ଆଲ୍‌କୋହଲ୍‌ ଭିତ୍ତିକ ହ୍ୟାଣ୍ଡ ସାନିଟାଇଜର ଉପରେ ଜିଏସ୍‌ଟି ହାର ପ୍ରସଙ୍ଗରେ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ : କେତେକ ଗଣମାଧ୍ୟମରେ ଆଲ୍‌କୋହଲ ଭିତ୍ତିକ ହ୍ୟାଣ୍ଡ ସାନିଟାଇଜର ଉପରେ ଜିଏସ୍‌ଟି ହାର ନିର୍ଦ୍ଧାରଣ ଘେନି କିଛି ଖବର ପ୍ରକାଶ ପାଇଛି । ଏ ସଂପର୍କରେ ସରକାରଙ୍କ ପକ୍ଷରୁ ଏକ ସ୍ପଷ୍ଟୀକରଣରେ କୁହାଯାଇଛି ଯେ ଏହି ହ୍ୟାଣ୍ଡ ସାନିଟାଇଜର ଉପରେ ୧୮ ଶତାଂଶ ଜିଏସ୍‌ଟି ଲାଗୁ କରାଯାଇଛି । ସାନିଟାଇଜର, ସାବୁନ, ଜୀବାଣୁ ନିରୋଧୀ ତରଳ ପଦାର୍ଥ ଓ ଡେଟଲ ଆଦି ବିଶୋଧକ ବର୍ଗର ସାମଗ୍ରୀ ହୋଇଥିବାରୁ ଏହା ଉପରେ ଜିଏସ୍‌ଟି ବ୍ୟବସ୍ଥାରେ ୧୮ ଶତାଂଶ ଷ୍ଟାଣ୍ଡାର୍ଡ ଟିକସ ହାର ଲାଗୁ କରାଯାଇଛି । ବିଭିନ୍ନ ସାମଗ୍ରୀ ଉପରେ ଟିକସ ହାର କେତେ ରହିବ ତାହା ଜିଏସ୍‌ଟି ପରିଷଦ ସ୍ଥିର କରିଥାଏ । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରମାନେ ଏକାଠି ବସି ଏ ସଂପର୍କରେ ବିଚାର ଆଲୋଚନା କରି ଜିଏସ୍‌ଟି ହାର ନିର୍ଦ୍ଧାରଣ କରିଥାନ୍ତି । ସ୍ପଷ୍ଟୀକରଣରେ ଆହୁରି ମଧ୍ୟ କୁହାଯାଇଛି ଯେ ସାନିଟାଇଜର ପ୍ରସ୍ତୁତିରେ ବ୍ୟବହାର କରାଯାଉଥିବା ରାସାୟନିକ ପଦାର୍ଥ, ପ୍ୟାକିଂ ସାମଗ୍ରୀ, ଇନ୍‌ପୁଟ ସର୍ଭିସ ଆଦି ଉପରେ ୧୮ ଶତାଂଶ ଜିଏସ୍‌ଟି ଲାଗୁ ହୋଇଛି । ଏଭଳି ସ୍ଥିତିରେ ସାନିଟାଇଜର ଏବଂ ସେହିଭଳି ଅନ୍ୟାନ୍ୟ ସାମଗ୍ରୀ ଉପରୁ ଯଦି ଜିଏସ୍‌ଟି ହାର ହ୍ରାସ କରାଯାଏ ତାହାଦ୍ୱାରା ଶୁଳ୍କ ଢାଞ୍ଚା ଓଲଟପାଲଟ ହୋଇଯିବ । ଏହା ଫଳରେ ଘରୋଇ ଉତ୍ପାଦନକାରୀ ଏବଂ ଆମଦାନୀକାରୀମାନେ ଅସୁବିଧାର ସମ୍ମୁଖୀନ ହେବେ । କମ୍‌ ଜିଏସ୍‌ଟି ହାର ଯୋଗୁଁ ଆମଦାନୀ ବଢିଥାଏ ଏବଂ ଏହାଦ୍ୱାରା ବିଦେଶୀ ସାମଗ୍ରୀ ଦେଶରେ ଅଧିକ ଶସ୍ତାରେ ବିକ୍ରି ହୁଏ । ଏହା ଆତ୍ମନିର୍ଭର ଭାରତ ନୀତିର ପରିପନ୍ଥୀ । ଯଦି ଜିଏସ୍‌ଟି ହାର ହ୍ରାସ ପାଏ ଏବଂ ଘରୋଇ ଉତ୍ପାଦନକାରୀ କ୍ଷତିଗ୍ରସ୍ତ ହୁଅନ୍ତି, ତାହାହେଲେ ଏହିସବୁ ସାମଗ୍ରୀ ବ୍ୟବହାରରେ ଖାଉଟି ବିଶେଷ ଉପକୃତ ହେବେ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ