ବାଲେଶ୍ୱର ସହରର ୩ ଅର୍ବାନ ପି.ଏଚ.ସି.ରେ ଅକ୍ସିଜେନ ଥେରାପି ସେଂଟର ଉଦଘାଟିତ

ବାଲେଶ୍ୱର,(ଓ୍ବାଇଏନ୍ଏସ୍): ବାଲେଶ୍ୱର ପୌରାଂଚଳରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଥିବା ୩ଟି ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର(ଅର୍ବାନ ପି.ଏଚ.ସି.)ରେ  ୩ଟି ଅକ୍ସିଜେନ ଥେରାପି ସେଂଟର ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ଉପସ୍ଥିତିରେ ଏହି ତିନି ଅକ୍ସିଜେନ ଥେରାପି କେନ୍ଦ୍ର ଉଦଘାଟନ ହୋଇଥିଲା । ଶୋଭାରାମପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଅକ୍ସିଜେନ ଥେରାପି ସେଂଟରକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଦୁଲାଳ ସେନ ଜଗଦ୍ଦେବ ଉଦଘାଟନ କରିଥିବା ବେଳେ ସହଦେବ ଖୁଂଟା ପି.ଏଚ.ସି.ର ଅକ୍ସିଜେନ ଥେରାପି ସେଂଟରକୁ ଡା. ଲମ୍ବୋଦର ବଳ ଏବଂ ସୁନହଟ ପି.ଏଚ.ସି.ର ଅକ୍ସିଜେନ ଥେରାପି ସେଂଟରକୁ ଡା ମମତା ସାହୁ ଉଦଘାଟନ କରିଥିଲେ । ଉଦଘାଟିତ ହୋଇଥିବା ପ୍ରତ୍ୟେକ ଅକ୍ସିଜେନ ଥେରାପି ସେଂଟରରେ ୪ଟି ଲେଖାଏଁ ଶଯ୍ୟା ରହିଛି । ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଭୋଗ କରୁଥିବା ଉଭୟ କୋଭିଡ ଓ ଅଣକୋଭିଡ ରୋଗୀଙ୍କୁ ଏଠାରେ ସଙ୍ଗେ ସଙ୍ଗେ ଭର୍ତି କରି ଚିକିତ୍ସା ଆରମ୍ଭ କରାଯିବ । ସେଥିପାଇଁ ଏଠାରେ ଅକ୍ସିଜେନ ସିଲିଣ୍ଡର ମହଜୁଦ ରହିବା ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଉପଲବ୍‌ଧ ହେବ । ଏଠାରେ ଦିନ ରାତି ୨୪ ଘଂଟା ସେବା ଯୋଗାଇ ଦିଆଯିବ । ସ୍ୱାସ୍ଥ୍ୟ ସେବାକୁ ତ୍ୱରାନ୍ୱିତ କରିବା ପାଇଁ ଆସନ୍ତା ୨୦ତାରିଖରୁ ପ୍ରତ୍ୟେକ ପି.ଏଚ.ସି.କୁ ୩ଜଣ ଲେଖାଏଁ ଏ.ଏନ.ଏମ୍‌. ଦିଆଯିବ । ଅକ୍ସିଜେନ ଥେରାପି ଦ୍ୱାରା ରୋଗୀଙ୍କ ସ୍ଥିତି ଯଦି ସାମାନ୍ୟ ହୋଇଯାଏ ତାହା ହେଲେ ତାଙ୍କୁ ଛାଡି ଦିଆଯିବ ଅନ୍ୟଥା ସେମାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରାଯିବ । ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅରୂପ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଜିର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅକ୍ସିଜେନ ଥେରାପି ସେଂଟର କାର୍ଯ୍ୟକ୍ଷମ ହେବା ଦ୍ୱାରା ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଲାଭ କରୁଥିବା ଗୁରୁତର ରୋଗୀଙ୍କ ତୁରନ୍ତ ଚିକିତ୍ସା ହୋଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ଆଶାପ୍ରକଟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ