ଖାଦ୍ୟ ଓ କୃଷି ସଂଗଠନର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀମାନ ନରେନ୍ଦ୍ର ସିଂହ ତୋମର ଜୀ, ଶ୍ରୀମତୀ ସ୍ମୃତି ଇରାନୀ ଜୀ, ପୁରୁଷୋତ୍ତମ ରୁପାଲା ଜୀ, କୈଳାସ ଚୌଧୁରୀ ଜୀ, ଶ୍ରୀମତୀ ଦେବଶ୍ରୀ ଚୌଧୁରୀ ଜୀ, ଖାଦ୍ୟ ଓ କୃଷି ସଂଗଠନର ପ୍ରତିନିଧିଗଣ, ଅନ୍ୟ ମହାନୁଭବଗଣ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ । ବିଶ୍ୱ ଖାଦ୍ୟ ଦିବସ ପାଳନ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅନେକ ଅନେକ ଶୁଭ କାମନା | ସାରା ବିଶ୍ୱରେ ଯେଉଁ ଲୋକମାନେ କୁପୋଷଣକୁ ଦୂର କରିବା ସକାଶେ ନିରନ୍ତର କାର୍ଯ୍ୟରେ ନିୟୋଜିତ ରହିଛନ୍ତି, କାର୍ଯ୍ୟରତ ରହିଛନ୍ତି, ମୁଁ ସେମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି । ଭାରତରେ ଆମର କୃଷକ ସାଥୀ – ଆମର ଅନ୍ନଦାତା, ଆମର କୃଷି ବୈଜ୍ଞାନିକ, ଆମର ଅଙ୍ଗନବାଡ଼ି ଏବଂ ଆଶା କର୍ମୀଗଣଙ୍କ ରୂପରେ, କୁପୋଷଣ ବିରୋଧୀ ଆନ୍ଦୋଳନର ଏକ ବହୁତ ବଡ଼ ଦୁର୍ଗ ଆମ ପାଖରେ ରହିଛି, ଏହା ହେଉଛି ଆମର ଅତି ସୁଦୃଢ଼ ଆଧାର । ସେମାନେ ନିଜର ଶ୍ରମ ଦ୍ୱାରା ଯେଉଁ ଭାରତର ଅନ୍ନ ଭଣ୍ଡାରକୁ ଭରି ରଖିଛନ୍ତି, ସେହିଭଳି ଦୂର, ଉପାନ୍ତ, ସୁଦୂରବର୍ତ୍ତୀ କ୍ଷେତ୍ରର ଗରିବରୁ ଅତି ଗରିବ ଲୋକମାନଙ୍କ ପର୍ଯ୍ୟନ୍ତ ପହଞ୍ଚିବାରେ ସେମାନଙ୍କୁ ଆମ ସରକାର ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେଇଆସୁଛି । ସେମାନଙ୍କର ପ୍ରୟାସରେ ହିଁ ଭାରତ କରୋନା ମହାମାରୀର ଏହି ସଂକଟମୟ କାଳଖଣ୍ଡରେ ସୁଦ୍ଧା କୁପୋଷଣ ବିରୁଦ୍ଧରେ ବେଶ ସଶକ୍ତ ଲଢ଼େଇ ଜାରି ରଖିଛି । ସାଥୀଗଣ, ଆଜି ଖାଦ୍ୟ ଓ କୃଷି ସଂଗଠନ ପାଇଁ ମଧ୍ୟ ବହୁତ ଗୁରୁତ୍ୱ ବହନ କରୁଥିବା ଗୋଟିଏ ଦିନ ଅଟେ । ଆଜି ଏହି ମହତ୍ୱପୂର୍ଣ୍ଣ ସଂଗଠନ ୭୫ ବର୍ଷ ପୂରଣ କରିଛି । ଏହି ବର୍ଷମାନଙ୍କରେ ଭାରତ ସହିତ ସମଗ୍ର ଦୁନିଆରେ ଏଫଏଓ କୃଷି ଉତ୍ପାଦନ ବୃଦ୍ଧି ନିମନ୍ତେ, କ୍ଷୁଧା କଷ୍ଟ ଦୂର କରିବା ସକାଶେ ଏବଂ ପୋଷଣ ବଢ଼ାଇବା ଲାଗି ବହୁତ ବଡ଼ ଭୂମିକା ନିର୍ବାହ କରି ଆସିଛି । ଆଜି ୭୫ ଟଙ୍କିଆ ଯେଉଁ ବିଶେଷ ମୁଦ୍ରା ଜାରି କରାଯାଇଛି, ତାହା ଭାରତର ୧୩୦ କୋଟିରୁ ଅଧିକ ଜନତା ଜନାର୍ଦ୍ଦନଙ୍କ ପକ୍ଷରୁ ଆପଣମାନଙ୍କ ସେବା ଭାବନାକୁ ସମ୍ମାନ ପ୍ରଦର୍ଶନ କରିବା ସକାଶେ ଉଦ୍ଦିଷ୍ଟ । ଖାଦ୍ୟ ଓ କୃଷି ସଂଗଠନର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମକୁ ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ମିଳିବା ମଧ୍ୟ ଏକ ବଡ଼ ସୁଖବର ଏବଂ ଉପଲବ୍ଧି ଏବଂ ଭାରତ ଏଇଥିପାଇଁ ଅତ୍ୟନ୍ତ ଖୁସି ଯେ ସେଥିରେ ମଧ୍ୟ ଭାରତର ସହଭାଗୀତା ଏବଂ ଭାରତର ସଂଶ୍ଳିଷ୍ଟତା ବହୁତ ଐତିହାସିକ ରହି ଆସିଛି । ଆମେ ସଭିଏଁ ଏକଥା ଭଲ ଭାବେ ଜାଣୁ ଯେ ଡାକ୍ତର ବିଜୟ ରଞ୍ଜନ ସେନ ଯେତେବେଳେ ଖାଦ୍ୟ ଓ କୃଷି ସଂଗଠନର ମହାନିର୍ଦ୍ଦେଶକ ଥିଲେ ସେତେବେଳେ ତାଙ୍କ ନେତୃତ୍ୱରେ ହିଁ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଡାକ୍ତର ସେନ୍ ମରୁଡ଼ି ଏବଂ ଖାଦ୍ୟାଭାବ ଜନିତ ମୃତ୍ୟୁର ଦୁଃଖକୁ ବହୁତ ନିକଟରୁ ଉପଲବ୍ଧି କରିଥିଲେ । ଯେତେବେଳେ ସେ ନୀତି ନିର୍ଦ୍ଧାରକ ହେଲେ, ସେ ଯେଉଁ ବ୍ୟାପକତାର ସହିତ କାର୍ଯ୍ୟ ଆରମ୍ଭ କରିଥିଲେ, ତାହା ଆଜି ସମଗ୍ର ବିଶ୍ୱର ଉପକାରରେ ଲାଗୁଛି । ସେ ଯେଉଁ ବୀଜବପନ କରିଥିଲେ ଆଜି ତାହାର ଯାତ୍ରା ନୋବେଲ ପୁରସ୍କାର ପର୍ଯ୍ୟନ୍ତ ପହଞ୍ଚି ପାରିଛି । ସାଥୀଗଣ, ଖାଦ୍ୟ ଓ କୃଷି ସଂଗଠନ ବିଗତ ଦଶକମାନଙ୍କରେ କୁପୋଷଣ ବିରୁଦ୍ଧରେ ଭାରତର ସଂଗ୍ରାମକୁ ମଧ୍ୟ ଅତି ନିକଟରୁ ଦେଖିଆସିଛି । ଦେଶରେ ଭିନ୍ନ ଭିନ୍ନ ସ୍ତରରେ, କିଛି ବିଭାଗ ଦ୍ୱାରା ଏହା ବିରୋଧରେ ପ୍ରୟାସ କରାଯାଇ ଆସୁଥିଲା । କିନ୍ତୁ ଏହାର ପ୍ରଭାବ ସୀମିତ ଥିଲା କିମ୍ବା ଛୋଟ ଛୋଟ ସ୍ଥାନରେ ତାହା ବିକ୍ଷିପ୍ତ ଭାବେ କାର୍ଯ୍ୟକାରୀ ହୋଇ ଆସୁଥିଲା । ଆମେ ଜାଣୁ ଯେ କମ୍ ଆୟୁରେ ଗର୍ଭଧାରଣ କରିବା, ଅଶିକ୍ଷା, ଉପଯୁକ୍ତ ଜ୍ଞାନ ଓ ସୂଚନାର ଅଭାବ, ବିଶୁଦ୍ଧ ପାନୀୟ ଜଳର ପର୍ଯ୍ୟାପ୍ତ ସୁବିଧା ନଥିବା, ସ୍ୱଚ୍ଛତାର ଅଭାବ, ଏହିଭଳି ଅନେକ କାରଣ ଯୋଗୁ ଆମେ ସେଥିରୁ ଇପ୍ସିତ ପରିଣାମ ପାଇ ପାରୁନଥିଲୁ । କୁପୋଷଣ ବିରୋଧୀ ସଂଗ୍ରାମରୁ ସେଭଳି ସୁଫଳ ଆମକୁ ମିଳିବାର ଥିଲା । ମୁଁ ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି, ଏହି ତଥ୍ୟଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରିତ କରି ସେଠାରେ ଅନେକ ନୂତନ ଯୋଜନା ଉପରେ କାର୍ଯ୍ୟାରମ୍ଭ କରାଯାଇଥିଲା । ଏହା ପଛରେ ଥିବା କାରଣଟି ବାସ୍ତବରେ କ’ଣ, ସମସ୍ୟା ରହୁଛି କେଉଁଠି, ଆମକୁ ଆମର ଅଭିଷ୍ଟ ସୁଫଳ ମିଳୁନାହିଁ କାହିଁକି ଏବଂ ସୁଫଳ କିଭଳି ମିଳିପାରିବ, ଏହାର ଏକ ଲମ୍ବା ଅନୁଭବ ଗୁଜରାଟରେ ମୋତେ ପ୍ରାପ୍ତ ହୋଇଥିଲା । ସେହି ସବୁ ଅନୁଭବକୁ ପାଥେୟ କରି  ୨୦୧୪ ରେ ଯେତେବେଳେ ଦେଶର ସେବା କରିବାର ସୁଯୋଗ ମୋତେ ମିଳିବାରୁ ମୁଁ ନୂତନ ଭାବେ ଏ ଦିଗରେ କିଛି ପ୍ରୟାସ ଆରମ୍ଭ କରିଥିଲି । ଆମେ ଏକ ସମନ୍ୱିତ କାର୍ଯ୍ୟପନ୍ଥାକୁ ପାଥେୟ କରି ଆଗକୁ ଅଗ୍ରସର ହୋଇଥିଲୁ, ହୋଲିଷ୍ଟିକ୍ ଆପ୍ରୋଚକୁ ନେଇ ଆଗକୁ ବଢ଼ିବାର ପ୍ରୟାସ କରାଗଲା। ଏ ଦିଗରେ ଥିବା ସମସ୍ତ ପ୍ରତିବନ୍ଧକ ସମାପ୍ତ କରି ଆମେ ଏକ ବିବିଧ-ଦିଗଆଧାରିତ ବହୁ-ପାକ୍ଷିକ ରଣନୀତି ଉପରେ କାର୍ଯ୍ୟ ଆରମ୍ଭ କଲୁ । ଗୋଟିଏ ପଟେ ଜାତୀୟ ନ୍ୟୁଟ୍ରିସନ ଅଭିଯାନ ଆରମ୍ଭ କରାଗଲା । ଅନ୍ୟ ପଟେ ପ୍ରତ୍ୟେକ କାରଣ ଉପରେ କାର୍ଯ୍ୟ ଆରମ୍ଭ ହେଲା । କୁପୋଷଣ ବୃଦ୍ଧିରେ ସହାୟକ ହେଉଥିବା ପ୍ରତ୍ୟେକ କାରଣକୁ ଏକ ସମୟରେ ପ୍ରତିରୋଧ କରିବାର ପ୍ରୟାସ କରାଗଲା । ବହୁତ ବଡ଼ ସ୍ତରରେ ପରିବାର ଏବଂ ସମାଜର ବ୍ୟବହାର ଶୈଳୀରେ ପରିବର୍ତ୍ତନ ଆଣିବା ସକାଶେ ମଧ୍ୟ କାର୍ଯ୍ୟ ଆରମ୍ଭ ହେଲା । ସ୍ୱଚ୍ଛ ଭାରତ ମିଶନ ଅଧୀନରେ ଭାରତରେ ୧୧ କୋଟିରୁ ଅଧିକ ଶୌଚାଳୟ ନିର୍ମିତ ହେଲା । ଦୂରଦୂରାନ୍ତ କ୍ଷେତ୍ରରେ ମଧ୍ୟ ଶୌଚାଳୟ ନିର୍ମିତ ହେଲା ଯେଉଁଠାରେ ସ୍ୱଚ୍ଛତା ଆସିଲା, ସେଠାରେ ଡାଇରିଆ ଭଳି ଅନେକ ରୋଗ ମାତ୍ରା ମଧ୍ୟ ହ୍ରାସ ପାଇବାକୁ ଲାଗିଲା । ସେହିଭଳି ମିଶନ୍ ଇନ୍ଦ୍ରଧନୁଷ ମାଧ୍ୟମରେ ଗର୍ଭବତୀ ମାତା ଓ ଶିଶୁଙ୍କୁ ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ କରାଯିବା ବ୍ୟବସ୍ଥାକୁ ବ୍ୟାପକ ଓ ବଢ଼ାଇ ଦିଆଗଲା। ସେଥିରେ ଭାରତରେ ହିଁ ପ୍ରସ୍ତୁତ ରୋଟାଭାଇରସ୍ ଭଳି ନୂତନ ଟୀକାକୁ ଯୋଡ଼ି ଦିଆଗଲା। ଗର୍ଭାବସ୍ଥା ଏବଂ ନବଜାତ ଶିଶୁଙ୍କ ପ୍ରଥମ ୧୦୦୦ ଦିନ ଉପରେ ଧ୍ୟାନ କେନ୍ଦ୍ରିତ କରିବା ସହ, ମା’ ଏବଂ ଶିଶୁ ଉଭୟଙ୍କ ପୁଷ୍ଟିସାଧନ ତଥା ସ୍ୱାସ୍ଥ୍ୟ ଯତ୍ନ ସକାଶେ ଏକ ବିରାଟ ଅଭିଯାନ ଆରମ୍ଭ କରାଗଲା। ଜଳ ଜୀବନ ମିଶନ ଅଧୀନରେ ଗାଁର ପ୍ରତ୍ୟେକ ଘର ପର୍ଯ୍ୟନ୍ତ ପାଇପ ଯୋଗେ ପାନୀୟ ଜଳ ପହଞ୍ଚାଇବା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଗଲା । ଆଜି ଦେଶର ଗରିବ ଭଉଣୀ, କନ୍ୟାଙ୍କୁ ୧ ଟଙ୍କାରେ ସାନିଟାରୀ ପ୍ୟାଡ଼୍ ଉପଲବ୍ଧ କରାଯାଉଛି । ଏହିସବୁ ପ୍ରୟାସଗୁଡ଼ିକର ଏକ ପରିଣାମ ମଧ୍ୟ ଦେଖିବାକୁ ମିଳିଛି ଯେ ଦେଶରେ ପ୍ରଥମ ଥର ପାଇଁ ପାଠ ପଢ଼ିବା ପାଇଁ କନ୍ୟାମାନଙ୍କ ଗ୍ରସ୍ ଏନରୋଲମେଣ୍ଟ ହାର, ବାଳକମାନଙ୍କ ଅପେକ୍ଷା ଅଧିକ ହୋଇପାରିଛି । କନ୍ୟାମାନଙ୍କ ବିବାହର ଉଚିତ ବୟସ କ’ଣ ହେବା ଉଚିତ, ଏହା ସ୍ଥିର କରିବା ନିମନ୍ତେ ଜରୁରି ଚର୍ଚ୍ଚା ଜାରି ରହିଛି । ମୋତେ ସାରା ଦେଶର ଏଭଳି ସଚେତନ କନ୍ୟାମାନଙ୍କ ତରଫରୁ ସମୟାନ୍ତରେ ଚିଠିମାନ ମିଳୁଛି ଯେ ଯଥାଶୀଘ୍ର ଏହାର ବୟସ ନିର୍ଦ୍ଧାରଣ କରାଯାଉ । କମିଟି ତାଙ୍କର ରିପୋର୍ଟ ଏପର୍ଯ୍ୟନ୍ତ କାହିଁକି ଦେଇନାହାନ୍ତି । ମୁଁ ସେହିସବୁ କନ୍ୟାମାନଙ୍କୁ ଅଶ୍ୱାସନା ଦେଉଛି ଯେ ଖୁବ୍ଶୀଘ୍ର ରିପୋର୍ଟ ଆସିବ ଏବଂ ତାହା ଉପରେ ସରକାର ନିଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।
ସାଥୀଗଣ, କୁପୋଷଣରୁ ବର୍ତ୍ତିବା ସକାଶେ ଆଉ ଗୋଟିଏ ମହତ୍ୱପୂର୍ଣ୍ଣ ଦିଗରେ ମଧ୍ୟ ସରକାର କାର୍ଯ୍ୟ କରୁଛନ୍ତି। ଏବେ ଦେଶରେ ଏଭଳି ଫସଲକୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି ଯେଉଁଥିରେ ପୁଷ୍ଟିକର ପଦାର୍ଥ- ଯେପରି ପ୍ରୋଟିନ, ଆଇରନ, ଜିଙ୍କ୍ ଇତ୍ୟାଦି ଅଧିକ ରହିଥିବ । ସାମଗ୍ରିକ ଉତ୍ପାଦନ – ମିଲେଟ୍ସ ଯଥା ମାଣ୍ଡିଆ, ଯଅ, ବାଜରା, କୋଡ଼ୋ, ଝାଂଗୋରା, ବାର୍ରି, କୋଟକୀ ଏହିସବୁ ଚାଷ ବୃଦ୍ଧି କରାଯାଉଛି ଯଦ୍ୱାରା ସେଥିରୁ ଅଧିକ ଅମଳ ମିଳିବ । ଲୋକମାନେ ଏହିସବୁ ଫସଲକୁ କିଭଳି ନିଜର ଭୋଜନରେ ସାମିଲ କରିବେ, ସେହି ଦିଗରେ ମଧ୍ୟ ଅଧିକ ପ୍ରୟାସ କରାଯାଉଛି । ମୁଁ ଆଜି ଏଫଏଓକୁ ବିଶେଷ ଧନ୍ୟବାଦ ଜଣାଉଛି ଯେ ଏହି ସଂଗଠନ ବର୍ଷ ୨୦୨୩ କୁ ଆନ୍ତର୍ଜାତିକ ମିଲେଟ ବର୍ଷ ଭାବେ ଘୋଷଣା କରିବା ନିମନ୍ତେ ଭାରତର ପ୍ରସ୍ତାବକୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ । ସାଥୀଗଣ, ଭାରତ ଯେତେବେଳେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ ପାଇଁ ପ୍ରସ୍ତାବ ରଖିଥିଲା, ସେତେବେଳେ ଏହାର ପଛରେ ସର୍ବଜନ ହିତାୟ- ସର୍ବଜନ ସୁଖାୟ ଭାବନା ଥିଲା । ଜିରୋ ବଜେଟରେ ହୋଲିଷ୍ଟିକ୍ ବାଲାନ୍ସର ମନ୍ତ୍ର ଭାରତ, ବିଶ୍ୱର ସମସ୍ତ ଦେଶ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଚାହେଁ । ୨୦୨୩ ମସିହାକୁ ଆନ୍ତର୍ଜାତିକ ମିଲେଟ ବର୍ଷ ଘୋଷଣା କରିବା ସକାଶେ ପ୍ରସ୍ତାବ ପଛରେ ଆମ ହୃଦୟରେ ସେହି ଭାବନା ରହିଛି ଏବଂ ଆମେ ସେହି ଭାବନାକୁ ନେଇ ଆସିଛୁ । ଏହାଦ୍ୱାରା କେବଳ ଭାରତ ନୁହେଁ, ବିଶ୍ୱବ୍ୟାପୀ ଦୁଇଟି ବଡ଼ ଫାଇଦା ହାସଲ କରାଯାଇପାରିବ । ପ୍ରଥମତଃ, ପୁଷ୍ଟିକର ଆହାର ପାଇଁ ପ୍ରୋତ୍ସାହନ ମିଳିପାରିବ, ତାହାର ଉପଲବ୍ଧତା ଆହୁରି ବୃଦ୍ଧି ପାଇବ ଏବଂ ଦ୍ୱିତୀୟରେ, ଦେଶରେ ଯେଉଁ ଛୋଟ ଛୋଟ କୃଷକ ଅଛନ୍ତି, ଯେଉଁମାନଙ୍କ ପାଖରେ କମ୍ ଚାଷଜମି ରହିଛି, ଜଳସେଚନର କୌଣସି ବିଶେଷ ସାଧନ ନାହିଁ, ସେମାନେ ବର୍ଷାଜଳ ଉପରେ ସମ୍ପୂର୍ଣ୍ଣ ରୂପେ ନିର୍ଭରଶୀଳ, ସେଭଳି କ୍ଷୁଦ୍ର ଚାଷୀମାନଙ୍କ ସକାଶେ ଏହା ବିଶେଷ ଉପକାରସିଦ୍ଧ ହେବ । ସେହିସବୁ କ୍ଷୁଦ୍ର ଏବଂ ମଧ୍ୟବିତ୍ତ କୃଷକମାନେ ମୁଖ୍ୟତଃ ସେମାନଙ୍କର ଚାଷଜମି ଉପରେ ବଗଡ଼ା ଖାଦ୍ୟଶସ୍ୟ ଚାଷ କରିଥାନ୍ତି । ଯେଉଁଠାରେ ଜଳସେଚନ ପାଇଁ ସମସ୍ୟା ଥାଏ ସେଠାରେ ସେମାନଙ୍କ ଜମି ପଡ଼ିଆ ରହି ଅଯୋଗ୍ୟ ହୋଇ ପଡ଼ିରହିଥାଏ । ସେଠାରେ ମଧ୍ୟ ମୋଟା ବଗଡ଼ା ଖାଦ୍ୟଶସ୍ୟ ଚାଷ କରିବା ସକାଶେ କୃଷକମାନଙ୍କୁ ଅଧିକ ପ୍ରୋତ୍ସାହନ ମିଳିପାରିବ । ଅର୍ଥାତ୍, ଆନ୍ତର୍ଜାତିକ ମିଲେଟ୍ ବର୍ଷର ପ୍ରସ୍ତାବ, ପୋଷଣ ଏବଂ କ୍ଷୁଦ୍ର ଚାଷୀମାନଙ୍କ ଆୟ, ଉଭୟଙ୍କୁ ଏବେ ଏକତ୍ର ଯୋଡ଼ି ଦିଆଯାଇଛି । ସାଥୀଗଣ, ଭାରତରେ ପୋଷଣ ଅଭିଯାନକୁ ସଶକ୍ତ କରିବା ଭଳି ଏକ ବିଶେଷ ପଦକ୍ଷେପ ଆଜି ଗ୍ରହଣ କରାଯାଇଛି । ଆଜି ଗହମ ଏବଂ ଧାନ ସହିତ ଆହୁରି ଅନେକ ଫସଲର ୧୭ ଟି ନୂଆ କିସମର ବିହନ, ଦେଶର କୃଷକମାନଙ୍କୁ ଉପଲବ୍ଧ କରାଯାଇଛି । ଆମ ଦେଶରେ ସାଧାରଣତଃ ଆମେ ଦେଖୁ ଯେ କିଛି ଫସଲର ସାମାନ୍ୟ କିସମରେ କୌଣସି ନା କୌଣସି ପ୍ରକାର ପୁଷ୍ଟିକର ପଦାର୍ଥ କିମ୍ବା ମାଇକ୍ରୋ ନ୍ୟୁଟ୍ରିଏଣ୍ଟର ଅଭାବ ରହିଯାଇଥାଏ । ଏହିସବୁ ଫସଲର ଉତ୍ତମ କିସମ, ବାୟୋ- ଫର୍ଟିଫାଏଡ଼ କିସମ, ଏହି କମିକୁ ଦୂର କରିଥାଏ । କୃଷି ଉତ୍ପାଦନର ପୌଷ୍ଟିକତା ବୃଦ୍ଧି କରିଥାଏ । ବିଗତ ବର୍ଷମାନଙ୍କରେ ଦେଶର ଏଭଳି କିସମର ବିହନ ଉପରେ ଗବେଷଣା ଓ ବିକାଶ କରାଯାଇ ସେଥିରୁ ବହୁତ ପ୍ରଶଂସନୀୟ ସୁଫଳ ମିଳିପାରିଛି ଏବଂ ଏହା ଉପରେ କାର୍ଯ୍ୟ ମଧ୍ୟ ଜାରି ରହିଛି । ସେଥିପାଇଁ କୃଷି ବିଶ୍ୱବିଦ୍ୟାଳୟ, ସମସ୍ତ ବୈଜ୍ଞାନିକ, କୃଷି ବୈଜ୍ଞାନିକ ସମସ୍ତଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ୨୦୧୪ ମସିହା ପୂର୍ବରୁ ଯେତେବେଳେ ଏଭଳି କେବଳ ଗୋଟିଏ କିସମର ବିହନ କୃଷକମାନଙ୍କ ପାଖରେ ପହଞ୍ଚି ପାରିଥିଲା, ସେ ସ୍ଥଳେ ଆଜି ଭିନ୍ନ ଭିନ୍ନ ଫସଲର ୭୦ଟି ବାୟୋ ଫର୍ଟିଫାଏଡ଼ କିସମ କୃଷକମାନଙ୍କ ନିକଟରେ ଉପଲବ୍ଧ କରାଯାଇଛି । ମୁଁ ଅତ୍ୟନ୍ତ ଖୁସି ଯେ ସେଥିମଧ୍ୟରୁ କିଛି ବାୟୋ ଫର୍ଟିଫାଏଡ଼ କିସମ, ସ୍ଥାନୀୟ ତଥା ପାରମ୍ପରିକ ଫସଲମାନଙ୍କୁ ସହାୟକ ହେବାଭଳି ଭାବେ ବିକଶିତ କରାଯାଇଛି । ସାଥୀଗଣ, ବିଗତ କିଛି ମାସ ଭିତରେ ସମଗ୍ର ବିଶ୍ୱରେ କରୋନା ସଂକଟ ସମୟରେ କ୍ଷୁଧା ଓ କୁପୋଷଣକୁ ନେଇ ଅନେକ ପ୍ରକାର ଚର୍ଚ୍ଚା ଜାରି ରହିଛି । ବଡ଼ରୁ ବଡ଼ ବିଶେଷଜ୍ଞମାନେ ସେମାନଙ୍କର ନିଜର ଚିନ୍ତାଧାରା ବ୍ୟକ୍ତ କରୁଛନ୍ତି ଯେ କ’ଣ ହେବ, କେମିତି ହେବ? ଏହିସବୁ ଚିନ୍ତା ଭିତରେ, ଭାରତ ବିଗତ ୭-୮ ମାସ ଭିତରେ ଦେଶର ପାଖାପାଖି ୮୦ କୋଟି ଗରିବ ଲୋକଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଉପଲବ୍ଧ କରାଇ ଆସୁଛି । ଏହି ସମୟରେ ଭାରତ ପାଖାପାଖି ଦେଢ଼ ଲକ୍ଷ କୋଟି ଟଙ୍କାର ଖାଦ୍ୟାନ୍ନ ଗରିବ ଲୋକମାନଙ୍କୁ ମାଗଣାରେ ବଣ୍ଟନ କରିଛି । ମୋର ସ୍ମରଣ ଅଛି ଯେ ଏହି ଅଭିଯାନ ଆରମ୍ଭ ସମୟରେ ଚାଉଳ ହେଉ ଅବା ଗହମ ସହିତ ଡାଲି ମଧ୍ୟ ମାଗଣାରେ ଉପଲବ୍ଧ କରାଯିବା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା । ଗରିବମାନଙ୍କ ଖାଦ୍ୟ ସୁରକ୍ଷା ପ୍ରତି ଏହା ହେଉଛି ଆଜିର ଭାରତର ପ୍ରତିବଦ୍ଧତା । ଅନ୍ତରାଷ୍ଟ୍ରୀୟସ୍ତରରେ ଏହା ଉପରେ କମ ଚର୍ଚ୍ଚା ହେଉଥାଇପାରେ, କିନ୍ତୁ ଆଜି ଭାରତ ନିଜର ଯେତିକି ନାଗରିକଙ୍କୁ ମାଗଣାରେ ଖାଦ୍ୟାନ୍ନ ଯୋଗାଉଛି ତାହା ସମଗ୍ର ୟୁରୋପୀୟ ସଂଘ ଏବଂ ଆମେରିକାର ମୋଟ ଜନସଂଖ୍ୟା ଠାରୁ ମଧ୍ୟ ଅଧିକ । କିନ୍ତୁ କେତେ ଥର ଆମେ ଦୈନନ୍ଦିନ ଜୀବନରେ ଗୋଟିଏ ବଡ଼ ଧାରା ହରାଇ ବସିଥାଉ । ଖାଦ୍ୟ ନିରାପତ୍ତାକୁ ନେଇ ଭାରତ ଯାହା କରିଛି ସେ ଦିଗରେ ଏହା ହେଉଛି ବାସ୍ତବ କାର୍ଯ୍ୟକ୍ରମ । ମୋର ମଧ୍ୟ ଏଠାରେ କିଛି ପ୍ରଶ୍ନ ପଚାରିବାର ଅଛି, ଯାହା ଉପରେ ଆମର ଯେଉଁ ଅନ୍ତରାଷ୍ଟ୍ରୀୟ ବିଶେଷଜ୍ଞମାନେ ଅଛନ୍ତି, ସେମାନଙ୍କର ହୃଦବୋଧ ହୋଇପାରିବ ଯେ ଭାରତ ଏହି ଦିଗରେ କ’ଣ ଉପଲବ୍ଧି ପ୍ରାପ୍ତ କରିପାରିଛି । ଆପଣମାନେ ଜାଣନ୍ତି ଯେ ୨୦୧୪ ମସିହା ପର୍ଯ୍ୟନ୍ତ କେବଳ ଦେଶର ୧୧ ଟି ରାଜ୍ୟରେ ଖାଦ୍ୟ ନିରାପତ୍ତା ଆଇନ ଲାଗୁ କରାଯାଇପାରିଥିଲା ଏବଂ ଏହା ପରେ ହିଁ ଏହା ସମଗ୍ର ଦେଶରେ ପ୍ରଭାବୀ ଢ଼ଙ୍ଗରେ ଲାଗୁ ହୋଇପାରିଛି । ଆପଣମାନେ କ’ଣ ଏକଥା ଜାଣନ୍ତି ଯେ କରୋନା କାରଣରୁ ଯେଉଁଠି ସମଗ୍ର ବିଶ୍ୱ ସଂଘର୍ଷ କରୁଛି, ସେଠାରେ ଭାରତର କୃଷକମାନେ ଏଥର ବିଗତ ବର୍ଷର ଉତ୍ପାଦନର ରେକର୍ଡ଼କୁ ମଧ୍ୟ ଭଙ୍ଗ କରିଛନ୍ତି । ଆପଣମାନେ ଏ ବିଷୟରେ ହୁଏତ’ ଅବଗତ ଥିବେ ଯେ ସରକାର ଗହମ, ଧାନ ଏବଂ ଡ଼ାଲି ଆଦି ସମସ୍ତ ପ୍ରକାର ଖାଦ୍ୟାନ୍ନର କ୍ରୟରେ ନିଜର ଅତୀତର ସମସ୍ତ ରେକର୍ଡ଼କୁ ଭଙ୍ଗ କରିଛନ୍ତି। ଏକଥା କ’ଣ ଆପଣମାନଙ୍କୁ ଜଣା ଯେ ବିଗତ ୬ ମାସ ଅବଧି ତୁଳନାରେ ଅତ୍ୟାବଶ୍ୟକ କୃଷି ସାମଗ୍ରୀ ରପ୍ତାନୀରେ ୪୦ ପ୍ରତିଶତ ଅଧିକ ବୃଦ୍ଧି ଘଟିଛି ? ଆପଣମାନେ କ’ଣ ଏକଥା ଜାଣନ୍ତି ଯେ ଦେଶର ୨୮ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ଭଳି “ୱାନ ନେସନ, ୱାନ ରାସନ୍ କାର୍ଡ଼” ବ୍ୟବସ୍ଥା ଲାଗୁ ହୋଇ ସାରିଛି?
ସାଥୀଗଣ, ଆଜି ଭାରତରେ ନିରନ୍ତର ସଂସ୍କାର ପ୍ରକ୍ରିୟା ଜାରି ରହିଛି ଯାହା ବିଶ୍ୱ ଖାଦ୍ୟ ନିରାପତ୍ତା ପ୍ରତି ଭାରତର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରିଥାଏ । କୃଷି ଏବଂ କୃଷକଙ୍କୁ ସଶକ୍ତ କରିବା ଠାରୁ ନେଇ ଭାରତର ସାଧାରଣ ବଣ୍ଟନ ବ୍ୟବସ୍ଥା ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ କ୍ଷେତ୍ରରେ ସଂସ୍କାର ପ୍ରକ୍ରିୟା ଘଟି ଚାଲିଛି । ନିକଟରେ ଯେଉଁ ତିନୋଟି ବିରାଟ କୃଷି ସଂସ୍କାର ପଦକ୍ଷେପ ଗ୍ରହଣ କରାଯାଇଛି, ସେସବୁ ଦେଶର କୃଷି କ୍ଷେତ୍ରକୁ ବିସ୍ତାରିତ କରିବାରେ, କୃଷକମାନଙ୍କ ଉପାର୍ଜନ ବୃଦ୍ଧି ଘଟାଇବାରେ ଢ଼େର୍ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ସାଥୀଗଣ, ଆମର ଏଠାରେ ଏପିଏମସିର ଏକ ବ୍ୟବସ୍ଥା ବର୍ଷ ବର୍ଷ ଧରି ପ୍ରଚଳିତ ରହିଆସିଛି ଯାହାର ନିଜସ୍ୱ ଏକ ପରିଚୟ ରହିଛି । ଏହାର ମଧ୍ୟ ଏକ ନିଜସ୍ୱ ଶକ୍ତି ରହିଛି । ବିଗତ 6 ବର୍ଷ ଭିତରେ ଦେଶର ଏହି କୃଷି ମଣ୍ଡିମାନଙ୍କରେ ଉତ୍ତମ ସମ୍ବଳ ପ୍ରସ୍ତୁତ କରିବା ସକାଶେ ଅଢ଼େଇ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥରାଶି ନିବେଶ କରାଯାଇସାରିଛି । ଏହିସବୁ ମଣ୍ଡିମାନଙ୍କରେ ଆଇଟି ସମ୍ବଳ ପ୍ରସ୍ତୁତ କରିବା ନିମନ୍ତେ ମଧ୍ୟ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହିସବୁ ମଣ୍ଡିମାନଙ୍କୁ ଇ-ନାମ୍ ଅର୍ଥାତ୍ ଜାତୀୟ କୃଷି ମାର୍କେଟ ସହିତ ଯୋଡ଼ା ଯାଉଛି । ଏପିଏମସି ଆଇନ ରେ ଯେଉଁ ସଂଶୋଧନ କରାଯାଇଛି, ଏହାର ଲକ୍ଷ୍ୟ ହେଲ ଏହି ଏପସଏମସିକୁ ଅଧିକ ପ୍ରତିଦ୍ୱନ୍ଦ୍ୱୀ କରିବା । କୃଷକମାନଙ୍କ ପାଇଁ ଉପାର୍ଜନ ବୃଦ୍ଧି ପାଇଁ ଦେଢ଼ଗୁଣା ଅଧିକ ଏମଏସପି ଭାବେ କିଭଳି ମିଳିପାରିବ, ସେଥି ପାଇଁ ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ସାଥୀଗଣ, ଏମଏସପି ଏବଂ ସରକାରୀ କ୍ରୟ, ଦେଶର ଖାଦ୍ୟ ସୁରକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ସେଥିପାଇଁ ଏହାର ବୈଜ୍ଞାନିକ ପଦ୍ଧତିରେ ଉତ୍ତମରୁ ଉତ୍ତମ ବ୍ୟବସ୍ଥା ସହିତ ଦୃଢ଼ରୁ ଦୃଢ଼ତର ପ୍ରବନ୍ଧନ ମଧ୍ୟ କରାଯାଉଛି ଏବଂ ଏହା ଆଗକୁ ମଧ୍ୟ ଜାରି ରହିବ । କାରଣ ଏହାର ଢ଼େର୍ ଆବଶ୍ୟକତା ରହିଛି ଏବଂ ଆମେ ସେଥିପାଇଁ ମଧ୍ୟ ପ୍ରତିବଦ୍ଧ । ନୂତନ ବିକଳ୍ପମାନ ମଧ୍ୟ ଆବଶ୍ୟକ କାରଣ ତାହା ଦେଶର କ୍ଷୁଦ୍ର କୃଷକମାନଙ୍କୁ ମଣ୍ଡି ପର୍ଯ୍ୟନ୍ତ ପହଞ୍ଚାଇବାରେ ସହାୟକ ହେବ । ସେମାନେ ମଣ୍ଡି ପର୍ଯ୍ୟନ୍ତ ପହଞ୍ଚି ପାରୁନଥିବା କାରଣରୁ ପୂର୍ବରୁ ବାଧ୍ୟ ହୋଇ ମୁନାଫାଖୋର ବେପାରୀମାନଙ୍କୁ ସେମାନଙ୍କର କୃଷି ଉତ୍ପାଦ ବିକ୍ରି କରୁଥିଲେ । ଏବେ ବଜାର ଆମେ ଛୋଟ ଛୋଟ କୃଷକମାନଙ୍କ ଦ୍ୱାରମୁହଁ ପର୍ଯ୍ୟନ୍ତ ପହଞ୍ଚିବ । ଏହା ଦ୍ୱାରା କୃଷକମାନଙ୍କୁ ଅଧିକ ଦାମ୍ ମିଳିବ, ତାହା ସହିତ ଦଲାଲମାନେ ହଟିଯିବେ । ଏହା ଫଳରେ କୃଷକମାନଙ୍କୁ ମଧ୍ୟ ଶାନ୍ତି ମିଳିବ ଏବଂ ଅସମାନେ ସାଧାରଣ କ୍ରେତାମାନଙ୍କୁ ବି ସେମାନଙ୍କର ଉତ୍ପାଦ ବିକ୍ରି କରିପାରିବେ । ଉପଭୋକ୍ତାମାନଙ୍କୁ ମଧ୍ୟ ଏହାଦ୍ୱାରା ଲାଭ ହେବ । କେବଳ ସେତିକି ନୁହେଁ ଆମର ଯୁବଗୋଷ୍ଠୀ, ସେମାନେ ଏବେ ଷ୍ଟାର୍ଟ ଅପ୍ ଭାବେ କୃଷକମାନଙ୍କ ପାଇଁ ଆଧୁନିକ ବ୍ୟବସ୍ଥା ପ୍ରସ୍ତୁତ କରିପାରିବେ, ସେଥିପାଇଁ ମଧ୍ୟ ନୂଆ ନୂଆ ମାର୍ଗମାନ ଖୋଲିପାରିବ ।
ସାଥୀଗଣ, ଛୋଟ ଛୋଟ କୃଷକମାନଙ୍କୁ ଅଧିକ ସାମର୍ଥ୍ୟ ପ୍ରଦାନ କରିବା ନିମନ୍ତେ, କୃଷକ ଉତ୍ପାଦକ ସଂଗଠନ ଅର୍ଥାତ୍ ଏଫପିଓମାନଙ୍କର ଏକ ବଡ଼ ନେଟୱର୍କ ସାରା ଦେଶରେ ପ୍ରସ୍ତୁତ କରାଯାଉଛି । ଦେଶରେ ୧୦ ହଜାର ଏଭଳି କୃଷି ଉତ୍ପାଦକ ସଂଘ ଗଠନ କରିବା ନିମନ୍ତେ ଖୁବ୍ ଜୋରସୋରରେ କାର୍ଯ୍ୟ ଜାରି ରହିଛି । ଛୋଟ ଛୋଟ କୃଷକମାନଙ୍କ ପକ୍ଷରୁ ସଂଗଠନ ମଧ୍ୟ ବିପଣନ ସହିତ ମୂଲ୍ୟ ନିର୍ଦ୍ଧାରଣ କରିପାରିବ । ଏହିସବୁ ଏଫପିଓମାନେ, ଛୋଟ ଛୋଟ କୃଷକମାନଙ୍କ ଜୀବନକୁ ଏଭଳି ଭାବେ ବଦଳାଇବାରେ ସହାୟକ ହେବେ, ଯେପରି ଦୁଗ୍ଧ କିମ୍ବା ଚିନି କ୍ଷେତ୍ରରେ ସମବାୟ ଆନ୍ଦୋଳନ ଦ୍ୱାରା ଗ୍ରାମମାନଙ୍କରେ ମହିଳାମାନେ ସ୍ୱୟଂ ସହାୟକ ଆନ୍ଦୋଳନ ମାଧ୍ୟମରେ ସାର୍ଥକ ପରିବର୍ତ୍ତନ ଆଣିବାକୁ ସକ୍ଷମ ହୋଇପାରିଛନ୍ତି । ସାଥୀଗଣ, ଭାରତରେ ଖାଦ୍ୟଶସ୍ୟର ନଷ୍ଟ ସଦାବେଳେ ବହୁତ ବଡ଼ ସମସ୍ୟା ହୋଇ ରହି ଆସିଛି । ଏବେ ଯେତେବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ କରାଯାଇଛି, ସେଥିରେ ସ୍ଥିତିରେ ସୁଧାର ଆସିବ । ଏବେ ଗ୍ରାମାଞ୍ଚଳରେ ଉନ୍ମତ ଭିତ୍ତିଭୂମି ନିର୍ମାଣ କରିବା ସକାଶେ ସରକାରଙ୍କ ସହିତ ଅନ୍ୟମାନଙ୍କୁ ମଧ୍ୟ ଅଧିକ ସୁଯୋଗ ମିଳିପାରିବ । ସେଥିରେ ମଧ୍ୟ ଆମର ଏଫପିଓମାନଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇପାରିବ । ସରକାର ନିକଟରେ 1 ଲକ୍ଷ କୋଟି ଟଙ୍କାର ଭିତ୍ତିଭୂମି ପାଣ୍ଠିର ଶୁଭାରମ୍ଭ କରିଛନ୍ତି । ଏହି ପାଣ୍ଠି ଦ୍ୱାରା ଏଫପିଓମାନେ ମଧ୍ୟ ଗାଁମାନଙ୍କରୁ ଯୋଗାଣ ଚେନ୍ ଏବଂ ଭାଲ୍ୟୁ ଆଡ଼ିସନ କ୍ଷମତା ପ୍ରସ୍ତୁତ କରିପାରୁଛନ୍ତି ।
ସାଥୀଗଣ, ଯେଉଁ ତୃତୀୟ ଆଇନଟି ପ୍ରସ୍ତୁତ କରାଯାଇଛି, ତାହା ହେଉଛି କୃଷକମାନଙ୍କ ଫସଲର ଦାମରେ ହେଉଥିବା ହ୍ରାସ ବୃଦ୍ଧିକୁ ସୁରକ୍ଷା ପ୍ରଦାନ କରିବା ଏବଂ କ୍ଷେତ୍ରରେ ନୂତନ ପ୍ରଯୁକ୍ତିର ପ୍ରୟୋଗକୁ ପ୍ରୋତ୍ସାହନ ପ୍ରଦାନ । ଏହା ଅଧୀନରେ କୃଷକମାନଙ୍କୁ ଅଧିକ ବିକଳ୍ପ ପ୍ରଦାନ ସହିତ ଏହି ଆଇନ ମାଧ୍ୟମରେ ସଂରକ୍ଷଣ ଦେବା କାର୍ଯ୍ୟ ମଧ୍ୟ ସମ୍ପାଦନ କରାଯାଇପାରିବ । କୃଷକମାନେ କୌଣସି ଘରୋଇ ଏଜେନ୍ସି କିମ୍ବା ଉଦ୍ୟୋଗ ସହିତ ବୁଝାମଣା କଲେ ରୁଆ କାର୍ଯ୍ୟ ପୂର୍ବରୁ ହିଁ ଉତ୍ପାଦର ମୂଲ୍ୟ ନିର୍ଦ୍ଧାରଣ ହୋଇଯିବ। ସେଥିପାଇଁ ବିହନ, ସାର, ମେସିନାରୀ, ସବୁକିଛି ବୁଝାମଣା କରୁଥିବା ସଂସ୍ଥା ହିଁ ଯୋଗାଇଦେବ।
ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା। ଯଦି କୃଷକ କୌଣସି କାରଣରୁ ଏହି ବୁଝାମଣାରୁ ଓହରି ଯିବାକୁ ଚାହେଁ, ତା’ହେଲେ ତାକୁ କୌଣସି ପ୍ରକାର ଜୋରିମାନା ଦେବାକୁ ପଡ଼ିବନାହିଁ । କିନ୍ତୁ ଯଦି କୃଷକମାନଙ୍କ ସହିତ ବୁଝାମଣା କରିଥିବା ସଂସ୍ଥା ରାଜିନାମା ଭଙ୍ଗ କରିବାକୁ ଚାହେଁ, ତେବେ ତାକୁ ଜୋରିମାନା ଭରିବାକୁ ପଡ଼ିବ। ଆମମାନଙ୍କୁ ଏକଥା ମଧ୍ୟ ଧ୍ୟାନ ରଖିବାକୁ ହେବ ଯେ ବୁଝାମଣା କେବଳ ଉତ୍ପାଦନ ଉପରେ ହିଁ ହେବ। କୃଷକର ଜମି ଉପରେ କୌଣସି ପ୍ରକାର ସଂକଟ ଆସିବାକୁ ଦିଆଯିବ ନାହିଁ । ଅର୍ଥାତ୍, କୃଷକକୁ ସମସ୍ତ ପ୍ରକାର ସୁରକ୍ଷା ଏହି ସଂସ୍କାର ମାଧ୍ୟମରେ ସୁନିଶ୍ଚିତ କରାଯାଇଛି । ଯେତେବେଳେ ଭାରତର କୃଷକମାନେ ସଶକ୍ତ ହେବେ, ସେମାନଙ୍କର ଆୟ ବଢ଼ିବ, ସେତେବେଳେ କୁପୋଷଣ ବିରୋଧରେ ଅଭିଯାନ ଜାରି ରଖିବା ନିମନ୍ତେ ମଧ୍ୟ ସେମାନଙ୍କୁ ବଳ ମିଳିପାରିବ । ମୋର ବିଶ୍ୱାସ ଯେ ଭାରତ ଏବଂ ଏଫଏଓ ମଧ୍ୟରେ ବୃଦ୍ଧି ପାଉଥିବା ତାଳମେଳ, ଏହି ଅଭିଯାନକୁ ଆହୁରି ଗତିଶୀଳ କରିବ ।
ମୁଁ ପୁଣି ଥରେ ଆପଣମାନଙ୍କୁ ସମସ୍ତଙ୍କୁ, ଏଫଏଓକୁ ଏହାର ୭୫ ତମ ବର୍ଷପୂର୍ତ୍ତି ଅବସରରେ ବହୁତ ବହୁତ ଶୁଭକାମନା ଦେଉଛି । ଆପଣଙ୍କ ପ୍ରଗତି ହେଉ ଏବଂ ବିଶ୍ୱର ଦରିଦ୍ରରୁ ଦରିଦ୍ରତମ ଦେଶ, ବିଶ୍ୱର ଗରିବରୁ ଗରିବତମ ଲୋକ ଯେଉଁ ନିତିନିନିଆ ଦୈନ୍ୟ ଭିତରେ, ସଂକଟ ଭିତରେ ଜୀବନ ଅତିବାହିତ କରୁଛନ୍ତି, ସେମାନଙ୍କୁ ସେଥିରୁ ମୁକ୍ତି ମିଳୁ । ଏହି କାମନାର ସହିତ ସଂପୂର୍ଣ୍ଣ ଶକ୍ତି ସହିତ ବିଶ୍ୱ ସମୁଦାୟର ସହିତ କାମ କରିବାର ଆମର ସଂକଳ୍ପକୁ ମଧ୍ୟ ମୁଁ ଦୋହରାଉଛି । ପୁଣି ଥରେ ଆପଣମାନଙ୍କ ଅନେକ ଅନେକ ଶୁଭକାମନା । ବହୁତ ବହୁତ ଧନ୍ୟବାଦ ।

Share

Leave a Reply

Your email address will not be published. Required fields are marked *

Latest News
   କେ.ନୂଆଗାଁ ଥାନା ସମ୍ମୁଖରେ ଦଳୀୟ କର୍ମୀଙ୍କ ଧାରଣା ମଦ ଜବତ ; ଜେଲ ଗଲେ ୪ ଅଭିଯୁକ୍ତ ୱାରେଣ୍ଟିଙ୍କୁ କୋର୍ଟ ଚାଲାଣ କରୋନା ସଂକ୍ରମଣରେ ଅଙ୍ଗନୱାଡ଼ି କର୍ମୀଙ୍କ ମୃତ୍ୟୁ ବୁଗୁଡା ପାଞ୍ଚାୟତ ସମିତିର ନବମ ସାଧାରଣ ବୈଠକ
error: Content is protected !!