ବିଶ୍ୱଶିଳ୍ପୀ : ବିଶ୍ୱକର୍ମା

ବିପିନ ବିହାରୀ ମହାନ୍ତି
ବିପିନ ବିହାରୀ ମହାନ୍ତି

ଦେବ ଶିଳ୍ପୀ ବିଶ୍ୱକର୍ମା ଏ ବିଶ୍ୱର ସମସ୍ତ ନିର୍ମାଣ କାର୍ଯ୍ୟର ସ୍ରଷ୍ଟା । ସେ ବ୍ରହ୍ମାଙ୍କ ନାଭିମଣ୍ଡଳରୁ ଜାତ ବୋଲି ଧର୍ମଶାସ୍ତ୍ରମାନଙ୍କରେ ଉଲ୍ଲେଖ ଅଛି । ସେ କନ୍ୟା ସଂକ୍ରାନ୍ତି ଦିନ ମର୍ତ୍ତ୍ୟଲୋକରେ ଆବିର୍ଭୁତ ହୋଇଥିବାରୁ, ସେହିଦିନ ମର୍ତ୍ତ୍ୟଲୋକର ସମସ୍ତ ଶିଳ୍ପୀକୂଳ ତାଙ୍କରି ପୂଜା ଏବଂ ଆରଧନା କରନ୍ତି ।
ବିଶ୍ୱକର୍ମା ବିଶ୍ୱର ବିନ୍ଧାଣୀ ବା ଆଧୁନିକ ଅର୍ଥରେ ବିଶ୍ୱଯନ୍ତ୍ରୀ । ସେ ବୈକୁଣ୍ଠବାସୀ, ସର୍ବଗୁଣ ସଂପନ୍ନ, ସର୍ବଶକ୍ତିମାନ, ସର୍ବନିୟନ୍ତା, ବାୟରୂପେ ସର୍ବ ବିଦ୍ୟମାନ, ବାସ୍ତୁବିଦ୍ୟାର ଦେବତା ଏବଂ ନିର୍ମାଣକାର୍ଯ୍ୟର ଦଣ୍ଡଧାରୀ ଦେବତା । ‘ଦଣ୍ଡ’ କହିଲେ ଇଂରାଜିର ସ୍କେଲ ବା ମାପଚୁପବାଡ଼ି ଯାହା ସାହାଯ୍ୟରେ ସେ ମାପିଚୁପି ସବୁ କରନ୍ତି । ବେଦରେ ସେ ଅଜାତ ପୁରୁଷ, ବ୍ରହ୍ମ କୈବର୍ତ୍ତ ପୁରାଣରେ ବ୍ରହ୍ମାଙ୍କ ନାଭିରୁ ଜାତ, ପୁରାଣରେ ସେ ଦେବଶିଳ୍ପୀ ଏମିତି ଭିନ୍ନମତେ ଭିନ୍ନନାମ ।
ତାଙ୍କରି ହାତରେ ସ୍ପର୍ଶ କୁବେରଙ୍କର ଅଳକାପୁର, ଦ୍ୱାରକା ନଗର, ସ୍ୱର୍ଣ୍ଣଲଙ୍କା, କୃଷ୍ଣନିବାସ, ସେତୁ ବନ୍ଧ ନିର୍ମାଣ, ଇନ୍ଦ୍ରଭୁବନ, ଗୋଲକଧାମ, ସୁଦାମା ପୁରୀ, ମହାଲକ୍ଷ୍ମୀଙ୍କ ସମୁଦ୍ରକୁଳସ୍ଥ ମର୍ତ୍ତ୍ୟ ବୈକୁଣ୍ଠ ବା ଉଆସ… କୋଠାବାଡ଼ି, କଳକାରଖାନା, ମଠ, ମନ୍ଦିର, ମସ୍‌ଜିଦ୍‌, ଗାଡ଼ିମଟର, ଉଡ଼ାଜାହାଜ, ଛାପାଖାନା, ରେଳଗାଡ଼ି, ଟି.ଭି., ରେଡ଼ିଓ, କମ୍ପ୍ୟୁଟର, ଆକାଶଯାନ… ଇତ୍ୟାଦି । ଆମ ଚାରିପଟେ ଦେଖୁଥିବା ତଥା ତିନିପୁରର ସମସ୍ତ ନିର୍ମାଣ, ମଣିଷ କିଛି କରେ ନାହିଁ । ମଣିଷ ଦେହରେ ସେ ଏଠି ବିଜେ କରି ସବୁ କରାନ୍ତି । ଆମ ପିନ୍ଧିଲାବସ୍ତ୍ରର ସେ ନିର୍ମାତା, ଯାବତୀୟ କୃଷିକାର୍ଯ୍ୟ ଯନ୍ତ୍ରପାତି ତାଙ୍କର । ଅନେକଙ୍କର ମତରେ କୃଷି ଓ ବୃଷ୍ଟିର ଦେବତାହିଁ ବିଶ୍ୱକର୍ମା । ନଳ, ତ୍ୱଷ୍ଟ ଏବଂ ମୟ ଇତ୍ୟାଦି ବିଶ୍ୱକର୍ମାଙ୍କ ପୁତ୍ର । ନଳ ସେତୁ ବନ୍ଧସହିତ ସଂପର୍କିତ, ଏକଥା ଆମେ ଜାଣୁ । ତୁଷ୍ଟ ବିଷ୍ଣୁପୁରାଣ ବର୍ଣ୍ଣିତ ଦେବ ଶିଳ୍ପୀ ଏବଂ ମୟ ହେଉଛନ୍ତି ଦୈତ୍ୟଶିଳ୍ପୀ ।
ମର୍ତ୍ତ୍ୟପୁରୀରେ ଏକ ପ୍ରେମଜନିତ ଅଭିଶାପ କାରଣରୁ ବିଶ୍ୱକର୍ମା ଏକ ବ୍ରାହ୍ମଣ ରୂପରେ ଏବଂ ଦେବ ଅପସରୀ ଘୃତିଚୀଙ୍କ ଯିଏକି ସେହି କାରଣରୁ ମର୍ତ୍ତ୍ୟପୁରୀରେ ଜନ୍ମ ହୋଇଥିଲେ । ଉଭୟଙ୍କର ମିଳନରୁ ନ’ଟି ସନ୍ତାନ ଜନ୍ମ ନେଲେ । ସେମାନେ ଜନ୍ମରେ ବ୍ରାହ୍ମଣ ଶିଳ୍ପୀରେ ଥିଲେ ହେଁ ସେମାନଙ୍କର ନୀଚ କର୍ମରୁ ଶୁଦ୍ର ହେଲେ । ଯେମିତି ସୁନାଚୋରୀରୁ ସ୍ୱର୍ଣ୍ଣକାର, ଯଜ୍ଞକୁ ବିଳମ୍ବରେ କାଠ ଯୋଗାଣରୁ କର୍ମକାର । ଏହି କ୍ରମରେ ‘ ତାଙ୍କ ପୁତ୍ର ହେଲେ ବିଭିନ୍ନ ବିଭାଗରେ : କର୍ମକାର, କଂସାରି, ଶଙ୍ଖାରି, କୁନ୍ଦବିକ, କୁମ୍ଭକାର, ସ୍ୱତ୍ରଧର, ସ୍ୱର୍ଣ୍ଣକାର ଓ ଚିତ୍ରକାର । ଏହି ରୂପେ ବିଶ୍ୱକର୍ମାଙ୍କ ସେବା କରନ୍ତି । ତେଣୁ ସେ ଏଠାରେ ପୂଜ୍ୟ ।
ବିଶ୍ୱକର୍ମା ଉଭୟ ବୈଦିକ ଓ ପୌରାଣିକ ଦେବତା । ତେବେ ନିର୍ଦ୍ଦିଷ୍ଟ ଭାବରେ ତାଙ୍କର ପୂଜନକାଳ ବା ରୂପ ନିର୍ଣ୍ଣୟକରି ହେବ ନାହିଁ । ସଂକ୍ଷେପରେ କୋଉ ଯୁଗରୁ ସେ ପୂଜା ପାଆନ୍ତି । ପ୍ରଥମେ କୁଆଡ଼େ ସେ ‘ଘଟ’ ଆକାରରେ, ତା’ପରେ ଶାଳଗ୍ରାମ ଏବଂ ପରିଶେଷରେ ଆଧୁନିକ ରୂପକୁ ଆସିଛନ୍ତି ।
ଆଧୁନିକ ରୂପର ସେ ବର୍ଣ୍ଣରେ ଗୌର, ହସ୍ତରେ ବିଭିନ୍ନ ମାନଦଣ୍ଡ : ଚାରିଭୂଜ । ବାମ ଉପର ହସ୍ତରେ ବଟାଳି, ନିମ୍ନହସ୍ତରେ ମାର୍ତ୍ତୁଲ ବା ନିକିିତି, ଦକ୍ଷିଣ ଉପର ହସ୍ତରେ ଚକ୍ର, ନିମ୍ନ ହସ୍ତରେ ଆଶୀର୍ବାଦ ସୂଚକ ବରଦାରୂପ; କଣ୍ଠରେ ମାଳା ଲଲାଟରେ ଚନ୍ଦନ କୁକୁମ, ଅଙ୍ଗରେ ବିଭିନ୍ନ ସୁଗନ୍ଧି ଲେପନ । ଗନ୍ଧହିଁ ପୃଥିବୀର ଗୁଣ । ପରିଧାନରେ ; ଶ୍ୱେତବସ୍ତ୍ର, କାନ୍ଧରେ ଚଦର, ବକ୍ଷରେ ପଇତା ଓ ମାଳା; ବାହନରେ ହାତୀ ଅଥବା ହଂସ ।
ଗଣେଶଙ୍କ ଅନୁରୂପ ପୂଜାକର୍ମ । ସହର ବଜାରରେ ସ୍ୱତନ୍ତ୍ର ମେଢ଼ ଓ ତୋରଣ ଯୁକ୍ତ । ପୂଜା ସାମଗ୍ରୀରେ ‘ୁଲ, ‘ଳ, ଇତ୍ୟାଦି ଯାହା ବିଧିମତେ । ଘରେଘରେ ହାତହତିୟାର କର୍ମକର୍ତ୍ତାର ଯନ୍ତ୍ରପାତି ଯେମିତି ତନ୍ତୀରତନ, କୁମ୍ଭକାରର କୁମ୍ଭାର ଚକ.. ଇତ୍ୟାଦି । ଯାନ୍ତ୍ରିକ ଅନୁଷ୍ଠାନମାନଙ୍କରେ ଅର୍ଥାତ୍ କଳକାରଖାନା, ଶିଳ୍ପ ଇତ୍ୟାଦିର ବିଭାଗୀୟ ଯନ୍ତ୍ରପାତି, ପୂଜାପରେ ରୋଷଣୀ ଓ ବାଜାସହ ଏବେକୁ ଚାକଚକ୍ୟରେ ଉଦ୍‌ଯାପନ ଚାଲିଛି ।
ଆମ ଠାକୁର ସ୍ୱୟଂ ଜଗନ୍ନାଥଙ୍କ ମୂର୍ତ୍ତିଗଠନ କାହାଣୀରେ ଯେଉଁ ବୃଦ୍ଧ ଆସି ୨୧ ଦିନ କାର୍ଯ୍ୟପାଇଁ ଚୁକ୍ତିବଦ୍ଧ ଥିଲେ ରାଣୀ ଗୁଣ୍ଡିଚା ଏବଂ ଇନ୍ଦ୍ରଦ୍ୟୁମ୍ନଙ୍କ ସହିତ, ସେ ବିନ୍ଧାଣୀ ହେଉଛନ୍ତି ଏଇ ବିଶ୍ୱକର୍ମା । ଅଥଚ ରାଜାରାଣୀଙ୍କ ବ୍ୟସ୍ତତା ହେତୁ ନିର୍ଦ୍ଧାରିତ ଦିବସ ପୂର୍ବରୁ ସେ ନିର୍ମାଣର ଆବଦ୍ଧ ଘର ଖୋଲି ଦିଆଗଲା କାରଣ ଠକ୍ ଠକ୍ ନଶୁଭିବା ହେତୁ ବୃଦ୍ଧକାରିଗରଟି ମରିଯିବାର ବିଶ୍ୱାସ ହେଲା । ଏଣୁ : ଅଧାଗଢ଼ା ଗୋଡ଼ହାତ, ବିଜେ ପ୍ରଭୁ ଜଗନ୍ନାଥ ।
ଏହାହିଁ ଠାକୁରଙ୍କର ଉଦ୍ଦେଶ୍ୟଥିଲା । ଏଣୁ ଜଗନ୍ନାଥଙ୍କ ଠାରୁ ତାଙ୍କ ନିର୍ମାତା ଆମ ଠାରୁ ଅଧିକ ଭକ୍ତି ଦାବୀ କରନ୍ତି । ଆସନ୍ତୁ ସେହି ନିର୍ମାତାଙ୍କୁ ପ୍ରାର୍ଥନା କରିବା ।
ଦେବଶିଳ୍ପୀ ମହାଭାଗ ଦେବାନାଂ କାର୍ଯ୍ୟସାଧନା ବିଶ୍ୱକର୍ମା ନମସ୍ତୁଭ୍ୟଂ ସର୍ବାରିଷ୍ଟ ପ୍ରଦାୟକ ।
ହେ ଦେବ ଶିଳ୍ପୀ, ମହାଭାଗ, କାରୁକାର୍ଯ୍ୟ ସାଧକ, ସର୍ବାରିଷ୍ଟ ପ୍ରଦାନକାରୀ, ବିଶ୍ୱକର୍ମା, ତୁମକୁ ନମସ୍କାର ।
ଅ୍ମକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ