ଗୁରୁତ୍ୱପୂର୍ଣ୍ଣ ଔଷଧପତ୍ର ଓ ଆଧୁନିକ ଚିକିତ୍ସା ଉପକରଣ ଉତ୍ପାଦନ ପାଇଁ ବାଟ ଖୋଲିଲା

ନୂଆଦିଲ୍ଲୀ : କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡି.ଭି. ସଦାନନ୍ଦ ଗୌଡ଼ା ଆଜି ନୂଆଦିଲ୍ଲୀଠାରେ ବଲ୍‌କ ବିପୁଳ ଔଷଧପତ୍ର ଏବଂ ମେଡିକାଲ ଯନ୍ତ୍ରପାତି ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ 4ଟି ଯୋଜନା ଆରମ୍ଭ କରିଛନ୍ତି । ଏଥିରେ ଦେଶରେ ଜୀବନରକ୍ଷାକାରୀ, ଉଚ୍ଚମାନର ଔଷଧପତ୍ର ଓ ଅତ୍ୟାଧୁନିକ ଡାକ୍ତରୀ ସାମଗ୍ରୀ ଉତ୍ପାଦନ ପାଇଁ ୩ଟି ପାର୍କ ନିର୍ମାଣ କରାଯିବ । ଏହାଛଡା ଭେଷଜ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଏବଂ ଏ କ୍ଷେତ୍ରରେ ପୁଞ୍ଜିନିବେଶକୁ ବଢାଇବା ପାଇଁ ମଧ୍ୟ କେତେକ ଯୋଜନା ବିଷୟରେ ଘୋଷଣା କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଜାହାଜ ଚଳାଚଳ ମନ୍ତ୍ରଣାଳୟର ସ୍ୱାଧୀନ ଦାୟିତ୍ୱରେ ଥିବା ମନ୍ତ୍ରୀ ମନସୁଖଲାଲ ମାଣ୍ଡଭିୟ, ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ରାଓ ଇନ୍ଦ୍ରଜିତ ସିଂହ, ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅମିତାଭ କାନ୍ତ, ଭେଷଜ ବିଭାଗର ସଚିବ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଧାମନ୍ତ୍ରୀଙ୍କ ଲକ୍ଷ୍ୟ ପୂରଣ ସହିତ ଔଷଧପତ୍ର କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ରସାୟନ ଓ ସାର ମନ୍ତ୍ରଣାଳୟ ପକ୍ଷରୁ ନୂଆ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ଏଥିପାଇଁ ମୋଟ ୪ଟି ଯୋଜନା ଅନୁମୋଦନ ଲାଭ କରିଛି । ସେଥିମଧ୍ୟରୁ ଦୁଇଟି ବିପୁଳ ଔଷଧ ଓ ଡାକ୍ତରୀ ଯନ୍ତ୍ରପାତି ଉତ୍ପାଦନ ପାଇଁ ଉଦ୍ଦିଷ୍ଟ । ଏ କ୍ଷେତ୍ରରେ 3ଟି ପାର୍କ ଦେଶରେ ପ୍ରତିଷ୍ଠା କରାଯିବ । ଏହି ଯୋଜନାରେ ସାମିଲ ହେବା ପାଇଁ ସେ ରାଜ୍ୟ ସରକାର ଏବଂ ଶିଳ୍ପ ସଂସ୍ଥାଗୁଡିକୁ ଆହ୍ୱାନ ଜଣାଇଛନ୍ତି । ଭାରତ ବିଶ୍ୱର ଭେଷଜ କେନ୍ଦ୍ରଭାବେ ସମ୍ବୋଧିତ ହୋଇଥାଏ । କରୋନା ମହାମାରୀ ସମୟରେ ଏହା ସତ୍ୟରେ ପରିଣତ ହୋଇଛି । ଦେଶବ୍ୟାପୀ ଲକ୍‌ଡାଉନ ସତ୍ତ୍ୱେ ଭାରତ ବିପୁଳ ପରିମାଣର ଜୀବନରକ୍ଷାକାରୀ ଔଷଧପତ୍ର ଉତ୍ପାଦନ କରି ନିଜର ଆବଶ୍ୟକତା ପୂରଣ କରିବା ସହିତ ଔଷଧର ଅଭାବ ଥିବା ଦେଶଗୁଡିକୁ ଏହାକୁ ରପ୍ତାନୀ କରିବାରେ ସମର୍ଥ ହୋଇଛି । ଏହି ସଫଳତା ସତ୍ତ୍ୱେ ଭାରତ ଔଷଧପତ୍ରରେ ବ୍ୟବହୃତ ମୌଳିକ କଞ୍ଚାମାଲ କ୍ଷେତ୍ରରେ ଆତ୍ମନିର୍ଭର ନୁହେଁ । ଏଥିପାଇଁ ବିଦେଶରୁ ଏହାକୁ ଆମଦାନୀ କରିବାକୁ ପଡିଥାଏ । କିଛି ଗୁରୁତ୍ୱପୂର୍ଣ୍ଣ ଔଷଧପତ୍ର ନିର୍ମାଣ ପାଇଁ ଆକ୍ଟିଭ ଫାର୍ମାସ୍ୟୁଟିକାଲ ଉପାଦାନ ବହୁଳ ଔଷଧ ଉତ୍ପାଦନ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରାରମ୍ଭିକ ଉତ୍ପାଦନ ଏବଂ ସକ୍ରିୟ ଔଷଧୀୟ ଉପାଦନର ଆବଶ୍ୟକତା ରହିଛି । ସମାନଭାବେ ଆଧୁନିକ ଡାକ୍ତରୀ ଯନ୍ତ୍ରପାତି ପାଇଁ ଭାରତ ଏବେ ମଧ୍ୟ ଆତ୍ମନିର୍ଭରଶୀଳ ନୁହେଁ । ପ୍ରାୟ ୮୬ଶତାଂଶ ଏଭଳି ସାମଗ୍ରୀ ଆମଦାନୀ କରିବାକୁ ପଡିଥାଏ । ଏହି ଅବସରରେ ମାଣ୍ଡଭିୟ କହିଥିଲେ ଯେ ମୌଳିକ ଔଷଧୀୟ ଉପାଦାନ ପାଇଁ ଦେଶର ଦକ୍ଷତା ବୃଦ୍ଧି ନିମନ୍ତେ ଯେଉଁ ପଦକ୍ଷେପ ନିଆଯାଉଛି ତାହା ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଏ କ୍ଷେତ୍ରରେ ଘରୋଇ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ବ୍ୟବସ୍ଥା ବେଶ୍‌ ସହାୟକ ହେବ । ଅନ୍ୟାନ୍ୟ ଔଷଧ ଓ ଡାକ୍ତରୀ ଯନ୍ତ୍ରପାତି ଉତ୍ପାଦନରେ ଭାରତକୁ ଆତ୍ମନିର୍ଭଶୀଳ କରିବା ପାଇଁ ନୂଆ ଯୋଜନା ବେଶ୍‌ ସୁହାଇବ । ସେ କହିଥିଲେ ଯେ ୫୩ଟି ବହୁଳ ବ୍ୟବହୃତ ଔଷଧ କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ନୁହେଁ । ସେଥିପାଇଁ ଆମଦାନୀ ଉପରେ ନିର୍ଭର କରିବାକୁ ପଡୁଛି । ନୂଆ ଚିଠାରେ ୪୧ଟି ଔଷଧ ଓ ଡାକ୍ତରୀ ସାମଗ୍ରୀ ଉତ୍ପାଦନ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏଥିରେ ୫୩ଟି ବଲ୍‌କ ଡ୍ରଗ ଦେଶରେ ଉତ୍ପାଦିତ ହେବାର ସୁଯୋଗ ସୃଷ୍ଟି ହେବ । ଏହି ଯୋଜନାରେ ମନୋନୀତ ହୋଇଥିବା ୧୩୬ଟି ଉତ୍ପାଦନକାରୀଙ୍କୁ ନିଜର ସାମଗ୍ରୀର ଘରୋଇ ଉତ୍ପାଦନ ଉପରେ ନିର୍ଦ୍ଧାରିତ ଅଂଶ ପ୍ରୋତ୍ସାହନ ଆକାରରେ ଯୋଗାଇ ଦିଆଯିବ । ସେମାନେ ୪୧ଟି ଉତ୍ପାଦିତ ସାମଗ୍ରୀ ଉପରେ ଏହି ସ୍ୱତନ୍ତ୍ର ସୁବିଧା ପାଇବେ । ଏ କ୍ଷେତ୍ରରେ ସେମାନଙ୍କୁ ଯେଉଁ ପ୍ରୋତ୍ସାହନ ମିଳିବ ତା ଉପରେ ବାର୍ଷିକ ସୀମା ଧାର୍ଯ୍ୟ କରାଯିବ । ଛଅ ବର୍ଷପାଇଁ ଏହି ସୁବିଧା ସେମାନଙ୍କୁ ମିଳିବ । ଫର୍‌ମେଣ୍ଟେସନ ସାମଗ୍ରୀ ପାଇଁ ୪ବର୍ଷ ନିମନ୍ତେ ୨୦ଶତାଂଶ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ପଞ୍ଚମ ବର୍ଷରେ ଏହା ୧୫ପ୍ରତିଶତ ଏବଂ ଷଷ୍ଠ ବର୍ଷରେ ୫ଶତାଂଶ ଦିଆଯିବ । କେମିକାଲି ସିନ୍ଥେସାଇଜଡ ସାମଗ୍ରୀ ଉପରେ ୬ବର୍ଷ ପାଇଁ ୧୦ଶତାଂଶ ପ୍ରୋତ୍ସାହନ ଦିଆଯିବ । ପ୍ରତ୍ୟେକ ସାମଗ୍ରୀ ପାଇଁ ଉତ୍ପାଦକଙ୍କୁ ନିର୍ଦିଷ୍ଟ ପରିମାଣର ପୁଞ୍ଜି ବିନିଯୋଗ କରିବାକୁ ପଡିବ । ସେମାନଙ୍କର ପୁଞ୍ଜି ନିବେଶ ସର୍ବନିମ୍ନ ଉତ୍ପାଦନ କ୍ଷମତା ସ୍ତରରେ ପହଞ୍ଚିଲେ ସେମାନଙ୍କୁ ଉତ୍ପାଦନ ପାଇଁ ଅନୁମତି ପ୍ରଦାନ କରାଯିବ । ଚାରିଟି ଫରମେଣ୍ଟେସନ ଭିତ୍ତିକ ଉତ୍ପାଦନ ପାଇଁ ସର୍ବୋଚ୍ଚ ନିବେଶ ସୀମା ୪ଶହ କୋଟି ଟଙ୍କା ଧାର୍ଯ୍ୟ ହୋଇଛି । ସେହିଭଳି ଅନ୍ୟ ୧୦ଟି ସାମଗ୍ରୀ ପାଇଁ ସର୍ବୋଚ୍ଚ ନିବେଶ ସୀମା ୫୦କୋଟି ଟଙ୍କା ରଖାଯାଇଛି । ସେହିଭଳି ୪ଟି କେମିକାଲି ସିନ୍ଥେସାଇଜଡ ଉତ୍ପାଦ ପାଇଁ ସର୍ବୋଚ୍ଚ ନିବେଶ ସୀମା ୫୦କୋଟି ଟଙ୍କା ରଖାଯାଇଛି । ସମାନ ଧରଣର ୨୩ଟି ଉତ୍ପାଦ ପାଇଁ ଏହି ସୀମା ୨୦କୋଟି ଟଙ୍କା ଧାର୍ଯ୍ୟ ହୋଇଛି । ସମୁଦାୟ ୪୧ଟି ଉତ୍ପାଦ ପାଇଁ ସର୍ବନିମ୍ନ ଉତ୍ପାଦନ ଦକ୍ଷତା କେତେ ରହିବ ତାହା ନିର୍ଦ୍ଦେଶାବଳୀରେ ଉଲ୍ଲେଖ ରହିଛି । ଫର୍‌ମେଣ୍ଟେସନ ଭିତ୍ତିକ ଉତ୍ପାଦ ପାଇଁ ୨୦୧୩-୨୪ଆର୍ଥିକ ବର୍ଷରୁ ପ୍ରୋତ୍ସାହନ ମିଳିବ । ଏହା ପରେ ସଂପୃକ୍ତ ନିବେଶକଙ୍କୁ ୨ବର୍ଷର ଜେଷ୍ଟେସନ ପିରିଅଡ ଦିଆଯିବ । ସେହି ସମୟ ମଧ୍ୟରେ ତାଙ୍କୁ ଅଙ୍ଗୀକାର କରିଥିବା ଅର୍ଥ ପ୍ରକଳ୍ପରେ ବିନିଯୋଗ କରିବାକୁ ପଡିବ । କେମିକାଲି ସିନ୍ଥେସାଇଜଡ ଉତ୍ପାଦ ପାଇଁ ୨୦୧୨-୨୩ଆର୍ଥିକ ବର୍ଷରୁ ପ୍ରୋତ୍ସାହନ ପ୍ରଦାନ କରାଯିବ । ଏଥିପାଇଁ ଏକବର୍ଷର ଜେଷ୍ଟେସନ ପରିଅଡ ରହିଛି । ସେହି ସମୟ ମଧ୍ୟରେ ନିଜର ଉଦ୍ୟୋଗରେ ଅଙ୍ଗୀକାର କରିଥିବା ଅର୍ଥ ବିନିଯୋଗ କରିବେ ଏବଂ ନିଜର ଉତ୍ପାଦନ କ୍ଷମତା ହାସଲ କରିବେ । ଯେକୌଣସି କଂପାନୀ ପାର୍ଟନରସିପ୍‌ ଫାର୍ମ, ସ୍ୱତ୍ୱାଧିକାରୀ ସଂସ୍ଥା କିମ୍ବା ଭାରତରେ ପଞ୍ଜୀକୃତ ଏଲଏଲପି ଏଥିପାଇଁ ଆବେଦନ କରିପାରିବେ । ତେବେ ସେମାନଙ୍କୁ ନିର୍ଦ୍ଧାରିତ ସର୍ତ୍ତ ପୂରଣ କରିବାକୁ ପଡିବ । କେଉଁ ସଂସ୍ଥା କେତେ ପ୍ରକାର ସାମଗ୍ରୀ ଉତ୍ପାଦନ କରିବେ ତାହାର କୌଣସି ସୀମା ଧାର୍ଯ୍ୟ କରାଯାଇନାହିଁ । ଆବେଦନକାରୀଙ୍କୁ ବାଛିବା ପାଇଁ ଏକ ସ୍ୱଚ୍ଛ ବ୍ୟବସ୍ଥା କରାଯାଇଛି । ସଂପୃକ୍ତ ଆବେଦନକାରୀଙ୍କ ବାର୍ଷିକ ଉତ୍ପାଦନ ଦକ୍ଷତା ଅଙ୍ଗୀକାର ଏବଂ ସେ କେତେ ମୂଲ୍ୟରେ ନିଜର ଉତ୍ପାଦିତ ସାମଗ୍ରୀ ବିକିବାକୁ ଚାହୁଁଛନ୍ତି ତାହାକୁ ବିଚାରକୁ ନେଇ ଅନୁମତି ପ୍ରଦାନ କରାଯିବ । ଯେଉଁମାନେ କମ୍‌ ମୂଲ୍ୟରେ ଅଧିକ ସାମଗ୍ରୀ ଉତ୍ପାଦନ କରିବାକୁ ଆବେଦନପତ୍ରରେ ଦର୍ଶାଇଥିବେ ସେମାନଙ୍କୁ ଅଗ୍ରାଧିକାର ଦିଆଯିବ । ଫାର୍ମାସ୍ୟୁଟିକାଲ ବିଭାଗରର ୱେବସାଇଟରେ ଏହି ନିର୍ଦ୍ଦେଶାବଳୀ ଉପଲବ୍ଧ । ଆଜି ଯେଉଁ 4ଟି ଯୋଜନା ଘୋଷଣା କରାଯାଇଛି ତାହାର ମୁଖ୍ୟାଂଶ ନିମ୍ନରେ ପ୍ରଦାନ କରାଗଲା । ଏହି ଯୋଜନା ଆବେଦନକାରୀଙ୍କ ପାଇଁ ନିର୍ଦ୍ଦେଶାବଳୀ ଘୋଷଣାଠାରୁ ୧୨୦ଦିନ ପର୍ଯ୍ୟନ୍ତ ମୁକ୍ତ ରହିବ । ଆବେଦନପତ୍ର ଗ୍ରହଣର ଶେଷ ତାରିଖ ପରଠାରୁ ୯୦ଦିନ ମଧ୍ୟରେ ମନୋନୀତ ଆବେଦନକାରୀଙ୍କୁ ଅନୁମତି ପ୍ରଦାନ କରାଯିବ । ଅନ୍‌ଲାଇନ ପ୍ରକ୍ରିୟାରେ ଆବେଦନପତ୍ରଗୁଡିକ କେବଳ ଗ୍ରହଣ କରାଯାଇପାରିବ । ଏହି ଯୋଜନାର ମୋଟ ବ୍ୟୟବରାଦ ୬୯୪୦ କୋଟି ଟଙ୍କା । ବଲ୍‌କ ଡ୍ରଗ ପାର୍କ ପାଇଁ ପ୍ରୋତ୍ସାହନ ଯୋଜନା; ଏହି ଯୋଜନାରେ ଦେଶରେ ୩ଟି ବଲ୍‌କ ଡ୍ରଗ ପାର୍କ ପ୍ରତିଷ୍ଠା କରାଯିବ । ପ୍ରକଳ୍ପ ଖର୍ଚ୍ଚର ୯୦ ଶତାଂଶ ଉତ୍ତର ପୂର୍ବାଞ୍ଚଳ ଓ ପାହାଡିଆ ରାଜ୍ୟ ପାଇଁ ଅନୁଦାନ ଆକାରରେ ଯୋଗାଇ ଦିଆଯିବ । ଅନ୍ୟାନ୍ୟ ରାଜ୍ୟ ପାଇଁ ଏହା ୭୦ ଶତାଂଶ ଧାର୍ଯ୍ୟ କରାଯାଇଛି । ବଲ୍‌କ ଡ୍ରଗ ପାର୍କ ପାଇଁ ସର୍ବାଧିକ ଅନୁଦାନ ୧ହଜାର କୋଟି ଟଙ୍କା ଧାର୍ଯ୍ୟ ହୋଇଛି । ଆହ୍ୱାନ ଭିତ୍ତିରେ ରାଜ୍ୟଗୁଡିକୁ ଏଥିପାଇଁ ମନୋନୀତ କରାଯିବ । ଯେଉଁ ରାଜ୍ୟମାନେ ଏହି ପାର୍କ ପ୍ରତିଷ୍ଠା କରିବାକୁ ଆଗ୍ରହୀ ହେବେ ସେମାନଙ୍କୁ ବଲ୍‌କ ଡ୍ରଗ ୟୁନିଟଗୁଡିକ ପାଇଁ ସଂପୃକ୍ତ ପାର୍କରେ ୨୪ଘଣ୍ଟିଆ ବିଜୁଳି ଓ ପାଣି ଯୋଗାଇ ଦେବାକୁ ପଡିବ । ଏହାଛଡା ସଂପୃକ୍ତ ସଂସ୍ଥାଙ୍କୁ ସ୍ୱଳ୍ପ ମୂଲ୍ୟରେ ଜମି ଯୋଗାଇ ଦେବାକୁ ପଡିବ । ଯୋଗାଯୋଗ ସୁବିଧା ଏବଂ ପରିବେଶ ଅନୁକୂଳ ଅଞ୍ଚଳରେ ଏସବୁ ପାର୍କ ପ୍ରତିଷ୍ଠା ପାଇଁ ଅଗ୍ରାଧିକାର ଦିଆଯିବ । ଯେଉଁ ରାଜ୍ୟଗୁଡିକ ବେପାର ବଣିଜ ସୁବିଧା ଯୋଗାଣ କ୍ଷେତ୍ରରେ ଭଲ ସ୍ଥିତିରେ ଅଛନ୍ତି ଏବଂ ସେମାନଙ୍କର ବୈଷୟିକ ଲୋକଶକ୍ତି, ଔଷଧୀୟ ସାମଗ୍ରୀ ଉତ୍ପାଦନ କରିବା ଭଳି ଉପଯୁକ୍ତ ଅଞ୍ଚଳ ରହିଛି ସେମାନଙ୍କୁ ଏ କ୍ଷେତ୍ରରେ ଅଗ୍ରାଧିକାର ମିଳିବ । ନିର୍ଦ୍ଦେଶାବଳୀରେ ପ୍ରଦତ୍ତ ବିଭିନ୍ନ ମାନକୁ ବିଚାରକୁ ନେଇ ରାଜ୍ୟମାନଙ୍କୁ ଏଥିପାଇଁ ବଛାଯିବ । ଯେଉଁମାନେ ଉପରଲିଖିତ ବିଷୟରେ ଉପରେ ଥିବେ ସେମାନଙ୍କ ମଧ୍ୟରୁ ପ୍ରଥମେ ୩ଟି ରାଜ୍ୟକୁ ମନୋନୀତ କରାଯିବ । ନିର୍ଦ୍ଦେଶାବଳୀ ପ୍ରକାଶର ୬୦ଦିନ ମଧ୍ୟରେ ଆଗ୍ରହୀ ରାଜ୍ୟମାନଙ୍କୁ ଆବେଦନ କରିବାକୁ ପଡିବ ଏବଂ ୩ଟି ମନୋନୀତ ରାଜ୍ୟଙ୍କୁ ସେମାନଙ୍କ ପ୍ରସ୍ତାବ ଦାଖଲର ୩୦ଦିନ ମଧ୍ୟରେ ଅନୁମୋଦନ ପ୍ରଦାନ କରାଯିବ । ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୩ଟି ରାଜ୍ୟକୁ ସମାନ ନିୟମରେ ୧୮୦ଦିନ ମଧ୍ୟରେ ଅନୁମତି ପ୍ରଦାନ କରାଯିବ । ଅନୁଦାନ ଅର୍ଥ ୪ଟି ପର୍ଯ୍ୟାୟରେ ଯୋଗାଇ ଦିଆଯିବ । ପ୍ରଥମ ୩ପର୍ଯ୍ୟାୟରେ ୩୦ଶତାଂଶ ଲେଖାଏଁ ଏବଂ ଶେଷ ପର୍ଯ୍ୟାୟରେ ଅବଶିଷ୍ଟ ୧୦ଶତାଂଶ ଅନୁଦାନ ମିଳିବ । ଅନୁମୋଦିତ ଡିପିଆର ଅନୁସାରେ ମନୋନୀତ ରାଜ୍ୟଗୁଡିକୁ ପ୍ରଥମ ପର୍ଯ୍ୟାୟ ଅନୁଦାନ ମିଳିବାର ଦୁଇ ବର୍ଷ ମଧ୍ୟରେ ପାର୍କର ଭିତ୍ତିଭୂମି ସଂପୂର୍ଣ୍ଣ କରିବାକୁ ପଡିବ । ଏଥିପାଇଁ ପାର୍କର ଅନୁମୋଦନ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଏକ ଏକ୍ସଲେନ୍ସ ସେଣ୍ଟର ପ୍ରତିଷ୍ଠା ଏବଂ ଉନ୍ନୟନ ଓ ଗବେଷଣା ବ୍ୟବସ୍ଥା କରିବାକୁ ହେବ । ଏହି ଯୋଜନା ମୋଟ ବ୍ୟୟ ବରାଦ ୩କୋଟି ଟଙ୍କା ରହିଛି । ଡାକ୍ତରୀ ଯନ୍ତ୍ରପାତି ଉତ୍ପାଦନ ପାଇଁ ଯେଉଁ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ବ୍ୟବସ୍ଥା ରହିଛି ତାହା ୪ଟି କ୍ଷେତ୍ରରେ କାର୍ଯ୍ୟକାରୀ ହେବ । ସର୍ବାଧିକ ୨୮ଟି ସଂସ୍ଥାଙ୍କୁ ସେମାନଙ୍କ ସାମଗ୍ରୀ ବିକ୍ରି ଉପରେ ୫ବର୍ଷ ପାଇଁ ଆର୍ଥିକ ପ୍ରୋତ୍ସାହନ ଦିଆଯିବ । ଘରୋଇ ଭାବେ ଉତ୍ପାଦିତ ସାମଗ୍ରୀ ଉପରେ ବିକ୍ରୟ ମୂଲ୍ୟ ଉପରେ ୫ଶତାଂଶ ହାରରେ ଏହି ପ୍ରୋତ୍ସାହନ ରାଶି ମିଳିବ । ତେବେ ଏଥିପାଇଁ ଏକ ବାର୍ଷିକ ସୀମା ଧାର୍ଯ୍ୟ ହୋଇଛି । କ୍ୟାନସ୍‌ର ଚିକିତ୍ସା ଓ ଯତ୍ନ/ରେଡିଓଥେରାପି ଉପକରଣ, ନ୍ୟୁକ୍ଳିୟର ଇମେଜିଂ ଡିଭାଇସ୍‌, ନିଶ୍ଚେତକ ଏବଂ ହୃଦ୍‌ବକ୍ଷ ଶଲ୍ୟ ଚିକିତ୍ସାରେ ବ୍ୟବହୃତ ଯନ୍ତ୍ରପାତି, ରେନାଲ କେୟାର ଉପକରଣ, ବିଭିନ୍ନ ପ୍ରକାର ଇମ୍‌ପ୍ଲାଣ୍ଟସ ଓ ଇଲେକ୍ରୋି ନିକ୍ସ ଡିଭାଇସ ଉତ୍ପାଦନ ଉପରେ ଅଗ୍ରାଧିକାର ଦିଆଯିବ । ଭାରତରେ ପଞ୍ଜୀକୃତ ଯେକୌଣସି କଂପାନୀ ଯେଉଁମାନଙ୍କର ସର୍ବନିମ୍ନ ନିଟ୍‌ ମୂଲ୍ୟ ୧୮ କୋଟି ଟଙ୍କା ହୋଇଥିବ ସେମାନେ ଏଥିପାଇଁ ଆବେଦନ କରିପାରିବେ । ଆବେଦନକାରୀ ଗୋଟିଏ ଜାଗାରେ ଏକ ବା ଏକାଧିକ ସାମଗ୍ରୀ ଉତ୍ପାଦନ କରିବାକୁ ଆବେଦନ କରିବାରେ କୌଣସି ପ୍ରତିବନ୍ଧକ ନାହିଁ । ପ୍ରତ୍ୟେକ ଆବେଦନନକାରୀଙ୍କୁ ପ୍ରତିବର୍ଷ ଧାର୍ଯ୍ୟ ମୁତାବକ ନିବେଶ କରିବାକୁ ପଡିବ । ତେବେ ଯାଇ ସେମାନେ ପ୍ରୋତ୍ସାହନ ରାଶି ପାଇବାକୁ ହକ୍‌ଦାର ହେବେ । ଏଥିପାଇଁ ନିର୍ଦ୍ଦେଶାବଳୀ ଘୋଷଣାର ୧୨୦ଦିନ ମଧ୍ୟରେ ଅନ୍‌ଲାଇନରେ ଆବେଦନ କରିବାକୁ ପଡିବ । ଆବେଦନର ଶେଷ ତାରିଖର ୬୦ଦିନ ମଧ୍ୟରେ ଆବେଦନକାରୀଙ୍କୁ ମନୋନୀତ କରାଯାଇ ଅନୁମତି ପ୍ରଦାନ କରାଯିବ । ଏହି ଯୋଜନାରେ ମୋଟ ୩୪୨୦କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ନୀତି ଆୟୋଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅମିତାଭ କାନ୍ତ କହିଥିଲେ ଯେ ଭାରତ ଏବେ ବିପୁଳ ପରିମାଣର ଜେନେରିକ୍‌ ଔଷଧ ଉତ୍ପାଦନ କରୁଛି । ଏହାଛଡା ଦେଶରେ ୫୦୦ଏପିଆଇ ଔଷଧ ଉତ୍ପାଦିତ ହେବା ସତ୍ତ୍ୱେ ବିଦେଶରୁ ଏହାକୁ ଆମଦାନୀ କରିବାକୁ ପଡୁଛି । ପ୍ରଧାନମନ୍ତ୍ରୀ ଔଷଧପତ୍ର ଆମଦାନୀ ପରିମାଣକୁ ହ୍ରାସ କରିବା ପାଇଁ ଚାହୁଁଛନ୍ତି ବୋଲି ସେ କହିଛନ୍ତି । ଫାର୍ମାସ୍ୟୁଟିକାଲ ବିଭାଗର ସଚିବ ପି.ଡି. ୱାଘେଲା ଏହି ନିର୍ଦ୍ଦେଶାବଳୀ ସଂପର୍କରେ ସବିଶେଷ ସୂଚନା ଦେଇଥିଲେ । ଯୋଜନା ଭାରତକୁ ଔଷଧପତ୍ର ଓ ଡାକ୍ତରୀ ସାମଗ୍ରୀ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ସହ ବିଶ୍ୱର ଚାହିଦାକୁ ପୂରଣ କରିପାରିବ ବୋଲି ଆଶା କରାଯାଉଛି । ବଲ୍‌କ ଡ୍ରଗ ଓ ଡାକ୍ତରୀ ଉପକରଣ ଉତ୍ପାଦନ ପାଇଁ ଭାରତରେ ଏବେ ଏକ ସୁବର୍ଣ୍ଣ ସୁଯୋଗ ସୃଷ୍ଟି ହୋଇଛି । ଦେଶରେ ମଧ୍ୟ ଉତ୍ତମ ଶିଳ୍ପ ଭିତ୍ତିଭୂମି ବାତାବରଣ ରହିଛି । ନିବେଶକମାନେ ଏହାର ସୁଯୋଗ ନେବାକୁ ଆଗ୍ରହୀ ହୋଇପାରନ୍ତି । ଏବେ ଭାରତରେ ମଧ୍ୟ ଉଦାରବାଦୀ ପୁଞ୍ଜିନିବେଶ ନୀତି କାର୍ଯ୍ୟକାରୀ ହେଉଛି । ଏହାଛଡା କର୍ପୋରେଟ ଟିକସ ପରିମାଣ ୧୭ ଶତାଂଶକୁ ହ୍ରାସ କରାଯାଇଛି । ଏହାଦ୍ୱାରା ଭେଷଜ ଉଦ୍ୟୋଗ ଓ ଅର୍ଥନୀତିକୁ ଲାଭ ମିଳିବ ବୋଲି ଆଶା କରାଯାଉଛି ।

Share

Leave a Reply

Your email address will not be published. Required fields are marked *

error: Content is protected !!