କନ୍ଧମାଳରେ ପୁଲିସ-ମାଓବାଦୀ ଗୁଳି ବିନିମୟ ଜାରି

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା ବାଇବାଲି ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଦୁଇ ଦିନ ହେଲା ଗୁଳି ବିନିମୟ ଚାଲିଛି । ଅଳ୍ପ ସଂଖ୍ୟକ ମାଓବାଦୀ ଥିଲେ ବି ସେମାନେ ଲଢେଇ ଜାରି ରଖିଛନ୍ତି । ଶୁକ୍ରବାର ରାତି ଭଳି ଶନିବାର ବି ଗୁଳି ଶବ୍ଦ ସ୍ଥାନୀୟ ଅଞ୍ଚଳବାସୀ ଶୁଣିଥିବା କହିଛନ୍ତି । ମାଓବାଦୀ ପଛକୁ ହଟୁ ନଥିବା ବେଳେ ପୁଲିସ ପକ୍ଷରୁ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ଗାଡି ମଟର ଯାଞ୍ଚ ହେବା ସହ ଅଜଣା ଅପରିଚିତ ଲୋକଙ୍କୁ ପଚରାଉଚରା କରୁଛି ପୁଲିସ । ଦୁଇ ଦିନ ହେଲା ଗୁଳି ବିନିମୟ ଜାରି ରହିଥିବା ବେଳେ ଏହାକୁ ନେଇ ଇନ୍ଦ୍ରଗଡ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । ଅପରସେନ ଚଳାଇଥିବା ଟିମ ଫେରି ନ ଥିବାରୁ ଗୁଳି ବିନିମୟରେ ମୃତାହତ ସମ୍ପର୍କରେ ସୂଚନା ମିଳି ପାରି ନାହିଁ । ଟିମ ଫେରିବା ପରେ ସୂଚନା ମିଳିବ ବୋଲି କନ୍ଧମାଳ ଏସପି ବିନୀତ ଅଗ୍ରୱାଲ କହିଛନ୍ତି । ଗତ ଜୁଲାଇ ମାସରୁ କନ୍ଧମାଳରେ ମାଓବାଦୀ ରକ୍ତ ମୁଖା ହୋଇ ପଡିଛନ୍ତି । ମଝିରେ ମଝିରେ ପୋଷ୍ଟର ଓ ବ୍ୟାନର ମାରି ଉପସ୍ଥିତି ଜାହିର କରୁଛନ୍ତି ତ ଆଉ କେତେ ବେଳେ ନିରୀହ ଲୋକଙ୍କୁ ପୋଲିସ ଇନଫରମର କହି ଟାର୍ଗେଟ କରୁଛନ୍ତି । କିଛି ପାଇଲେ ଠିକାଦାର କ୍ୟାମ୍ପକୁ ଉଡାଇ ଦେବାକୁ ଯୋଜନା ଚଳାଇଛନ୍ତି । ଗତ ଜୁଲାଇ ମାସରେ ପୁଲିସ ଗୁଳିରେ ୭ ଜଣ ଓ ଗତ ମାସ ୯ ତାରିଖରେ ୫ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି । ଏଥିରେ କିଛି ମାଓବାଦୀ ବି ଆହତ ହୋଇଥିଲେ। ତା’ଠୁ ରକ୍ତମୁଖା ହୋଇ ମାଓବାଦୀ ଜଙ୍ଗଲରେ ବୁଲୁ ଥିବା ବେଳେ ବଡଧରଣର ହିଂସା ଘଟାଇବାକୁ ସୁଯୋଗ ଖୋଜି ବୁଲୁଛନ୍ତି । ଗତ ୧୬ ତାରିଖରେ ବାଲିଗୁଡା ଥାନା ପୋଖରୀବନ୍ଧ ଓ ତୁମୁଡିବନ୍ଧ ଥାନା ବୁଢାନଇ ଜଙ୍ଗଲରେ ମାଓବାଦୀ ହିଂସା ଘଟାଇବାକୁ ମେଳି କରୁଥିବା ବେଳେ ପୁଲିସ ତାକୁ ଭଣ୍ଡୁର କରି ଦେଇଥିଲା । ଛତ୍ରଭଙ୍ଗ ଦେଇ ମାଓବାଦୀ ପଳାଇ ଯାଇଥିବା ବେଳେ ପୁଲିସ ବନ୍ଧୁକ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଜିନିଷ ସାମଗ୍ରୀ ଠାବ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ