ପଂଚସୂତ୍ରୀ ଉଲଂଘନକାରୀ ବ୍ୟବସାୟୀଙ୍କୁ ତାଗିଦ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ସାରା ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରି ଚାଲିଥିଲା । କରୋନା ସଂକ୍ରମଣ ସ୍ଥିତିରେ ଗଞ୍ଜାମ ଜିଲ୍ଲା ରାଜ୍ୟର ହଟସ୍ପଟ ଅଂଚଳ ଭାବେ ପରିଚିତ ଥିଲା । ସରକାର ଓ ଜିଲ୍ଲା ପ୍ରଶାସନର ଉଦ୍ୟମ ଫଳରେ ବର୍ତମାନ କରୋନା ସ୍ଥିତି ଦୁର୍ବଳ ହୋଇପଡ଼ିଛି । ସମ୍ପ୍ରତି ସଂକ୍ରମଣ ପରିସ୍ଥିତିରେ ନିୟନ୍ତ୍ରଣ ହୋଇ କିଛିଟା ସୁଧାର ଆସିଛି । ତଥାପୀ ସମ୍ପୁର୍ଣ୍ଣ କରୋନା ମୁକ୍ତ ହୋଇ ପାରିନାହିଁ । ଗଞ୍ଜାମ ଜିଲ୍ଲାକୁ ସମ୍ପୁର୍ଣ୍ଣ କରୋନା ମୁକ୍ତ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶ ପ୍ରକାରେ ସେପ୍ଟମ୍ବର ୨୪ ତାରିଖ ଠାରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ସମୟକୁ କୋଭିଡ଼ ସପ୍ତାହ ଭାବେ ପାଳନ କରିବାକୁ ସମସ୍ତ ପ୍ରଶାସନିକ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଶାସନ ଜନସାଧାରଣଙ୍କ ଜୀବନ ସୁରକ୍ଷା ପ୍ର୍ରତି ଗୁରୁତ୍ୱାରୋପ କରି ବିଭିନ୍ନ ସମୟରେ ବହୁ ପଦକ୍ଷେପ ଗ୍ରହଣ କରିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ପଂଚସୂତ୍ରୀ ନିୟମ ପାଳନ କରିବା ସକାଶେ ବ୍ୟବସାୟ ପ୍ରତିଷ୍ଠାନ ମାଲିକ ମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ସେପ୍ଟମ୍ବର ପହିଲାରୁ ଅନଲକ-୪ କାର୍ଯ୍ୟକାରୀ କରାଯିବା ସହ କଟକଣାକୁ ସାମାନ୍ୟ କୋହଳ କରାଯାଇଛି । ହେଲେ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକୁ ପଂଚସୂତ୍ରୀ ନିୟମ ପାଳନ କରିବା ସକାଶେ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି ।ଏହାକୁ ଅମାନ୍ୟ କଲେ ସଂପୃକ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ସକାଶେ ଚେତାବନି ଦିଆଯାଇଛି । ପରିତାପର ବିଷୟ ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ପୌରାଂଚଳ ବଜାରରେ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ପଂଚସୂତ୍ରୀ ନିୟମ ପାଳନ କରୁନଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଅଂଚଳର ପରିବା ବଜାରକୁ ବାଦ୍ ଦେଲେ କିଛି ମାତ୍ର ହାତଗଣତି ବ୍ୟବସାୟିକ ପ୍ରତିଷ୍ଠାନ ପଂଚସୂତ୍ରୀ ନିୟମ ପାଳନ କରୁଥିବାର ଦେଖିବାକୁ ମିଳୁଛି । ଏଭଳି ପରିସ୍ଥିତିରେ ଗୁରୁବାର ସନ୍ଧ୍ୟାରେ ହିଞ୍ଜିଳି ପୁଲିସ ଓ ପୌର ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ , ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସମେତ ଗଠିତ ଏନଫୋର୍ସମେଂଟ ଟିମ୍ ସ୍ଥାନୀୟ ପୌରାଂଚଳର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ବୁଲି ଦେଖିବା ସହ ପଂଚସୂତ୍ରୀ ନିୟମ ପାଳନ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଥାନା ଏସଆଇ ବାସୁଦେବ ଭୋଇ, ମମତା ସାମନ୍ତରାୟ, ପ୍ରଦିପ୍ତ ଦାଶ, ଆଶୁତୋଷ ସାହୁ, ଡ଼ି.ମୋହନ, ଏଏସଆଇ ପ୍ରକାଶ ବେହେରା, ରାଜନ ବିଷୋୟୀଙ୍କ ସମେତ ପୌର କର୍ମଚାରୀ ପୌର ପରିଷଦ କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ଦିଲ୍ଲିପ କୁମାର ମିଶ୍ର, ରାମକୃଷ୍ଣ ଦାଶ, ଅଶ୍ୱିନି କୁମାର ପାୟକ, ଭାସ୍କର ସାହୁ, ସୁରେନ୍ଦ୍ର ଗୌଡ଼, ଏ. ମୋହନ ଆଚାରୀ, କିରଣ ନାହାକ, ଇ.କିଶାନ କୁମାର ପାତ୍ର, ଲାଲ ମୋହନ ସେଠି, ରବିନ୍ଦ୍ର ନାହାକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ