ପୋଲିସ ସବଇନିସପେକ୍ଟରଙ୍କୁ ଚାକିରୀରୁ ବରଖାସ୍ତ କରି ଗିରଫ କରାଯିବା ଦାବିରେ ପୋଲିସ ମହାନିର୍ଦେଶକଙ୍କୁ ଏସପିଙ୍କ ଜରିଆରେ ଦାବିପତ୍ର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଜମଧର ଗ୍ରାମର ସୂର୍ଗତ ନିରଞ୍ଜନ ସେଠୀଙ୍କ ଏକମାତ୍ର ପୁତ୍ର ଦେବାଶିଷ ସେଠୀଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦେବାଶିଷର ବିଧବା ମା’ଙ୍କୁ ସୁରକ୍ଷା ଓ ସହାୟତା ପ୍ରଦାନ ପାଇଁ ବୁଧବାର ଦେବାଶିଷଙ୍କ ପରିବାର ପକ୍ଷରୁ ଅଖିଳ ଭାରତୀୟ କଂଗ୍ରେସ କମିଟି ସଦସ୍ୟ ତଥା ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଯୁବ ପରିଷଦର ସଭାପତି ହଳଧର ସେଠୀଙ୍କ ନେତୃତ୍ୱରେ ପୋଲିସ ମହାନିର୍ଦେଶକଙ୍କ ଉଦେଶ୍ୟରେ ଆରକ୍ଷୀ ଅଧିକ୍ଷକ ନୀତି ଶେଖରଙ୍କୁ ପ୍ରଦାନ କରାଯାଇଛି । ଅଭିଯୋଗ ଅନୁଯାଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାର ସବଇନିସପେକ୍ଟର ଚନ୍ଦ୍ରିକା ମହାପାତ୍ର ଦୀର୍ଘ ୧୦ବର୍ଷରୁ ଉର୍ଦ୍ଧ୍ୱ ଦିନଧରି ପ୍ରେମ କରିଆସୁଥିଲେ । ଏପରିକି ଦୁହେଁ ଏକତ୍ର ବାସକରିବା ସହ ବୁଲାବୁଲି କରିବା,ହୋଟେଲ ଓ ଲଜରେ ରହିବା ସହ କାରରେ ବିଭିନ୍ନ ଜିଲ୍ଲାକୁ ଯିବାଆସିବା କରୁଥିଲେ ବୋଲି ଅଭିଯୋଗ ହୋଇଛି । ପଟ୍ଟାମୁଣ୍ଡାଇ ଥାନା ପରିସରରେ ମଧ୍ୟ ଦେବାଶିଷଙ୍କ ସହ ଚନ୍ଦ୍ରିକା ଅନେକ ସମୟ କଟାଇଥିବା ଓ ଚନ୍ଦ୍ରିକାଙ୍କ ପଟ୍ଟାମୁଣ୍ଡାଇସ୍ଥିତ ବାସଭବନରେ ଦେବାଶିଷ ବହୁ ସମୟରେ ରହୁଥିଲେ ବୋଲି ଅଭିଯୋଗ କରିଛନ୍ତି ତାଙ୍କ ପରିବାର । ପାଠପଢା ସମୟରୁ ଉଭୟ ଦେବାଶିଷ ଓ ଚନ୍ଦ୍ରିକାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ବୋଲି କହିଛନ୍ତି ଦେବାଶିଷଙ୍କ ମା’ଭଗବତୀ ସେଠୀ । ସେହି ପ୍ରେମ ସମ୍ପର୍କକୁ ବୈବାହିକ ଜୀବନରେ ପରିଣତ କରିବାକୁ ଦେବାଶିଷ ଓ ତାଙ୍କ ପରିବାର ପକ୍ଷରୁ ବହୁ ଥର କୁହାଯାଇଥିଲେ ମଧ୍ୟ ଚନ୍ଦ୍ରିକା ସେକଥାକୁ ଏଡାଇ ଯାଇଥିବା ଏବଂ ଚନ୍ଦ୍ରିକାଙ୍କ ପରିବାର କୁମୁଟି ସମ୍ପ୍ରଦାୟର ହୋଇଥିବା ବେଳେ ଦେବାଶିଷଙ୍କ ପରିବାର ଅନୁସୂଚିତ ଜାତି ବର୍ଗର ହୋଇଥିବାରୁ ଚନ୍ଦ୍ରିକାଙ୍କ ପରିବାର ଓ ବନ୍ଧୁବାନ୍ଧବ ଏହି ବିବାହ ପାଇଁ ପ୍ରତିବନ୍ଧକ ହେଉଛନ୍ତି ବୋଲି ଚନ୍ଦ୍ରିକା ବିବାହ ପାଇଁ ସମୟ ଗଡାଇ ଚାଲିଥିଲେ ବୋଲି ଅଭିଯୋଗ ହୋଇଛି । ଚନ୍ଦ୍ରିକାଙ୍କ ପ୍ରସ୍ତାବ ଅନୁଯାଇ ବାଙ୍ଗାଲୋରରେ ରହୁଥିବା ତାଙ୍କ ସାନଭାଇର ବିବାହ ଆଗେ ହୋଇଗଲେ ତାଙ୍କ ସାହି-ଭାଇଙ୍କ ପକ୍ଷରୁ ଏହି ଆନ୍ତଃଜାତି ବିବାହ ପାଇଁ ସାମାଜିକ ବାଛନ୍ଦର ଭୟ ରହିବ ନାହିଁ । ଏଣୁ ଚନ୍ଦ୍ରିକାଙ୍କ ଏହି ପ୍ରସ୍ତାବରେ ଦେବାଶିଷଙ୍କ ମା’ ଭଗବତୀ ସେଠୀ,ଭଉଣୀ ଓ ଭିଣୋଇ ରାଜି ହୋଇ ସେମାନଙ୍କ ବିବାହ ପାଇଁ ଅଧିକ ସମୟ ଅପେକ୍ଷା କରିଥିଲେ । ପୂର୍ବରୁ ପ୍ରାୟ ଦେଢମାସ ତଳେ ଏହି ବିବାହକୁ ନେଇ ଉଭୟ ଦେବାଶିଷ ଓ ଚନ୍ଦ୍ରିକାଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିବା ବେଳେ ଭୂବନେଶ୍ୱରରେ ଉଭୟଙ୍କ ସାଙ୍ଗସାଥି ମିଶି ଉଭୟଙ୍କୁ ମିଳାମିଶା କରାଇଥିଲେ । ଗତ ୨୦ଦିନ ହେବ ଦେବାଶିଷଙ୍କ ମାନସିକ ସ୍ଥିତି ଭଲନଥିବା ଓ ସେ ବାରମ୍ବାର ପଟ୍ଟାମୁଣ୍ଡାଇସ୍ଥିତ ଚନ୍ଦ୍ରିକାଙ୍କ ବାସଭବନକୁ ଯାଉଥିବା ଦେବାଶିଷଙ୍କ ସମ୍ପର୍କୀୟମାନେ କହିଛନ୍ତି । ଗତ ଜୁଲାଇମାସ ୩ତାରିଖ ସନ୍ଧ୍ୟାରେ ଜରୁରୀ କଥାବାର୍ତ୍ତା ଅଛି ବୋଲି ଟେଲିଫୋନ ପାଇ ଦେବାଶିଷ ୪ତାରିଖ ସକାଳେ ତାଙ୍କ ଜମଧର ଗ୍ରାମରୁ ସ୍କୁଟି ଆଭେଟର ଯୋଗେ ପୁରୀ ଯାଇଥିଲେ । ସେହିଦିନ ସନ୍ଧ୍ୟା ୮ଟା ୨୦ମିନିଟ ସମୟରେ ପୁରୀ ଦୋଳମଣ୍ଡପସାହିର ନିରୂପମା ମହାପାତ୍ର ନାମକ ଜଣେ ମହିଳା ଦେବାଶିଷ ଭାର୍ଗବୀ ନଦୀ ମୁହାଣରୁ ନିଖୋଜ ହୋଇଯାଇଥିବା ଦେବାଶିଷଙ୍କ ମା’ଙ୍କୁ ଟେଲିଫୋନରେ ଜଣାଇଥିଲେ । ଏତଦବ୍ୟତିତ ଦେବାଶିଷଙ୍କ ମୃତଦେହକୁ ବଳିଆପଣ୍ଡାସ୍ଥିତ ଭାର୍ଗବୀ ନଦୀ ମୁହାଣରୁ ଅଗ୍ନିଶମ ବାହିନୀ ପାଇନଥିବା ବେଳେ ଚନ୍ଦ୍ରିକାଙ୍କ ଦ୍ୱାରା ପ୍ରେରିତ ୨ଜଣ ବ୍ୟକ୍ତି ଅନାୟାସରେ ଖୋଜି ପାଇଥିବା ଦେବାଶିଷଙ୍କ ପରିବାର ଲୋକଙ୍କ ମନରେ ଦେବାଶିଷଙ୍କୁ ହତ୍ୟା କରାଯାଇଥିବା ସନ୍ଦେହକୁ ଦୃଢିଭୁତ କରିଛି । ଏସମ୍ପର୍କରେ ପୁରୀ ବଳିଆପଣ୍ଡା ଥାନାରେ ଅଭିଯୋଗ କ୍ରମେ ଥାନା କେଶ ନମ୍ବର ୭୧/୨୦୨୦ରେ ଆଇପିସିର ଧାରା ୩୦୨ ଓ ୩୪ଦଫାରେ ମାମଲା ରୁଜୁ ହୋଇଛି । ଏଠାରେ ସୂଚନା ଯୋଗ୍ୟ ଯେ ଦେବାଶିଷଙ୍କ ମୃତଦେହ ଉଦ୍ଧାର ସମୟରେ ଭାର୍ଗବୀ ନଦୀ ମୁହାଣରୁ ହତ୍ୟାକାରୀ ଚନ୍ଦ୍ରିକାଙ୍କ ସାଙ୍ଗ ସାହେବ ଓରଫ ମନୋଜ ମହାପାତ୍ର ଓ ଦାଦା ଓରଫ ପ୍ରମଥ ବିଶ୍ୱାସ ଙ୍କ ଦ୍ୱାରା ବ୍ୟବହୃତ ମାରୁତି ୱାଗନର ନମ୍ବର – ଓଡି – ୧୦ଡି- ୧୨୯୧ ଭିତରେ ଭଙ୍ଗା ମଦ ବୋତଲ,ଦେବାଶିଷଙ୍କ ଟି ସାର୍ଟ, ଜିନପ୍ୟାଂଟ, ଇନହେଲର, ମଦ ଗ୍ଲାସ, ବ୍ୟବହୃତ ଘରୋଇ ତକିଆ, ବେଡସିଟ, ଆଧାରକାର୍ଡ ଓ ସ୍କୁଟି ଚାବି ପ୍ରଭୃତି ରହିଥିବା ଦେଖାଯାଇଛି । ଗାଡିର ଚାଳକ ସିଟରେ ବହୁତ ଗୁଡିଏ ବାଲି ପଡିଥିବା ଦେଖିବାକୁ ମିଳିଥିଲା ବୋଲି ଅଭିଯୋଗ ହୋଇଛି । ଦେବାଶିଷଙ୍କ ମୁହଁ, ନାକ ଓ ଆଖିରେ ଖଣ୍ଡିଆ ଦାଗ ସହ ରକ୍ତ ଲାଗିଥିବା ଯୋଗୁଁ ଏହା ପ୍ରମାଣ କରୁଛି ଯେ ଦେବାଶିଷଙ୍କୁ ପାଣିରେ ପକାଇବା ପୂର୍ବରୁ ସୁପରିକଳ୍ପିତ ଭାବେ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ଚନ୍ଦ୍ରିକା ସମେତ ମନୋଜ ଓ ପ୍ରମଥଙ୍କୁ ତୁରନ୍ତ ଗିରଫ କରାଯିବା ସହ ଦେବାଶିଷଙ୍କ ପରିବାରକୁ କ୍ଷତିପୁରଣ ପ୍ରଦାନ କରାଯିବାକୁ ଦାବି କରାଯାଇଛି । ଦେବାଶିଷଙ୍କ ମା’ ଭଗବତୀ ସେଠୀ,ଉତ୍ସବାନନ୍ଦ ମଳିକ,ମାନସ କୁମାର ସେଠୀ,ଗଣେଶ୍ୱର ସେଠୀ,ଜଗନ୍ନାଥ ସେଠୀ ପ୍ରମୁଖ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ପୋଲିସ ମହାନିର୍ଦେଶକଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ