ପ୍ରଧାନମନ୍ତ୍ରୀ ଆରମ୍ଭ କରିବେ କୃଷକ ଓ ବ୍ୟବସାୟୀଙ୍କ ନିମନ୍ତେ ପେନ୍ସନ୍ ଯୋଜନା
ନୂଆଦିଲ୍ଲୀ: “କିଷାନ୍ ମନ୍ଧନ୍ ଯୋଜନା’ର (କେଏମ୍ଡିୱାଇ) ଶୁଭାରମ୍ଭ କରିବାକୁ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଝାଡ଼ଖଣ୍ଡର ରାଞ୍ଚି ଅଭିମୁଖେ ଯାଉଛନ୍ତି । ଦିନିକିଆ ରାଞ୍ଚି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ “ପ୍ରଧାନମନ୍ତ୍ରୀ ଲଘୁ ବ୍ୟାପାରିକ ମନ୍ଧନ୍ ଯୋଜନା’ ଏବଂ “ସ୍ୱରୋଜଗାର’ ପେନସନ୍ ଯାଜନା ମଧ୍ୟ ଆରମ୍ଭ କରିବେ । ଦେଶବ୍ୟାପୀ ୪୬୨ଟି “ଏକଲବ୍ୟ ମଡେଲ୍ ସ୍କୁଲ୍’ର ମଧ୍ୟ ପ୍ରଧାନମନ୍ତ୍ରୀ ଅନଲାଇନ୍ରେ ଶିଳାନ୍ୟାସ କରିବେ । ସେଥିରୁ ଝାଡ଼ଖଣ୍ଡର ୨୪ ଜିଲ୍ଲା ମଧ୍ୟରୁ ୧୩ଟି ଜିଲ୍ଲାରେ ୬୯ଟି “ଏକଲବ୍ୟ ମଡେଲ୍ ସ୍କୁଲ୍’ ଖୋଲାଯିବ । ୬୦ ବର୍ଷ ବୟସରେ ପଦାର୍ପଣ କରିଥିବା ୫ କୋଟି କ୍ଷୁଦ୍ର ଏବଂ ନାମମାତ୍ର କୃଷକଙ୍କୁ “ପ୍ରଧାନମନ୍ତ୍ରୀ କିଷାନ୍ ମନଧନ୍ ଯୋଜନା’ ମାଧ୍ୟମରେ ମାସକୁ ସର୍ବନିମ୍ନ ୩୦୦୦ ଟଙ୍କା ପେନସନ୍ ମିଳିବ । ଆସନ୍ତା ତିନି ବର୍ଷ ମଧ୍ୟରେ ଏହି ଯୋଜନାରେ ୧୦, ୭୭୪ କୋଟି ଟଙ୍କା ବ୍ୟୟ କରାଯିବ । ଏବେ ୧୮ ରୁ ୪୦ ବର୍ଷ ବୟସ ମଧ୍ୟରେ ଥିବା ସମସ୍ତ କ୍ଷୁଦ୍ର ଏବଂ ନାମମାତ୍ର କୃଷକ ଏହି ଯୋଜନାରୁ ଲାଭ ଉଠାଇ ପାରିବେ ।