ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରଚାର ଆରମ୍ଭ ଚାହା ଖଟ୍ଟୀରେ

ବାଲେଶ୍ଵର, (ଓ୍ବାଇଏନ୍ଏସ୍):ଭୁବନେଶ୍ୱର ସଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ବାଲେଶ୍ଵରକୁ ତାଙ୍କର ଦ୍ଵିତୀୟ ଗସ୍ତର ପ୍ରଥମ ଦିନରେ ପ୍ରଚାର କାର୍ଯ୍ୟର ଆରମ୍ଭ ଚାହା ଖଟ୍ଟୀରେ ଆରମ୍ଭ କରିଥିଲେ l ସ୍ଥାନୀୟ ସିନେମା ଛକ, ଫକୀରମୋହନ ଗୋଲେଇ ଓ ଷ୍ଟେସନ ଛକ ଚାହା ଖଟ୍ଟୀ ମାନଙ୍କରେ ଶ୍ରୀମତୀ ଷଡ଼ଙ୍ଗୀ ଲୋକଙ୍କ ସହିତ ଆଞ୍ଚଳିକ ସମସ୍ୟା ବିଷୟରେ ଆଲୋଚନା କରିଥିଲେ l ସହରରେ କୌଣସି ଭେଣ୍ଡିଙ୍ଗ ଜୋନ ନଥିବାରୁ ଉଠା ଦୋକାନୀମାନଙ୍କ ଆର୍ଥିକ ଉନ୍ନତି ହେଉନଥିବାର କହିଥିଲେ l ତା’ସହିତ ପୌରପାଳିକାର ଅପାରଗତା ପାଇଁ ବାଲେଶ୍ୱର ଏକ ପୁତି ଗନ୍ଧମୟ ସହରରେ ପରିଣତ ହୋଇଛି ବୋଲି ସେ କହିଛନ୍ତି l ସହରରେ ସଫେଇ କାର୍ଯ୍ୟ ଠିକ ଭାବେ ହେଉ ନଥିବାରୁ ଅନେକ ସ୍ଥାନରେ ଅଳିଆ ଆବର୍ଜନା ଗଦା ହୋଇ ରହୁଛି, ଏଥିପାଇଁ ସେ ପ୍ରଶାସନର ଦୂରଦୃଷ୍ଟିହୀନତାକୁ ଦାୟୀ କରିଛନ୍ତି ।ଏହାପରେ ସ୍ଥାନୀୟ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସହ ସେ ଯୌଥ ଭାବେ ପ୍ରଚାର ଅଭିଯାନରେ ଯୋଗଦେଇଥିଲେ । ସଂଯୁକ୍ତ ଭାବେ ବାଲେଶ୍ବର ନଗରୀର ମିର୍ଜା ପୋଖରୀ ଓ ଗୋପାଳ ଗାଁରେ ଘରକୁ ଘର ବୁଲି ଦଳୀୟ ପ୍ରାଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ତାପରେ ବାହାବଳପୁରରେ ପଦଯାତ୍ରା ଓ ଜନସଭା ଉପରାନ୍ତେ ପଂଚୁପଡା ଠାରେ ରୋଡ଼ ଶୋ ଓ ପବ୍ଲିକ କମ୍ପେନମାନଙ୍କରେ ଭୋଟରଙ୍କୁ ଉଦ୍ବୋଧନ ଦେଇଛନ୍ତି l ଶ୍ରୀମତୀ ଷଡଙ୍ଗୀଙ୍କୁ ଶୁଣିବା ପାଇଁ ଲୋକଙ୍କ ମନରେ ପ୍ରବଳ ଉତ୍ସହ ପରିଲକ୍ଷିତ ହୋଇଥିଲା lଏହି ଜନସଭା ଗୁଡିକରେ ଉଦ୍ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଥିଲେ ଯେ ବାଲେଶ୍ୱର ଜିଲ୍ଲାର ୮୮.୮୧ ପ୍ରତିଶତ ଶିଶୁ ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଇଥାନ୍ତି l ବାଲେଶ୍ୱର ଜିଲ୍ଲା ଭଳି ଶିକ୍ଷିତ ଏବଂ ସଂସ୍କୃତି ସମ୍ପନ୍ନ ଅଂଚଳର ନାମ ଲେଖା ଅନୁପାତ ଭଦ୍ରକ, ଯାଜପୁର , କେନ୍ଦ୍ରାପଡା , କଟକ, ଜଗତସିଂହପୁର, ପୁରୀ, ନୟାଗଡ଼ , ବଡ଼ଗଡ଼, ସମ୍ବଲପୁର, ସୋନପୁର ଓ ଝାରସୁଗୁଡାଠାରୁ ମଧ୍ୟ କମ । ଏ’ପରିକି ଯେ ନାମ ଲେଖାଇଥିବା ଶିଶୁଙ୍କ ମଧ୍ୟରୁ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ୨.୮୩ ପ୍ରତିଶତ ଶିଶୁ ଅଧାରୁ ପାଠପଢା ଛାଡି ଦିଅନ୍ତି l ଅଧାରୁ ପାଠପଢା ଛାଡିବା କ୍ଷେତ୍ରରେ ବାଲେଶ୍ୱର ଜିଲ୍ଲାରେ ଭଦ୍ରକ, ଖୋର୍ଦ୍ଧା , ନୟାଗଡ଼, ବୌଦ୍ଧ, ସୋନପୁର , ନୂଆପଡ଼ାଠାରୁ ମଧ୍ୟ ଖରାପ ସ୍ଥିତିରେ ଥିବାର ପ୍ରକାଶ କରି ଶ୍ରୀ ଷଡ଼ଙ୍ଗୀ ଏଥି ସକାଶେ ବିଜେଡି ସରକାର ମଧ୍ୟାନ୍ନ ଭୋଜନ ଓ ଅଙ୍ଗନବାଡି କାର୍ଯ୍ୟକ୍ରମ ସତ୍ୱେ ବାଲେଶ୍ୱରରେ ପ୍ରାଥମିକ ଶିକ୍ଷା ବ୍ୟବସ୍ତା କାହିଁକି ଏତେ ଦୟନୀୟ ବୋଲି ସେ ପ୍ରଶ୍ନ କରିଛନ୍ତି।ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟ ଅନୁରୂପ ଭାବେ ରାଜ୍ୟ ସରକାରଙ୍କୁ ଆକ୍ରମଣ କରି ଜିଲ୍ଲାର ଦୟନୀୟ ସ୍ବାସ୍ଥ୍ୟ, ପରିମଳ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ଆର୍ଥିକ ଦୁର୍ନୀତି ପ୍ରସଙ୍ଗ ଉତ୍ଥାପନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ