‘କ୍ୟାଚ୍ ଖସିଲା, ମ୍ୟାଚ୍ ବି ଗଲା’ ଧାୱନ ଧମାକାରେ ଚେନ୍ନାଇ ଚିତ୍

ଭୁବନେଶ୍ୱର,(ୱାଇଏନ୍ଏସ୍): ‘କ୍ୟାଚ୍ ଖସିଲା, ମ୍ୟାଚ୍ ବି ଗଲା’। ଆଇପିଏଲ୍‌ର ପୂର୍ବ ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ ପାଇଁ ଏକଥା ପୂରା ଲାଗୁ ହେଉଛି। ଶନିବାର ଏହି ଦଳ ଆଶ୍ଚର୍ଯ୍ୟଜନକ ଭାବେ ତିନିଟି ସହଜ କ୍ୟାଚ୍ ହାତଛଡ଼ା କରିବା ସହ ଚାରିଟି ଜୀବନ ଦାନ ଦେଇଥିଲା ବିସ୍ଫୋରକ ଶିଖର ଧାୱନଙ୍କୁ। ଏହାର ସଂପୂର୍ଣ୍ଣ ଫାଇଦା ଉଠାଇ ଗବ୍ବର (ସାଙ୍ଗ ସାଥୀ ମହଲରେ ଧାୱନ ଗବ୍ବର ଭାବେ ପରିଚିତ) ସାରଜା ପଡ଼ିଆରେ ଗୁରୁ ଗର୍ଜନ କରିଥିଲେ। ୧୪ ଚୌକା ଓ ଗୋଟିଏ ଛକା ବଳରେ ପ୍ରଥମ ଟି-୨୦ ଶତକ ପୂରଣ କରି ନେଇଥିଲେ। ଆ‌ଉ ତାଙ୍କ ଭାଗ୍ୟଶାଳୀ ହେଲେ ଧୂଆଁଧାର ଶତକ ବଳରେ ଚେନ୍ନାଇକୁ ୫ ୱିକେଟ୍‌ରେ ଚିତ୍ କରି ପୁଣି ଥରେ ପଏଣ୍ଟ୍‌ ତାଲିକାର ଏକ ନମ୍ବର ସ୍ଥାନ ଅଧିକାର କରି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଧାୱନଙ୍କ ଶତକ ଦିଲ୍ଲୀ ପଶ୍ଚାତଧାବନର ମେରୁଦଣ୍ଡ ଥିଲା। ହେଲେ ଶେଷ ଓଭରରେ ତିନିଟି ଛକା ମାରି ଅଲରାଉଣ୍ଡର ଅକ୍ଷର ପଟେଲ ଦିଲ୍ଲୀର ଉତ୍କଣ୍ଠାପୂର୍ଣ୍ଣ ବିଜୟରେ ମୁଣ୍ଡି ମାରିଥିଲେ। ରବୀନ୍ଦ୍ର ଜାଦେଜାଙ୍କ ଶେଷ ଓଭରରୁ ବିଜୟ ପାଇଁ ଦିଲ୍ଲୀକୁ ୧୭ ରନ୍‌ର ଦରକାର ଥିଲା। ଅକ୍ଷର ଦ୍ବିତୀୟ, ତୃତୀୟ ଓ ପଞ୍ଚମ ବଲ୍‌କୁ ଛକା ମରି ଗୋଟିଏ ବଲ୍ ପୂର୍ବରୁ ଦିଲ୍ଲୀକୁ ସପ୍ତମ ବିଜୟ ଉପହାର ଦେଇଥିଲେ। ସେହିଭଳି ଚଳିତ ଋତୁରେ ଚେନ୍ନାଇ ବିପକ୍ଷରେ ଦିଲ୍ଲୀ ଦ୍ବିତୀୟ ବିଜୟ ହାସଲ କରିଥିଲା। ଅନ୍ୟପକ୍ଷରେ ଚମକହୀନ ଚେନ୍ନାଇ ଷଷ୍ଠ ପରାଜୟ ବରଣ କରିଥିଲା। ୧୮୦ ରନ୍‌ର ଲକ୍ଷ୍ୟ ନେଇ ଖେଳିଥିବା ଦିଲ୍ଲୀ ଖାତା ଖୋଲିବା ପୂର୍ବରୁ ପୃଥ୍ବୀ ସ’ଙ୍କୁ ହରାଇଥିଲା। ଅଜିଙ୍କ୍ୟ ରାହାଣେ ବି ପୁନର୍ବାର ନିରାଶ କରିଥିଲେ। ଅଧିନାୟକ ଶ୍ରେୟସ୍ ଆୟର (୨୩) ଓ ମାର୍କସ ଷ୍ଟୋଇନିସ୍ (୨୪) ଭଲ ଆରମ୍ଭକୁ ବଡ଼ ସ୍କୋରରେ ରୂପାନ୍ତର କରି ପାରି ନଥିଲେ। ଆଲେକ୍ସ କେରି (୪) କମାଲ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଥିଲେ। ତେବେ ଧାୱନଙ୍କ ଧମାକାଦାର ଶତକ ଏବଂ ଅକ୍ଷରଙ୍କ ୫ ବଲ୍ ୨୧* ଦିଲ୍ଲୀ ବିଜୟ ପାଇଁ ପର୍ଯ୍ୟାପ୍ତ ହୋଇଥିଲା। ଧାୱନ ତାଙ୍କ ଶତକୀୟ ପାଳି ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ପୁରସ୍କାର ଲାଭ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ