4 ଗୋଟି ମା ଛେଉଣ୍ଡ ଶିଶୁଙ୍କର ଦାୟିତ୍ୱ ନେଲା ଜିଲ୍ଲା ପ୍ରଶାସନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଶିକୁଳିପଦ ପଞ୍ଚାୟତର ଭାଲିଆଗଣି ଗ୍ରାମରେ ଗତ 2 ଦିନ ତଳେ ପାରିବାରିକ କଳହ ଯୋଗୁଁ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଙ୍କୁ ନିର୍ମମ ଭାବେ ପଥରରେ ଛେଚି ହତ୍ୟା କରିବା ପରେ ମୋହନା ପୋଲିସ ଦ୍ୱାରା ଗିରଫ ହୋଇଥିଲେ I ଉକ୍ତ ପରିବାରର 4 ଟି ଶିଶୁ ଯଥା ବୟସ 6, 4, 2 ଓ 5 ମାସ ବର୍ତମାନ ଏକ ପ୍ରକାରେ ମାତୃ ପିତୃ ହୀନ ହୋଇ ନିରାଶ୍ରୟ ଅବସ୍ଥାରେ ଥିଲେ I ଏପରିକି ଶିଶୁମାନଙ୍କର ମାମୁଁ, ମାଇଁ ଓ ମାଉସୀ ଥିଲେ ବି ଶିଶୁମାନଂକର ଦାୟିତ୍ୱ ନେବାଲାଗି କେହି ରାଜି ନଥିଲେ I ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଉକ୍ତ ଶିଶୁମାନଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ନେତୃତ୍ୱରେ ଜିଲ୍ଲା ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ସାମାଜିକ କର୍ମୀ ସୁବାସିତ ପାଣି, ଏଏନଏମ ସରିତା ନାୟକ, ଆୟା ସଂଗୀତ ନାୟକ ଉକ୍ତ ଗ୍ରାମକୁ ଯାଇ ଶିଶୁମାନଙ୍କୁ ଉଦ୍ଧାର କରି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିକୁ ଫେରିଛନ୍ତି I ବର୍ତମାନ ଶିଶୁମାନେ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର, ନିସାନରେ ଯତ୍ନ ଓ ସୁରକ୍ଷାର ସହ ରହୁଥିବାବେଳେ ଆସନ୍ତା ଦିନରେ ଶିଶୁମାନଙ୍କୁ ଶିଶୁମଙ୍ଗଳ ସମିତି, ଗଜପତିରେ ଉପସ୍ଥାପନା କରି ସେମାନଙ୍କ ନିଷ୍ପତ୍ତିକ୍ରମେ ଶିଶୁମାନଙ୍କୁ ଥଇଥାନ କରାଯିବ I ପିଲାମାନଙ୍କର ସମସ୍ତ ଖର୍ଚ୍ଚ ଜିଲ୍ଲା ପ୍ରଶାସନ ଦ୍ୱାରା ବହନ କରାଯିବ I


