ଶ୍ରୀରାମ ମନ୍ଦିର ଶୁଭ ଶଙ୍କରାଚାର୍ଯ୍ୟମାନଙ୍କ ଦ୍ୱାରା ହେବା ଉଚିତ୍ : ରାମରାଜ୍ୟ ପରିଷଦ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଶ୍ରୀରାମ ମନ୍ଦିର ଭୂମି ପୂଜନକୁ ନେଇ ଏକ ଆଲୋଚନଚକ୍ର ଭିଡ଼ିଓ ମାଧ୍ୟମରେ ରାମରାଜ୍ୟ ପରିଷଦ ପକ୍ଷରୁ ରାଜ୍ୟ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ସନ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ମହାରାଜ କହିଲେ ଯେ, ଏଭଳି ଏକ ଧାର୍ମିକ କାର୍ଯ୍ୟ, ଆମ ସମସ୍ତଙ୍କର ସର୍ବମାନ୍ୟ ଧର୍ମଗୁରୁ ଆଦି ଶଙ୍କରଙ୍କ ପ୍ରତିଷ୍ଠିତ ଚାରିପୀଠର ପୂଜ୍ୟ ଶଙ୍କରାଚାର୍ଯ୍ୟମାନଙ୍କ ଦ୍ୱାରା ହେଲେ ତାର ବହୁମୁଖୀ ପ୍ରଭାବ ହିନ୍ଦୁ ସମାଜ ଉପରେ ପଡ଼ିବ ବୋଲି ସେ କହିଥିଲେ । ଆଲୋଚନାରେ ଅଂଶଗ୍ରହଣ କରି ବିଶିଷ୍ଟ ଜ୍ୟୋତିଷ ତଥା କର୍ମକାଣ୍ଡ ବିଶାରଦ ଡଃ ନିରଞ୍ଜନ ବ୍ରହ୍ମା କହିଲେ ଯେ, ମନ୍ଦିରର ଭୂମି ପୂଜନ ଚୟନ ଦିବସ ଜ୍ୟୋତିଷ ମତେ ଶୁଭ ନୁହେଁ । ଭାରତବର୍ଷର ରାଶି ମକର ଅଗଷ୍ଟ ୫ ତାରିଖ ଅଶୁଦ୍ଧ କାଳରେ ପଡୁଛି ଓ ସେଦିନ ଗୁରୁଶୁଦ୍ଧି, ରବିଶୁଦ୍ଧି, ଚନ୍ଦ୍ରଶୁଦ୍ଧି ନାହିଁ । ୩୦.୭ରୁ ୨୫.୧୧ ପର୍ଯ୍ୟନ୍ତ ଜ୍ୟୋତିଷ ମତରେ ଅଶୁଦ୍ଧ କାଳ, ଦେବ ଶୟନରେ ରହିବେ । କୌଣସି ଶୁଭ କାର୍ଯ୍ୟ ହେବାକଥା ନୁହେଁ । ବିଶିଷ୍ଟ ଐତିହାସିକ ତଥା ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତି ଆଲୋଚନାରେ ଅଂଶଗ୍ରହଣ କରି କହିଲେ ଯେ, ବିଶ୍ୱରେ କରୋନା ବିପତ୍ତି ସମୟରେ, ଦେଶରେ ଦୈନିକ ଶହ ଶହ ଶବ ପଡ଼ିରହିଥିବା ବେଳେ ଏଭଳି ଶୁଭ କାର୍ଯ୍ୟ କରିବା ଠିକ୍ ହେଉନାହିଁ, ଏହାକୁ ଅନ୍ତତଃ ଆଉ ୬ ମାସ ଘୁଞ୍ଚାଇଦେବା ଠିକ୍ ହେବ । ବୁଦ୍ଧ ସମିତିର ଟ୍ରଷ୍ଟି ଡଃ ସୌରେନ୍ଦ୍ର କୁମାର ମହାପାତ୍ର କହିଲେ ଯେ, ଯଦି ପୂଜ୍ୟ ଶଙ୍କରାଚାର୍ଯ୍ୟ ମାନଙ୍କ ଦ୍ୱାରା ଭୂମି ପୂଜନ ନ କରାଯାଉଛି, ତେବେ ଏହି କାର୍ଯ୍ୟ ରାଷ୍ଟ୍ରମୁଖ୍ୟ, ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା କରାଗଲେ ଏହାର ବାର୍ତ୍ତା ସୁଦୂର ପ୍ରସାରୀ ହୁଅନ୍ତା । ରାମରାଜ୍ୟ ପରିଷଦର ରାଷ୍ଟ୍ରୀୟ ସଂଯୋଜକ ତଥା ଗୋବର୍ଦ୍ଧନ ପୀଠର ପ୍ରବକ୍ତା ମନୋଜ କୁମାର ରଥ କହିଲେ ଯେ, ମନ୍ଦିର ଭୂମି ପୂଜନକୁ କେତେକ ନିର୍ଦ୍ଦିଷ୍ଟ ସଂଗଠନକୁ, ସାମିଲ୍ ନ କରି, ସାର୍ବଜନୀନ କରାଗଲେ ମନ୍ଦିର ପ୍ରତିଷ୍ଠାର ଗୁରୁତ୍ୱ ବଢନ୍ତା । ହିନ୍ଦୁ ରାଷ୍ଟ୍ର ସଂଘର ଅଧ୍ୟକ୍ଷ ଡଃ ବଦ୍ରୀନାଥ ପଟ୍ଟନାୟକ କହିଲେ ଯେ, ରାମ ମନ୍ଦିର ଭୂମି ପୂଜନକୁ କୌଣସି ପ୍ରକାର ସାମ୍ପ୍ରଦାୟିକତାର ରୂପ ଦେବା ଉଚିତ ନୁହେଁ । ଭାରତବର୍ଷରେ ଜାତି, ଧର୍ମ ନିର୍ବିଶେଷରେ ସମସ୍ତେ ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କୁ ଶ୍ରେଷ୍ଠ ରାଜାର ମାନ୍ୟତା ଦିଅନ୍ତି । କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ସୀତା ବଲ୍ଲଭ ମହାପାତ୍ର ଦେଇଥିବା ବେଳେ ଧନ୍ୟବାଦ ବାସ୍ତୁବିତ୍ ଡଃ ମନୋଜ ଲେଙ୍କା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ