ସ୍ୱର୍ଗତ ଗୋବିନ୍ଦ ତାରାଇଙ୍କ ପାଇଁ ସ୍ମୃତି ସଭା

ପାରାଦୀପ,(ପିତବାସ ପ୍ରଧାନ): ପୂର୍ବ ଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘ ପକ୍ଷରୁ କୁଜଙ୍ଗ ପାରାଦୀପ ଅଞ୍ଚଳର ଲୋକପ୍ରିୟ କୈବର୍ତ୍ତ ନେତା ତଥା ପାରାଦୀପ ପୌରପାଳିକାର ପ୍ରାକ୍ତନ ଅଧ୍ୟକ୍ଷ ବରିଷ୍ଠ ବିଜେଡି ନେତା ସ୍ୱର୍ଗତ ଗୋବିନ୍ଦ ଚନ୍ଦ୍ର ତରାଇଙ୍କର ଏକାଦଶ ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ସହ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଆତ୍ମା ସଦଗତିର କାମନା କରି ତିଳ ତର୍ପଣ, ଦେବ ମନ୍ଦିର ରେ ଧୂପ ଦୀପ ସହ ପୂଜାର୍ଚ୍ଚନା, ଅଠରବାଙ୍କୀ ଓ କୁଜଙ୍ଗ ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ରୋଗୀ ମାନଙ୍କୁ ଫଳ ବଣ୍ଟନ, ବାଲିଝରା ସ୍ଥିତ ଜରା ନିବାସର ଅନ୍ତେବାସୀ ମାନଙ୍କୁ ଖାଦ୍ୟ ଓ ଫଳ ବଣ୍ଟନ ଓ ଦରିଦ୍ର ନାରାୟଣ ସେଵା କରାଯାଇଥିଲା । ଶ୍ରମିକ ସଂଘ କାର୍ଯ୍ୟାଳୟ ପରିସରରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ଆୟୋଜିତ ସ୍ମୃତି ସଭାରେ ସଂଘର ସଭାପତି ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ସାଧାରଣ ସମ୍ପାଦକ ଶ୍ରୀ ରଞ୍ଜନ କୁମାର ପଲାଇ ସ୍ୱାଗତ ଭାଷଣ ପ୍ରଦାନ ସହିତ  ସ୍ୱର୍ଗତ ତାରାଇଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ତାଙ୍କ ସ୍ମୃତି ଚାରଣ କରି ପୂର୍ଵ ଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘ ପ୍ରତି ତାଙ୍କର ଅବଦାନ ଅତୁଳନୀୟ ବୋଲି କହିଥିଲେ । ଶ୍ରୀ ପଟ୍ଟନାୟକ ସ୍ୱର୍ଗତ ତାରାଇଙ୍କର ସ୍ମୃତିକୁ ମନେ ପକାଇ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କର ସରଳ ଅକପଟ ବ୍ୟବହାର ଓ ନିଃସ୍ୱାର୍ଥ ସେବା ସ୍ମରଣୀୟ ରହିବ ବୋଲି ମତ ଦେଇଥିଲେ । ଅନ୍ୟ ମାନଙ୍କୁ ମଧ୍ୟରେ ଶ୍ରୀ ଚିନ୍ମୟ ଦାସ, ମିହିର କାନ୍ତ ସାହୁ, ଅଭିରାମ ସାମଲ ଅଶୋକ ନାଥ ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ