ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ବାହ୍ୟ ମହାକାଶର ବ୍ୟବହାର ଓ ଗବେଷଣା ନେଇ ଭାରତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଶାନ୍ତିପୂର୍ଣ୍ଣ ଉପଯୋଗ ପାଇଁ ବାହ୍ୟ ଆନ୍ତରୀକ୍ଷର ବ୍ୟବହାର ଓ ଗବେଷଣା ସଂକ୍ରାନ୍ତରେ ଭାରତ-ନାଇଜେରିଆ ମଧ୍ୟରେ ସ୍ଵାକ୍ଷରିତ ବୁଝାମଣାପତ୍ର ନେଇ ସବିଶେଷ ଅବଗତ କରାଯାଇଥିଲା । ଏହି ବୁଝାମଣା ଚଳିତ ବର୍ଷ ଜୁନ ମାସରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ବେଙ୍ଗାଲୁରଠାରେ ଓ ଜାତୀୟ ଅନ୍ତରୀକ୍ଷ ଗବେଷଣା ଓ ବିକାଶ ସଂସ୍ଥା (ଏନଏଏସଆରଡିଏ) ନାଇଜେରିଆର ଆବୁଜାଠାରେ ଚଳିତ ବର୍ଷ ଅଗଷ୍ଟ ୧୩ରେ ସ୍ଵାକ୍ଷରିତ ହୋଇଥିଲା । ଏହି ବୁଝାମଣାପତ୍ର ଯୋଗୁଁ ପୃଥିବୀର ଦୂରସମ୍ବେଦୀ, ଉପଗ୍ରହ ଯୋଗାଯୋଗ ଏବଂ ଉପଗ୍ରହ ଭିତ୍ତିକ ଦିଗନିର୍ଣ୍ଣୟ, ମହାକାଶ ବିଜ୍ଞାନ ଓ ଗ୍ରହ ନକ୍ଷତ୍ର ସମ୍ପର୍କରେ ଗବେଷଣା, ମହାକାଶଯାନର ବ୍ୟବହାର ଓ ଉତକ୍ଷେପଣ ଓ ମହାକାଶ ପ୍ରଯୁକ୍ତିବିଦ୍ୟା ସଂକ୍ରାନ୍ତ ଆବଶ୍ୟକୀୟ ବିଶ୍ଳେଷଣ ବା ଦୁଇ ଦେଶର ସହମତିରେ ନିଷ୍ପତ୍ତି ହେଉଥିବା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇପାରିବ । ଏହି ବୁଝାମଣା ପତ୍ର ଯୋଗୁଁ ଏକ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯିବ, ଯେଉଁଥିରେ କି ଭାରତର ଇସ୍ରୋ ଏବଂ ନାଇଜେରିଆର ଏନଏଏସଆରଡିଏ ଏବଂ ଅନ୍ତରୀକ୍ଷ ବିଭାଗର ଅଧିକାରୀ ମାନେ ସଦସ୍ୟ ରହିବେ । ସେମାନେ ସମୟଭିତ୍ତିକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେବେ । ଏହି ବୁଝାମଣାପତ୍ର ସ୍ଵାକ୍ଷରିତ ହେବା ଯୋଗୁଁ ଇସ୍ରୋ ଏବଂ ନାଇଜେରିଆର ଏନଏଏସଆରଡିଏର କାର୍ଯ୍ୟକାରୀ ସଦସ୍ୟମାନେ ସମୟଭିତ୍ତିକ ଯୋଜନା ପ୍ରସ୍ତୁତ କରିବେ । ଏହି ବୁଝାମଣାପତ୍ର ସ୍ଵାକ୍ଷର ହେବା ଫଳରେ ପୃଥିବୀର ଦୂରସମ୍ବେଦୀ କ୍ଷେତ୍ରରେ ଗବେଷଣା ପାଇଁ କଣ କଣ ଆବଶ୍ୟକ, ଉପଗ୍ରହ ଯୋଗାଯୋଗ ଓ ଦିଗ ନିର୍ଣ୍ଣୟ, ମହାକାଶ ବିଜ୍ଞାନ ଓ ବାହ୍ୟ ଅନ୍ତରୀକ୍ଷ ସମ୍ପର୍କରେ ଅଧିକ ଗବେଷଣା ସମ୍ଭବ ହେବ ।
ବୁଝାମଣା ପତ୍ର ସ୍ଵାକ୍ଷରକାରୀ ଦୁଇଦେଶ ଏହି କାର୍ଯ୍ୟକ୍ରମକୁ ସହମତି ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । କାର୍ଯ୍ୟକ୍ରମ ଅନୁଯାୟୀ ଉଭୟ ଦେଶ ପାରସ୍ପରିକ ଆଲୋଚନା ମାଧ୍ୟମରେ ବ୍ୟୟଭାର ସମ୍ପର୍କରେ ନିଷ୍ପତ୍ତି ନେବେ । ସ୍ଵାକ୍ଷର କାରୀ ଦୁଇଦେଶ ସେମାନଙ୍କ ଆଇନ ଓ ଅନ୍ୟାନ୍ୟ ନିୟମକୁ ଭିତ୍ତିକରି ବ୍ୟୟ ଆବଣ୍ଟନ ସଂକ୍ରାନ୍ତ ଚୁଡାନ୍ତ ନିଷ୍ପତ୍ତି ଗ୍ରହଣ କରିବେ । ନାଇଜେରିଆ ସରକାରଙ୍କ ସହ ଏହି ବୁଝାମଣା ପତ୍ର ସ୍ଵାକ୍ଷରିତ ହେବା ଫଳରେ ଉଭୟ ଦେଶ ମହାକାଶ ବୈଷୟିକ ଜ୍ଞାନର ପ୍ରୟୋଗାତ୍ମକ ଦିଗ ଉପରେ ଯେଉଁ ଗବେଷଣା କରିବେ ତାହା ସମଗ୍ର ମାନବ ଜାତିର ହିତରେ ଆସିବ । ଏହାଦ୍ଵାରା ଦେଶର ସବୁ ଅଞ୍ଚଳ ଓ ବର୍ଗର ଲୋକ ଉପକୃତ ହେବେ । ବିଗତ ଏକ ଦଶନ୍ଧି ଧରି ମହାକାଶ ସହଯୋଗ ପାଇଁ ଉଭୟ ଦେଶ ଚେଷ୍ଟା କରିଆସୁଥିଲେ । ନାଇଜେରିଆ ସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କ ପଦକ୍ଷେପ ଫଳରେ ନାଇଜେରିଆ ସରକାରଙ୍କୁ ଏସଂକ୍ରାନ୍ତ ଚିଠା ପ୍ରସ୍ତାବ ବହିର୍ବ୍ୟାପାର ବିଭାଗ ଜରିଆରେ ଦିଆଯାଇଥିଲା । ଉଭୟ ଦେଶର କୂଟନୈତିକ ଆଲୋଚନା ପରେ ଏହାର ଚୁଡାନ୍ତ ଚିଠା ପ୍ରସ୍ତୁତ ହୋଇଥିଲା । ମାତ୍ର ଦୁଇ ଦେଶର ପ୍ରତିନିଧି ମାନଙ୍କ ଗସ୍ତ ୨୦୧୯ ଓ ୨୦୨୦ ରେ ରଦ୍ଦ ହେବା ତଥା କୋଭିଡ ବୈଶ୍ଵିକ ମହାମାରୀର ଆଗମନ ଯୋଗୁଁ ବୁଝାମଣା ପତ୍ର ସ୍ଵାକ୍ଷରିତ ପ୍ରକ୍ରିୟା ବିଳମ୍ଭିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ