ଉପନିର୍ବାଚନରେ ମତଦାନ ପାଇଁ ସରକାରୀ କର୍ମଚାରୀଙ୍କୁ ଛୁଟି

ବାଲେଶ୍ୱର, (ଓ୍ବାଇଏନ୍ଏସ୍):ଉପନିର୍ବାଚନରେ ମତଦାନ କରିବାକୁ ଚାହୁଁଥିବା ସରକାରୀ କର୍ମଚାରୀଙ୍କୁ ଛୁଟି ପ୍ରଦାନ ପାଇଁ ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଅନୁମତି ପ୍ରଦାନ କରିଛନ୍ତି । ସରକାରୀ କର୍ମଚାରୀ ଯେଉଁମାନେ ନିଜ ରହଣୀ ସ୍ଥାନ (ହେଡକ୍ୱାର୍ଟର)ରୁ ଦୂରରେ ମତଦାନ କରିବା ଦରକାର ହେଉଛି, ସେମାନଙ୍କୁ ପୂର୍ବ ନିର୍ବାଚନମାନଙ୍କରେ ସର୍ବାଧିକ ଦୁଇଦିନ ଛୁଟି (ସ୍ୱତନ୍ତ୍ର କାଜୁଆଲ ଲିଭ) ମଞ୍ଜୁର କରାଯାଇଥିଲା । ଚଳିତ ଉପନିର୍ବାଚନରେ ମଧ୍ୟ ଅନୁରୂପ ସୁବିଧା ପ୍ରଦାନ କରାଯିବା ନେଇ ନିଷ୍ପତି ହୋଇଛି । ଉପନିର୍ବାଚନ ପାଇଁ ଭୋଟଗ୍ରହଣ ଦିନକୁ ସମ୍ପୃକ୍ତ ବିଧାନସଭା ନିର୍ବାଚନମଣ୍ଡଳୀ କ୍ଷେତ୍ରରେ ଛୁଟି ଘୋଷଣା କରାଯିବାକୁ ଥିବା ବେଳେ ସରକାରୀ କର୍ମଚାରୀ ଯିଏ କି ନିଜ ପୁଲିଂ ବୁଥରୁ ଦୂରରେ ଅବସ୍ଥାପିତ ହୋଇଛନ୍ତି କିନ୍ତୁ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରେ ରହିଛନ୍ତି ତାଙ୍କୁ ମତଦାନ ପାଇଁ ପୁଲିଂ ବୁଥ ନିକଟକୁ ଯାତ୍ରା କରିବାକୁ ପଡିବ । ସେହିଭଳି କର୍ମଚାରୀ ଯେଉଁମାନେ ନଭେମ୍ବର ୩ ତାରିଖ ଦିନ ମତଦାନ କରିବେ ସେମାନଙ୍କୁ ଗୋଟିଏ ଦିନ ସ୍ୱତନ୍ତ୍ର ଛୁଟି (ମତଦାନର ପୂର୍ବଦିନ) ମଞ୍ଜୁର କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଯେଉଁ କର୍ମଚାରୀ ନିଜ ରହଣୀ ସ୍ଥାନ(ହେଡକ୍ୱାର୍ଟର)ରୁ ଦୂରରେ ଥିବା ପୁଲିଂ ବୁଥରେ ମତଦାନ କରିବାକୁ ଚାହୁଁଛନ୍ତି, କିନ୍ତୁ ଭୋଟଗ୍ରହଣ ସେମାନେ ଛୁଟି ପାଇପାରୁ ନାହିଁନ୍ତି, କାରଣ ସେମାନେ ରହୁଥିବା ନିର୍ବାଚନମଣ୍ଡଳୀରେ ସେହିଦିନ ନିର୍ବାଚନ ଅନୁଷ୍ଠିତ ହେଉନାହିଁ, ସେ କ୍ଷେତ୍ରରେ ସେହି କର୍ମଚାରୀମାନଙ୍କୁ ଆଉ ଗୋଟିଏ ଦିନ ଅଧିକା ଛୁଟି ମଞ୍ଜୁର କରାଯାଇପାରିବ । ମଞ୍ଜୁର ହୋଇଥିବା ଛୁଟି “ସ୍ୱତନ୍ତ୍ର କାଜୁଆଲ ଲିଭ” ଭାବେ ଗଣନା କରାଯିବ ଯାହା କି ଗୋଟିଏ ବର୍ଷରେ ସରକାରୀ କର୍ମଚାରୀଙ୍କୁ ସାଧାରଣତଃ ମିଳୁଥିବା ୧୫ଟି କାଜୁଆଲ ଲିଭ ମଧ୍ୟରେ ଗଣନା କରାଯିବ ନାହିଁ । ଛୁଟି ପାଇଁ କର୍ମଚାରୀଙ୍କ ଲିଖିତ ଆବେଦନକୁ ହିଁ ସେହି କର୍ମଚାରୀଙ୍କ ନାମ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀର ଭୋଟର ଭାବେ ପଞ୍ଜୀକରଣ ହୋଇଅଛି ବୋଲି ଧରିନିଆଯିବ । କର୍ମଚାରୀ ଯେତେବେଳେ ନିଜ ଅଫିସ୍ କାର୍ଯ୍ୟ ଛାଡି ମତଦାନ ପାଇଁ ଯିବେ, ସେତେବେଳେ ଅଫିସର ଦୈନନ୍ଦିନ କାର୍ଯ୍ୟଧାରାରେ ଯେପରି ବିଶେଷ ବାଧା ନ ଆସେ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯିବ । ଏ କ୍ଷେତ୍ରରେ କାର୍ଯ୍ୟାଳୟର ମୁଖ୍ୟ ନିଷ୍ପତି ଗ୍ରହଣ କରିବେ ।ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶାନୁସାରେ ବିଭିନ୍ନ ବିଭାଗୀୟ ଏବଂ ଉପବିଭାଗୀୟ କାର୍ଯ୍ୟାଳୟକୁ ମଧ୍ୟ ସୂଚନା ପ୍ରଦାନ କରାଯାଇଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ