ବିଜେପୁର ସହ ଦୁଇ ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ: ହରିଆନା ଓ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ଆଜି ବିଗୁଲ ବାଜିଛି । ଦେଶର ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଆଜି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଅକ୍ଟୋବର ୨୧ ତାରିଖରେ ଏହି ଦୁଇ ରାଜ୍ୟରେ ଭୋଟ୍ ଗ୍ରହଣ ହେବ ଓ ୨୪ ତାରିଖରେ ଭୋଟ୍ ଗଣତି ହେବ । ଏହା ସହିତ ଏହି ଦୁଇ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହାଇଯାଇଛି । ସୂଚନାଯୋଗ୍ୟ, ନଭେମ୍ବର ୨ରେ ହରିଆନା ଏବଂ ନଭେମ୍ବର ୯ରେ ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ ଶେଷ ହେଉଛି । ଏହି ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ସହିତ ଅନ୍ୟ ରାଜ୍ୟଗୁଡ଼ିକରେ ୬୪ଟି ବିଧାନସଭା ଆସନ ପାଇଁ ଅକ୍ଟୋବର ୨୧ ତାରିଖରେ ଉପ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । ଆଉ ଏହି କ୍ରମରେ ଓଡ଼ିଶାର ବରଗଡ଼ ଲୋକସଭା ଆସନ ଅନ୍ତର୍ଗତ ବିଜେପୁର ବିଧାନସଭା ଆସନରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ ।୨୦୧୯ ସାଧାରଣ ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମର ହିଞ୍ଜିଳି ସହିତ ବରଗଡ଼ର ବିଜେପୁର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ଉଭୟ ଆସନରୁ ଜିତିବା ପରେ ସେ ବିଜେପୁର ଆସନ ଛାଡ଼ି ଦେଇଥିଲେ । ବିଜେଡି ଏଥିର ପୂର୍ବତନ ବିଧାୟକ ରୀତା ସାହୁଙ୍କୁ ଏଠାରୁ ପ୍ରାର୍ଥୀ କରିବ । ମୁଖ୍ୟ ନିର୍ବାଚନ କମିଶନ୍ଙ୍କ ସୂଚନା ଅନୁଯାୟୀ, ବିଜେପୁର ଉପ-ନିର୍ବାଚନ ପାଇଁ ସେପ୍ଟେମ୍ବର ୨୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେପ୍ଟେମ୍ବର ୩୦ ତାରିଖ ପ୍ରାର୍ଥିପତ୍ର ଦାଖଲ କରିବାର ଶେଷ ତାରିଖ ହେବ । ଅକ୍ଟାବର ୧ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ଅକ୍ଟୋବର ୩ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ହେବ । ୨୧ରେ ଭୋଟ୍ ହେବ ଓ ୨୪ ତାରିଖରେ ଭୋଟ୍ ଗଣତି ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ