ଖଣି କମ୍ପାନୀ ଦ୍ୱାରା ହୋଇଥିବା ଆଦିବାସୀଙ୍କ ଜବରଦଖଲ ଜମି ମାମଲା; ଖଣି କମ୍ପାନୀକୁ ମିଳିଲା ଶକ୍ତ ଚାପୁଡା, ବିଜୟୀ ହେଲେ ଜମିହରା

ଯୋଡା, (ସମୀର କୁମାର ଦାସ): କେନ୍ଦୁଝର ଜିଲ୍ଲା ଯୋଡା ଖଣି ମଣ୍ଡଳ ତଥା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ବସନ୍ତପୁର ଗ୍ରାମପନ୍‌ଚାୟତର ନଇବୁଗା ଠାରେ ଥିବା ତାରିଣି ପ୍ରସାଦ ମାହାନ୍ତି (ପିପି ମହାନ୍ତି) ଖଣି କମ୍ପାନୀ ଜବର ଦଖଲ କରିଥିବା ଆଦିବାସୀ ଜମିକୁ ଚମ୍ପୁଆ ଉପ-ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜମି ଚିହ୍ନଟ କରାଯାଇଛି । ବୁଧବାର ପ୍ରାୟ ୧୦ ଘଟିକା ସମୟରେ ଝୁମ୍ପୁରା ଅତିରିକ୍ତ ତହସିଲଦାର କ୍ରେସନସିୟା ତିର୍କି, ମଲଦା ରାଜସ୍ୱ ନିରୀକ୍ଷିକା ସୋନାଲି ସେଠୀ, ବାମେବାରୀ ପୋଲିସ୍ ଫୋର୍ସ ସହ ଖଣି ସଂଲଗ୍ନ ନଇବୁଗା ଗ୍ରାମରେ କମ୍ପାନୀ ଦ୍ୱାରା ଜବରଦଖଲ କରାଯାଇଥିବା ଆଦିବାସୀ ଜମିକୁ ଚିହ୍ନଟ କରିଥିଲେ । ଡୁବୁନା ଗ୍ରାମର ଜମି ମାଲିକ ରାଇମଣି ଚାମ୍ପିଆଙ୍କ ନଇବୁଗା ଠାରେ ଥିବା ଜବର ଦଖଲ ଜମି ଖାତା ନଂ- ୧୪, ପ୍ଲୋଟ ନଂ-୨୬୯ ରେ ଥିବା ୧୦ ଡେସିମିଲ ଜମି, କୋଟୁପାଲି ଗ୍ରାମର ବନ ମୁଣ୍ଡାଙ୍କ ଖାତା ନଂ- ୧୦୫, ପ୍ଲୋଟ ନଂ ୧୫୭, ୧୦ ଡେସିମିଲ, ୨୭୬ ପ୍ଲୋଟ ନଂ-୧୦ ଡେସିମିଲ ଓ ପ୍ଲୋଟ ନଂ-୨୭୯ ର ୧୦ ଡେସିମିଲ ଜମି ଏବଂ ଦୁବୁନା ଗ୍ରାମର ମହିଳା ସୋମବାରୀ ମୁଣ୍ଡାଙ୍କ ନଇବୁଗା ଠାରେ ଥିବା ଖାତା ନଂ-୮, ପ୍ଲୋଟ ନଂ- ୧୯/୧୪୩୪ ର ୬ ଡେସିମିଲ ଜମି କୁ ନିକଟସ୍ଥ ତାରିଣି ପ୍ରସାଦ ମହାନ୍ତି ଖଣି ଜବରଦଖଲ କରି ଦୀର୍ଘ ଚାରି ବର୍ଷରୁ ଉର୍ଦ୍ଧ୍ୱ ହେବ ନିଜସ୍ୱ ଖଣି ବ୍ୟବହାରରେ ଲଗାଉଥିଲା । ଜମି ହରାଙ୍କୁ କୌଣସି କ୍ଷତିପୁରଣ ନଦେଇ ଜୋର୍ ଜବରଦଖଲ କରି ଖଣି କମ୍ପାନୀ ନିଜର ଖଣିଜ ପରିବହନ କାର୍ଯ୍ୟ କରି ଆସୁଥିବା ଜମି ମାଲିକ ବନ ମୁଣ୍ଡା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଏହା ସହିତ ଉକ୍ତ ଜମିରେ ବଳ ପୂର୍ବକ ରାସ୍ତା ନିର୍ମାଣ କରି ପରିବହନ କାର୍ଯ୍ୟ କରୁଥିଲେ ହେଁ, ଶହ ଶହ ଟ୍ରକ୍‌, ଡମ୍ପର ଚଳାଚଳ କରୁଥିଲା । ଏନେଇ କମ୍ପାନୀ କର୍ତୃପକ୍ଷଙ୍କୁ ଜମିହରା ତଥା ଗ୍ରାମବାସୀ ମାନେ ଅଭିଯୋଗ କରୁଥିଲେ ମଧ୍ୟ କମ୍ପାନୀ ସେମାନଙ୍କ ଗୁହାରିକୁ ହେୟ ଜ୍ଞାନ କରୁଥିଲା । କମ୍ପାନୀର ଏହି ଜବରଦଖଲ ଜମି ସଂକ୍ରାନ୍ତରେ ଜମିହରା ମାନେ ଚମ୍ପୁଆ ଉପ-ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ । ଚମ୍ପୁଆ ଉପ-ଜିଲ୍ଲାପାଳ ଏହି ମାମଲାର ଶୁଣାଣି କରି ଜମିହରାଙ୍କ ସପକ୍ଷରେ ରାୟ ଦେଇଥିଲେ ଏବଂ ଗତ ତା-୧୬/୧୦/୨୦୨୦ ରିଖରେ ଝୁମ୍ପୁରା ଅତିରିକ୍ତ ତହସିଲଦାର, ମଲଦା ରାଜସ୍ୱ ନିରୀକ୍ଷକ ଏବଂ ରାଜସ୍ୱ ପର୍ଯ୍ୟବେକ୍ଷକଙ୍କୁ ଚିଠି ନଂ ଯଥାକ୍ରମେ- ୧୯୪୫, ୧୯୪୮ ଓ ୧୯୫୧ ରେ ଖଣି କମ୍ପାନୀ ଦ୍ୱାରା ଜବରଦଖଲ ହୋଇଥିବା ଉକ୍ତ ଜମିକୁ ଚିହ୍ନଟ କରି ଜମିହରାଙ୍କୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ । ବୁଧବାର ଏହି ଜମି ଚିହ୍ନଟ ପ୍ରକ୍ରିୟା ବେଳେ ଜମି ହରାଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହିଥିଲେ । ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହେବାପରେ ଉକ୍ତ ଜମିକୁ ଗ୍ରାମବାସୀ ମାନେ ନିଜ ଅକ୍ତିଆରକୁ ନେଇ ମେସିନ ଯୋଗେ ଖୋଳି ସେଠାରେ ଗଛ ଲଗାଇ ଦେଇଥିଲେ । ଏହି ଖୋଳିବା ସମୟରେ ଖଣି କମ୍ପାନୀ ବ୍ୟବହାର କରୁଥିବା ପରିବହନ ରାସ୍ତାଟି ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହେବାପରେ ଆଦିବାସୀଙ୍କର ଜମି ଜଣାପଡିବା ପରେ ଉକ୍ତ ଜମିକୁ ମେସିନ ଲଗାଇ ଖୋଳିବା ସମୟରେ ପ୍ରଥମେ ବାମେବାରି ପୋଲିସ୍ ମନା କରିଥିଲା ମାତ୍ର ଗ୍ରାମବାସୀ ମାନେ ନିଜ ଜମିକୁ ନିଜ ଅକ୍ତିଆରକୁ ନେବା କୌଣସି ବେଆଇନ କାର୍ଯ୍ୟ ନୁହେଁ ବୋଲି ଯୁକ୍ତି ବାଢିି ପୋଲିସ୍‌ର ଉପସ୍ଥିତିରେ ଉକ୍ତ ରାସ୍ତାକୁ ଖୋଳି ଖଣି ରାସ୍ତାକୁ ବନ୍ଦ କରିଦେଇଥିଲେ । ଏ ସମ୍ପର୍କରେ ଝୁମ୍ପୁରା ଅତିରିକ୍ତ ତହସିଲଦାର କ୍ରେସନସିୟା ତିର୍କି ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ଚମ୍ପୁଆ ଉପ-ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଜବରଦଖଲ ଜମିକୁ ଚିହ୍ନଟ କରାଯାଇଛି ଏବଂ ଏହାର ସବିଶେଷ ତଥ୍ୟ ତାଙ୍କର ଉପରିସ୍ତ ଅଧିକାରୀଙ୍କୁ ରିପୋର୍ଟ ଦେବେ ବୋଲି କହିଥିଲେ । ଜମି ଚିହ୍ନଟ ପ୍ରକ୍ରିୟା ବେଳେ ସେଠାରେ ଉପସ୍ଥିତ ଥିବା ଟି.ପି ମହାନ୍ତି କମ୍ପାନୀର ସର୍ଭେୟର ଅବନି କୁମାର ସ୍ୱାଇଁ ଙ୍କୁ ପଚାରିବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ପରିବହନ ରାସ୍ତାର ଜମିପାଇଁ କମ୍ପାନୀ ଅନୁମତି ନେଇଛି । ଏ ନେଇ ଟି.ପି. ମହାନ୍ତି ଖଣିର ଲିଜ୍ ଧାରୀ ତାରିଣି ପ୍ରସାଦ ମହାନ୍ତି କହିଥିଲେ ଯେ, ଆଦିବାସୀଙ୍କର ଜମିକୁ କୌଣସି ପ୍ରକାର ଜବରଦଖଲ କରାଯାଇନାହିଁ । ଏହି ରାସ୍ତା ତିରିଶ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଜନସାଧାରଣ ବ୍ୟବହାର କରିଆସୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ