୬ଟି ରାଜ୍ୟରେ ରେଳବାଇ ଗରିବ କଲ୍ୟାଣ ରୋଜଗାର ଅଭିଯାନ

ନୂଆଦିଲ୍ଲୀ : ଗରିବ କଲ୍ୟାଣ ରୋଜଗାର ଅଭିଯାନ ଯୋଜନାରେ ଭାରତୀୟ ରେଳବାଇ ଓଡିଶା, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ୫.୫ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରିଛି । ରେଳବାଇ, ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ ଏସବୁ ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ତୀକ୍ଷ୍ନ ନଜର ରଖିଛନ୍ତି । କରୋନା ଦ୍ୱାରା ନିଯୁକ୍ତି ହରାଇ ନିଜ ନିଜ ରାଜ୍ୟକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବାପାଇଁ ଏହି ଯୋଜନା ଉଦ୍ଦିଷ୍ଟ । ୬ଟି ରାଜ୍ୟରେ ୨୯୮୮ କୋଟି ଟଙ୍କ ବ୍ୟୟରେ ପ୍ରାୟ ୧୬୫ଟି ରେଳବାଇ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଅଗଷ୍ଟ ୧୪ ତାରିଖ ସୁଦ୍ଧା ଏହି ଅଭିଯାନରେ ୧୧,୨୯୬ ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି । ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ଠିକାଦାମାନଙ୍କୁ ୧୩୩୬.୮୪ କୋଟି ଟଙ୍କା ଦିଆଯାଇଛି । ପ୍ରତ୍ୟେକ ଜିଲ୍ଲା ଓ ରାଜ୍ୟରେ ଭାରତୀୟ ରେଳବାଇ ନୋଡାଲ ଅଧିକାରୀଙ୍କୁ ଏଥିପାଇଁ ନିଯୁକ୍ତି ଦେଇଛି । ରାଜ୍ୟ ସରକାରମାନଙ୍କ ସହ ନିବିଡ ସହଯୋଗ ଓ ସମନ୍ୱୟ ରଖି କାର୍ଯ୍ୟ କରିବା ପାଇଁ ଏହା କରାଯାଇଛି । ପ୍ରବାସୀ ଶ୍ରମିକମାନେ ଯେପରି ଏହିସବୁ ପ୍ରକଳ୍ପରେ କାମ ପାଆନ୍ତି ଏବଂ ସେମାନଙ୍କୁ ମଜୁରି ପ୍ରଦାନରେ ଯେପରି ଅନିୟମିତତା ନ ହୁଏ ତାହା ଦେଖିବା ପାଇଁ ରେଳବାଇ ମନ୍ତ୍ରୀ ଜୋନସ୍ତରୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଯୋଜନାରେ ରେଳବାଇ ବିଭିନ୍ନ ପ୍ରକାର ପ୍ରକଳ୍ପକୁ ଚିହ୍ନଟ କରି କାର୍ଯ୍ୟକାରୀ କରୁଛି । ସେଥିମଧ୍ୟରେ ଲେବଲ କ୍ରସିଂ ପାଇଁ ଆପ୍ରୋଚ ରୋଡ଼ ନିର୍ମାଣ ଓ ତାହାର ରକ୍ଷଣାବେକ୍ଷଣ, ରେଳଧାରଣା ମଧ୍ୟରେ ଓ ପାଶ୍ୱର୍ରେ ଥିବା ଜଳପଥ, ଫୁକାର ଓ ନାଳଗୁଡିକର ମରାମତି ଓ ସଫେଇ, ରେଳ ଷ୍ଟେସନକୁ ସଂଯୋଗପଥ ନିର୍ମାଣ ଓ ତାହାର ମରାମତି ତଥା ରକ୍ଷଣାବେକ୍ଷଣ, ରେଳପଥର ଏମ୍ବାକ୍‌ମେଣ୍ଟକୁ ପ୍ରଶସ୍ତ କରିବା କାର୍ଯ୍ୟ, ରେଳବାଇ ଜମିରେ ଆବଶ୍ୟକସ୍ଥଳେ ବୃକ୍ଷରୋପଣ ଏବଂ ରେଳପଥର ଏମ୍ବାକ୍‌ମେଣ୍ଟ/କଟିଂ ଓ ବ୍ରିଜର ସୁରକ୍ଷା ଆଦି ଅନ୍ତର୍ଭୁକ୍ତ । ଏଠାରେ ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଯୋଜନାରେ ପ୍ରବାସୀ ଶ୍ରମିକଙ୍କୁ ବ୍ୟାପକଭାବେ କର୍ମନିଯୁକ୍ତି ଦେବା ସହ ଗ୍ରାମାଞ୍ଚଳରେ ବିଭିନ୍ନ ପ୍ରକାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦେଶ ଦେଇଥିଲେ । ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ଲୋକଙ୍କୁ କାମ ଯୋଗାଇଦେବା ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମିରେ ଉନ୍ନତି ଆଣିବା । କୋଭିଡ ମହାମାରୀ ଯୋଗୁଁ ବହୁ ସଂଖ୍ୟକ ଶ୍ରମିକ ବିଦେଶରୁ ଫେରିଆସି ନିଜର ଗାଁ ଗଣ୍ଡାରେ ରହିଥିବାବେଳେ ସେମାନଙ୍କୁ ରୋଜଗାର ଯୋଗାଇ ଦେବାକୁ ଏହି ଯୋଜନା କାର୍ଯ୍ୟକାରୀ ହେଉଛି । ଗରିବ କଲ୍ୟାଣ ରୋଜଗାର ଅଭିଯାନ ଯୋଜନାରେ ଗ୍ରାମାଞ୍ଚଳରେ ସ୍ଥାୟୀ ଭିତ୍ତିଭୂମ ନିର୍ମାଣ କରିବାକୁ ୫୦ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବା ଘେନି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ୧୨୫ଦିନ ପାଇଁ ଅଭିଯାନ କାର୍ଯ୍ୟକାରୀ ହେଉଛି । ଏଥିରେ ୨୫ ପ୍ରକାର କାମ ୧୧୬ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି । ଓଡିଶା, ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଝାଡଖଣ୍ଡରେ ଅଧିକ ସଂଖ୍ୟକ ପ୍ରବାସୀ ଶ୍ରମିକ ଥିବାରୁ ଏହି 6ଟି ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଉଛି । ଏଥିପାଇଁ ମୋଟ ୫୦ହଜାର କୋଟି ଟଙ୍କାର ସମ୍ବଳ ଯୋଗାଣ ବ୍ୟବସ୍ଥା କେନ୍ଦ୍ର ସରକାର କରିଛନ୍ତି । କେନ୍ଦ୍ର ସରକାରଙ୍କ ୧୨ଟି ମନ୍ତ୍ରଣାଳୟ ଓ ବିଭାଗର ମିଳିତ ସହଯୋଗରେ ଯୋଜନା କାର୍ଯ୍ୟକାରୀ ହେଉଛି । ଏଥିରେ ଗ୍ରାମ ଉନ୍ନୟନ, ପଞ୍ଚାୟତିରାଜ, ସଡ଼କ ପରିବହନ ଓ ରାଜପଥ, ଖଣି, ପାନୀୟ ଜଳ ଓ ପରିଚ୍ଛନ୍ନତା, ପରିବେଶ, ରେଳବାଇ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ନୂଆ ଓ ଅକ୍ଷୟ ଶକ୍ତି, ବର୍ଡର ରୋଡ୍‌ସ, ଟେଲିକମ୍‌ ଓ କୃଷି ଆଦି ମନ୍ତ୍ରଣାଳୟ ଓ ବିଭାଗ ଅନ୍ତର୍ଭୁକ୍ତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ