ଜିଲ୍ଲାର ବନ୍ୟା ସ୍ଥିତି ସମ୍ପର୍କରେ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କ ସମୀକ୍ଷା

ବାଲେଶ୍ୱର,(ସରୋଜ କୁମାର ପଣ୍ଡା): ଲଗାଣ ବର୍ଷା ପ୍ରଭାବରେ ବାଲେଶ୍ୱର ଜିଲ୍ଲାରେ ଦେଖା ଦେଇଥିବା ବନ୍ୟା ସ୍ଥିତି ସମ୍ପର୍କରେ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ(ଆରଡିସି) ଶ୍ରୀ ଅନୀଲ କୁମାର ସାମଲ ଆଜି ସମୀକ୍ଷା କରିଛନ୍ତି । ଆଜି ଅପରାହ୍ନରେ ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତୀ ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ(ଆରଡିସି)ଙ୍କୁ ସ୍ୱାଗତ କରିବା ସହିତ ବନ୍ୟା ସ୍ଥିତି ସମ୍ପର୍କରେ ତାଙ୍କୁ ଅବଗତ କରାଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ନାୟକ, ବାଲେଶ୍ୱର ଉପଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ, ନୀଳଗିରି ଉପଜିଲ୍ଲାପାଳ ଶ୍ରୀ ହରିଶ ଚନ୍ଦ୍ର ଜେନାଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ବନ୍ୟା ସ୍ଥିତି ଓ ତାହାର ମୁକାବିଲା ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲାର ତିନି ପ୍ରମୁଖ ନଦୀ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକା’ର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ବୁଢାବଳଙ୍ଗ ଓ ଜଳକା ନଦୀ ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏଥି ଯୋଗୁଁ ବହୁ ତଳିଆ ଅଂଚଳ ଜଳମଗ୍ନ ହୋଇଛି । ତେବେ ଗାଲୁଡିହି ବ୍ୟାରେଜରେ ପାଣି ଛଡା ଯିବା ଯୋଗୁଁ ଆସନ୍ତା କାଲି ସକାଳ ୬ଟାରୁ ୯ଟା ମଧ୍ୟରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ୧୨ମିଟର ଛୁଇଁବା ଆଶଙ୍କା କରାଯାଉଛି । ସୁବର୍ଣ୍ଣରେଖା ନଦୀର ବିପଦ ସଙ୍କେତ ୧୦.୩୬ ମିଟର ହୋଇଥିବା ବେଳେ ବନ୍ୟା ଜଳସ୍ତର ୧୨ମିଟରକୁ ଛୁଇଁଲେ ଜଳେଶ୍ୱର, ବାଲିଆପାଳ,ବସ୍ତା ଓ ଭୋଗରାଇ ବ୍ଲକରେ ବନ୍ୟା ସ୍ଥିତି ବିଗିଡିବାର ଆଶଙ୍କା ଦେଖାଦେଇଛି । ତେଣୁ ଏଥିପ୍ରତି ସମ୍ପୂର୍ଣ୍ଣ ସଜାଗ ରହିବାକୁ ଆରଡିସି ଶ୍ରୀ ସାମଲ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ସୁଦ୍ଧା ବସ୍ତା, ରେମୁଣା ଓ ସଦର ବ୍ଲକର ପ୍ରାୟ ୫ଶହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଜଳେଶ୍ୱର, ଭୋଗରାଇ, ବସ୍ତା ଓ ବାଲିଆପାଳ ବ୍ଲକର ତଳିଆ ଅଂଚଳର ଲୋକମାନଙ୍କୁ ମଧ୍ୟ ସ୍ଥାନାନ୍ତର ପାଇଁ କୁହାଯାଇଛି । ଏବେ ଜିଲ୍ଲାର ବସ୍ତା ବ୍ଲକରେ ଗୋଟିଏ ଏନଡିଆରଏଫ ଟିମ ଏବଂ ରେମୁଣାରେ ଗୋଟିଏ ଓଡ୍ରାଫ୍ ଟିମ ଏବଂ ସଦର ବ୍ଲକରେ ଗୋଟିଏ ଏନଡିଆରଏଫ ଟିମ୍ ଏବଂ ଓଡ୍ରାଫ ଟିମକୁ ମୁତୟନ କରାଯାଇଛି । ଏଥି ସହିତ ଯଥେଷ୍ଟ ପରିମାଣରେ ଶୁଖିଲା ଖାଦ୍ୟ ଯଥା ଚୂଡା,ଗୁଡ,ଚିନି ଇତ୍ୟାଦି ଜିଲ୍ଲାର ବିଭିନ୍ନ ଅଂଚଳକୁ ପଠାଇବା ଏବଂ ରାସନ ସାମଗ୍ରୀ ବଂଟନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଲାଗି ବ୍ୟବସ୍ଥା କରିବାକୁ ଆରଡିସି ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିବା ଲୋକଙ୍କୁ ମାଗଣା ରନ୍ଧା ଖାଦ୍ୟ ପ୍ରଦାନ ଲାଗି କୁହାଯାଇଛି । କୋଭିଡ-୧୯ ମାର୍ଗଦର୍ଶିକାର ଅନୁପାଳନ କରି ଖାଦ୍ୟ ବଂଟନ କରିବାକୁ କୁହାଯାଇଛି । ଜଳସେଚନ ବିଭାଗ ଦୁର୍ବଳ ନଦୀବନ୍ଧ ସ୍ଥାନରେ ବାଲି ବ୍ୟାଗ ପ୍ରସ୍ତୁତ କରି ରଖିବେ । ଏଥି ସହିତ ଜଳସେଚନ ବିଭାଗ ଅଧିକାରୀ ରାତ୍ରୀକାଳୀନ ପାଟ୍ରୋଲିଂ କରିବେ । ଅନ୍ୟ ପକ୍ଷରେ ବନ୍ୟା ସ୍ଥିତି ଯୋଗୁଁ ଜିଲ୍ଲାର ୨୬ହଜାର ୧୭୯ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୂଚନା ଦେଇଥିଲେ । ବନ୍ୟା ଜଳ କମିଲେ ତୁରନ୍ତ ଏହାର କ୍ଷୟକ୍ଷତି ରିପୋର୍ଟ ପ୍ରଦାନ ପାଇଁ ଆରଡିସି ଶ୍ରୀ ସାମଲ କୃଷି ବିଭାଗ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ବନ୍ୟା ଯୋଗୁଁ ରାସ୍ତାଘାଟର କ୍ଷୟକ୍ଷତି ହେଲେ କୌଣସି ମଞ୍ଜୁରୀକୁ ଅପେକ୍ଷା ନ କରି ସଙ୍ଗେ ସଙ୍ଗେ ମରାମତି କାର୍ଯ୍ୟ ହାତକୁ ନେବା ପାଇଁ ପୂର୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗକୁ କୁହାଯାଇଛି । ପାନୀୟ ଜଳ ଯୋଗାଣରେ ଯେପରି କୌଣସି ବାଧା ନ ଆସେ ସେଥିପାଇଁ ଆରଡବ୍ଲ୍ୟୁଏସଏସ ବିଭାଗ ଜେନେରେଟର ଓ ଡିଜି ସେଟ ପ୍ରସ୍ତୁତ କରି ରଖିବେ । ଟ୍ରାନ୍ସଫର୍ମର ଅଚଳ ହେଲେ ବିଦ୍ୟୁତ ଯୋଗାଣ ବ୍ୟବସ୍ଥାକୁ ବହାଲ କରିବା ପାଇଁ ତୁରନ୍ତ ଏହାକୁ ବଦଳାଇବା ପାଇଁ ନେସ୍କୋ ଅଧିକାରୀଙ୍କୁ କୁହାଯାଇଥିଲା । ଗୃହପାଳିତ ପଶୁଙ୍କ ନିମନ୍ତେ ଖାଦ୍ୟ ମଗାଯାଇ ସହିତ ତାହାକୁ ବ୍ଲକ୍‌ଗୁଡିକୁ ପ୍ରଦାନ ଉପରେ ଆରଡିସି ଶ୍ରୀ ସାମଲ ଗୁରୁ୍‌ତ୍ୱାରୋପ କରିଥିଲେ । ସେହିପରି ଆରଆଇଙ୍କ ଜରିଆରେ ପଲିଥିନ ବଂଚନ ପାଇଁ ପଦକ୍ଷେପ ନେବାକୁ ଆରଡିସି ପରାମର୍ଶ ଦେଇଥିଲେ । ଜିଲ୍ଲାର ଚିକିତ୍ସାଳୟଗୁଡିକରେ ସାପକାମୁଡା ଇଞ୍ଜେକସନ, ଓଆରଏସ ଏବଂ ହାଲୋଜେନ ବଟିକା ମହଜୁଦ ରଖିବା ପାଇଁ କୁହାଯାଇଛି । ସେହିପରି ଆମ୍ବୁଲାନସ ସବୁବେଳେ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି । ବରିଷ୍ଠ ଅଧିକାରୀମାନଙ୍କୁ ବ୍ଲକୱାରୀ ଦାୟିତ୍ୱ ପ୍ରଦାନ ସହ କଂଟ୍ରୋଲ ରୁମ ଯେଭଳି ସବୁ ସମୟରେ କାମ କରେ ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି । ଆସନ୍ନ ପ୍ରସବାଙ୍କୁ ଯଦି ସ୍ଥାନାନ୍ତର କରିବାକୁ ପଡେ ତେବେ ସେଥି ନିମନ୍ତେ ଉପଯୁକ୍ତ ପଦକ୍ଷେପ ନେବାକୁ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ଜରୁରୀକାଳୀନ ବିଭାଗକୁ କୁହାଯାଇଛି । ବନ୍ୟା ସ୍ଥିତିର ମୁକାବିଲା ପାଇଁ କୌଣସି ଅଧିକାରୀଙ୍କୁ ହେଡକ୍ୱାର୍ଟର ନ ଛାଡିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ବର୍ଷାର ପରିମାଣ କମିଥିବାରୁ ବନ୍ୟା ସ୍ଥିତିରେ ସୁଧାର ଆସିବା ଆଶା କରାଯାଉଛି । ତେବେ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଆରଡିସି ଶ୍ରୀ ସାମଲ ଗୁରୁତ୍ୱାରୋପ କରିବା ସହିତ ବିଭାଗୀୟ ଅଧିକାରୀମାନଙ୍କୁ ଏଥି ନିମନ୍ତେ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ