ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କୋଲକାତା, ମୁମ୍ବାଇ ଓ ନୋଏଡାରେ ଉଚ୍ଚକ୍ଷମତା ସମ୍ପନ୍ନ କୋଭିଡ ଟେଷ୍ଟିଂ ସୁବିଧାର ଶୁଭାରମ୍ଭ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଉଚ୍ଚ କ୍ଷମତାସମ୍ପନ୍ନ କୋଭିଡ ପରୀକ୍ଷାଗାରଗୁଡ଼ିକର ଉଦଘାଟନ କରିଛନ୍ତି । ଏସବୁ ସୁବିଧା କୋଲକାତା, ମୁମ୍ବାଇ ଏବଂ ନୋଏଡାରେ ଥିବା ଭାରତୀୟ ଚିକିତ୍ସା ଗବେଷଣା ପରିଷଦର ଜାତୀୟ ସଂସ୍ଥାନଗୁଡ଼ିକରେ ଖୋଲାଯାଇଛି । ଏସବୁ ହାଇଟେକ ଅତ୍ୟାଧୁନିକ ସୁବିଧା ଦେଶରେ କୋଭିଡ ନମୁନା ପରୀକ୍ଷା ସଂଖ୍ୟାକୁ ବଢ଼ାଇବାରେ ସହାୟକ ହୋଇପାରିବେ । ଏହା ଜରିଆରେ ତିନୋଟି ସହରରେ ଦୈନିକ ନମୁନା ପରୀକ୍ଷା କ୍ଷମତା ଅତିରିକ୍ତ ୧୦ହଜାର ଲେଖାଏଁ ବୃଦ୍ଧି ପାଇବ । ଅଧିକ ସଂଖ୍ୟକ ନମୁନା ପରୀକ୍ଷା ଓ ଆଗୁଆ ରୋଗ ଚିହ୍ନଟ କରାଯିବା ଫଳରେ ସଠିକ ସମୟରେ ଚିକିତ୍ସା ଯୋଗାଇ ଦିଆଯାଇପାରିବ । ଫଳରେ ଭୂତାଣୁ ସଂକ୍ରମଣକୁ ରୋକିବା ସମ୍ଭବ ହୋଇପାରିବ । ସେ ଉଲ୍ଲେଖ କରିଥିଲେ ଯେ ଏସବୁ ପରୀକ୍ଷାଗାର କେବଳ କରୋନା ପରୀକ୍ଷାରେ ସୀମିତ ରହିବ ନାହିଁ । ଭବିଷ୍ୟତରେ ଏଠାରେ ହେପାଟାଇଟିସ ବି, ସି, ଏଚଆଇଭି, ଡେଙ୍ଗୁ ଏବଂ ଅନ୍ୟ ରୋଗର ଚିକିତ୍ସା କରାଯାଇପାରିବ । ଠିକଣା ସମୟରେ ନିଷ୍ପତ୍ତି ନିଆଯିବା ଫଳରେ ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟାରେ ଭାରତ ଉନ୍ନତ ସ୍ଥିତିରେ ରହିଛି । ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ଆରୋଗ୍ୟ ହାର ମଧ୍ୟ ଭଲ ରହିଛି ଓ ଏଥିରେ ଦିନକୁ ଦିନ ସୁଧାର ଦେଖିବାକୁ ମିଳୁଛି । ଏହି ଭୂତାଣରୁ ପାଖାପାଖି ଦଶ ଲକ୍ଷ ଲୋକ ଆରୋଗ୍ୟ ଲାଭ କରିସାରିଲେଣି । କରୋନା ମୁକାବିଲା ପାଇଁ ଦ୍ରୁତ ଗତିରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣ କରିବା ଦେଶ ପାଇଁ ଜରୁରି ଥିଲା । ସେ ଉଲ୍ଲେଖ କରିଥିଲେ ଯେ ଆରମ୍ଭରୁ କେନ୍ଦ୍ର ସରକାର ଏଥିପାଇଁ ୧୫ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ । ବର୍ତ୍ତମାନ ଦେଶରେ ୧୧,୦୦୦ରୁ ଅଧିକ କୋଭିଡ ଚିକିତ୍ସା କେନ୍ଦ୍ର ଏବଂ ୧୧ଲକ୍ଷରୁ ଅଧିକ ଆଇସୋଲେସନ ଶଯ୍ୟା ରହିଛି । ଜାନୁଆରୀରେ ଦେଶରେ ମାତ୍ର ଗୋଟିଏ କୋଭିଡ ପରୀକ୍ଷାଗାର ଥିଲା । ବର୍ତ୍ତମାନ ୧୩ଶହରୁ ଅଧିକ ପରୀକ୍ଷାଗାର କାର୍ଯ୍ୟକ୍ଷମ ହୋଇସାରିଲାଣି । ଦେଶରେ ଏବେ ଦୈନିକ ୫ଲକ୍ଷରୁ ଅଧିକ ନମୁନା ପରୀକ୍ଷା ହେଉଥିବା ବେଳେ ଆଗାମୀ କିଛି ସପ୍ତାହ ମଧ୍ୟରେ ଏହି କ୍ଷମତାକୁ ୧୦ଲକ୍ଷ କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ଦେଶ ବିଶ୍ୱର ଦ୍ୱିତୀୟ ସର୍ବବୃହତ ପିପିଇ ନିର୍ମାତା ହୋଇପାରିଛି । ମାତ୍ର ୬ ମାସ ପୂର୍ବରୁ ଦେଶରେ ଗୋଟିଏ ହେଲେ ପିପିଇ କିଟ ଉତ୍ପାଦନ ହେଉନଥିଲା । ବର୍ତ୍ତମାନ ଦେଶରେ ୧୨ଶହରୁ ଅଧିକ ପିପିଇ ନିର୍ମାତା ରହିଛନ୍ତି ଏବଂ ସେମାନେ ଦୈନିକ ୫ ଲକ୍ଷ ପିପିଇ କିଟ ତିଆରି କରୁଛନ୍ତି । ସେ ମଧ୍ୟ ଉଲ୍ଲେଖ କରିଥିଲେ ଯେ ଏନ-୯୫ ମାସ୍କ ଆମଦାନୀ କରିବା ସ୍ଥିତିରୁ ବର୍ତ୍ତମାନ ଆମେ ଦୈନିକ ୩ ଲକ୍ଷ ମାସ୍କ ତିଆରି କରିବା ସ୍ଥିତିରେ ପହଁଚିଯାଇଛୁ । ଭେଂଟିଲେଟରର ବାର୍ଷିକ ଉତ୍ପାଦନ 3 ଲକ୍ଷରେ ପହଁଚିଯାଇଛି । ସେହିପରି ମେଡ଼ିକାଲ ଅକ୍ସିଜେନ ସିଲିଣ୍ଡର ଉତ୍ପାଦନ ମଧ୍ୟ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି । ଏହା କେବଳ ଜୀବନ ରକ୍ଷା କରିନାହିଁ ବରଂ ଭାରତ ଆମଦାନୀକାରୀରୁ ରପ୍ତାନିକାରୀରେ ପରିଣତ ହୋଇଯାଇଛି । ଗ୍ରାମାଂଚଳରେ ସଂକ୍ରମଣକୁ ପ୍ରତିହତ କରିବା ଲାଗି ନୂତନ ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣ କରିବା ସହିତ ବର୍ତ୍ତମାନର ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁବିଧାକୁ ବମାଇବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭୌତିକ ଭିତ୍ତିଭୂମି ବିକାଶ କରିବା ସହିତ ଦେଶ କୋଭିଡ ପରିଚାଳନା ଲାଗି ମାନବ ସମ୍ବଳଙ୍କୁ ନିୟୋଜିତ କରିବାରେ ମଧ୍ୟ ବିଶେଷ ସଫଳ ହୋଇଛି । ସ୍ୱାସ୍ଥ୍ୟକର୍ମୀ, ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀମାନେ ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା କ୍ଷେତ୍ରରେ ବିଶେଷ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ଅବସରପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ନିୟୋଜିତ କରିବା ଏବଂ କରୋନା ଯୋଦ୍ଧମାନେ ସମ୍ମୁଖୀନ ହେଉଥିବା ଭେଦଭାବକୁ ଦୂର କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ । ଆଗାମୀ ଦିନରେ ପାର୍ବଣ ଋତୁ ଆସୁଥିବାରୁ ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଲୋକମାନଙ୍କୁ ସତର୍କ ରହିବା ନିମନ୍ତେ ପ୍ରଧାନମନ୍ତ୍ରୀ ଚେତାଇ ଦେଇଥିଲେ । ଠିକ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଲୋକମାନଙ୍କ ନିକଟରେ ପହଁଚାଇବା ଉପରେ ସେ ଜୋର ଦେଇଥିଲେ । ସେ ଉଲ୍ଲେଖ କରିଥିଳେ ଯେ ଯେପର୍ଯ୍ୟନ୍ତ ଟୀକା ପ୍ରସ୍ତୁତ କରାଯାଇନାହିଁ ଦୁଇ ଗଜ ଦୂରତା, ମାସ୍କ ପିନ୍ଧିବା ଏବଂ ହାତ ସଫା ରଖିବା ଲୋକମାନଙ୍କୁ ସୁରକ୍ଷିତ ରଖିପାରିବ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ କହିଥିଲେ ଯେ ଏବେ ସାରା ଦେଶରେ କୋଭିଡ ପରୀକ୍ଷାଗାର କାର୍ଯ୍ୟକ୍ଷମ ହୋଇସାରିଲାଣି । ସେ ମଧ୍ୟ ସୂଚନା ଦେଇଥିଲେ ଯେ ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସହିତ ମିଶି କେନ୍ଦ୍ର ଗୃହ ମନ୍ତ୍ରୀ ପ୍ରୟାସ କରୁଛନ୍ତି । ପରୀକ୍ଷାଗାର ପ୍ରତିଷ୍ଠା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଉଦ୍ଧବ ଠାକରେ କଠିନ ପରିସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ । ମୁମ୍ବାଇରେ ‘ଚେଜ ଫର ଭାଇରସ’ ଅଭିଯାନ ବିଷୟରେ ସେ ଉଲ୍ଲେଖ କରିବା ସହିତ ସ୍ଥାୟୀ ସଂକ୍ରମଣ ଡାକ୍ତରଖାନା ପ୍ରତିଷ୍ଠା ଉପରେ ସେ ଆଲୋଚନା କରିଥିଲେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟଗୁଡ଼ିକ ପ୍ରତି ପ୍ରଧାନମନ୍ତ୍ରୀଙ୍କ ସହଯୋଗୀ ମନୋଭାବକୁ ପ୍ରଶଂସା କରିଥିଲେ । ଏଥିସହିତ ସେ ମାମଲା ଚିହ୍ନଟ କରିବା, ଟେଲିମେଡ଼ିସିନ ସୁବିଧା ଆରମ୍ଭ କରିବା ଏବଂ ରାଜ୍ୟରେ ଥିବା ପରୀକ୍ଷାଗାରରେ ନମୁନା ପରୀକ୍ଷା ବଢ଼ାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । କରୋନା ଭୂତାଣୁ ବିରୋଧୀ ଲଢ଼େଇରେ ନିରନ୍ତର ପ୍ରୟାସ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେ କହିଥିଲେ ଯେ ଆଜି ଉଦଘାଟନ ହୋଇଥିବା ପରୀକ୍ଷାଗାରଗୁଡ଼ିକ ନମୁନା ପରୀକ୍ଷା ସମୟକୁ ଉଲ୍ଲେଖନୀୟ ଭାବେ ହ୍ରାସ କରିପାରିବେ । ସେ ରାଜ୍ୟରେ ଅଧିକ ନମୁନା ପରୀକ୍ଷା କ୍ଷମତା ବଢ଼ାଇବା ଓ ଦୈନିକ ଆଂଟିଜେନ ପରୀକ୍ଷା ସଂଖ୍ୟା ବଢ଼ାଇବା ଉପରେ ଜୋର ଦେଇଥିଲେ । ଏହି ତିନୋଟି ଉଚ୍ଚକ୍ଷମତା ସମ୍ପନ୍ନ ପରୀକ୍ଷାଗାର ସୁବିଧା ରଣନୈତିକ ଦୃଷ୍ଟିରୁ ଆଇସିଏମଆର-ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ କ୍ୟାନ୍ସର ପ୍ରିଭେନ୍ସନ ଆଣ୍ଡ ରିସର୍ଚ୍ଚ, ନୋଏଡା, ଆଇସିଏମଆର-ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ କଲେରା ଆଣ୍ଡ ଏଂଟେରିକ ଡିଜିଜେସ, କୋଲକାତା ଓ ଆଇସିଏମଆର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ରିପ୍ରଡକ୍ଟିଭ ହେଲ୍ଥ, ମୁମ୍ବାଇରେ ପ୍ରତିଷ୍ଠା କରାଯାଇଛି । ଏଠାରେ ଦୈନିକ ୧୦ହଜାରୁ ଊର୍ଦ୍ଧ୍ଵ ନମୁନା ପରୀକ୍ଷା କରାଯାଇପାରିବ । ଏହା ନମୁନା ପରୀକ୍ଷା ସମୟକୁ ହ୍ରାସ କରିବା ସହିତ ପରୀକ୍ଷାଗାରରେ କାର୍ଯ୍ୟରତ କର୍ମଚାରୀଙ୍କ ପ୍ରତି ରହିଥିବା ବିପଦକୁ ହ୍ରାସ କରିବ । ଏହି ପରୀକ୍ଷାଗାରରେ କୋଭିଡ ବ୍ୟତୀତ ଅନ୍ୟ ରୋଗ ଭୂତାଣୁ ପରୀକ୍ଷାର ସୁବିଧା ମଧ୍ୟ ରହିଛି । ମହାମାରୀ ପରେ ଏଠାରେ ହେପାଟାଇଟିସ ବି ଏବଂ ସି, ଏଚଆଇଭି, ଜୀବାଣୁବାହିତ ଯକ୍ଷ୍ମା, ଡେଙ୍ଗୁ ଓ ଅନ୍ୟାନ୍ୟ ରୋଗ ପରୀକ୍ଷା କରାଯାଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ