ଆରଓବି ପକ୍ଷରୁ ‘କୋଭିଡ ଉପଯୁକ୍ତ ବ୍ୟବହାର’ ଶୀର୍ଷକ ୱେବିନାର

ଭୁବନେଶ୍ୱର,(ୱାଇଏନ୍ଏସ୍): ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ଆଂଚଳିକ ଜନସମ୍ପର୍କ କାର୍ଯ୍ୟାଳୟ(ଆରଓବି), ଭୁବନେଶ୍ୱର ପକ୍ଷରୁ ‘କୋଭିଡ ଉପଯୁକ୍ତ ବ୍ୟବହାର’ ଶୀର୍ଷକ ଏକ ୱେବିନାର ଶୁକ୍ରବାର ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଯାଇଛି । ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଓଡ଼ିଶା ପ୍ରାନ୍ତର ଅତିରିକ୍ତ ମହାନିର୍ଦ୍ଦେଶକ ଶୈଳେଶ କୁମାର ମାଲବ୍ୟଙ୍କ ଅଧ୍ୟକ୍ଷତାରେ ଏହି ୱେବିନାର ଅନୁଷ୍ଠିତ ହୋଇଥିଲା । ଶ୍ରୀ ମାଲବ୍ୟ ଅତିଥି ବକ୍ତାମାନଙ୍କୁ ସ୍ୱାଗତ କରିବା ସହିତ ନିକଟରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ‘କୋଭିଡ-୧୯ ଜନ ଆନ୍ଦୋଳନ’ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ । ବିଶେଷ କରି ଏହି ଜନ ଆନ୍ଦୋଳନ ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସେ ଆଲୋକପାତ କରିଥିଲେ । କଟକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମଓ) ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସତ୍ୟପ୍ରକାଶ ଛୋଟରାୟ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କୋଭିଡ-୧୯ ବୈଶ୍ୱିକ ମହାମାରୀର ଉତ୍ପତି, ସଂକ୍ରମଣର ପ୍ରସାର ଏବଂ ବର୍ତ୍ତମାନ ବିଶ୍ୱରେ ଏହାର ପ୍ରଭାବ ଉପରେ ଆଲୋକପାତ କରିଥିଲେ । ଏଥିସହିତ ରାଜ୍ୟ ତଥା ଦେଶରେ ଏହି ମହାମାରୀକୁ ପ୍ରତିହତ କରିବା ଲାଗି ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସେ ସୂଚନା ଦେଇଥିଲେ । ଏହି ଅବସରରେ ସେ ଥ୍ରୀ-ଟି (ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଂଟ) ରଣକୌଶଳ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ବକ୍ତା ଭାବେ ଯୋଗ ଦେଇ କଟକ କୋଭିଡ ଏଏମଓ ଡା. ଜ୍ୟୋତିପ୍ରକାଶ ସାହୁ କହିଥିଲେ, ଯେପର୍ଯ୍ୟନ୍ତ ଏହି ମହାମାରୀ ପାଇଁ ନିର୍ଦ୍ଦିଷ୍ଟ ଔଷଧ କିମ୍ବା ଟୀକା ବିକଶିତ ହୋଇନାହିଁ ସେପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ସତର୍କ ଏବଂ ସୁରକ୍ଷିତ ରହିବାକୁ ପଡ଼ିବ । ଉପଯୁକ୍ତ ବ୍ୟବହାର ଯେପରିକି ନିୟମିତ ଭାବେ ସାବୁନରେ ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବା, ମାସ୍କ ପିନ୍ଧିବା, ଜନଗହଳି ସ୍ଥାନ ଠାରୁ ଦୂରରେ ରହିବା ଏବଂ ସାମାଜିକ ଦୂରତା ନିୟମ ମାନିଲେ ମହାମାରୀ ଠାରୁ ସୁରକ୍ଷିତ ରହିବା ସମ୍ଭବପର ବୋଲି ସେ କହିଥିଲେ । ଏହାଛଡ଼ା ସେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ଲାଗି ବ୍ୟାୟାମ, ଯୋଗ, ପ୍ରାଣାୟାମ ଅଭ୍ୟାସ କରିବା ଏବଂ ଭିଟାମିନ ଔଷଧ ଓ ସନ୍ତୁଳିତ ଖାଦ୍ୟ ଗ୍ରହଣ ଉପରେ ଆଲୋକପାତ କରିଥିଲେ । ମହାମାରୀ ବିଶେଷଜ୍ଞ ଡା. ନୃସିଂହ ବେହେରା ଅନ୍ୟତମ ଅତିଥି ବକ୍ତା ଭାବେ ଯୋଗ ଦେଇ ଚଳିତ ଶତାବ୍ଦୀରେ କରୋନା ବୈଶ୍ୱିକ ମହାମାରୀର ପ୍ରଭାବ, ସତର୍କତା ଏବଂ ସଚେତନତା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଡ. ସତ୍ୟ ରାୟ ଯୋଗ ଦେଇ କରୋନା ମହାମାରୀର ପ୍ରଭାବ ଓ ଗଣମାଧ୍ୟମର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ଆରଓବିର ସହାୟକ ନିର୍ଦ୍ଦେଶକ ପ୍ରକାଶ ଦାସ ଏହି ୱେବିନାରକୁ ପରିଚାଳନା କରିଥିବା ବେଳେ ମହେନ୍ଦ୍ର ଜେନା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ସଚେତନ ଜନସାଧାରଣ ଅଂଶଗ୍ରହଣ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ