ବାଚସ୍ପତିଙ୍କ ନୋଟିସକୁ ଚାଲେଞ୍ଜ୍: ହାଇକୋର୍ଟରେ ପହଞ୍ଚିଲେ ପାଇଲଟ୍ ଓ ୧୮ ସମର୍ଥକ

ଜୟପୁର: ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ କମିଟି ସଭାପତି ସଚିନ୍ ପାଇଲଟଙ୍କୁ ଗତ ମଙ୍ଗଳବାର ତାଙ୍କ ପଦରୁ ବହିଷ୍କାର କରାଯାଇଛି। ତା’ଛଡ଼ା ତାଙ୍କର ୧୮ ଜଣ ସମର୍ଥକ ବିଧାୟକଙ୍କ ମଧ୍ୟରୁ ୨ ଜଣଙ୍କୁ ମନ୍ତ୍ରିମଣ୍ଡଳରୁ ମଧ୍ୟ ବହିଷ୍କାର କରାଯାଇଛି। ଅଧିକନ୍ତୁ କଂଗ୍ରେସ ପକ୍ଷରୁ ଜାରି ହୋଇଥିବା ହ୍ବିପର ଅବମାନନା ନେଇ ଅଭିଯୋଗ ହେବା ପରେ ବିଧାନସଭା ବାଚସ୍ପତି ସିପି ଯୋଶୀ ପାଇଲଟ୍ ଓ ୧୮ ଜଣ ସମର୍ଥକ ବିଧାୟକଙ୍କୁ ନୋଟିସ୍ ଜାରି କରିଛନ୍ତି। ଏହି ନୋଟିସର ଜବାବ ଦେବାକୁ କୁହାଯିବା ସହ ସନ୍ତୋଷଜନକ ଜବାବ ଦେଇ ନ ପାରିଲେ, ସେମାନଙ୍କୁ ବିଧାୟକ ପଦରୁ ବହିଷ୍କାର କରାଯିବ ବୋଲି ମଧ୍ୟ ଯୋଶୀ କହିସାରିଛନ୍ତି। ତେବେ ଏହି ନୋଟିସ୍ ସମ୍ପୂର୍ଣ୍ଣ ଭାବେ ବେଆଇନ ବୋଲି ପାଇଲଟ୍ ଓ ତାଙ୍କ ସମର୍ଥକ ବିଧାୟକମାନେ ମତ ଦେଇଥିଲେ। ଗୁରୁବାର ସେମାନେ ରାଜସ୍ଥାନ ହାଇକୋର୍ଟରେ ପହଞ୍ଚିଛନ୍ତି। ପାଇଲଟଙ୍କ ଅନ୍ୟତମ ସମର୍ଥକ ବିଧାୟକ ପୃଥ୍ବୀରାଜ ମୀନା ହାଇକୋର୍ଟରେ ମାମଲା ଦାଖଲ କରିଛନ୍ତି ଓ ଗୁରୁବାର ଅପରାହ୍ନରେ ଏହାର ଶୁଣାଣି କରାଯିବାକୁ ନିଷ୍ପତ୍ତି ହୋଇଛି। ହରିଶ ସାଲଭେ ଓ ମୁକୁଲ ରୋହତଗୀ ମାମଲା ପରିଚାଳନା କରୁଥିବା ବେଳେ ଜଷ୍ଟିସ୍ ସତୀଶ ଚନ୍ଦ ଶର୍ମା ଏହାର ଶୁଣାଣି କରିବେ। ଅନ୍ୟପକ୍ଷରେ ପାଇଲଟ୍ ବାଚସ୍ପତି ଯୋଶୀଙ୍କ ନୋଟିସ୍ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିବେ। ଏନେଇ ସେ ତାଙ୍କ ଆଇନ ପରାମର୍ଶଦାତାଙ୍କ ସହ ଆଲୋଚନା କରିସାରିଥିବା କୁହାଯାଇଛି। ଗତ ମଙ୍ଗଳବାର କଂଗ୍ରେସ ବିଧାୟକ ଦଳ ବୈଠକରେ ଯୋଗଦେବାକୁ ନିର୍ଦେଶ ରହିଥିଲେ ମଧ୍ୟ ପାଇଲଟ୍ ଓ ତାଙ୍କର ୧୮ ଜଣ ସମର୍ଥକ ବିଧାୟକ ଯୋଗଦେଇ ନ ଥିଲେ। ତେଣୁ ବାଚସ୍ପତିଙ୍କ ନିକଟରେ କଂଗ୍ରେସ ପକ୍ଷରୁ ଦଳୀୟ ହ୍ବିପ୍ ପାଳନ ନ କରିବା ଅଭିଯୋଗ ଦାଏର୍ କରାଯାଇଥିଲା। ପାଇଲଟ୍ ଓ ତାଙ୍କର ସମର୍ଥକ ବିଧାୟକମାନେ ମାନେସାରସ୍ଥିତ ଏକ ରିସର୍ଟରେ ରହୁଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ବିଧାୟକଙ୍କ ପରିବାର ପୋଲିସରେ ମାମଲା ରୁଜୁ କରିବେ ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି। ଉକ୍ତ ତିନି ବିଧାୟକଙ୍କ ସହ ପରିବାର ଲୋକଙ୍କୁ ଭେଟିବାର ସୁଯୋଗ ଦିଆଯାଉ ନ ଥିବା ବେଳେ ସେମାନଙ୍କୁ ଜବରଦସ୍ତ ମାନେସାର ରିସର୍ଟରେ ଅଟକ ରଖାଯାଇଥିବା ନେଇ ପୋଲିସରେ ଅଭିଯୋଗ କରାଯିବ ବୋଲି କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ