ମଦ୍ୟପ ଗାଡ଼ିଚାଳକଙ୍କୁ ଧରିବ ‘ ବ୍ରେଥ ଆନାଲାଇଜର’ ମେସିନ
ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳି ଥାନା ପରିସରଭୁକ୍ତ ଅଂଚଳର ମଦ୍ୟପ ଗାଡ଼ି ଚାଳକ ମାନଙ୍କୁ ଧରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଏକ ନୂଆଁ ଅଭିଯାନ ଆରମ୍ଭ ହୋଇଛି । ମଦ୍ୟପ ଗାଡ଼ି ଚାଳକ ମାନଙ୍କୁ ସାବାଡ଼ କରିବା ପାଇଁ ପ୍ରସ୍ତୁତ ‘ବ୍ରେଥ ଆନାଲାଇଜର’ ମୁହଁରେ ଦେଲେ ଜଣେ ବ୍ୟକ୍ତି କେତେ ପରିମାଣରେ ମଦ୍ୟପାନ କରିଛନ୍ତି ତାହା ସହଜରେ ଜଣାପଡ଼ିବ ବୋଲି ହିଂଜିଳି ଥାନା ଭାରପ୍ରାପ୍ତ ଥାନା ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।
ରାଜ୍ୟ ତଥା ଦେଶର ବଡ଼ ବଡ଼ ସହରରେ ମଦ୍ୟପ ଗାଡ଼ି ଚାଳକଙ୍କୁ ଧରିବା ପାଇଁ ‘ ବ୍ରେଥ ଆନାଲାଇଜର’ ମେସିନ ବ୍ୟବହାର କରାଯାଉଥିଲା । ଗତ କିଛି ଦିନ ହେଲା ରାଜଧାନୀ ଭୂବନେଶ୍ୱର ସମେତ ବ୍ରହ୍ମପୁର, ହିଂଜିଳିକାଟୁ, ଆସିକା, ସୋରଡ଼ା ଭଳି ବହୁ ସହରାଂଚଳ ଗୁଡ଼ିକରେ ଥାନା ପକ୍ଷରୁ ଯାନବାହାନ ଚେକିଂ କରାଯାଇ ଚାଳକ ମାନଙ୍କୁ ‘ ବ୍ରେଥ ଆନାଲାଇଜର’ ମେସିନ ସହାର୍ଯ୍ୟରେ ମଦ ପାନ କରିଛନ୍ତି କି ନାହିଁ ପରୀକ୍ଷା କରାଯାଉଛି । ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଅଧିକାଂଶ ମଦ୍ୟପ ଗାଡ଼ି ଚାଳକ ନିଶାସକ୍ତ ଅବସ୍ଥାରେ ଦୃତ ଗତିରେ ଗାଡ଼ି ଚଲାଉଥିବାରୁ ଅନେକ ସମୟରେ ଦୂର୍ଘଟଣା ଘଟୁଥିବା ଅଭିଯୋଗ ହୋଇ ଆସୁଥିଲା । ହିଂଜିଳି ଥାନା ପରିସରଭୁକ୍ତ ଅଂଚଳରେ ମଦ୍ୟପ ଗାଡ଼ି ଚାଳକ ମାନଙ୍କୁ ସାବାଡ଼ କରିବା ଲାଗି ବ୍ରେଥ ଆନାଲାଇଜର ମେସିନ ସହାୟତାରେ ମଦୁଆ ଗାଡ଼ି ଚାଳକଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ମେସିନ ସହାୟତାରେ ଗାଡ଼ି ଚାଳକ ଯଦି ଧରାପଡ଼ନ୍ତି ତେବେ ତାଙ୍କ ଠାରୁ ଜୋରିମାନା ଆଦାୟ ସହ ଲାଇସେନ୍ସ ରଦ୍ଧ ପାଇଁ ସୁପାରିଶ କରିବାର ବିଧି ବ୍ୟବସ୍ଥା ରହିଛି ବୋଲି ହିଂଜିଳି ଥାନା ଆଇଆଇସି ଦାସ କହିଛନ୍ତି । ହିଂଜିଳି ଥାନା ପରିସରଭୁକ୍ତ ଅଂଚଳରେ ପୋଲିସ ପ୍ରଶାସନ ପକ୍ଷରୁ ମଦ୍ୟପ ଗାଡ଼ି ଚାଳକଙ୍କୁ ସାବାଡ଼ କରିବା ଲାଗି ବ୍ରେଥ ଆନାଲାଇଜର ମେସିନ କାର୍ଯ୍ୟକ୍ଷମ ହେବା ପରେ ମଦ୍ୟପାନ କରି ଗାଡ଼ି ଚଲାଉଥିବା ଗାଡ଼ି ଚାଳକ ଓ ଯୁବପିଢିଙ୍କ ମହଲରେ କୋକୁଆଭୟ ସୃଷ୍ଟି ହୋଇଛି । ପୋଲିସର ଏହି ଯୁଗାନ୍ତକାରୀ ଓ ଜନକଲ୍ୟାଣକାରୀ ପଦକ୍ଷେପକୁ ସ୍ଥାନୀୟ ଅଂଚଳର ଘରୋଇ ବସ ମାଲିକ ସଙ୍ଘ ସମେତ ବହୁ ଛୋଟବଡ଼ ଗାଡ଼ି ମାଲିକ ଏବଂ ସ୍ଥାନୀୟ ଅଂଚଳର ସଚେତନ ନାଗରିକ ମାନେ ସ୍ୱାଗତ କରିଛନ୍ତି । ନୂଆଁ ମୋଟରଯାନ ଆଇନ- ୨୦୧୯ ଚଳିତ ମାସ ୧ ତାରିଖ ଠାରୁ ଲାଗୁ ହୋଇଛି । ଗଂଜାମ ଜିଲ୍ଲା ପୋଲିସ ପ୍ରଶାସନର ନିର୍ଦ୍ଦେଶକ୍ରମେ ହିଂଜିଳି ଥାନା ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ପ୍ରତ୍ୟେହ ଗାଡ଼ି ଯାଂଚ, ବ୍ଳକିଂ, ଚେକିଂ ଓ ଧରପଗଡ଼ ଜୋରଦାର କରାଯାଉଥିବାର ଦେଖିବାକୁ ମିଳୁଛି । ମୋଟରଯାନ ଆଇନର୧୯୮୮ର ଦଫା୧୮୫, ୨୦୨ ଓ ୨୦୩ ଧାରାରେ ମଦ୍ୟପାନ କରି ଗାଡ଼ି ଚଲାଉଥିବା ଚାଳକଙ୍କଠାରୁ ଜୋରିମାନା ଆଦାୟ ସହ ଗିରଫ କରି କୋର୍ଟ ଚାଲାଣ କରାଯିବାରେ ନିୟମ ରହିଛି । ଏ ସଂକ୍ରାନ୍ତରେ ହିଂଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ଯେ, ମଦୁଆ ଗାଡ଼ି ଚାଳକଙ୍କୁ ଧରିବା ମାତ୍ରେ ବ୍ରେଥ ଆନାଲାଇଜର ମେସିନ ସହାୟତାରେ ପରୀକ୍ଷା କରାଯିବା ସହ ୨ ଘଂଟା ମଧ୍ୟରେ ରକ୍ତ ପରୀକ୍ଷା କରାଯିବ । ଯଦି ସଂପୃକ୍ତ ଗାଡ଼ି ଚାଳକଙ୍କ ୧୦୦ ମିଲି ରକ୍ତ ନମୁନାରେ ୩୦ ମିଲି ଗ୍ରାମରୁ ଅଧିକ ଆଲକାହଲ ମିଳେଏବଂ ସେ ନିରାପଦ ଭାବେ ଗାଡ଼ି ଚଲାଇବା ପାଇଁ ସକ୍ଷମ ନୁହନ୍ତି ବୋଲି ଜଣାପଡ଼େ ତେବେ ତାଙ୍କୁ ଗିରଫ କରାଯିବ । ହିଂଜିଳି ପୋଲିସର ଏଭଳି ପଦକ୍ଷେପକୁ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବି ସ୍ୱାଗତ ଜଣାଇଛନ୍ତି ।


