ଟାଟା ପ୍ରକଳ୍ପର ବିସ୍ଥାପିତ ୭୮ ଶ୍ରମିକଙ୍କ ଜାମିନ୍ ମଞ୍ଜୁର ହେଲା

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ) , ଗୋପାଳପୁର ଶିଳ୍ପ ପାର୍କ ସ୍ଥିତ ଟାଟା ଫେରାକ୍ରମ କାରଖାନାରେ ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନ କରି ଗିରଫ ହୋଇଥିବା ୭୮ ଜଣ ବିସ୍ଥାପିତ ଶ୍ରମିକ ଶୁକ୍ରବାର ଜାମିନ୍ ମଞ୍ଜୁର ହୋଇଥିବା ଜଣାପଡିଛି । ଦୁଇଦିନ ପୂର୍ବରୁ ୨ ଜଣ ଶ୍ରମିକ ସେମାନଙ୍କ ମାଆଙ୍କ ସ୍ୱାସ୍ଥ୍ୟ ଅସୁସ୍ଥତା କରାଣରୁ ଜାମିନ୍ରେ ଯାଇଥିବା ବେଳେ ଶୁକ୍ରବାର ବାକି ୭୬ ଜଣ ଶ୍ରମିକ ଜାମିନ ମଞ୍ଜୁର ହୋଇଛି । ଜୁନ୍ ୨୭ ତାରିଖରେ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ଦାବିରେ ପ୍ରକଳ୍ପ ପରିସରରେ ଭଙ୍ଗାରୁଜା କରିଥିବା ଅଭିଯୋଗରେ ଧାରଣା ସ୍ଥଳରୁ ଜୁଲାଇ ୩୦ ତାରିଖରେ ପୁଲିସ ୭୮ ଜଣ ଶ୍ରମିକଙ୍କ ଗିରଫ କରି କୋର୍ଟ ଚାଲଣ କରିଥିଲା । ଏହି ସଂପର୍କିତରେ ଚମାଖଣ୍ଡି ଥାନା ପକ୍ଷରୁ ୪ ଟି ମାମଲା ରୁଜୁ ହୋଇଥିଲା । କମ୍ପାନୀ ପରିସରରେ ଭଙ୍ଗାରୁଜା କରିବା ସହ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ମରଣାନ୍ତାକ ଆକ୍ରମଣ ଅଭିଯୋଗରେ ୨୬ ଜଣ ଶ୍ରମିକଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ଅନ୍ୟ ୩ ଟି ମାମଲା ଶ୍ରମିକମାନେ ଏକତ୍ରିତ ହୋଇ ଆନ୍ଦୋଳନ କରି ପୁଲିସକୁ ପ୍ରତିବାଦ କରିଥିବା ଅଭିଯୋଗରେ ବାକି ୫୨ ଜଣଙ୍କ ନାମରେ ମାମଲା ରୁଜୁ କରିଥିଲେ । ଏହି ପରିପ୍ରେକ୍ଷୀରେ ଛତ୍ରପୁର ଏସ୍ଡିଜେଏମ୍ କୋର୍ଟରେ ଜିଆର ନଂ ୨୭୪/୧୯, ୩୩୧/୧୯, ୩୦୧/୧୯, ୩୩୨/୧୯ର ମାଜିଷ୍ଟ୍ରେଟ୍ ସନ୍ତୋଷ କୁମାର ପାଣିଗ୍ରାହୀ ଆଜି ବିଚାରଣ କରି ୨୭୪/୧୯ ମାମଲାର ୨୬ ଜଣଙ୍କ ବିରୁଦ୍ଧରେ ରହିଥିବା ମାମଲାର ଜାମିନ୍ ଖାରଜ କରିଥିବା ବାକି ତିନୋଟି ମାମଲାର ୫୦ ଜଣଙ୍କ ଜାମିନ୍ ମଞ୍ଜୁର କରିଥିଲେ । ପ୍ରତ୍ୟେକଙ୍କୁ ୧୦ ହଜାର ମୁଚାଲିକା ସହ ଜଣଙ୍କ ଜିମାରେ ଜାମିନ୍ ଘୋଷଣା କରିଥିଲେ । ସେହିପରି ଏସ୍ଡିଜେଏମ୍ କୋର୍ଟରେ ୨୭୪/୧୯ ମାମଲାର ଖାରଜ ପିଟିସନ୍କୁ ଅତିରିକ୍ତ ଜିଲ୍ଲା ଦୌରା କୋର୍ଟରେ ୨୬ ଜଣ ଶ୍ରମିକଙ୍କ ଜାମିନ୍ ପାଇଁ ଆବେଦନ ହୋଇଥିବା ବେଳେ ଅତିରିକ୍ତ ଜିଲ୍ଲା ଜଜ୍ ଶିଖା ରାଣୀ ରଥ ପ୍ରତ୍ୟେକଙ୍କୁ ୨୫ ହଜାର ମୁଚାଲିକା ସହ ଜଣଙ୍କ ଜିମାରେ ଜାମିନ୍ ମଞ୍ଜୁର କରିଥିଲେ । ଶ୍ରମିକଙ୍କ ତରଫରୁ ଓକିଲ ଟି.କେ.ରେଡ୍ଡି, ସୁରେଶ ସେନାପତି, ଦୀପକ ପାତ୍ର, ଇ.ରମେଶ କୁମାର ଓ ମୁରଲୀ ସାସମଲ ମକଦ୍ଦମା ପରିଚାଳନା କରିଥିଲେ । ଅନ୍ୟପକ୍ଷରେ ବିସ୍ଥାପିତ ଶ୍ରମିକ ପ୍ରକଳ୍ପରେ ସ୍ଥାୟୀ ନିଯୁକ୍ତିରେ ଦାବି କରି ଆନ୍ଦୋଳନ କରିଥିବା ଯୋଗୁଁ ୭୮ ଜଣ ଶ୍ରମିକଙ୍କୁ ଗିରଫ କରିଥିବା ପ୍ରତିବାଦରେ ସଂପୃକ୍ତ ଶ୍ରମିକଙ୍କ ପରିବାର ଗତ ୩୧ ତାରିଖ ଠାରୁ ଟାଟା ପ୍ରକଳ୍ପ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଆସୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ