ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥରେ ଡ୍ରେନେଜ୍ ବ୍ୟବସ୍ଥା ଫେଲ୍‌,ରାସ୍ତାରୋକ ପରେ ନିଷ୍କାସନ ନାଳ ନିର୍ମାଣ ଆରମ୍ଭ

ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ତଥା ଭଦ୍ରକ-ଆନନ୍ଦପୁର ୫୩ନଂ.ରାଜ୍ୟ ରାଜପଥର ତାଳପଦା ଛକ ଠାରୁ ଜାଗୁଳାଇପଦା ଛକ ପର୍ଯ୍ୟନ୍ତ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ବର୍ଷା ଜଳ ନିଷ୍କାସନ ହୋଇନପାରି ୨ଟି ଗ୍ରାମର ପ୍ରାୟ ୫୦ ଏକର ଚାଷ ଜମି ଜଳମଗ୍ନ ହୋଇଥିବା ଜଣାଯାଇଛି । ଏଥିସହ ଚାଷ ଜମିର ତଳି ଓ ରୁଆ ଧାନ ସବୁ ନଷ୍ଟ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏନେଇ ଚାଷୀମାନେ ଜିଲ୍ଳାପାଳ ଓ ତହସିଲଦାରଙ୍କୁ ଅବଗତ କରିବା ସହ ଏହାର ପ୍ରତିବାଦରେ ମଙ୍ଗଳବାର ଟିଲୋ ଜାଗୁଳାଇପଦା ଛକ ଠାରେ ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ୧ ଘଣ୍ଟା ପାଇଁ ରାସ୍ତାରୋକ କରିଥିଲେ । ଖବର ପାଇ ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ସୁପରଭାଇଜର ଅତୁଲ କୁମାର ଭୂୟାଁ ଘଟଣା ସ୍ଥଳରେ ପହଞ୍ôଚ ଥିଲେ । ରାସ୍ତା ନିର୍ମାଣ କରୁଥିବା ଠିକାଦାରୀ ସଂସ୍ଥାର କର୍ମଚାରୀ ଓ ଚାଷୀ ମାନଙ୍କ ସହ ଆଲୋଚନା କରାଯାଇ କପାଳୀ ନଦୀ ପର୍ଯ୍ୟନ୍ତ ନିଷ୍କାସନ ନାଳ ନିର୍ମାଣ କରାଯିବାକୁ ନିଷ୍ପତ୍ତି ନିଆଯିବାରୁ ଚାଷୀ ମାନେ ରାସ୍ତାରୋକରୁ ହଟିଥିଲେ । ପ୍ରକାଶ ଯେ, ଗତ ୪ ଦିନ ପୂର୍ବେ ଲଗାଣ ବର୍ଷା ହେବା ଯୋଗୁ ଟିଲୋ ପଞ୍ଚାୟତର ସଙ୍ଖନାଳରେ ପ୍ରବଳ ପାଣି ଆସିଥିଲା । ଏହି ବର୍ଷା ପାଣି ସଙ୍ଖନାଳ ଦେଇ ରାଜ୍ୟ ରାଜପଥ ପାଶ୍ୱର୍ ନାଳରେ ନିଷ୍କାସନ ହେବା କଥା । ମାତ୍ର ସଂପୃକ୍ତ ଠିକାଦାର ସଂସ୍ଥାର ମନୋମୁଖୀ ଓ ବେପରୁଆ କାର୍ଯ୍ୟ ପାଇଁ ରାଜ୍ୟ ରାଜପଥ ପାଶ୍ୱର୍ ନାଳ ଗୁଡିକ ବର୍ଷା ଦିନ ପୂର୍ବରୁ ସଫା କରାଯାଇନାହିଁ । ଫଳରେ ବର୍ଷା ଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହୋଇଛି । ଏପରିକି ବର୍ଷା ଜଳ ନିଷ୍କାସନ ହୋଇ ନପାରି ଟିଲୋ ପଞ୍ଚାୟତର ବେଲମଳା ଓ ପାଞ୍ଚବାଟିଆ ଆଦି ଗ୍ରାମର ଚାଷ ଜମିରେ ତଳି ଓ ରୁଆ ଧାନ ପଚି ନଷ୍ଟ ହେବାକୁ ବସିଛି । ରାସ୍ତା ଅବରୋଧ ପରେ ଠିକାଦାରୀ ସଂସ୍ଥା ପକ୍ଷରୁ ଜେସିବି ମେସିନ୍ ସହାୟତାରେ କପାଳୀ ନଦୀ ପର୍ଯ୍ୟନ୍ତ ନିଷ୍କାସନ ନାଳ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ