ଆଇବିଏମ ସିଇଓଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ଆଇବିଏମର ସିଇଓ ଅରବିନ୍ଦ କ୍ରିଷ୍ଣାଙ୍କ ସହିତ ଆଲୋଚନା କରିଛନ୍ତି । ଚଳିତ ବର୍ଷ ପ୍ରାରମ୍ଭରେ ଆଇବିଏମର ବୈଶ୍ୱିକ ମୁଖ୍ୟ ପଦବୀରେ ନିଯୁକ୍ତି ନିମନ୍ତେ କ୍ରିଷ୍ଣାଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜ୍ଞାପନ କରିଥିଲେ । ସେ ଭାରତ ସହିତ ଆଇବିଏମର ଦୃଢ଼ ସମ୍ପର୍କ ବିଷୟରେ ଉଲ୍ଲେଖ କରିଥିଲେ। ସାରା ଦେଶରେ କମ୍ପାନୀର ବିସ୍ତୃତ ପ୍ରସାର ରହିଛି ଏବଂ ୨୦ଟି ସହରରେ କମ୍ପାନୀରେ ୧ଲକ୍ଷରୁ ଊର୍ଦ୍ଧ୍ଵ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ବ୍ୟବସାୟିକ ବାତାବରଣ ଉପରେ କୋଭିଡର ପ୍ରଭାବ ସମ୍ପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ‘ଘରୁ ଥାଇ କାମ’ ସଂସ୍କୃତିକୁ ଦେଶରେ ବ୍ୟାପକ ଭାବେ ଗ୍ରହଣ କରାଯାଉଛି । ଏହି ପ୍ରଯୁକ୍ତିଗତ ପରିବର୍ତ୍ତନକୁ ସୁଗମ କରିବା ଲାଗି ଭାରତ ସରକାର ଭିତ୍ତିଭୂମି, ଯୋଗାଯୋଗ ଏବଂ ନିୟାମକ ପରିବେଶ ଯୋଗାଇ ଦେଉଛନ୍ତି । ସେ ମଧ୍ୟ ଏହା ସହିତ ଜଡ଼ିତ ପ୍ରଯୁକ୍ତି ଏବଂ ଘରୁ ଥାଇ ୭୫ପ୍ରତିଶତ କର୍ମଚାରୀ କାମ କରିବା ଲାଗି ଆଇବିଏମ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିରେ ରହିଥିବା ଆହ୍ୱାନ ବିଷୟରେ ଆଲୋଚନା କରିଥିଲେ । ଭାରତର ୨୦୦ଟି ବିଦ୍ୟାଳୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରିତ ପାଠ୍ୟଖସଡ଼ା ପ୍ରସ୍ତୁତ କରିବାରେ ସିବିଏସଇ ସହିତ ମିଶି ଆଇବିଏମର ପଦକ୍ଷେପକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ସରକାର ଛାତ୍ରଛାତ୍ରୀଙ୍କୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମେସିନ ଲର୍ଣ୍ଣିଂ ଆଦି ବିଷୟରେ ପ୍ରାରମ୍ଭିକ ସ୍ତରରୁ ଶିକ୍ଷା ଦେବା ଦିଗରେ କାର୍ଯ୍ୟ କରୁଛନ୍ତି । ଯାହା ଦେଶରେ ପ୍ରଯୁକ୍ତି ମନୋଭାବକୁ ବଢ଼ାଇବାରେ ସହାୟକ ହେବ । ଆଇବିଏମ ସିଇଓ କହିଥିଲେ ଯେ ଆଲଜେବ୍ରା ଭଳି ମୌଳିକ ବର୍ଗରେ ପ୍ରଯୁକ୍ତି ଏବଂ ଡାଟା ବିଷୟରେ ଶିକ୍ଷାଦାନ କରାଯିବା ଉଚିତ ଏବଂ ଏହାକୁ ଆଗ୍ରହର ସହିତ ପ୍ରାରମ୍ଭିକ ସ୍ତରରେ ଶିକ୍ଷା ଦିଆଯିବା ଉଚିତ । ଭାରତରେ ନିବେଶ କରିବା ଲାଗି ଏହା ଶ୍ରେଷ୍ଠ ସମୟ । ସେ କହିଥିଲେ ଯେ ପ୍ରଯୁକ୍ତି କ୍ଷେତ୍ରରେ ଆସୁଥିବା ନିବେଶକୁ ସ୍ୱାଗତ ଓ ସମର୍ଥନ କରୁଛନ୍ତି । ସେ ଉଲ୍ଲେଖ କରିଥିଲେ ଯେ ସାରା ବିଶ୍ୱରେ ମାନ୍ଦାବସ୍ଥା ଦେଖାଦେଇଥିବା ସମୟରେ ଭାରତରେ ଏଫଡିଆଇ ପ୍ରବାହ ବଢ଼ୁଛି । ସେ କହିଥିଲେ ଯେ ଆମେ ଏକ ଆତ୍ମନିର୍ଭରଶୀଳ ଭାରତ ଦିଗରେ ଅଗ୍ରସର ହେଉଛୁ ଯାହାଫଳରେ ଏକ ବୈଶ୍ୱିକ ପ୍ରତିଯୋଗିତାମୂଳକ ଏବଂ ବ୍ୟାଘାତ ସହନଶୀଳ ସ୍ଥାନୀୟ ଯୋଗାଣ ଶୃଙ୍ଖଳ ବିକଶିତ ହୋଇପାରିବ । ଭାରତରେ ବ୍ୟାପକ ନିବେଶ ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଆଇବିଏମ ସିଇଓ ସୂଚନା ଦେଇଥିଲେ । ଆତ୍ମନିର୍ଭର ଭାରତର ସଂକଳ୍ପ ପ୍ରତି ସେ ବିଶ୍ୱାସ ପ୍ରକଟ କରିଥିଲେ । ବିଗତ ୬ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟସେବାର ପ୍ରୋତ୍ସାହନ ଦିଗରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଲୋକମାନଙ୍କୁ କିଭଳି ଉନ୍ନତ ମାନର ସ୍ୱାସ୍ଥ୍ୟସେବା ମିଳିପାରିବ ତାହା ସୁନିଶ୍ଚିତ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭାରତୀୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରିତ ଉପକରଣ ପ୍ରସ୍ତୁତ କରିବା ଏବଂ ରୋଗ ନିରୂପଣ ଓ ବିଶ୍ଳେଷଣର ଉନ୍ନତ ମଡେଲ ବିକଶିତ କରିବା ଦିଗରେ ରହିଥିବା ସମ୍ଭାବନା ଉଜାଗର କରିବା ଉପରେ ଆଲୋକପାତ କରିଥିଲେ । ସେ ଆଲୋକପାତ କରି କହିଥିଲେ ଯେ ଭାରତ ଏପରି ଏକ ସ୍ୱାସ୍ଥ୍ୟବ୍ୟବସ୍ଥା ଦିଗରେ ଅଗ୍ରସର ହେଉଛି ଯାହା ସମନ୍ୱିତ, ପ୍ରଯୁକ୍ତି ଓ ଡାଟା ପରିଚାଳିତ ହେବା ସହିତ ଶସ୍ତା ଓ ବାଧାମୁକ୍ତ ହୋଇଥିବ । ଏହି ସ୍ୱାସ୍ଥ୍ୟସେବା ସଂକଳ୍ପକୁ ଆଗେଇ ନେବାରେ ଆଇବିଏମ ବିଶେଷ ସହାୟକ ହୋଇପାରିବ ବୋଲି ସେ ଉଲ୍ଲେଖ କରିଥିଲେ । ଆଇବିଏମର ସିଇଓ ପ୍ରଧାନମନ୍ତ୍ରୀଙ୍କ ଆୟୁଷ୍ମାନ ଭାରତ ସଂକଳ୍ପକୁ ପ୍ରଶଂସା କରିବା ସହିତ ଆଗୁଆ ରୋଗ ନିରୂପଣ ପାଇଁ ପ୍ରଯୁକ୍ତିର ଉପଯୋଗ ସମ୍ପର୍କରେ ଆଲୋଚନା କରିଥିଲେ । ଡାଟା ସୁରକ୍ଷା, ସାଇବର ଆକ୍ରମଣ, ଗୋପନୀୟତା ପ୍ରସଙ୍ଗରେ ଚିନ୍ତା ଏବଂ ସ୍ୱାସ୍ଥ୍ୟ ପାଇଁ ଯୋଗର ଉପକାରିତା ଆଦି ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ