ଦେଶରେ ପ୍ରକୃତ କରୋନା ରୋଗୀଙ୍କ ସଂଖ୍ୟା ୩,୩୧,୧୪୬

ନୂଆଦିଲ୍ଲୀ : ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ କୋଭିଡ-୧୯ ପରିଚାଳନା ଯୋଗୁଁ ସକ୍ରିୟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି । ଆଜିସୁଦ୍ଧା ଦେଶରେ ପ୍ରକୃତ କରୋନା ରୋଗୀଙ୍କ ସଂଖ୍ୟା ୩,୩୧,୧୪୬ ରହିଛି । ଏପର୍ଯ୍ୟନ୍ତ କରୋନା ଚିହ୍ନଟ ହୋଇଥିବା ମୋଟ ରୋଗୀଙ୍କର ମଧ୍ୟରୁ ଏହି ସଂଖ୍ୟା ହେଉଛି ଏକ-ତୃତୀୟାଂଶରୁ ସାମାନ୍ୟ ଅଧିକ । ଘରକୁ ଘର ସର୍ଭେ, ଅନ୍ୟାନ୍ୟ ପ୍ରାକ ନିୟନ୍ତ୍ରଣ କାର୍ଯ୍ୟ, ଠିକଣା ସମୟରେ ଚିହ୍ନଟ ଏବଂ ଆବଦ୍ଧାଞ୍ଚଳ ପ୍ରତି ସତର୍କ ଦୃଷ୍ଟି, ବ୍ୟାପକ ପରୀକ୍ଷା ଓ ସମୟପୋଯୋଗୀ ନିଦାନ ଓ ଏଥିପାଇଁ ଉଦ୍ଦିଷ୍ଟ ନିୟମାବଳିକୁ କଡାକଡି ପାଳନ ଯୋଗୁଁ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ପରୀକ୍ଷା ସାମର୍ଥ୍ୟ ବୃଦ୍ଧି, ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି, ଏସଏଆରଆଇ/ଆଇଏଲଆଇ ମାମଲାଗୁଡିକର ଅଗ୍ରାଧିକାର ଭିତ୍ତିରେ ତଦାରଖ ଯୋଗୁଁ ଏହି ସୁସ୍ଥତା ହାର ବୃଦ୍ଧି ପାଇଛି । ନିମ୍ନରେ ଦିଆଯାଇଥିବା ରେଖା ଚିତ୍ର ଅନୁସାରେ ଜୁନ ମଧ୍ୟ ଭାଗ ସୁଦ୍ଧା ସୁସ୍ଥତା ହାର ଶତକଡା ୫୦ ପହଞ୍ଚିଥିବା ବେଳେ ତା’ପରଠାରୁ ଏହା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏବେ ସୁସ୍ଥତା ହାର ଶତକଡା ୬୩.୨୫ରେ ପହଞ୍ଚିଛି । ଏହିପରି ଜୁନ ମଧ୍ୟଭାଗ ସୁଦ୍ଧା ସକ୍ରିୟ ମାମଲା ଶତକଡା ୪୫ ଭାଗ ଥିବା ବେଳେ ବର୍ତ୍ତମାନ ଏହା ୩୪.୧୮ ଶତକଡାକୁ ଖସି ଆସିଛି । କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୨୦,୭୮୩ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୬,୧୨,୮୨୪କୁ ବୃଦ୍ଧି ପାଇଛି । ସକ୍ରିୟ ରୋଗୀଙ୍କ ତୁଳନାରେ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୨,୮୧,୬୬୮ ଅଧିକ । ସେହିପରି କୋଭିଡ-୧୯ ହସ୍ପିଟାଲ ଭିତ୍ତିଭୂମିର ଦୃଷ୍ଟିରୁ ପ୍ରଥମ ଶ୍ରେଣୀରେ ୧,୩୮୨ଟି ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ ରହିଥିବା ବେଳେ ଦ୍ଵିତୀୟ ଶ୍ରେଣୀରେ ୩,୧୦୦ଟି ଉତ୍ସର୍ଗୀକୃତ କୋଭିଡ ସ୍ଵାସ୍ଥ୍ୟସେବା କେନ୍ଦ୍ର ଓ ତୃତୀୟ ଶ୍ରେଣୀରେ ୧୦,୩୬୭ଟି କୋଭିଡ ସୁଧାର କେନ୍ଦ୍ର ରହିଛି । ଏହିସବୁ କେନ୍ଦ୍ରରେ ମୋଟ ୪୬,୬୬୬ଟି ଆଇସିୟୁ ଶଯ୍ୟା ରହିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ଵିତ ପଦକ୍ଷେପ ଯୋଗୁଁ କରୋନା ସଂକ୍ରମଣ ବୃଦ୍ଧି କେବଳ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ରହିଛି । କେବଳ ଦୁଇଟି ରାଜ୍ୟ ଯଥା ମହାରାଷ୍ଟ୍ର ଓ ତାମିଲନାଡୁରେ ଦେଶର ମୋଟ ସକ୍ରିୟ ରୋଗୀଙ୍କ ମଧ୍ୟରୁ ଶତକଡା ୪୮.୧୫ ରହିଛନ୍ତି । ଦେଶର ମୋଟ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ କେବଳ ୧୦ଟି ରାଜ୍ୟରେ ମୋଟ ସକ୍ରିୟ ରୋଗୀଙ୍କ ସଂଖ୍ୟା ଶତକଡା ୮୬.୬୨ ରହିଛି । ଉତ୍ତମ ଚିକିତ୍ସା ପରିଚାଳନା ଯୋଗୁଁ କେନ୍ଦ୍ର ସରକାର ଏହିସବୁ ରାଜ୍ୟଗୁଡ଼ିକର ମୁକାବିଲାକୁ ଅଗ୍ରାଧିକାର ଦେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ