ଲୋକମାତା ଅହିଲ୍ୟାବାଇ ହୋଲକରଙ୍କ ୩୦୦ତମ ଜନ୍ମ ଜୟନ୍ତୀ
ବାଲେଶ୍ଵର (ସରୋଜ ପଣ୍ଡା): ଆଜି ବାଲେଶ୍ଵର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଇଶ୍ଵର ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ସ୍ଥାନୀୟ ରୟାଲ କୁଇନ ସମ୍ମୀଳନୀ କକ୍ଷରେ ଲୋକମାତା ଅହିଲ୍ଯାବାଇ ହୋଲକରଙ୍କ ୩୦୦ ତମ ଜନ୍ମ ଜୟନ୍ତୀ ସ୍ମରଣୋସ୍ତବ ପାଳିତ ହୋଇଯାଇଛି। ଭାରତ ମାତା ଓ ଲୋକମାତା ଅହିଲ୍ଯାବାଇ ହୋଲକରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ସାମୁହିକ ବନ୍ଦେ ମାତରମ୍ ଉପରାନ୍ତେ ଆନୁଷ୍ଠାନିକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ ମଞ୍ଚ ଆହ୍ବାନ ଓ ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ମୁଖ୍ୟବକ୍ତା ଭାବେ ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଅନ୍ୟତମ ବକ୍ତା ଭାବରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଇଶ୍ଵର ଚନ୍ଦ୍ର ବେହେରା, ଶାସକ ଦଳର ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ଲୋକମାତା ଅହିଲ୍ଯାବାଇ ହୋଲକରଙ୍କ ଜୀବନୀ, ଶାସନ ବ୍ୟବସ୍ଥା, ଜନହିତକର କାର୍ଯ୍ଯ, ଧର୍ମପରାୟଣ କାର୍ଯ୍ଯ ବିଷୟରେ ଆଲୋକପାତ କରି କହିଥିଲେ – ୩୧ ମଇ ୧୭୨୫ ମସିହାରେ ମହାରାଷ୍ଟ୍ରର ଅଧୂନା ଅହମଦ ନଗର ଚୌଣ୍ଡି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ମାନକୋଜୀ ସିନ୍ଧେ। ଶୈଶବରୁ ସେ ଅତ୍ୟନ୍ତ ଧର୍ମପରାୟଣ, ଗଭୀର ଇଶ୍ଵର ବିଶ୍ବାସୀ ଓ ପ୍ରତିଭାଶାଳୀ ଥିଲେ। ମାତ୍ର ୮ ବର୍ଷ ବୟସରେ ହୋଲକର ବଂଶର ତତ୍କାଳୀନ ମହାରାଜ ମଲ୍ହାର ରାୟ ହୋଲକର ଅହିଲ୍ଯାବାଇଙ୍କୁ ତାଙ୍କ ପୁତ୍ରବଧୂ ଭାବେ ଚୟନ କରିଥିଲେ। ସ୍ବାମୀଙ୍କ ନିଧନ ପରେ ବିଶାଳ ମରାଠା ସାମ୍ରାଜ୍ୟର ଶାସନଭାର ଅହିଲ୍ଯାବାଇଙ୍କ କାନ୍ଧରେ ବହନ କରି ତାଙ୍କର ପ୍ରଜାବତ୍ସଳ ଶାସନ ବ୍ୟବସ୍ଥା ଓ ସମଗ୍ର ଦେଶରେ ଧାର୍ମିକ କାର୍ଯ୍ୟରେ ଅଗ୍ରଗତି କରାଇ ସମସ୍ତଙ୍କର ପ୍ରିୟ ଓ ଆସ୍ଥାଭାଜନ ହୋଇପାରିଥିଲେ। ତାଙ୍କ ଶାସନକାଳରେ ନାରୀ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯାଇଥିଲା। ସେ ଥିଲେ ନାରୀ ସଶକ୍ତିକରଣର ଜ୍ଵଳନ୍ତ ଉଦାହରଣ। ତାଙ୍କ ଶାସନକାଳରେ ୨୫୦ରୁ ଅଧିକ ନୂଆ ମନ୍ଦିର, ପୁରୁଣା ମନ୍ଦିରର ଜୀର୍ଣ୍ଣୋଦ୍ଧାର, ସ୍କୁଲ, ଜଳାଶୟ, ନଦୀବନ୍ଧ ନିର୍ମିତ ହୋଇଥିଲା। ଗୋଟିଏ ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରି ନିଜର ପ୍ରତିଭା ବଳରେ ରାଜପରିବାରର ବିବାହ ଓ ସ୍ବାମୀ ଓ ଅଳ୍ପ ବୟସରେ ପୁତ୍ର ବିୟୋଗର ସଂଘର୍ଷ ପୁର୍ଣ୍ଣ ପରିସ୍ଥିତିରେ ସେ ରାସ୍ତା ଦେଖାଇ ଦେଇଛନ୍ତି ନାରୀ ସଶକ୍ତିକରଣର ପରାକାଷ୍ଠା। ଶେଷରେ ଭଗବାନ ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ, ମଞ୍ଚରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୋଭନା ମହାନ୍ତି ଓ ଶୁଭଙ୍କର ମହାପାତ୍ର ମଞ୍ଚାସିନ ଥିଲେ। ମିଡ଼ିଆ ସହସଂଯୋଜକ ରଞ୍ଜିତ ପୃଷ୍ଟି, ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର , ମହିଳା ମୋର୍ଚ୍ଚା ସଭାନେତ୍ରୀ ସିପ୍ରାରେଖା ମହାପାତ୍ର, ଏସସି ମୋର୍ଚ୍ଚା ସଭାପତି ସନ୍ତୋଷ ସେଠୀ, ଜିଲ୍ଲା ସମ୍ପାଦକ ବିଜୟ ସାହ ପ୍ରମୁଖ ସହଯୋଗ କରିଥିଲେ।