆବଶ୍ୟକତା ପଡ଼ିବ ନାହିଁ । ଆତଙ୍କବାଦ ସମ୍ପର୍କରେ ମତବ୍ୟକ୍ତ କରି ଶାହ କହିଥିଲେ ଯେ ପାକିସ୍ତାନର ମନ୍ଦ ଉଦ୍ଦେଶ୍ୟରେ ବଶୀଭୂତ ହୋଇ ଯୁବକମାନଙ୍କୁ ଜିହାଦ ଆପଣାଇବା ଲାଗି ଭ୍ରମିତ କରାଯାଉଛି । ହଜାର ହଜାର ସାଧାରଣ ନାଗରିକ ମୃତ୍ୟୁବରଣ କରୁଛନ୍ତି କାହିଁକି? ଧାରା ୩୭୦କୁ ସମର୍ଥନ କରିବା ଏବଂ ଯୁବକମାନଙ୍କୁ ବିକାଶର ମୁଖ୍ୟଧାରା ଠାରୁ ଦୂରରେ ରଖି ସେମାନଙ୍କୁ ଜିହାଦରେ ସାମିଲ କରାଇବା ପାଇଁ ପ୍ରେରିତ କରିବା ପାକିସ୍ତାନର ରାଷ୍ଟ୍ରୀୟ ନୀତି ହୋଇ ଆସିଛି । ଧାରା ୩୭୦କୁ ଜାରି ରଖିବାକୁ ଚାହୁଁଥିବା ବିଚ୍ଛନ୍ନତାବାଦୀଙ୍କ ସମେତ ସମସ୍ତ ରାଜନୈତିକ ଦଳର ମନ୍ଦ ଉଦ୍ଦେଶ୍ୟ ରହିଛି । ଆତଙ୍କବାଦରେ ସେମାନଙ୍କ ପିଲାମାନେ ପ୍ରାଣ ହରାଉନଥିବା କାରଣରୁ ସେମାନେ ଏହି ଧାରାକୁ ସମର୍ଥନ କରୁଛନ୍ତି । ଧାରା ୩୭୦ ଉଚ୍ଛେଦ ଫଳରେ କାଶ୍ମୀରୀ ସଂସ୍କୃତି ଧ୍ୱଂସ ପାଇବ ବୋଲି ନେଇ ହେଉଥିବା ଆଶଙ୍କା ସମ୍ପର୍କରେ କହିଥବଲେ ଯେ ଭାରତର ଅଂଶବିଶେଷ ହେବା ପରେ ସମସ୍ତ ରାଜ୍ୟ ସେମାନଙ୍କ ଭାଷା ଓ ସଂସ୍କୃତି ସଂରକ୍ଷିତ ରଖିପାରିଛନ୍ତି । ତେଣୁ ଧାରା ୩୭୦ କିଭଳି ଏହାକୁ ସୁରକ୍ଷା ଦେଉଥିଲା ବୋଲି ସେ ପ୍ରଶ୍ନ କରିଥିଲେ । ଏହା କେବଳ ଏକ ରାଜନୈତିକ ଦୁଷ୍ପ୍ରଚାର ଥିଲା ଯାହା ୭୦ ବର୍ଷ ଧରି କାଶ୍ମୀରର ଯୁବକମାନଙ୍କ ମନରେ ଏକ ଭ୍ରମଧାରଣା ସୃଷ୍ଟି କରି ଚାଲିଥିଲା । ଜାମ୍ମୁ ଓ କାଶ୍ମୀରର ଯୁବକମାନଙ୍କୁ ମୁଁ ଆଶ୍ୱାସନା ଦେଉଛି ଯେ ଏ ସରକାରକୁ ଆପଣମାନେ ୫ ବର୍ଷ ଦିଅନ୍ତୁ । ୫ ବର୍ଷ ପରେ ଆପଣଙ୍କ କ୍ଷେତ୍ରର ଦେଶର ସବୁଠୁ ବିକଶିତ କ୍ଷେତ୍ର ହେବ ବୋଲି କହିଥିଲେ । ରାଜ୍ୟର ଯେଉଁ ଝିଅମାନେ ରାଜ୍ୟ ବାହାରେ ବିବାହ କରୁଛନ୍ତି ସେମାନେ ବାହାଘର ପରେ ସେମାନଙ୍କ ସମ୍ପତି ଅଧିକାର ହରାଉଛନ୍ତି । ଏହା ସେହି ମହିଳା ଓ ସେମାନଙ୍କ ପିଲାମାନଙ୍କ ପ୍ରତି ପକ୍ଷପାତିତା । ଅନୁସୂଚିତ ଜାତି ଏବଂ ଜନଜାତି ଲୋକମାନେ ପଛୁଆ ହୋଇ ରହିଛନ୍ତି ଏବଂ ସେମାନେ ରାଜନୈତିକ ସଂରକ୍ଷଣ ପାଇପାରୁନାହାନ୍ତି । ଏହା ଜାଣି ସୁଦ୍ଧା କିଛି ଲୋକ ସେମାନଙ୍କ ରାଜନୈତିକ ଲାଭ ପାଇଁ ଏହି ଧାରା ଜାରି ରଖିବାକୁ ଚାହୁଁଛନ୍ତି ବୋଲି ମନ୍ତ୍ରୀ କହିଥିଲେ । ସଂସଦକୁ ଆଶ୍ୱାସନା ଦେଇଥିଲେ ଯଦି କେନ୍ଦ୍ର ଶାସିତ ପ୍ରଦେଶ ମଡେଲ ଠିକ ଭାବେ କାର୍ଯ୍ୟ କରେ, ତା’ହେଲେ ଆମ ସରକାର ପୁଣିଥରେ ଜାମ୍ମୁ ଓ କାଶ୍ମୀରକୁ ରାଜ୍ୟ ପାହ୍ୟା ପ୍ରଦାନ କରିବା କଥା ବିଚାର କରିବେ । କୌଣସି ସାମ୍ବିଧାନିକ ସଂଶୋଧନର ଆବଶ୍ୟକତା ପଡ଼ିବ ନାହିଁ । ଥରେ ଧାରା ୩୭୦ ଉଚ୍ଛେଦ ହେଲେ ଜାମ୍ମୁ ଓ କାଶ୍ମୀର ସମ୍ପୂର୍ଣ୍ଣ ଭାବେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଯିବ । କାଶ୍ମୀରବାସୀଙ୍କ ସମସ୍ତ ସମସ୍ୟା ଶେଷ ହେବାର ମାର୍ଗ ଧାରା ୩୭୦ ଉଚ୍ଛେଦରେ ହିଁ ରହିଛି । ଏହି ପଦକ୍ଷେପ ଦୃଢ଼ ରହିଛି ଏବଂ ଏହା ଆଇନଗତ ପରୀକ୍ଷାରେ ଉତୀର୍ଣ୍ଣ ହେବ । ଧାରା ୩୭୦ ଏକ ଅସ୍ଥାୟୀ ବ୍ୟବସ୍ଥା, ଏହା ଉଚ୍ଛେଦ ହେବାର ଥିଲା । ଧାରା ୩୭୦ ଉଚ୍ଛେଦ ଲାଗି ସରକାରଙ୍କ ସହିତ ହାତ ମିଳାଇବା ଲାଗି ମୁଁ ସମସ୍ତ ରାଜନୈତିକ ଦଳଗୁଡ଼ିକୁ ରାଜନୈତିକ ବିଚାରଧାରା ଠାରୁ ଊଦ୍ଧ୍ୱର୍ ଯିବା ଲାଗି ହୃଦୟରୁ ନିବେଦନ କରୁଛି । ସାରା ଦେଶ ଏକଜୁଟ ହେବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଥିଲେ । ଏହାପରେ ଜାମ୍ମୁ ଓ କାଶ୍ମୀର ସଂକ୍ରାନ୍ତ ସମସ୍ତ ବିଲ ଓ ସଂକଳ୍ପ ଗୃହୀତ ହୋଇଥିଲା । ଜାମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଲ, ୨୦୧୯ ଆଗତ କରିଥିଲେ ଯାହା ଜାମ୍ମୁ ଓ କାଶ୍ମୀରକୁ ବିଧାନସଭା ସହିତ ଏକ କେନ୍ଦ୍ର ଶାସିତ ପ୍ରଦେଶ ମାନ୍ୟତା ପ୍ରଦାନ କରିବ । ଅନ୍ୟପଟେ ଲଦାଖକୁ ବିଧାନସଭା ନଥିବା ଏକ ପୃଥକ କେନ୍ଦ୍ର ଶାସିତ ପ୍ରଦେଶରେ ପରିଣତ କରିବ । ଜାମ୍ମୁ ଓ କାଶ୍ମୀର ସଂରକ୍ଷଣ (ଦ୍ୱିତୀୟ ସଂଶୋଧନ) ବିଲ, ୨୦୧୯ ଆଗତ କରାଯାଇଥିଲା । ଏହା ଜାମ୍ମୁ ଓ କାଶ୍ମୀର ସଂରକ୍ଷଣ ଆଇନ ୨୦୦୪ରେ ସଂଶୋଧନ ଆଣିବ । ଏହା ନିଯୁକ୍ତି ଏବଂ ଶିକ୍ଷା କ୍ଷେତ୍ରରେ ଜାମ୍ମୁ ଓ କାଶ୍ମୀରର ଆର୍ଥିକ ଦୃଷ୍ଟିରୁ ପଛୁଆ ଲୋକମାନଙ୍କୁ ୧୦% ସଂରକ୍ଷଣ ପ୍ରଦାନ କରିବ । ଉଭୟ ବିଲ ରାଜ୍ୟସଭାରେ ସର୍ବସମ୍ମତିକ୍ରମେ ପାରିତ ହୋଇଥିଲା ।