ଶ୍ରୀମନ୍ଦିରରେ ବାମନ ଜନ୍ମୋତ୍ସବ

                                                                                   ବିପିନ ବିହାରୀ ମହାନ୍ତି
ଭାଦ୍ରବ ଶୁକ୍ଲ ଦ୍ୱାଦଶୀ ବାମନଜନ୍ମ ଦିବସ ରୂପେ ପ୍ରସିଦ୍ଧ । ଏହିଦିନ ବିଷ୍ଣୁ ତାଙ୍କର ୫ମ ଅବତାରରେ ବାମନ ରୂପେ ଆବିର୍ଭୂତ ହୋଇଥିଲେ । ପୂର୍ବକାଳରେ ବାମନରାଜା ବଳି ସ୍ୱର୍ଗ, ମର୍ତ୍ୟ ଓ ପାତାଳ ବିଜୟକରି ଇନ୍ଦ୍ରପଦ ଲାଭ କରିଥିଲେ । ଦେବତାମାନେ ତାଙ୍କ ଅତ୍ୟାଚାର କାରଣରୁ ସ୍ୱର୍ଗପୁର ତ୍ୟାଗ କରି ଗିରିଗୁହାରେ ଲୁଚି ରହିଥିଲେ । ସନ୍ତାନମାନଙ୍କର ଏ ଦୟନୀୟ ଅବସ୍ଥା ଦେଖି ଦେବମାତା ଅଦିତି ଭଗବାନ ବିଷ୍ଣୁଙ୍କୁ ଆରାଧନା କରିଥିଲେ । ତାଙ୍କର କଠୋର ତପସ୍ୟାରେ ସନ୍ତୁଷ୍ଟ ହୋଇ ଭଗବାନ ବିଷ୍ଣୁ ଅଦିତିଙ୍କ ଗର୍ଭରେ ଆବିର୍ଭୁତା ହେଲେ । ସେ ତାଙ୍କ ଗର୍ଭରୁ ଏହି ଭାଦ୍ର ଶୁକ୍ଲ ଦ୍ୱାଦଶୀଦିନ ଭୂମିଷ୍ଠ ହେଲେ । ସେ ତ ଖାଲି ବାମନ ନଥିଲେ ଜଣେ ରାଜନୀତି କୁଶଳ ପ୍ରଚଣ୍ଡ ବୁଦ୍ଧି ସଂପନ୍ନ ଅବତାର ଥିଲେ । ପରବର୍ତୀକାଳରେ ସେ ପ୍ରବଳପ୍ରତାପୀ ଓ ପରାକ୍ରମୀ ଦାନବ ବଳୀ ଠାରୁ ତ୍ରିପାଦ ଦାନ ମାଗି ତା’ସହ ସ୍ୱର୍ଗ,ମର୍ତ୍ୟ ଓ ପାତାଳ ତ୍ରିପୁରକୁ ପାଦ ତଳେ ଚାପି ଦେଇଥିଲେ । ବେଦରେ ବାମନ ଅବତାର ମହିମାଙ୍କୁ ନେଇ ବର୍ଣ୍ଣନ ଅଛି : ଏକୋବିକ୍ରମେ ତ୍ରିଭିରିତ୍ ପଦେଭିଃ । ଏହାର ଅର୍ଥ ହେଉଛି ବାମନ ତିନୋଟି ପାଦରେ ସମଗ୍ର ବିଶ୍ୱକୁ ଆକ୍ରାନ୍ତ କରିଥିଲେ ।
ଭାଦ୍ରବ ଶୁକ୍ଲ ଦ୍ୱାଦଶୀ ବାମନଙ୍କର ଜନ୍ମତିଥି ହେତୁ ହିନ୍ଦୁମାନଙ୍କର ଏହା ଏକ ପବିତ୍ର ଦିବସ । ଏହିଦିନ ସମସ୍ତ ହିନ୍ଦୁ ଦେବାଳୟରେ ତାଙ୍କର ଜନ୍ମତ୍ସୋବ ପାଳନ କରିଥାନ୍ତି ।
ଏହି ତିଥିଟି ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ଦିବସ । ଏହିଦିନ ଶ୍ରୀମନ୍ଦିରରେ ଭଗବାନ ବାମନଙ୍କର ଜନ୍ମୋତ୍ସବ ପାଳନ କରାଯାଏ । ଶ୍ରୀଜଗନ୍ନାଥ ହିଁ ସ୍ୱୟଂ ବିଷ୍ଣୁ । ସେ ଅବତାରୀ ପୁରୁଷ । ବାମନ ରୂପ ତାଙ୍କର ଏକ ଅବତାର ।
ପୌରାଣିକ ଉପାଖ୍ୟାନ ଅନୁସାରେ ଏହିଦିନ ଏକ ଶୁଭ ମୁହୂର୍ତରେ ଭଗବାନ ବିଷ୍ଣୁ ଏକ ଦିବ୍ୟ, ଜ୍ୟୋତିର୍ମୟ ବାମନ ବାଳକରୂପରେ ଧରିତ୍ରୀରେ ଅବତରଣ କରିଥିଲେ । ଏଣୁ ନୃସିଂହ ଚତୁର୍ଦ୍ଦଶୀ ଓ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପରି ଶ୍ରୀଜଗନ୍ନାଥ ମନ୍ଦିରରେ ଭାଦ୍ରବ ମାସ ଶୁକ୍ଲପକ୍ଷ ଦ୍ୱାଦଶୀ ଦିନ ବାମନ ଜନ୍ମ ମହାସମାରୋହରେ ପାଳିତ ହେବା ସଙ୍ଗେ ସଙ୍ଗେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଏକ ମନୋମୁଗ୍ଧକର ବାମନ ବାଳକ ରୂପ ବେଶରେ ସଜ୍ଜିତ କରାଯାଇଥାଏ ।
ସେଦିନ ଶ୍ରୀମନ୍ଦିରରେ (ବାମନଙ୍କ) ଜନ୍ମୋତ୍ସବ ନୀତି ଓ ଦ୍ୱିପ୍ରହର ଧୂପ ଶେଷ ହେବାପରେ ଜଗନ୍ନାଥ ମହାପ୍ରଭୁ ବାମନ ବେଶ ଧାରଣ କରିଥାନ୍ତି । ଏଥିରେ ଶ୍ରୀସୁଭଦ୍ରା ସାଧାରଣ ବେଶ ଓ ଶ୍ରୀବଳଭଦ୍ର ରାଜ ବେଶରେ ଦୃଶ୍ୟମାନ ହେବା ସଂଗେ ସଂଗେ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରୀଭୁଜ, ଶ୍ରୀପୟର ଓ ସ୍ୱର୍ଣ୍ଣ କିରୀଟରେ ଆଭୂଷିତ ହୋଇଥାନ୍ତି । ମହାପ୍ରଭୁଙ୍କ ଶ୍ରୀଭୁଜର ବାମହସ୍ତରେ ଛତା ଓ ଡାହାଣ ହସ୍ତରେ କୁଶବଟୁ ଗଡ଼ୁ ଧରାଯାଇ ଏକ ବାମନରୂପୀ ନୈଷ୍ଠିକ ବ୍ରାହ୍ମଣ ବେଶରେ ଭୂଷିତ କରାଯାଇଥାଏ । ପୁଷ୍ପାଳକ ସେବକମାନେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଏପରି ବେଶ କରିଥାନ୍ତି, ଜଣାଯାଏ ସତେ ଯେପରି ଜଗନ୍ନାଥ ମହାପ୍ରଭୁ ସ୍ୱୟଂ ଏକ ବାମନ ବା କ୍ଷୁଦ୍ରକାୟ ବିପ୍ର ।
ବାମନ ବେଶରେ ଠାକୁରଙ୍କୁ ଲାଗି କରାଯାଉଥିବା ସ୍ୱର୍ଣ୍ଣ ଅଳଙ୍କାର ଇତ୍ୟାଦି ବେଶ ଦିବସ ପୂର୍ବରୁ ରତ୍ନଭଣ୍ଡାରରୁ କଢ଼ାଯାଇ ଭଣ୍ଡାର ମେକାପ ସେବକଙ୍କ ମାରଫତ୍‌ରେ ରହିଥାଏ । ଶ୍ରୀଜଗନ୍ନାଥ ବାମନ ଭାବରେ ସୁପରିଚିତ । ବିଶେଷକରି ରଥ ସମୟରେ ତାଙ୍କୁ ବାମନ ଭାବରେ ବର୍ଣ୍ଣନା କରାଯାଇ କୁହାଯାଇଛି ‘ରଥେତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ’ । ପୁନଶ୍ଚ ଆଷାଢ଼ ମାସରେ ମହାପ୍ରଭୁଙ୍କୁ ରଥରେ ବାମନ ସ୍ୱରୂପରେ ଚିହ୍ନିତ କରାଯାଇଥାଏ । ଜଗନ୍ନାଥଙ୍କର ହସ୍ତପଦ ବିହୀନ ଅବୟବକୁ ଦର୍ଶନ କଲେ ସେ ସ୍ୱତଃ ବାମନ ଭଳି ଦେଖାଯା’ନ୍ତି । ତାଙ୍କୁ ପିଣ୍ଡି ଉପରୁ କାଢ଼ି ଆଣିଲେ ସେ ଏପରି ଛୋଟ ଦେଖଯା’ନ୍ତି ତାହା ବାମନ ରୂପର ସାର୍ଥକତା ଆଣେ ।ଶାସ୍ତ୍ରମତେ ବାମନଜନ୍ମ ଦିବସରେ ମହାରାଜା ଇନ୍ଦ୍ରଦ୍ୟୁମ୍ନ କେଉଁଠି ଜନ୍ମ ହୋଇଥିଲେ । ପୁନଶ୍ଚ ଅନେକ ସମୟରେ ନୂଆଖାଇ ପର୍ବ ଏହି ବାମନଜନ୍ମ ଅବସରରେ ପଡ଼ିଥାଏ । ଅତଏବ ଏ ଦିବସଟି କେତୋଟି ପବିତ୍ରପର୍ବର ଅଦ୍ଭୁତ ସମାବେଶ ।
‘ସୁନିଆ’ଦୃଷ୍ଟିରୁ ଏ ଦିବସଟିର ମଧ୍ୟ ତାତ୍ପର୍ଯ୍ୟ ଅଛି । ଏହି ଦିନ ଗଜପତି ମହାରାଜାଙ୍କର ଅଙ୍କ ପରିବର୍ତନ ହୁଏ ଏବଂ ସେ ପ୍ରତିବର୍ଷ ଏହି ଦିନରେ ନୂଆକରି ଅଭିଷେକ ହୁଅନ୍ତି । ସୁନିଆ ଉତ୍କଳର ସାଲ ଗଣନାରେ ନବବର୍ଷ । ଏମିତିରେ ସଂପ୍ରତି ପ୍ରବେଶ କଲା ୧୪୨୮ ସାଲ ଏବଂ ଦିବ୍ୟସିଂହ ଦେବ (୪) ମହାରାଜାଙ୍କର ୬୩ଅଙ୍କ, ଆରମ୍ଭ ହେଲା । ମହାରାଜା ଯଯାତିକେଶରୀ ଶ୍ରୀଜଗନ୍ନାଥଙ୍କର ବାମନ ବେଶର ଶୁଭାରମ୍ଭ କରିଥିଲେ । ପରମଲକ୍ଷ୍ମୀ ରାଜଗୁରୁଙ୍କ ସମୟରେ ଗଜପତି ବୀରକିଶୋର ଦେବ ମହାପ୍ରଭୁଙ୍କ ବାମନବେଶକୁ ଅତ୍ୟନ୍ତ ଗୁରୁତ୍ୱ ଦେଇଥିଲେ ।ବାମନଜନ୍ମ ଦିବସ ଏକ ଶୁଭଦିବସ । ଏହି ଅବସରରେ ତାଙ୍କ ରୂପ ସୌରଭ ଦର୍ଶନୀୟ । “ଜଗନ୍ନାଥ ସ୍ୱାମୀନୟନପଥଗାମେୀ ଭବତୁମେ” ।

ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିକାଶନଗର, ଜଟଣୀ, ଖୋର୍ଦ୍ଧା, ଫୋନ୍‌-୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ