କନ୍ଧମାଳ ଜିଲାରେ ଆରମ୍ଭ ହେଲା ଗଞ୍ଜେଇ କଟା ଅଭିଯାନ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଶୀତ ଆରମ୍ଭ ହେବା ମାତ୍ରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କନ୍ଧମାଳ ଜିଲାରେ ଆରମ୍ଭ ହୋଇଯାଇଛି | ଗଞ୍ଜେଇ କଟା ଅଭିଯାନ । ଶନିବାର ପ୍ରଥମ ଦିନରେ ହିଁ ଫିରିଙ୍ଗିଆ ବ୍ଳକର ଗୋଛାପଡ଼ା ଥାନା ଅନ୍ତର୍ଗତ ସଲାଗୁଡା ପଞ୍ଚାୟତର ବିଭିନ୍ନ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଲଗାଯାଇଥିବା ବେଆଇନ ଗଞ୍ଜେଇ ଗଛକୁ ଗୋଛାପଡା ଥାନା ପୋଲିସ ସମେତ ଜିଲା ଅବକାରୀ ବିଭାଗର ମିଳିତ ଅଭିଯାନରେ ନଷ୍ଟ କରାଯାଇଛି । ଫିରିଙ୍ଗିଆ ତହସିଲ୍‍ଦାର ତଥା ମାଜିଷ୍ଟ୍ରେଟ, ପୁନମ ରାଉତଙ୍କ ଉପସ୍ଥିତିରେ ଫୁଲବାଣୀ ଏସଡିପିଓ ମହେନ୍ଦ୍ର କୁମାର ମୁର୍ମୁଙ୍କ ନେତୃତ୍ୱରେ ଗୋଛାପଡା ଥାନା ଅଧିକାରୀ ତୃପ୍ତିରଞ୍ଜନ ନାୟକ,ଏସଆଇ ଦୀପ୍ତିରଞ୍ଜନ ଓଝା ଏବଂ ୨ ପ୍ଳାଟୁନ୍‍ ପୁଲିସ୍‍ ଫୋର୍ସ ସହିତ ଅବକାରୀ ବିଭାଗର କର୍ମଚାରୀ ଓ ଅନ୍ୟମାନଙ୍କ ମିଳିତ ଚଢାଉରେ ସଲାଗୁଡା ପଞ୍ଚାୟତର ନେଡିପଦର,କୁମ୍ଭାରଖୋଲ,ଗାଡିପଦର ଏବଂ ପାତିନାଲା ଆଦି ଅଞ୍ଚଳର ଜଙ୍ଗଲରେ କରାଯାଇଥିବା ବେଆଇନ ଗଞ୍ଜେଇ ଗଛ ସବୁ କାଟିବା ସହିତ ସେଠାରେ ସେଗୁଡିକ ନଷ୍ଟ କରାଯାଇଛି । ଆଜି ଏହି ଅଭିଯାନରେ ମୋଟ ୧୩୫ ଏକର ଅଞ୍ଚଳରେ ହୋଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧ କୋଟି ୩୫ ଲକ୍ଷ ଟଙ୍କା ହେବ ବୋଲି ଗୋଛାପଡ଼ା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଏହି ସବୁ ଗଞ୍ଜେଇ ଚାଷ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ହୋଇଥିବା ନେଇ ଫୁଲବାଣୀ ଏସଡିପିଓ ଶ୍ରୀ ମୁର୍ମୁ ପ୍ରକାଶ କରିଛନ୍ତି । ଏହି ସଂକ୍ରନ୍ତରେ ଗୋଛାପଡା ଥାନାରେ କେସ ନଂ ୭୬ା୨୦ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲିଥିବା ବେଳେ ଆଜି ଏହି ଚଢାଉରେ କାହାରିକୁ ମଧ୍ୟ ଗିରଫ କରାଯାଇନଥିବା ପ୍ରକାଶ । ଆଜିଠାରୁ ଏହି ଅଭିଯାନ ଆଗାମି ଦିନରେ ମଧ୍ୟ ଚାଲୁ ରହିବା ସହିତ ଉଭୟ ଫିରିଙ୍ଗିଆ ଓ ଗୋଛାପଡ଼ା ଥାନା ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷକୁ ସଂପୂର୍ଣ୍ଣଭାବେ ନଷ୍ଟ କରିବା ପାଇଁ ପଦକ୍ଷେପ ନିଆଯାଇଥିବା ପୁଲିସ୍‍ ପ୍ରଶାସନ ସୂତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ