କନ୍ଦାଉଛି ପିଆଜ ଦର : ଆଗକୁ ଦର ଆହୁରି ବଢିବା ସମ୍ଭାବନା ରହିଛି

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ପନିପରିବା ପରେ ବର୍ତମାନ ପିଆଜ ଦରରେ ନିଆଁ ଲାଗିଛି । ହିଞ୍ଜିଳିକାଟୁ ପୌରାଂଚଳ ପରିବା ବଜାରରେ ଦର ୪୬ ଟଙ୍କା ରହିଛି । ଆଗକୁ ଦର ଆହୁରି ବଢିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସ୍ଥାନୀୟ ଅଂଚଳର ବ୍ୟବସାୟୀ ମାନେ କହିଛନ୍ତି । ପିଆଜ ଦର ଅହେତୁକ ଭାବେ ବୃଦ୍ଧି ପାଇବା ପରେ ସାଧାରଣ ଖାଉଟି ଉପରେ ମାଡ଼ ପଡ଼ିଛି । ଗରିବଙ୍କ ଅତି ପ୍ରିୟ ଖାଦ୍ୟ ପଖାଳ କଂସାରୁ ପିଆଜ ଉଭେଇ ଯାଇଛି । ହିଞ୍ଜିଳିକାଟୁ ପୌରାଂଚଳ ପରିବା ବଜାରରେ ପିଆଜର ନିଅଂଟ ବିକ୍ରି ଦେଖାଦେଇଛି । ପିଆଜ ଦର ଗତ କିଛି ଦିନ ଧରି ଅହେତୁକ ଭାବେ ବୃଦ୍ଧି ପାଉଥିବାରୁ ଗ୍ରାହକ ମାନେ ମଧ୍ୟ ପିଆଜରୁ ମୁହଁ ଫେରାଇ ନେଉଛନ୍ତି । ସ୍ଥାନୀୟ ସହରରେ ହୋଲସେଲରେ ପିଆଜ ଦର ୪୦ ଟଙ୍କା ରହିଥିବା ବେଳେ ଖୁଚୁରା ବଜାରରେ ୪୬ ଟଙ୍କା ରହିଛି । ଗ୍ରାମାଂଚଳର ପରିବା ବଜାରରେ ଦର ପ୍ରାୟ ୫୦ ଟଙ୍କା ରହିଛି । ସ୍ଥାନୀୟ ବଜାରକୁ ଆନ୍ଧ୍ରପ୍ରଦେଶ ସମେତ କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦଶ ଅଂଚଳରୁ ପିଆଜ ଆସିଥାଏ । ମହାରାଷ୍ଟ୍ରରେ ପିଆଜ ଦର ଅଧିକ ରହୁଥିବାରୁ ଆନ୍ଧ୍ରପ୍ରଦେଶରୁ ଓଡ଼ିଶା ବଜାରକୁ ପିଆଜ ଆସିଥାଏ । ଯାହା ଫଳରେ ଓଡ଼ିଶା ବଜାରରେ କମ୍ ଦରରେ ପିଆଜ ମିଳିଥାଏ । ଲଘୁଚାପ ଜନିତ ଲଗାଣ ବଷାଁ ଫଳରେ ଆନ୍ଧ୍ରପ୍ରଦେଶ ଅଂଚଳରେ ପିଆଜ ଫସଲ ସମ୍ପୁର୍ଣ୍ଣ ନଷ୍ଟ ହୋଇ ଯାଇଛି । ବର୍ତମାନ ପରିସ୍ଥିତିରେ ଆବଶ୍ୟକ ପରିମାଣରେ ଓଡ଼ିଶା ବଜାରକୁ ପିଆଜ ଆସୁନଥିବା ଯୋଗୁଁ ଦର ଅଧିକା ରହିଛି ବୋଲି ପିଆଜ ବ୍ୟବସାୟୀ ଦିନବନ୍ଧୁ ସାବତ କହିଛନ୍ତି ।
ସପ୍ତାହେ ହେଲା ପିଆଜ ଦର ଦିନକୁ ଦିନ ବଢିବାରେ ଲାଗିଛି । ଆଜି ପୁରୁଣା ଦର ରହିଥିଲା କିନ୍ତୁ ନୁଆଁ ପିଆଜ ପଂହଚିବା ପରେ ଦର ଆହୁରି ବଢିବା ସମ୍ଭାବନା ରହିଛି ବୋଲି କିଛି ବ୍ୟବସାୟୀ କହିଛନ୍ତି । ହିଞ୍ଜିଳିକାଟୁ ସହରକୁ ପ୍ରତ୍ୟହ ୨୫ଟନରୁ ଅଧିକ ପିଆଜ ଆସିଥାଏ । ବର୍ତମାନ ଦର ବୃଦ୍ଧି ପାଉଥିବାରୁ ପ୍ରତ୍ୟହ ପିଆଜ ଆସିବା ପରିମାଣ ମଧ୍ୟ କମିଯାଇଥିବା ଲକ୍ଷ୍ୟ କରାଯାଉଛି । ଗ୍ରାହକ ମାନେ ଅଢେଇ କିଲୋ ନେବା ବଦଳରେ କିଲୋରେ କାମ ଚଳାଉଛନ୍ତି । ଅନ୍ୟପକ୍ଷରେ ସ୍ଥାନୀୟ ବଜାରରେ ପନିପରିବା ଦର ମଧ୍ୟ ଆକାଶଛୁଆଁ ରହିଛି । ଗରୀବ ଶ୍ରେଣୀର ଲୋକେ ଅଧିକ ଦରରେ ପରିବା କିଣି ନପାରି ପିଆଜରେ କାମ ଚଳାଇ ଦେଉଥିବା ବେଳେ ବର୍ତମାନ ପିଆଜ ଦର ବୃଦ୍ଧି ପାଇବା ପରେ ଗରିବ ଶ୍ରେଣୀର ଲୋକଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ